ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବହୁ ପ୍ରତିକ୍ଷୀତ ଆଇପିଏଲ୍ ତ୍ରୟୋଦଶ ସଂସ୍କରଣ ଜୈବ ବଳୟ ମଧ୍ୟରେ ୟୁଏଇରେ ଆରମ୍ଭ ହୋଇଛି। ଏଥିଯୋଗୁଁ ଅନେକ କ୍ରିକେଟ ପାଗଳଙ୍କ ଭିତରେ ନାହିଁ ନଥିବା ଖୁସି ଦେଖିବାକୁ ମିଳିଥିଲା ବେଳେ ନିରାଶାପୂର୍ଣ୍ଣ ବର୍ଷରେ ଲୋକଙ୍କ ମୁହଁରେ ହସ ଫୁଟିବାରେ ଲାଗିଛି। ପ୍ରଶଂସକଙ୍କୁ ନିରାଶ ନକରିବା ପାଇଁ କ୍ରିକେଟରମାନେ ମଧ୍ୟ ଆକର୍ଷଣୀୟ ପ୍ରଦର୍ଶନ ଦେଇଚାଲିଛନ୍ତି। ତେଣୁ ଟିଭି ଆଗରୁ ସେମାନଙ୍କ ନଜର ହଟୁନଥିଲା ବେଳେ ସାମାଜିକ ଗଣମାଧ୍ୟମରେ ଖେଳାଳିମାନଙ୍କର ପତ୍ନୀ ଓ ବାନ୍ଧବୀମାନଙ୍କ ପୋଷ୍ଟ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି। ସେଭଳି ୫ ଖେଳାଳିଙ୍କ ପତ୍ନୀ ଓ ବାନ୍ଧବୀଙ୍କ ପୋଷ୍ଟିଂକୁ ନେଇ ସ୍ବତନ୍ତ୍ର ଆଲେଖ୍ୟ:
୧. ଚହଲ ଓ ଧନଶ୍ରୀ
ଆଗକୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ସ୍ପିନର ୟୁଜ୍ବେନ୍ଦ୍ର ଚହଲ ଓ ତାଙ୍କର ଭାବି ପତ୍ନୀ ଧନଶ୍ରୀ ବର୍ମା ସେମାନଙ୍କର ନିର୍ବନ୍ଧ ବେଳର ଫଟୋକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିବା ପରଠୁ ଉଭୟଙ୍କ ପ୍ରେମ ସମ୍ପର୍କ ବିଷୟରେ ଚର୍ଚ୍ଚା ଲାଗିରହିଛି। ତେବେ ଏଥିପୂର୍ବରୁ ଉଭୟ ପରସ୍ପରକୁ ଦୀର୍ଘଦିନଧରି ଡେଟ୍ କରିଆସୁଥିଲେ। ଏବେ ୟୁଏଇରେ ଆଇପିଏଲ୍ ଚାଲିଥିବାରୁ ଦୁହେଁ ଅଲଗା ଅଛନ୍ତି। କିନ୍ତୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୮ ରନ୍ ବିନିମୟରେ ୩ ୱିକେଟ ନେବା ପରେ ଚହଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ପୁରସ୍କାର ପାଉଥିଲା ବେଳେ ଟିଭି ପରଦା ଆଗରେ ଧନଶ୍ରୀ ଖୁସିରେ ଆତ୍ମହରା ହୋଇଯିବାର ଏକ ଭିଡିଓକୁ ପୋଷ୍ଟ କରିଥିଲେ। ସଙ୍ଗେସଙ୍ଗେ ପୋଷ୍ଟ୍ର ଜବାବରେ ଅନେକ ଶୁଭେଚ୍ଛା ବାର୍ତ୍ତା ଆସିଯାଇଥିବା ଦେଖାଯାଇଥିଲା।
୨. ଶୁବମନ ଗିଲ୍ ଓ ସାରା ତେନ୍ଦୁଲକର
୨୦୧୯ ଆଇପିଏଲ୍ରେ ଉଦୀୟମାନ କ୍ରିକେଟର ପୁରସ୍କାର ପାଇଥିବା ଶୁବମନ ଗିଲ ଚଳିତ ସଂସ୍କରଣରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୭୫ ରନ୍ର ଏକ ଆକର୍ଷଣୀୟ ପାଳି ଖେଳିଥିଲେ। ଏହି ପ୍ରଦର୍ଶନ ପରେ ସେ ଯେତିକି ଚର୍ଚ୍ଚିତ ହୋଇନଥିଲେ କିନ୍ତୁ ଏକ କ୍ଷେତ୍ରରକ୍ଷଣ ଭିଡିଓରେ ସେ ଅଧିକ ଆଲୋଚନାକୁ ଆସିଯାଇଥିଲେ। କିଂବଦନ୍ତି କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଇନ୍ଷ୍ଟାଗ୍ରାମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପଏଣ୍ଟ ଅଞ୍ଚଳରେ ଶୁବମନ୍ଙ୍କ ଏକ ଚମତ୍କାର କ୍ଷେତ୍ରରକ୍ଷଣ ଭିଡିଓକୁ ପୋଷ୍ଟ କରିବାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଯଦିଓ ଭିଡିଓ ବିବରଣୀରେ ସେ କିଛି ଲେଖିନଥିଲେ, କିନ୍ତୁ ଭିଡିଓରେ ରହିଥିବା ଭଲପାଇବାକୁ ତାହା ସ୍ପଷ୍ଟ ଭାବେ ଦର୍ଶାଉଥିଲା। ଏହି ଭିଡିଓ ମଧ୍ୟ ବହୁତ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଉଭୟଙ୍କୁ କେବେ ବି ପରସ୍ପର ଡେଟ୍ କରୁଥିବା ଦେଖାଯାଇନଥିଲେ ମଧ୍ୟ ସାମାଜିକ ଗଣମାଧ୍ୟମରେ ଏମାନଙ୍କୁ ନେଇ ଅନେକ ଗୁଜବ ଖେଳିବାରେ ଲାଗିଛି।
୩. କୋହଲି ଓ ଅନୁଷ୍କା
ଆଇପିଏଲ୍ ସହିତ ବିବାଦର ସମ୍ପର୍କ ବହୁତ ପୁରୁଣା। ନିକଟରେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର ସାମାଜିକ ଗଣମାଧ୍ୟମରେ ନିଜର ବିଭିନ୍ନ ମନ୍ତବ୍ୟ ପାଇଁ ଚର୍ଚ୍ଚାର ଉପରେ ରହିଥିଲେ। ତାଲାବନ୍ଦ ସମୟରେ କୋହଲିଙ୍କ ବ୍ୟାଟିଂ ଅଭ୍ୟାସକୁ ନେଇ ସେ କଟାକ୍ଷ କରିଥିଲେ। ଏହି ସମୟରେ କୋହଲି କେବଳ ଅନୁଷ୍କାଙ୍କ ବୋଲିଂର ସାମ୍ନା କରିଥିଲେ ଓ ତାହା ପର୍ଯ୍ୟାପ୍ତ ନଥିଲା ବୋଲି ଟ୍ବିଟରରେ ପୋଷ୍ଟ କରିଥିଲେ। ଏହି ପୋଷ୍ଟ ପରେ କୋହଲି ଓ ଅନୁଷ୍କାଙ୍କ ଅନେକ ସମର୍ଥକ ଗାଭାସ୍କରଙ୍କ ଉପରେ ବର୍ଷିଥିଲେ। ପରେ ଅନୁଷ୍କା ମଧ୍ୟ ଇନ୍ଷ୍ଟାଗ୍ରାମକୁ ଯାଇ ନିଜ ମତ ରଖିଥିଲେ। ଏହି ମନ୍ତବ୍ୟକୁ ଘୃଣ୍ୟ ବୋଲି କହିବା ସହ ଏହା ଉପରେ ସ୍ପଷ୍ଟୀକରଣ ଲୋଡ଼ିଥିଲେ।
୪. ପୃଥ୍ବୀ ସ’ ଓ ପ୍ରାଚୀ ଦେଶାଇ
ଦିଲ୍ଲୀ କ୍ୟାପିଟାଲ୍ସର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ପୃଥ୍ବୀ ସ’ ଏକାକୀ ପ୍ରତିପକ୍ଷଙ୍କୁ ଅସୁବିଧାରେ ପକାଇବାକୁ ସକ୍ଷମ। ପଡ଼ିଆକୁ ପ୍ରବେଶ ସମୟରୁ ହିଁ ତାଙ୍କ ପାଖରେ ଆତ୍ମବିଶ୍ବାସ ଭରପୂର ଥିବାପରି ଦେଖାଯାଏ। ୧୯ ବର୍ଷରୁ କମ୍ ଦଳର ଏହି ପୂର୍ବତନ ଅଧିନାୟକ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ସ୍କୋରବୋର୍ଡକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ। ଯେଉଁଥିପାଇଁ ତାଙ୍କୁ କେବଳ କ୍ରିକେଟ ଦୁନିଆରୁ ନୁହେଁ, ବରଂ ବଲିଉଡ ଜଗତରୁ ମଧ୍ୟ ପ୍ରଶଂସା ମିଳିଥିଲା। ନିକଟରେ ଅଭିନେତ୍ରୀ ପ୍ରାଚୀ ଦେଶାଇ, ପୃଥ୍ବୀଙ୍କର କିଛି ପୋଷ୍ଟ୍ର ଇମୋଜି ଜବାବ ଦେଇଥିବାରୁ ଏହା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଯାଇଥିଲା। ଏପରିକି ଏହାକୁ ନେଇ ଭିନ୍ନ ଗୁଜବ ମଧ୍ୟ ହେବାରେ ଲାଗିଛି। ତେବେ ଏହି ଇମୋଜି ସେମାନଙ୍କ ସଂପର୍କ ବିଷୟରେ ଆଗକୁ କିଛି କହିବ କି ନାହିଁ ତାହାକୁ ଅପେକ୍ଷା କରିବାକୁ ହେବ।
୫. ଆଦିତି ହୁଣ୍ଡିଆ ଓ ଇଶାନ କିଷନ
ମୁମ୍ବାଇ ଇଣ୍ଡିଆନ୍ସର ମଧ୍ୟକ୍ରମ ଖେଳାଳି ଇଶାନ କିଷନ ବ୍ୟାଟିଂରେ ନିଜର ପରାକାଷ୍ଠ ଦେଖାଇଆସିଛନ୍ତି। ନିକଟରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୯୯ ରନ୍ର ଆକର୍ଷଣୀୟ ପାଳି ଖେଳିଥିଲେ। ରାଞ୍ଚିର ଏହି ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ ଦଳକୁ ଜିତାଇବାକୁ ସବୁପ୍ରକାର ଚେଷ୍ଟା କରିଥିଲେ। ତେବେ ଏହି ଚେଷ୍ଟା ଅପେକ୍ଷା ତାଙ୍କ ବାନ୍ଧବୀ ଆଦିତି ହୁଣ୍ଡିଆଙ୍କ ଉକ୍ତ ପାଳି ଉପରେ ଦେଇଥିବା ପ୍ରତିକ୍ରିୟା ଅଧିକ ଚର୍ଚ୍ଚିତ ହୋଇଥିଲା। ଇନ୍ଷ୍ଟାଗ୍ରାମରେ ସେ ଏକ ସ୍କ୍ରିନ୍ସଟ୍ ଛାଡ଼ିଥିଲା ବେଳେ ସେଥିରେ ସେ ଇଶାନଙ୍କ ପାଇଁ ଗର୍ବ ଅନୁଭବ କରୁଥିବା ଉଲ୍ଲେଖ କରି ନିଜର ଭଲପାଇବା ଦର୍ଶାଇଥିଲେ।