ସର୍ବାଧିକ ବିଶ୍ବକପ୍‌ ୱିକେଟ୍‌ଧାରୀ ୫ ଭାରତୀୟ

ଜାହିର ଖାନ୍: ୨୩ ମ୍ୟାଚ୍, ୪୪ ୱିକେଟ୍, ୨୦.୨୨ ହାର, ଅନିଲ କୁମ୍ବଲେ: ୧୮ ମ୍ୟାଚ୍, ୩୧ ୱିକେଟ୍, ୨୨.୮୩ ହାର

ମୁମ୍ବାଇ: ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ ଇତିହାସରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ହେଉଛନ୍ତି ଅଷ୍ଟ୍ରେଲିଆ ପଛକୁ ଦ୍ବିତୀୟ ସଫଳ ଦଳ। ଅଷ୍ଟ୍ରେଲିଆ ପାଞ୍ଚଟି ବିଶ୍ବକପ୍ ଜିତିଥିଲା ବେଳେ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦୁଇଟି ଲେଖାଏଁ ବିଶ୍ବକପ୍ ଜିତିଛନ୍ତି। ଭାରତ ୨୦୦୩ ମସିହାରେ ଫାଇନାଲ୍ ଖେଳିଥିଲା। ସେହିଭଳି ଚାରି ଥର ସେମିଫାଇନାଲ୍ ଯାଏଁ ଯାଇଛି। ଭାରତର ଦୁଇଟି ଯାକ ଏକଦିବସୀୟ ବିଶ୍ବକପ୍ ବିଜୟର ଶ୍ରେୟ କିନ୍ତୁ ଅନେକ ସମୟରେ ବ୍ୟାଟ୍ସମ୍ୟାନଙ୍କୁ ମିଳିଥାଏ। ହେଲେ ‌ବୋଲର ମଧ୍ୟ ଟିମ୍ ଇଣ୍ଡିଆର ଏହି ଦୁଇ ବିଶ୍ବ ବିଜୟରେ ପ୍ରମୁଖ ଭୂମିକା ତୁଲାଇଛନ୍ତି। ଭାରତର ପ୍ରଥମ ବିଶ୍ବକପ୍ ବିଜୟ (୧୯୮୩)ରେ ରୋଜର ବିନ୍ନି ସର୍ବାଧିକ ୱିକେଟ୍ ଅକ୍ତିଆର କରିଥିଲେ। ସେହିଭଳି ୧୯୯୬ ବିଶ୍ବକପ୍‌ରେ ସ୍ପିନର ଅନିଲ କୁମ୍ବଲେ ସର୍ବାଧିକ ୱିକେଟ୍ ନେବାର ଗୌରବ ଅର୍ଜନ କରିଥିଲେ। ୨୦୧୧ ବିଶ୍ବକପ୍ ବିଜୟରେ ମଧ୍ୟ ଭାରତୀୟ ବୋଲରମାନେ ନିଜ ନିଜ ବଳିଷ୍ଠ ଅବଦାନ ଦେଇଥିଲେ। ଆସନ୍ତୁ ବିଶ୍ବକପ୍‌ରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ୍ ନେଇଥିବା ପାଞ୍ଚଜଣ ବୋଲରଙ୍କ ଉପରେ ନଜର ପକାଇବା।

ଜାହିର ଖାନ୍: ୨୩ ମ୍ୟାଚ୍, ୪୪ ୱିକେଟ୍, ୨୦.୨୨ ହାର
ବାମହାତୀ ଦ୍ରୁତ ବୋଲର ଜାହିର ଖାନ୍ ଥରେ ନୁହେଁ ଦୁଇଟି ବିଶ୍ବକପ୍‌ରେ ନିଜ ମହାନତାର ପରିଚୟ ‌ଦେଇଥିଲେ। ଦକ୍ଷିଣ ଆଫ୍ରିକାରେ ଆୟୋଜିତ ୨୦୦୩ ବିଶ୍ବକପ୍‌ରେ ଜାହିର ନିଜ ଶାଣିତ ବୋଲିଂରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ହେଲେ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଭାରତ ଶୋଚନୀୟ ଭାବେ ହାରି ଯାଇଥିଲା। ୨୦୧୧ ମସିହାରେ ଜାହିରଙ୍କ ଜମାଣିଆ ବୋଲିଂ ପାଇଁ ଇଂଲଣ୍ଡ ବିପକ୍ଷ ମହତ୍ବପୂର୍ଣ୍ଣ ମୁକାବିଲାକୁ ଭାରତ ଜିତିଥିଲା। ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ମଧ୍ୟ ଜାହିର ନିଜ ପୁରୁଣା ଯାଦୁ ଦେଖାଇଥିଲେ। ୨୦୧୧ ବିଶ୍ବକପ୍‌ରେ ଜାହିର ଯୁଗ୍ମ ସର୍ବା‌ଧିକ ୱିକେଟ୍ ହାସଲକାରୀ ହୋଇଥିଲେ। ଭାରତ ମଧ୍ୟ ଦୀର୍ଘ ୨୮ ବର୍ଷ ପରେ ଦ୍ବିତୀୟ ଥର ପାଇଁ ବିଶ୍ବକପ୍ ଜିତିବାର ଗୌରବ ଅର୍ଜନ କରିଥିଲା। ୨୦୦୨ରୁ ୨୦୧୪ ମସିହା ମଧ୍ୟରେ ୨୩ ବିଶ୍ବକପ୍ ମ୍ୟାଚ୍ ଖେଳି ମାତ୍ର ୨୦.୨୨ ହା‌ରରେ ଭାରତ ପକ୍ଷରୁ ଜାହିର ଯୁଗ୍ମ ସର୍ବାଧିକ ୪୪ ୱିକେଟ୍ କରାୟତ୍ତ କରିଛନ୍ତି।

ଜଭାଗଲ ଶ୍ରୀନାଥ: ୩୪ ମ୍ୟାଚ୍, ୪୪ ୱିକେଟ୍, ୨୭.୮୧ ହାର
ଜଭାଗଲ ଶ୍ରୀନାଥ ତିନିଟି ବିଶ୍ବକପ୍‌ରେ ଭାରତୀୟ ଦ୍ରୁତ ବୋଲିଂ ବାହିନୀର ନେତୃତ୍ବ ନେଇଥିଲେ। ୧୯୯୨ ମସିହାରେ ଶ୍ରୀନାଥ ଜଣେ ଉଦୀୟମାନ ଦ୍ରୁତ ବୋଲର ଥିଲେ। ୧୯୯୬ ମସିହାରେ ନିଜ ବୋଲିଂ ଶୈଳୀରେ ସାମାନ୍ୟ ପରିବର୍ତ୍ତନ କରି ସେ ସଫଳ ହୋଇଥିଲେ। ୨୦୦୩ ଦକ୍ଷିଣ ଆଫ୍ରିକା ବିଶ୍ବକପ୍‌ରେ ତାଙ୍କ ପ୍ରଦର୍ଶନ ସେତେଟା ଖରାପ ନଥିଲା। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ଶ୍ରୀନାଥଙ୍କ ସହ ଅଧିକାଂଶ ଭାରତୀୟ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଏହା ପରେ ପରେ ଶ୍ରୀନାଥ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରି ଦେଇଥିଲେ। ତେବେ ବିଶ୍ବକପ୍‌ରେ ମୋଟ ୩୪ ମ୍ୟାଚ୍ ଖେଳି ଶ୍ରୀନାଥ ୨୭.୮୧ ହାରରେ ଜାହିର ଖାନଙ୍କ ସହ ସମାନ ୪୪ ୱିକେଟ୍ ଅକ୍ତିଆର କରିଛନ୍ତି।

ମହମ୍ମଦ ସାମି: ୧୧ ମ୍ୟାଚ୍, ୩୧ ୱିକେଟ୍, ୧୫.୭୦ ହାର
ମହମ୍ମଦ ସାମି ଆଜି ପର୍ଯ୍ୟନ୍ତ ଦୁଇଟି ଏକଦିବସୀୟ ବିଶ୍ବକପ୍‌ ଖେଳିଛନ୍ତି। ୨୦୧୫ ଓ ୨୦୧୯। ସାମି ବ୍ୟକ୍ତିଗତ ଭାବେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଦୁର୍ଭାଗ୍ୟଜନକ ଭାବେ ଭାରତ ଏହି ଦୁଇଟି ବିଶ୍ବକପ୍‌ର ସେମିଫାଇନାଲରୁ ବିଦାୟ ନେଇଥିଲା। ୨୦୧୫ ବିଶ୍ବକପ୍ ପୂର୍ବରୁ ଭଲ ଫର୍ମରେ ନଥିଲେ ମଧ୍ୟ ଭାରତର ଚାରି ଜଣିଆ ଦ୍ରୁତ ବୋଲିଂ ବାହିନୀରେ ସାମି ସ୍ଥାନ ବଜାୟ ରଖିଥିଲେ। ଚାରିବର୍ଷ ପରେ ଇଂଲଣ୍ଡରେ ଆୟୋଜିତ ୨୦୧୯ ବିଶ୍ବକପ୍‌ର ଆଫଗାନିସ୍ତାନ ବିପକ୍ଷ ମହତ୍ବପୂ୍ର୍ଣ୍ଣ ମୁକାବିଲାରେ ସେ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ହେଲେ ଏହି ବିଶ୍ବକପ୍‌ର ସବୁ ମ୍ୟାଚ୍ ସେ ଖେଳି ନଥିଲେ। ଦୁଇଟି ବିଶ୍ବକପ୍‌ରେ ୧୧ ମ୍ୟାଚ୍ ଖେଳିଥିବା ସାମି ମାତ୍ର ୧୫.୭୦ ହାରରେ ୩୧ ୱିକେଟ୍ ଅକ୍ତିଆର କରିବା ତାଙ୍କ ବଳିଷ୍ଠ ପ୍ରତିଭାର ପରିଚୟ ମାତ୍ର।

ଅନିଲ କୁମ୍ବଲେ: ୧୮ ମ୍ୟାଚ୍, ୩୧ ୱିକେଟ୍, ୨୨.୮୩ ହାର
ଭାରତୀୟ ସ୍ପିନ୍ କିଂବଦନ୍ତି ଅନିଲ କୁମ୍ବଲେ ୧୯୯୬ ବିଶ୍ବକପ୍‌ର ସର୍ବାଧିକ ୱିକେଟ୍ ହାସଲକାରୀ ଥିଲେ। ସେ ମଧ୍ୟ ୨୦୦୩ ବିଶ୍ବକପ୍ ଖେଳିଥିଲେ। ତେବେ ଅଫ୍‌ସ୍ପିନର ହରଭଜନ ସିଂହ ତାଙ୍କ ତୁଳନାରେ ଅଧିକ ମ୍ୟାଚ୍ ଖେଳିଥିଲେ। କୁମ୍ବଲେ ନବେ ଦଶକରେ ଭାରତୀୟ ବୋଲିଂର ସଙ୍କଟ ମୋଚକ ଥିଲେ। ହେଲେ ବିଶ୍ବକପ୍‌ରେ ତାଙ୍କୁ ଯେତିକି ସୁଯୋଗ ମିଳିବା କଥା‌ ସମ୍ଭବତଃ ତାହା ମିଳି ନଥିଲା। କୁମ୍ବଲେ ୧୮ ଏକଦିବସୀୟ ବିଶ୍ବକପ୍ ମ୍ୟାଚ୍ ଖେଳି ୩୧ ୱିକେଟ୍ କରାୟତ୍ତ କରିଛନ୍ତି।

କପିଳ ଦେବ: ୨୬ ମ୍ୟାଚ୍, ୨୮ ୱିକେଟ୍ , ୩୧.୮୫ ହାର
ଭାରତକୁ ପ୍ରଥମ ବିଶ୍ବକପ୍ ଉପହାର ଦେଇଥିବା ମହାନ ଅଲରାଉଣ୍ଡର କପିଳ ଦେବ ଥିଲେ ଭାରତର ପ୍ରଥମ ଅସଲି ଦ୍ରୁତ ବୋଲର। ଦ୍ରୁତ ବୋଲିଂକୁ ପେସା କରିବା ଲାଗି ସେ ଏକ ସଂପୂର୍ଣ୍ଣ ଭାରତୀୟ ପିଢ଼ିକୁ ଅନୁପ୍ରେରିତ କରିଥିଲେ। କପିଳ ୧୯୭୯ରୁ ୧୯୯୨ ମଧ୍ୟରେ ଚାରିଟି ବିଶ୍ବକପ୍ ଖେଳିଥିଲେ। ତେବେ କେବେବି ମାଳ ମାଳ ୱିକେଟ୍ ନେବାକୁ ସକ୍ଷମ ହୋଇ ନଥିଲେ। ତେବେ ତାଙ୍କ ସ୍ଥିର ପ୍ରଦର୍ଶନ ହିଁ ଭାରତ ସଫଳତାର ଚାବିକାଠି ଥିଲା। କପିଳ ଏକଦିବସୀୟ ବିଶ୍ବକପ୍‌ର ୨୬ ମ୍ୟାଚ୍ ଖେଳି ୩୧.୯୫ ହାରରେ ୨୮ ୱିକେଟ୍ ନେଇଛନ୍ତି। ବିଶ୍ବକପ୍ ଜିତିବାରେ କିନ୍ତୁ ସେ ଭାରତର ପ୍ରଥମ ଅଧିନାୟକ।

ସମ୍ବନ୍ଧିତ ଖବର