ରାଜ୍ୟ ଶକ୍ତି ଉତ୍ତୋଳନ: ମୟୂରଭଞ୍ଜକୁ ୫ ସ୍ବର୍ଣ୍ଣ

ଭୁବନେଶ୍ବର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ ପରିସରରେ ଶୁକ୍ରବାର ୨୮ତମ ରାଜ୍ୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି। ଦ୍ବିତୀୟ ଦିବସ ସୁଦ୍ଧା ମୟୂରଭଞ୍ଜ ସର୍ବାଧିକ ୫ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ଅନୁଗୁଳ, ରାୟଗଡ଼ା ୩ ଲେଖାଏଁ, ଖୋର୍ଦ୍ଧା ୨ଟି, କଟକ ଓ ବଲାଙ୍ଗୀର ଗୋଟିଏ‌ ଲେଖାଏଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମୟୂରଭଞ୍ଜ ପାଇଁ ଅଭିଷେକ ମହନ୍ତ ଦୁଇଟି, ରିଙ୍କୁ ମହନ୍ତ, ପ୍ରବୀର କୁମାର ପୃଷ୍ଟି, ଦୁଖିରାମ ମାରାଣ୍ଡି ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଅନୁଗଳ ପାଇଁ ସଞ୍ଜୟ କୁମାର ପ୍ରଧାନ, ମାକାରୁ ସାହୁ, କିସୁନ୍‌ ହାଁସଦା, ରାୟଗଡ଼ାର ଓ ଶ୍ୟାମକୁମାର, ତେଜାବ କୁମାର ସୁନା, ବସନ୍ତ ମାଲେକା, ଖୋର୍ଦ୍ଧା ପାଇଁ ସମେନ୍ଦ୍ର ରାଉତରାୟ, ଅନୁପମା ସ୍ବାଇଁ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। କଟକର ଅଭିଷେକ ଦେ, ବାଲେଶ୍ବରର ସୁଜିତ କୁମାର ଗିରି ସ୍ବର୍ଣ୍ଣ ପଦକ ଜିତିଛନ୍ତି।

କଟକ, ଖୋର୍ଦ୍ଧା, ବାଲେଶ୍ବର, ମୟୂରଭଞ୍ଜ, ବଲାଙ୍ଗୀର, ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାରୁ ୫୦ ମହିଳାଙ୍କ ସହ ୨୯୦ ଜଣ ଖେଳାଳି ଏବଂ ୪୦ ଜଣ ଅଫିସିଆଲ୍ ଭାଗ ନେଇଛନ୍ତି। ୩ ଦିନିଆ ଏହି ପ୍ରତିଯୋଗିତା ରବିବାର ସଂଧ୍ୟାରେ ଉଦ୍‌ଯାପିତ ହେବ। ମୁଖ୍ୟ ଅତିଥିଭାବେ ଯୋଗ ଦେଇ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ କାରଣରୁ ଓଡ଼ିଶା ଦେଶର କ୍ରୀଡ଼ା ରାଜଧାନୀର ଭାବେ ପରିଗଣିତ ହୋଇଛି। ଅନେକ କ୍ରୀଡ଼ା ଅନୁଷ୍ଠାନ ସେମାନଙ୍କ ନିରଂତର ସହଯୋଗ କରୁଥିବାରୁ ଓଡ଼ିଶାରେ କ୍ରୀଡ଼ା ବିପ୍ଳବ ସୃଷ୍ଟି ହୋଇ ପାରିଛି ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ। ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଏବଂ ଖୋର୍ଦ୍ଧା ଜିଲ୍ଲା ଶକ୍ତିଉତ୍ତୋଳନ ସଂଘ ସଭାପତି ରାଜେଶ କୁମାର ପରିଡ଼ା ଅତିଥିଭାବେ ଯୋଗ ଦେଇଥିଲେ। ଉଦ୍‌ଘା‌ଟନୀ ଉତ୍ସବକୁ ସଂଘର ସମ୍ପାଦକ ଡକ୍ଟର ହରି ପ୍ରସାଦ ପଟ୍ଟନାୟକ, ଉପ ସଭାପତି ଇଂ ଚିତ୍ତରଂଜନ ସ୍ବାଇଁ, ସହ ସମ୍ପାଦିକା ଡକ୍ଟର ଗୌରୀ ମହାନ୍ତି, ମୀର ଆଜମତ୍ ଅଲୀ, ହିମାଂଶୁ ଶେଖର ଦାସ, ବଳଭଦ୍ର ଦାସ, ଦୀପକ ସାମନ୍ତରାୟ, ଚିତ୍ତରଂଜନ ମିଶ୍ର, ସନ୍ଦୀପ ଦାସ, ପ୍ରଦୀପ କୁମାର ପାତ୍ର, ସୌମ୍ୟରଂଜନ ରାଉତରାୟ, ଶକ୍ତିରଂଜନ ବାରିକ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର