ଦୁବାଇ: ୟୁଏଇରେ ଚାଲିଥିବା ଆଇପିଏଲ୍-୧୩ ମଧ୍ୟଭାଗ ଅତିକ୍ରମ କରିସାରିଛି। କରୋନା କଟକଣା ଭିତରେ ବି କ୍ରିକେଟ୍ପ୍ରେମୀ ଚଳିତ ବର୍ଷ ଅନେକ ରୋମାଞ୍ଚଭରା ଓ ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତର ମଜା ଉଠାଇଛନ୍ତି। ଗୋଟିଏ ଦିନରେ ଦୁଇଟି ଟାଇ ମ୍ୟାଚ୍ ସହ ଗୋଟିଏ ମ୍ୟାଚ୍ରେ ଦୁଇଟି ସୁପର ଓଭର ଦେଖିବାର ଅନନ୍ୟ ଅଭିଜ୍ଞତା ସେମାନେ କରିଛନ୍ତି। ଦିନକୁ ଦିନ ମଧ୍ୟ ପ୍ରତିଦ୍ବନ୍ଦ୍ବିତାର ସ୍ତର ବଢ଼ିବଢ଼ି ଚାଲିଛି। ଭାରତୀୟ ଯୁବ ଖେଳାଳିମାନେ ନିଜ ପ୍ରଭାବୀ ପ୍ରଦର୍ଶନରେ କ୍ରିକେଟ୍ ପଣ୍ଡିତଙ୍କୁ ବରାବର ବିମୁଗ୍ଧ କରୁଛନ୍ତି। ହେଲେ ଏମିତି ବି କିଛି ଖେଳାଳି ଅଛନ୍ତି, ଯେଉଁମାନେ ଏ ପର୍ଯ୍ୟନ୍ତ ନିଜ ଉଚ୍ଚ ଦରକୁ ସାର୍ଥକ କରିପାରି ନାହାନ୍ତି। ଏହି ଦାମୀ ଖେଳାଳିମାନେ ପ୍ରଶଂସକଙ୍କ ସହ ନିଜ ଦଳକୁ ମଧ୍ୟ ନିରାଶ କରି ଚାଲିଛନ୍ତି। କୋଟି କୋଟି ଟଙ୍କାରେ ବିକ୍ରି ହୋଇଥିଲେ ବି ନିଜ ସ୍ବାଭାବିକ ଓ ଦକ୍ଷତାମୂଳକ ଖେଳ ଦେଖାଇ ନପାରି ସମାଲୋଚିତ ହେଉଛନ୍ତି। ଏଭଳି ଖେଳାଳିମାନେ ଆଇପିଏଲ୍-୧୩ର ଫ୍ଲପ୍ ଖେଳାଳି ଆଖ୍ୟା ଲାଭ କରି ସାରିଲେଣି। ଦୁର୍ବଳ ପ୍ରଦର୍ଶନ ପାଇଁ ଅତ୍ୟନ୍ତ ମହଙ୍ଗା ଦରରେ ବିକ୍ରି ହୋଇଥିବା ଏହି ଖେଳାଳିମାନେ କିନ୍ତୁ ନିଜ ଫ୍ରାଞ୍ଚାଇଜ ପାଇଁ ଏକପ୍ରକାର ବୋଝ ପାଲଟି ଗଲେଣି। ଏଭଳି ଶୀର୍ଷ ୫ ଖେଳାଳିଙ୍କ ଉପରେ ନଜର ପକାଇବାର ବେଳ ଏବେ ଆସିଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗ୍ଲେନ୍ ମ୍ୟାକ୍ସୱେଲ (କିଙ୍ଗ୍ସ ଇଲେଭେନ୍ ପଞ୍ଜାବ)
ଚଳିତ ଆଇପିଏଲ୍ର ଆଉ ଜଣେ ବିଫଳ ବ୍ୟାଟିଂ ବୀର ହେଲେ ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ସୱେଲ। ମ୍ୟାକ୍ସୱେଲଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ ବହୁତ ବଡ଼ ଅଙ୍କ ଅର୍ଥାତ୍ ୧୦.୭୫ କୋଟି ଟଙ୍କା ଦେଇ କିଣିଥିଲା। ହେଲେ ମ୍ୟାକ୍ସୱେଲଙ୍କ ବ୍ୟାଟ୍ ଚଳିତ ଆଇପିଏଲ୍ର ପ୍ରଥମାର୍ଧରେ ପୂରା ଶାନ୍ତ ରହିଛି। ୨୦୧୪ରେ ଅବଶ୍ୟ ସେ ଏକାକୀ କିଙ୍ଗ୍ସ ଏକାଦଶକୁ ପ୍ଲେ ଅଫ୍ ନିକଟରେ ପହଞ୍ଚାଇ ଦେଇଥିଲେ। ୟୁଏଇ ଆସିବା ପୂର୍ବରୁ ଇଂଲଣ୍ଡ ଶୃଙ୍ଖଳାରେ ଶତକୀୟ ପାଳି ଖେଳିଥିବାରୁ ଚଳିତ ଆଇପିଏଲ୍ରେ ସେ ସେହି ପୁରୁଣା ଚମକ ଦେଖାଇବେ ବୋଲି ଆଶା କରାଯାଉଥିଲା। ହେଲେ ମ୍ୟାକ୍ସୱେଲ୍ ପ୍ରଶଂସକଙ୍କ ସହ ନିଜ ଫ୍ରାଞ୍ଚାଇଜକୁ ନିରାଶ କରିଛନ୍ତି। ପଞ୍ଜାବର ପ୍ରଥମ ୧୦ ମ୍ୟାଚ୍ରେ ସେ ମାତ୍ର ଗୋଟିଏ ଛକା ମାରିଛନ୍ତି। ଅବିଶ୍ବସନୀୟ ଭାବେ ମାତ୍ର ୧୦୩.୪୪ର ଷ୍ଟ୍ରାଇକ୍ ରେଟ୍ରେ ୯୦ ରନ୍ କରିଛନ୍ତି। ଗୋଟିଏ ସାନ୍ତ୍ବନାମୂଳକ ୱିକେଟ୍ ନେଇଥିବା ମ୍ୟାକ୍ସୱେଲ୍ ଚଳିତ ଆଇପିଏଲ୍ର ଫ୍ଲପ୍ ହିରୋଙ୍କ ମଧ୍ୟରେ ସମ୍ଭବତଃ ପ୍ରଥମ ସ୍ଥାନରେ ରହିବେ। ମଙ୍ଗଳବାର ଅବଶ୍ୟ ଦିଲ୍ଲୀ ବିପକ୍ଷରେ ୨୪ ବଲ୍ରୁ ୩୨ ରନ୍ କରିବା ସହ ବୋଲିଂ ଓପନ୍ କରି ୪ ଓଭରରେ ୩୧ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।
ପ୍ୟାଟ୍ କମିନ୍ସ (କେକେଆର୍)
ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସଙ୍କୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଆଖି ଖୋସି ହୋଇଗଲା ଭଳି ଦର ଅର୍ଥାତ୍ ୧୫.୫ କୋଟି ଟଙ୍କାରେ କିଣିଥିଲା। କେକେଆର୍ ପାଇଁ ୨୦୧୪ ମସିହାରେ ଖେଳିବା ପରେ ସେ ଦିଲ୍ଲୀ କ୍ୟାପିଟାଲ୍ସକୁ ଚାଲି ଯାଇଥିଲେ। ଚଳିତବର୍ଷ ପୁଣି ଥରେ କେକେଆର୍କୁ ଫେରିଥିଲେ। ହେଲେ ସୋମବାର ସୁଦ୍ଧା ଖେଳିଥିବା ୯ ମ୍ୟାଚ୍ରେ ସେ ଫର୍ମ ହୀନ ରହିଛନ୍ତି। ୮.୪୨ ହାରରେ ରନ୍ ବ୍ୟୟ କରି ମାତ୍ର ୩ ୱିକେଟ୍ କରାୟତ କରିଛନ୍ତି। ଅବଶ୍ୟ ବ୍ୟାଟିଂରେ ତୁଳନାତ୍ମକ ଭାବେ କମିନ୍ସ ଭଲ କରିଛନ୍ତି। ଏ ପର୍ଯ୍ୟନ୍ତ ୧୬୧ର ଷ୍ଟ୍ରାଇକ୍ ରେଟ୍ରେ ସେ ୧୨୬ ରନ୍ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ରେ ଅର୍ଧଶତକ ଅର୍ଜନ କରି ନିଜ ଦଳକୁ ଲଜ୍ଜାରୁ ବଞ୍ଚାଇଥିଲେ ସେ।
ସେଲଡନ୍ କଟ୍ରେଲ (କିଙ୍ଗ୍ସ ଇଲେଭେନ୍ ପଞ୍ଜାବ)
ୱିକେଟ୍ ନେବା ପରେ ସାଲ୍ୟୁଟ୍ ମରା ଉତ୍ସବ ପାଳନ ପାଇଁ ଚର୍ଚାରେ ରହି ଆସୁଥିବା କିଙ୍ଗ୍ସ ଇଲେଭେନ୍ ପଞ୍ଜାବର ୱେଷ୍ଟଇଣ୍ଡିଆନ୍ ଦ୍ରୁତ ବୋଲର ସେଲଡନ୍ କଟ୍ରେଲ ମଧ୍ୟ ସେମିତି କିଛି ଆଖି ଦୃଶିଆ କମାଲ କରିପାରିନାହାନ୍ତି। ଭାରତ ଗସ୍ତରେ ଭଲ କରିବା ପରେ ପଞ୍ଜାବ ତାଙ୍କୁ ଚଳିତ ବର୍ଷର ନିଲାମରେ ୮.୫ କୋଟି ଟଙ୍କାରେ କିଣିଥିଲା। ପ୍ରଥମେ ପ୍ରଥମେ ଭଲ କରୁଥିଲେ ମଧ୍ୟ ଯେମିତି ଯେମିତି ଲିଗ୍ ଆଗେଇ ଚାଲିଲା ତାଙ୍କ ଚମକ କ୍ରମଶଃ ଫିକା ପଡ଼ି ଯାଇଥିଲା। ସୋମବାର ସୁଦ୍ଧା ୬ ମ୍ୟାଚ୍ ଖେଳି ମାତ୍ର ୬ ୱିକେଟ୍ କରାୟତ କରିଛନ୍ତି ସେ। ସେଥିମଧ୍ୟରୁ ଚାରିଟି ୱିକେଟ୍ ପଞ୍ଜାବର ପ୍ରଥମ ଦୁଇ ମ୍ୟାଚ୍ରୁ ଅକ୍ତିଆର କରିଥିଲେ ଏହି ଷ୍ଟାଇଲିସ୍ ବୋଲର। ପରବର୍ତ୍ତୀ ୪ ମ୍ୟାଚ୍ରେ ଓଭର ପିଛା ୮ ରନ୍ ବ୍ୟୟ କରି କଟ୍ରେଲ ନେଇଛନ୍ତି କେବଳ ୨ ୱିକେଟ୍।
ରବିନ ଉଥାପ୍ପା (ରାଜସ୍ଥାନ ରୟାଲ୍ସ)
ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଭାବେ ପରିଚିତ ରବିନ ଉଥାପ୍ପା ଦୀର୍ଘ ସମୟ ହେବ ଆଇପିଏଲ୍ ସହ ଜଡ଼ିତ ଅଛନ୍ତି। ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳୁଥିବା ଉଥାପ୍ପାଙ୍କୁ ଚଳିତ ବର୍ଷ ରାଜସ୍ଥାନ ରୟାଲ୍ସ ୩ କୋଟି ଟଙ୍କାରେ କିଣିଥିଲା। ଜଣେ ପ୍ରତିଭାଶାଳୀ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ପରିଚିତ ଉଥାପ୍ପା କିନ୍ତୁ ରାଜସ୍ଥାନ ପାଇଁ ଆଶାଜନକ ପ୍ରଦର୍ଶନ ଏ ପର୍ଯ୍ୟନ୍ତ କରିପାରିନାହାନ୍ତି। ୭ ମ୍ୟାଚ୍ରୁ ୧୧୭ର ଷ୍ଟ୍ରାଇକ୍ ରେଟ୍ ସହ ମାତ୍ର ୧୨୪ ରନ୍ କରିଛନ୍ତି ସେ। ରାଜସ୍ଥାନ ତାଙ୍କ ଉପରେ ବହୁତ ଭରସା କରିଥିଲା ହେଲେ ସେ ଏହି ଭରସାର ସମ୍ମାନ ରଖିବାରେ ଚଳିତ ଆଇପିଏଲ୍ର ପ୍ରଥମାର୍ଧରେ ଏକରକମ ବିଫଳ ହୋଇ ଚାଲିଛନ୍ତି।
ଜିମି ନିସାମ (କିଙ୍ଗ୍ସ ଇଲେଭେନ୍ ପଞ୍ଜାବ)
ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ଜିମି ନିସାମଙ୍କ ଉପରେ ମଧ୍ୟ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ବହୁତ ଆଶା ଓ ଭରସା ରଖିଥିଲା। ଦଳ ତାଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଥିଲା। ନିସାମ କିନ୍ତୁ ଦଳ ପାଇଁ ବୋଝ ସାବ୍ୟସ୍ତ ହେବାରେ ଲାଗିଛନ୍ତି। ୪ ମ୍ୟାଚ୍ରୁ ସେ ମାତ୍ର ୧୭ ରନ୍ କରିଥିଲା ବେଳେ ୧୨ ଓଭର ବୋଲିଂ କରି ମାତ୍ର ୪ ୱିକେଟ୍ ନେଇଛନ୍ତି। ଏଣୁ ତାଙ୍କୁ ମଧ୍ୟ ଅନ୍ୟତମ ଫ୍ଲପ୍ ତାରକାର ମାନ୍ୟତା ଦିଆଯାଇପାରେ।