କୋଭିଡ୍‌ ନିୟମ ଭାଙ୍ଗି ସଙ୍ଗରୋଧରେ ୫ ଭାରତୀୟ ଟେଷ୍ଟ୍ ଖେଳାଳି

ପ୍ରଶଂସକଙ୍କ ଟ୍ବିଟ୍‌ରୁ ଝଡ଼

ମେଲ୍‌ବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାକୁ ବରାବର ସ୍ଥିତିକୁ ଆଣିଥିବା ଭାରତୀୟ କ୍ରିକେଟ୍ ଦଳ ପାଇଁ ଖରାପ ଖବର ଆସିଛି। ନବ ନିଯୁକ୍ତ ଉପ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ୫ ଜଣ ଟେଷ୍ଟ୍‌ ଖେଳାଳି କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ପଡ଼ିବାରୁ ତାଙ୍କୁ ତୁରନ୍ତ ସଙ୍ଗରୋଧରେ ରହିବାକୁ ପଡିଛି।‌ ଜୈବ ସୁରକ୍ଷିତ ବଳୟ ପ୍ରୋଟୋକଲ୍‌ ଭଙ୍ଗ କରି ଏମାନେ ମେଲ୍‌ବର୍ଣ୍ଣର ଏକ ଇନ୍‌ଡୋର୍‌ ରେସ୍ତୋରାଁରେ ଖାଉଥିବାର ଭିଡିଓ ଭାଇରାଲ୍ ହେବା ପରେ ଅଡୁଆରେ ପଡ଼ିଛନ୍ତି। ପ୍ରଥମେ ପ୍ରଥମେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଏହାକୁ ଅସ୍ବୀକାର କରିଥିଲେ ମଧ୍ୟ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ମିଳିତ ତଦନ୍ତ ହେଉଥିବା ବିବୃତ୍ତି ଜାରି କରିବାରୁ ସତ୍ୟତା ଉପରେ ବିଶ୍ବାସ ବଢ଼ିଛି। ରୋହିତ ଶର୍ମାଙ୍କ ସହିତ ସଙ୍ଗରୋଧରେ ରହିଥିବା ଅନ୍ୟ ୪ କ୍ରିକେଟର୍‌ ହେଲେ-ଋଷବ ପନ୍ତ, ଶୁବମନ ଗିଲ୍, ପୃଥ୍ବୀ ସ’ ଏବଂ ନଭଦୀପ ସୈନି। ପ୍ରୋଟୋକଲ୍ ଅନୁସାରେ ଖେଳାଳିମାନେ ଆଉଟ୍‌ଡୋର୍ ବ୍ୟବସ୍ଥାରେ ଖାଇବାକୁ ଯାଇପାରିବେ, କିନ୍ତୁ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ ଥିଲା। ଏମାନେ ଏକାଠି ବସି ଖାଉଥିବାର ଦୃଶ୍ୟ ପଦାକୁ ଆସିଥିବାରୁ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଆଶଙ୍କା କରାଯାଉଛି।

ତେବେ ବିସିସିଆଇ ଏବଂ ସିଏ ମିଳିତ ଭାବେ ଏହାର ଅନୁଧ୍ୟାନ କରିବା ସହ ଡାକ୍ତରୀ ଦଳର ପରାମର୍ଶ ମଧ୍ୟ ନେଉଛନ୍ତି। ପ୍ରତିଷେଧକମୂଳକ ପଦକ୍ଷେପ ସ୍ବରୂପ ‌ଏହି ୫ ଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି। କିନ୍ତୁ ସେମାନେ ତାଲିମ ନେଇପାରିବେ ବୋଲି କୁହାଯାଇଛି। ବିସିସିଆଇ କିନ୍ତୁ ଖେଳାଳିଙ୍କୁ ସମର୍ଥନ କରିବ ବୋଲି ସ୍ପଷ୍ଟ କରି ଦେଇଛି। ଉଦ୍ଦେଶ୍ୟମୂଳକ ଭାବେ ସେମାନେ ନିୟମ ଉଲ୍ଲଂଘନ କରିନାହାନ୍ତି। ୨୦୦୭-୦୮ ମଙ୍କିଗେଟ୍ ବିବାଦ ଭଳି ଭାରତୀୟ ଦଳ ଏକାଠି ହୋଇ ଏହି ପ୍ରସଙ୍ଗରେ ଲଢ଼ିବେ ବୋଲି ସର୍ବସମ୍ମତ ମତ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ଥିବା ବେଳେ ତୃତୀୟ ମୁକାବିଲା ଜାନୁଆରି ୭ ତାରିଖରୁ ସିଡନିରେ ଖେଳାଯିବ ବୋଲି ଧାର୍ଯ୍ୟ ରହିଛି।

ପ୍ରଶଂସକଙ୍କ ଟ୍ବିଟ୍‌ରୁ ଝଡ଼
ନଭଲଦୀପ ସିଂହ ନାମକ ଜଣେ ଭାରତୀୟ ପ୍ରଶଂସକଙ୍କ ଟ୍ବିଟ୍‌ରୁ ହିଁ ଏହି ଝଡ଼ ସୃଷ୍ଟି‌ ହୋଇଛି। ନୂଆବର୍ଷ ଅବସରରେ ରୋହିତ ଶର୍ମା, ନଭଦୀପ ସୈନି, ଋଷବ ପନ୍ତ ଏବଂ ଶୁବମନ ଗିଲ୍‌ଙ୍କୁ ଏକ ରେସ୍ତୋରାଁରେ ଦେଖିବା ପରେ ପାଖ ଟେବୁଲରେ ବସିଥିବା ନଭଲଦୀପ ସେମାନଙ୍କ ଭିଡ଼ିଓ ଉତ୍ତୋଳନ କରିଥି‌ଲେ। ନିଜ କ୍ରିକେଟ୍ ପ୍ରଶଂସକଙ୍କୁ ଅତି ନିକଟରୁ ପାଇବା ପରେ ସେ ତାଙ୍କ ଖାଦ୍ୟ ବିଲ୍‌ (ପ୍ରାୟ ୬୬୮୩ ଟଙ୍କା) ମଧ୍ୟ ପୈଠ କରିଥିବାର ଦାବି କରିଥିଲେ। ଏପରିକି ସେ ନିଜେ ଭୋକିଲା ନ ଥିଲେ ବି କ୍ରିକେଟ୍‌ ତାରକାଙ୍କ ସହ ଅତିରିକ୍ତ ସମୟ ବିତାଇବାକୁ ଅଧିକ କିଛି ଖାଦ୍ୟ ଅର୍ଡର କରିଥିଲେ। ରୋହିତ ଶର୍ମା ହସ୍ତକ୍ଷେପ କରିବା ପରେ ତାଙ୍କୁ ପ୍ରାପ୍ୟ ଫେରାଇ ଦିଆଯାଇଥିଲା। ନିଜ ଟ୍ବିଟ୍‌ରେ ନଭଲଦୀପ ମଧ୍ୟ ଦର୍ଶାଇଥିଲେ ଯେ ଋଷବ ପନ୍ତ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଆଲିଙ୍ଗନ କରିଥିଲେ। ପରେ କିନ୍ତୁ ସ୍ପଷ୍ଟୀକରଣ ଦେଇ ଲେଖିଥିଲେ, ‘ପନ୍ତ୍‌ ମୋତେ ଆଲିଙ୍ଗନ କରିନଥିଲେ, ଏସବୁ ମୁଁ ଅଧିକ ଉଲ୍ଲସିତ ହୋଇ ଲେଖିଥିଲି। ସାମାଜିକ ଦୂରତା ଅବଲମ୍ବନ କରିଥିଲୁ ଏବଂ ଭୁଲ୍‌ କରିଥିବାରୁ କ୍ଷମା ମାଗି ନେଉଛି’। ଭାରତୀୟ ଖେଳାଳିମାନେ କିନ୍ତୁ ବିବାଦ ଭିତରକୁ ଟାଣି ହୋଇଯାଇଥିବାରୁ ଏବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର