ଭୁବନେଶ୍ବର: ଗୋଆରେ ସଦ୍ୟ ସମାପ୍ତ ୩୭ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶା ପାଇଁ ୬୦ ପଦକ ଜିତି ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଶୁକ୍ରବାର ଅର୍ଥ ପୁରସ୍କାର ସହ ସମ୍ମାନିତ କରିଛି। ୧୭ ଖେଳ ଶୃଙ୍ଖଳାରେ ରାଜ୍ୟର ୧୬୯ ଜଣ ଖେଳାଳି ଏହି ୬୦ ପଦକ ଜିତିଥିଲେ। ଏହା ମଧ୍ୟରେ ୧୧ ସ୍ବର୍ଣ୍ଣ, ୧୮ ରୌପ୍ୟ ଓ ୩୧ କାଂସ୍ୟ ପଦକ ସାମିଲ ଥିଲା। ଗତ ସଂସ୍କରଣ ତୁଳନାରେ ଏହା ପ୍ରାୟ ଅଢ଼େଇ ଗୁଣା ସଫଳ ଥିଲା। କାରଣ ୨୦୨୨ରେ ଓଡ଼ିଶା ମୋଟ ୨୬ ପଦକ ଜିତିଥିଲା। ଏଥର ଖେଳାଳିମାନଙ୍କୁ ଦଳଗତ ଓ ବ୍ୟକ୍ତିଗତ ପ୍ରଦର୍ଶନ ନିର୍ବିଶେଷରେ ସ୍ବର୍ଣ୍ଣ ପାଇଁ ୫ ଲକ୍ଷ, ରୌପ୍ୟ ପାଇଁ ୩ ଲକ୍ଷ ଏବଂ କାଂସ୍ୟ ପାଇଁ ୨ ଲକ୍ଷ ଲେଖାଏଁ ପାଇଛନ୍ତି। ମୋଟ ଉପରେ ଏମାନଙ୍କୁ ୫ କୋଟି ୩୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇ ଏହି କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ନିର୍ଦେଶକ ସିଦ୍ଧାର୍ଥ ଦାସ ଏବଂ ସଫଳ ଖେଳର ରାଜ୍ୟ ସଂଘ କର୍ମକର୍ତାମାନେ ମଧ୍ୟ ଉପସ୍ଥିତ ଥିଲେ।