ନୂଆଦିଲ୍ଲୀ: ଆଉ ୧୦ ଦିନ ପରେ ଇଣ୍ଡୋନେସିଆର ଜାକର୍ତା ଓ ପାଲେମ୍ବର୍ଗରେ ଆୟୋଜିତ ହେବ ଏସୀୟ କ୍ରୀଡ଼ାର ଅଷ୍ଟାଦଶ ସଂସ୍କରଣ। ୫୪୧ ଜଣ ଭାରତୀୟ ଏଥିରେ ପ୍ରତିନିଧିତ୍ୱ କରିବେ। ଆସନ୍ତା ସପ୍ତାହରେ ଭାରତୀୟ ଦଳ ଇଣ୍ଡୋନେସିଆ ଯାତ୍ରା କରିବାକୁ ଥିଲା ବେଳେ ପ୍ରମୁଖ ୫ ଖେଳାଳିଙ୍କ ଅନୁପସ୍ଥିତି ଅନୁଭୂତ ହେବ। ଏମ୍ସି ମେରି କମ୍, ସାନିଆ ମିର୍ଜା, ସୁନୀଲ ଛେତ୍ରୀ, ଜିତୁ ରାଏ ଓ ମୀରାବାଇ ଚାନୁଙ୍କ ଭଳି ପ୍ରମୁଖ ୫ ଖେଳାଳି ଏଥର ଏସୀୟ କ୍ରୀଡ଼ାରୁ ବଞ୍ଚିତ ହୋଇଛନ୍ତି। ସେମାନେ ସମସ୍ତେ ବିଭିନ୍ନ କାରଣରୁ ଓହରି ଯାଇଛନ୍ତି। ଯାହାକି ଭାରତର ପଦକ ଅମଳରେ କିଛିଟା ପ୍ରଭାବ ପକାଇବ। ଏମାନଙ୍କ ଅନୁପସ୍ଥିତିରେ ଏଥର ଭାରତ ବିଶେଷତଃ ମୁଷ୍ଟିଯୁଦ୍ଧ, କୁସ୍ତି, ବ୍ୟାଡ୍ମିଣ୍ଟନ ଓ ବନ୍ଧୁକଚାଳନାରେ ପଦକ ହାସଲର ଆଶା ବାନ୍ଧିଛି। ତଥାପି ବଞ୍ଚିତ ହୋଇଥିବା ୫ ଖେଳାଳିଙ୍କ ପୂର୍ବ ପ୍ରଦର୍ଶନ ଉପରେ ନଜର ପକାଇବା।
ମେରି କମ୍:ଏହି ମଣୀପୁରୀ ମହିଳା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମୁଷ୍ଟିଯୁଦ୍ଧରୁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୩୫ ବର୍ଷ ବୟସ୍କା ମେରି କମ୍ ଆହତ ସମସ୍ୟାରେ ଘାଣ୍ଟି ହେଉଥିଲା ବେଳେ ଚିକିତ୍ସାରେ ମଧ୍ୟ ରହିଛନ୍ତି। ଏଥିପାଇଁ ସେ ଏସୀୟ କ୍ରୀଡ଼ାରୁ ଓହରିବାକୁ ବାଧ୍ୟ ହୋଇଛନ୍ତି। ତାଙ୍କ ଓହରିବା ପରେ ପ୍ରଶଂସକମାନେ ନିରାଶ ହୋଇଛନ୍ତିି।
ସାନିଆ ମିର୍ଜା: ଏହି ହାଇଦ୍ରାବାଦୀ ଲଳନା ଭାରତୀୟ ଟେନିସ୍ ଦୁନିଆର ସବୁଠୁ ସଫଳ ବୋଲି ନିସନ୍ଦେହରେ କୁହାଯାଇପାରେ। ହେଲେ ଏବେ ସେ ଅନ୍ତଃସତ୍ତ୍ୱା ଥିବାରୁ ଏସୀୟ କ୍ରୀଡ଼ାରୁ ଓହରି ଯାଇଛନ୍ତି। ୩୧ ବର୍ଷ ବୟସ୍କା ସାନିଆ ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଏକମାତ୍ର ଟେନିସ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୨୦୧୪ କ୍ରୀଡ଼ାରେ ସାନିଆ ସ୍ୱର୍ଣ୍ଣ ଜିତିଥିଲେ। ଇଣ୍ଡୋନେସିଆରେ ମଧ୍ୟ ସେହି ସ୍ୱର୍ଣ୍ଣିମ ସଫଳତା ଦୋହରାଇବା ଆଶା ଥିଲା। ହେଲେ ଦୁର୍ଭାଗ୍ୟବଶତଃ ସେ ଓହରିବାରୁ ଭାରତକୁ ନିଶ୍ଚିତ ଝଟ୍କା ଲାଗିଛି।
ସୁନୀଲ ଛେତ୍ରୀ: ଭାରତୀୟ ଫୁଟ୍ବଲ୍ ଦଳର ଅଧିନାୟକ ହେଲେ ସୁନୀଲ ଛେତ୍ରୀ। ତାଙ୍କ ନେତୃତ୍ୱରେ ଦଳ ମଧ୍ୟ ବେଶ୍ ଭଲ ପ୍ରଦର୍ଶନ କରିଆସିଛି। ହେଲେ ଦୁର୍ଭାଗ୍ୟ, ଏଥର ଏସୀୟ କ୍ରୀଡ଼ାକୁ ଭାରତୀୟ ଅଲିମ୍ପିକ୍ ସଂଘ ଫୁଟ୍ବଲ୍ ଦଳ ପଠାଇବାକୁ ମନା କରିଦେଲା। ଦଳର ପଦକ ଜିତିବା ଆଶା ନଥିବାରୁ ସଂଘ ଏଭଳି ନିଷ୍ପତ୍ତି ନେଇଛି। ଯାହାକି ଭାରତୀୟ ଫୁଟ୍ବଲ୍ ପ୍ରଶଂସକଙ୍କ ପାଇଁ ଲଜା ଆଣିଦେଇଛି। ଫଳରେ ଫୁଟ୍ବଲ୍ ପ୍ରଶଂସକମାନେ ଏସୀୟ କ୍ରୀଡ଼ାରେ ତାଙ୍କ ତାରକା ଛେତ୍ରୀଙ୍କ ଦେଖିବାକୁ ପାଇବେ ନାହିଁ ବୋଲି ଜଣିବା ପରେ ଖୁବ୍ ନିରାଶ ହୋଇଛନ୍ତି।
ମୀରାବାଇ ଚାନୁ: ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା କିନ୍ତୁ ଏସୀୟ କ୍ରୀଡ଼ାରୁ ଓହରି ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛନ୍ତି। ଅବଶ୍ୟ ତାଙ୍କ ପିଠିରେ ଯନ୍ତ୍ରଣା ଯୋଗୁଁ ଏବଂ ଆଗାମୀ ଅଲିମ୍ପିକ୍ ଯୋଗ୍ୟତାପର୍ଯ୍ୟାୟକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ପାଇଁ ଏସୀୟ କ୍ରୀଡ଼ାରୁ ଓହରିବାକୁ ବାଧ୍ୟ ହୋଇଥିବା କହିଛନ୍ତି।
ଜିତୁ ରାଏ:ବନ୍ଧୁକଚାଳକ ଜିତୁ ରାଏ ମଧ୍ୟ ଏସୀୟ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି। ୨୦୧୪ କ୍ରୀଡ଼ାରେ ସେ ସର୍ଣ୍ଣିମ ସଫଳତା ସାଉଁଟିଥିଲା ବେଳେ ଇଣ୍ଡୋନେସିଆରେ ତାଙ୍କୁ ଦେଖିବାକୁ ମିଳିବନି। ତେବେ ଭଲ ଫର୍ମରେ ନଥିବାରୁ ତାଙ୍କୁ ଭାରତୀୟ ଦଳରୁ ବାହାରେ ରଖାଯାଇଥିବା କୁହାଯାଉଛି। ହେଲେ ଅନ୍ୟ ପ୍ରମୁଖ ବନ୍ଧୁକଚାଳକଙ୍କୁ ଇଣ୍ଡୋନେସିଆରେ ଦେଖିବାକୁ ମିଳିବାକୁ ଥିଲା ବେଳେ ଜିତୁଙ୍କ ପ୍ରଶଂସକ ନିରାଶ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/7-Asian-Games-mising.jpg)