୫ ସ୍ମରଣୀୟ ଆସେସ୍ ଶୃଙ୍ଖଳା

ଲଣ୍ଡନ: ବିଶ୍ବ କ୍ରିକେଟ୍‌ର ସବୁଠାରୁ ଚର୍ଚିତ ତଥା ପୁରୁଣା ଲଢ଼େଇ ‘ଆସେସ୍’ ଗୁରୁବାରଠାରୁ ଆରମ୍ଭ ହେବ। ବର୍ମିଂହାମର ଏଜବାଷ୍ଟନଠାରେ ଏହି ପ୍ରତୀକ୍ଷିତ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ। ସବୁଥର ଭଳି ଏଥର ମଧ୍ୟ ଏହି ପ୍ରତିଯୋଗିତା ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଅଷ୍ଟ୍ରେଲିଆ ଗତଥର ବିଜେତା ହୋଇଥିଲା ବେଳେ ଏଥର ଘରୋଇ ପରିବେଶରେ ଇଂଲଣ୍ଡ ତା’ଠାରୁ ‘ଆସେସ୍’ ଛଡ଼ାଇନେବା ଲକ୍ଷ୍ୟରେ ରହିଛି। ୨୦୦୧ ମସିହା ପରଠାରୁ ଇଂଲଣ୍ଡ ମଧ୍ୟ ଘରୋଇ ପରିବେଶରେ ଆଦୌ ଆସେସ୍ ଶୃଙ୍ଖଳା ହାରିନି। ତା’ ସହ ଏକଦିବସୀୟ ବିଶ୍ବକପ୍ ଜିତିବା ପରେ ଇଂଲଣ୍ଡର ଆତ୍ମବିଶ୍ବାସ ମଧ୍ୟ ଢେର ଉଚ୍ଚରେ ରହିଛି। ଇଂଲଣ୍ଡର ଆସେସ୍ ଆଶା ଭିତରେ ଆସନ୍ତୁ ଏହି ପୂରାତନ କ୍ରିକେଟ୍ ମହାସମରର କିଛି ରୋମାଞ୍ଚକର ତଥା ନାଟକୀୟ ଲଢ଼େଇ ଉପରେ ନଜର ପକାଇବା।

୨୦୦୫: ୧୯ ବର୍ଷ ପରେ ଇଂଲଣ୍ଡ ବିଜୟୀ
୨୦୦୫ ଶୃଙ୍ଖଳା ‘ଆସେସ୍’ ଇତିହାସର ଅନ୍ୟତମ ରୋମାଞ୍ଚକର ତଥା ଉତ୍କଣ୍ଠାପୂର୍ଣ୍ଣ ମୁକାବିଲା ଥିଲା। ସେଥର ଦୀର୍ଘ ୧୯ ବର୍ଷର ବ୍ୟବଧାନ ପରେ ଇଂଲଣ୍ଡ ‘ଆସେସ୍’ ଜିତିବାକୁ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆ ଐତିହାସିକ ଲର୍ଡସ ପଡ଼ିଆରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍‌କୁ ୨୩୯ ରନ୍‌ର ବୃହତ୍ ବ୍ୟବଧାନରେ ଜିତି ନେଇଥିଲା। ହେଲେ ଯେତେବେଳେ ଅଷ୍ଟ୍ରେଲିଆର ମହାନ ଦ୍ରୁତ ବୋଲର ଗ୍ଲେନ୍ ମ୍ୟାକଗ୍ରା ଆହତ ହୋଇ ଏଜବାଷ୍ଟନରେ ଖେଳା ଯାଇଥିବା ଦ୍ବିତୀୟ ଟେଷ୍ଟ୍‌ରୁ ବାଦ୍ ପଡ଼ିଲେ, ସେତେବେଳେ ଶୃଙ୍ଖଳା ନାଟକୀୟ ମୋଡ଼ ନେଇଥିଲା। ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ୍‌ଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଦ୍ବିତୀୟ ଟେଷ୍ଟ୍‌କୁ ମାତ୍ର ୨ ରନ୍‌ରେ ଜିତି ନେଇ ଇଂଲଣ୍ଡ ସ୍ଥିତି ସମାନସ୍ତରକୁ ନେଇ ଆସିଥିଲା। ତୃତୀୟ ଟେଷ୍ଟ୍‌ ଅମୀମାଂସିତ ରହିଥିଲା। ସେନ୍ ୱାର୍ନଙ୍କ ସୁନ୍ଦର ବୋଲିଂ ସତ୍ତ୍ବେ ଟ୍ରେଣ୍ଟବ୍ରିଜ୍‌ରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ୍‌କୁ ଜିତି ଇଂଲଣ୍ଡ ୨-୧ରେ ଆଗୁଆ ହୋ‌ଇ ଯାଇଥିଲା। ନିର୍ଣ୍ଣାୟକ ପଞ୍ଚମ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ବିଜୟ ଦ୍ବାର ଦେଶରେ ଥିଲା। ତେବେ କେଭିନ୍ ପିଟରସନଙ୍କ ୧୫୮ ରନ୍‌ର ସାହସିକ ପାଳି ସହ ଆସ୍‌ଲେ ଜାଇଲ୍ସଙ୍କ ଲଢ଼ୁଆ ଅର୍ଧଶତକ ବଳରେ ଇଂଲଣ୍ଡ ଏହି ମୁକାବିଲାକୁ କଷ୍ଟେମଷ୍ଟେ ଅମୀମାଂସିତ ରଖିଥିଲା। ଫଳରେ ୨-୧ରେ ‌ଆସେସ୍ ଜିତି ଅଷ୍ଟ୍ରେଲିଆର ବିଜୟ ଧାରାକୁ ଭାଙ୍ଗିଥିଲା।

୧୯୮୧: ବିଧ୍ବଂସୀ ବୋଥାମ
୧୯୮୧ରେ ଇଂଲଣ୍ଡର ଆସେସ୍ ବିଜୟ ଶ୍ରେୟ ସଂପୂର୍ଣ୍ଣ ଭାବେ ଅଲରାଉଣ୍ଡର ଇଆନ ବୋଥାମଙ୍କୁ ଯାଏ। ଇଂଲଣ୍ଡ ଅଧିନାୟକ ଭା‌ବେ ବୋଥାମ ଶୃଙ୍ଖଳା ଆରମ୍ଭ କରିଥିଲେ। ହେଲେ ନଟିଂହାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍‌ରେ ଇଂଲଣ୍ଡ ପରାଜିତ ହେବା ପରେ ଏବଂ ଲର୍ଡସରେ ଆୟୋଜିତ ଦ୍ବିତୀୟ ଟେଷ୍ଟ୍‌ରେ ଯୁଗଳ ‘ଶୂନ୍’ ପାଇବା ପରେ ଅଧିନାୟକ ପଦରୁ ସେ ଇସ୍ତଫା ଦେଇଥିଲେ। ବୋଥାମଙ୍କ ସ୍ଥାନରେ ମାଇକ୍ ବ୍ରିଅର୍ଲି ଇଂଲଣ୍ଡ ଅଧିନାୟକ ନିଯୁକ୍ତ ହୋଇଥିଲେ। ଏହା ପରେ କିନ୍ତୁ ବୋଥାମଙ୍କ ବ୍ୟକ୍ତିଗତ ପ୍ରଦର୍ଶନରେ ଆଶ୍ଚର୍ଯ୍ୟଜନକ ଉନ୍ନତି ପରିଲକ୍ଷିତ ହୋଇଥିଲା। ହେଡିଂଲେରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ୍‌ ଜିତିବା ଇଂଲଣ୍ଡ ପାଇଁ କାଠିକର ପାଠ ଥିଲା। ହେଲେ ବୋଥାମଙ୍କ ୧୪୯* ରନ୍‌ର ପ୍ରତିଆକ୍ରମଣାତ୍ମକ ପାଳି ବଳରେ ଇଂଲଣ୍ଡ ଅଷ୍ଟ୍ରେଲିଆ ସମ୍ମୁଖରେ ୧୩୦ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହା ପରେ ବବ୍ ୱିଲିସ (୮/୪୩)ଙ୍କ ଅଗ୍ନିବର୍ଷୀ ବୋଲିଂ ବଳରେ ଇଂଲଣ୍ଡ ୧୮ ରନ୍‌ର ଅବିଶ୍ବସନୀୟ ବିଜୟ ହାସଲ କରିଥିଲା। ଏଜ୍‌ବାଷ୍ଟନରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ୍‌ରେ ବୋଥାମ ୨୮ ବଲ୍ ଭିତରେ ମାତ୍ର ୧ ରନ୍ ବ୍ୟୟ କରି ୫ ୱିକେଟ୍ ନେବା ପରେ ଇଂଲଣ୍ଡ ୨୯ ରନ୍‌ର ଆଉ ଏକ ସ୍ମରଣୀୟ ବିଜୟ ପାଇଥିଲା। ବୋଥାମଙ୍କ ବୀରତ୍ବ ପଞ୍ଚମ ତଥା ଶେଷ ଟେଷ୍ଟ୍‌ରେ ମଧ୍ୟ ଜାରି ରହିଥିଲା। ତାଙ୍କ ୧୧୮ ରନ୍‌ର ବିସ୍ଫୋରକ ପାଳି ବଳରେ ଇଂଲଣ୍ଡ ଓଲ୍ଡ ଟ୍ରାଫର୍ଡରେ ଆୟୋଜିତ ପଞ୍ଚମ ଟେଷ୍ଟ୍‌କୁ ଜିତିଥିଲା। ଷଷ୍ଠ ଟେଷ୍ଟ୍‌ ଅମୀମାଂସିତ ରହିବା ପରେ ଇଂଲଣ୍ଡ ୩-୧ରେ ଶୃଙ୍ଖଳା ବିଜୟୀ ହେବାର ଗୌରବ ଅର୍ଜନ କରିଥିଲା।

୧୯୭୪/୭୫: ଲିଲି ଓ ଥମ୍ପ୍‌ସନ୍ ଝଡ଼
୧୯୭୪/୭୫ର ଆସେସ୍ ଶୃଙ୍ଖଳା ମଧ୍ୟ କ୍ରିକେଟ୍‌ପ୍ରେମୀଙ୍କୁ ଅନେକ ସ୍ମରଣୀୟ ମୁହୁର୍ତ ଦେଇଥିଲା। ଅଷ୍ଟ୍ରେଲିଆର ଦୁଇ ମହାନ ଦ୍ରୁତ ବୋଲର ଡେନିସ୍ ଲିଲି ଏବଂ ଜେଫ୍ ଥମ୍ପ୍‌ସନ୍ ସେହି ଶୃଙ୍ଖଳାରେ ଏକପ୍ରକାର ଝଡ଼ ସୃଷ୍ଟି କରିଥିଲେ। ଲିଲି ଆଘାତ ସମସ୍ୟାରୁ ମୁକୁଳିବାକୁ ବେଶି ଦିନ ‌ହୋଇ ନଥିଲା। ଥମ୍ପସନ୍ ମଧ୍ୟ ଶୃଙ୍ଖଳା ପୂର୍ବରୁ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ୧୧୦ ରନ୍ ବ୍ୟୟ କରି ଗୋଟିଏ ହେଲେ ବି ୱିକେଟ୍ ପାଇ ନଥିଲେ। ହେଲେ ଘରୋଇ ପରିବେଶରେ ସେମାନେ ଇଂଲଣ୍ଡ ବ୍ୟାଟିଂକ୍ରମକୁ ଧୂଳି ଚଟାଇଥି‌ଲେ। ଥମ୍ପ୍‌ସନ୍ ପ୍ରଥମ ଚାରି ‌ଟେଷ୍ଟ୍‌ରେ ୧୯.୯୩ ହାରରେ ୩୩ ୱି‌କେଟ୍ କରାୟତ କରିଥିଲେ। ଚତୁର୍ଥ ଟେଷ୍ଟ୍‌ର ଶେଷ ଦୁଇ ଦିନ ଅବଶ୍ୟ ଆଘାତ ପ୍ରାପ୍ତ ହେବାରୁ ସେ ବୋଲିଂ କରି ପାରି ନଥିଲେ। ଅଷ୍ଟ୍ରେଲିଆ ଏହି ଶୃଙ୍ଖଳାକୁ ୪-୧ରେ ଜିତିଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଭୟରେ ଇଂଲଣ୍ଡ ଅଧିନାୟକ ମାଇକ୍ ଡେନିସ୍ ଗୋଟିଏ ଟେଷ୍ଟ୍‌ରୁ ଓହରି ଯାଇଥି‌ଲେ। ଥମ୍ପ୍‌ସନ୍ ଶେଷ ଟେଷ୍ଟ୍‌ରୁ ବାଦ୍ ପଡ଼ିବା ପରେ ଇଂଲଣ୍ଡ ଶେଷ ଟେଷ୍ଟ୍‌ରେ ହିଁ ସାନ୍ତ୍ବନାମୂଳକ ବିଜୟ ହାସଲ କରିଥିଲା। ଲିଲି ମଧ୍ୟ ଏହି ଶୃଙ୍ଖଳାରେ ଚମତ୍କାର ବୋଲିଂ କରିଥିଲେ। ଅଷ୍ଟ୍ରେଲିଆ ଏହି ୬ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୪-୧ରେ ଜିତିଥିଲା।

୧୯୪୮: ବ୍ରାଡ୍‌ମ୍ୟାନ୍‌ଙ୍କ ଶେଷ ଶୃଙ୍ଖଳା
କିମ୍ବଦନ୍ତୀ କ୍ରିକେଟର ଡନ୍ ବ୍ରାଡମ୍ୟାନଙ୍କ ଶେଷ ଶୃଙ୍ଖଳା ହୋଇଥିବାରୁ ‘୧୯୪୮’ ମୁକାବିଲାକୁ ଆସେସ୍ ଇତିହାସରେ ସ୍ବତନ୍ତ୍ର ସ୍ଥାନ ମିଳେ। ଏହି ଶୃଙ୍ଖଳାରେ ଅଷ୍ଟ୍ରେଲିଆ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିଥିଲା। ବ୍ରାଡ୍‌ମ୍ୟାନ୍‌ଙ୍କ ନେତୃତ୍ବରେ କଙ୍ଗାରୁ ଦଳ ଏହି ଶୃଙ୍ଖଳାକୁ ୪-୦ରେ ଜିତି ନେଇଥିଲା। ହେଡିଂଲେରେ ଖେଳା ଯାଇଥିବା ଚତୁର୍ଥ ଟେଷ୍ଟ୍‌ର ଶେଷ ଦିନରେ ଅଷ୍ଟ୍ରେଲିଆ ସମ୍ମୁଖରେ ଇଂଲଣ୍ଡ ୪୦୪ ରନ୍‌ର ଅସମ୍ଭବ ବିଜୟ ଲକ୍ଷ୍ୟ ଦେଇଥିଲା। ତଥାପି ଅଷ୍ଟ୍ରେଲିଆ ଏହାକୁ ମାତ୍ର ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଆର୍ଥର ‌‌ମୋରିସ୍ ୧୮୨ ଏବଂ ବ୍ରାଡମ୍ୟାନ୍ ୧୭୩ ରନ୍‌ର ଅବିଶ୍ବସନୀୟ ପାଳି ଖେଳି ଅଷ୍ଟ୍ରେଲିଆକୁ ନାଟକୀୟ ବିଜୟ ଉପହାର ଦେଇଥିଲେ। ହେଲେ ଏହି ଶୃଙ୍ଖଳା ବ୍ରାଡ୍‌ମ୍ୟାନ୍‌ଙ୍କ ଶେଷ ପାଳିକୁ ନେଇ ଅଧିକ ଚର୍ଚିତ ହୋଇଥିଲା। ଓଭାଲରେ ମାତ୍ର ୪ ରନ୍ କରିଥିଲେ ବ୍ରାଡ୍‌ମ୍ୟାନ୍‌ଙ୍କ ଟେଷ୍ଟ୍‌ ହାରାହାରି ପୂରା ୧୦୦ ହୋଇଥାଆନ୍ତା। ହେଲେ ଇଂଲିସ୍ ଲେଗ୍ ସ୍ପିନର ଏରିକ୍ ହୋଲିଏସ୍ ତାଙ୍କୁ ଖାତା ଖୋଲିବା ପୂର୍ବରୁ ବୋଲ୍ଡ କରି ଦେଇଥିଲେ। ଫଳରେ ମହାନ ଖେଳାଳି ବ୍ରାଡ୍‌ମ୍ୟାନ୍‌ଙ୍କ ପାଳି ପିଛା ହାରାହାରି ୯୯.୯୪ରେ ସୀମିତ ରହିଥିଲା।

୧୯୩୨/୩୩: ବଡିଲାଇନ୍ ବିବାଦ
୧୯୩୨/୩୩ର ଆସେସ୍ ଆଜିପର୍ଯ୍ୟନ୍ତ କ୍ରିକେଟ୍ ଇତିହାସର ଅନ୍ୟତମ ବିବାଦୀୟ ଶୃଙ୍ଖଳା ହୋଇ ରହିଛି। ବିଶ୍ବ କ୍ରିକେଟ୍‌ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ପରିଚିତ ଡନ୍ ବ୍ରାଡ୍‌ମ୍ୟାନ୍‌ଙ୍କ ରନ୍ ସଂଗ୍ରହ ଧାରାକୁ ରୋକିବା ଲାଗି ଇଂଲଣ୍ଡ ବୋଲର ଅପଣାଇଥିବା ନୀତି କ୍ରିକେଟ୍ ଦୁନିଆର ଅନ୍ୟତମ ବିବାଦୀୟ ଅଧ୍ୟାୟ ହୋଇ ରହିଛି। ଇଂଲଣ୍ଡ ବୋଲରମାନେ ବଡିଲାଇନ୍ ବୋଲିଂ କରି କଙ୍ଗାରୁ ଖେଳାଳିଙ୍କୁ ଘାଇଲା କରି ଦେଇଥିଲେ। ଅଧିନାୟକ ଡଗଲାସ୍ ଜାର୍ଦିନ ବ୍ରାଡ୍‌ମ୍ୟାନ୍‌ଙ୍କ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ। ତଦନୁଯାୟୀ ଲେଗ୍ ସାଇଡରେ ଅଧିକ କ୍ଷେତ୍ରରକ୍ଷକ ରଖି ଇଂଲିସ୍ ବୋଲରମାନେ ନିୟମିତ ଭାବେ ସଟ୍ ପିଚ୍ ବୋଲିଂ କରିଥିଲେ। ହାରୋଲ୍ଡ ଲାରଉଡ୍ ଏହାର ନେତୃତ୍ବ ନେଇଥିଲେ। ଏହି ରଣନୀତି ବଳରେ ଇଂଲଣ୍ଡ ୪-୧ରେ ଆସେସ୍ ଜିତି ନେଇଥିଲା। ଶୃଙ୍ଖଳାରେ ବ୍ରାଡ୍‌ମ୍ୟାନ୍‌ଙ୍କ ହାରାହାରି ରନ୍ ସଂଗ୍ରହ ମାତ୍ର ୫୬.୫୭ ରହିଥିଲା। ଇଂଲଣ୍ଡର ଏହି ଅଣଖେଳୁଆଡ଼ ରଣନୀତି ନେଇ ଏମିତି ବିବାଦ ସୃଷ୍ଟି ହୋଇଥିଲା ଯେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପରସ୍ପର ସହ କୁଟନୈତିକ ସଂପର୍କ ଛିନ୍ନ କରିବା ଦ୍ବାର ଦେଶରେ ପହଞ୍ଚି ଯାଇଥିଲେ।

ସମ୍ବନ୍ଧିତ ଖବର