ଭୁବନେଶ୍ବର: ଭୁବନେଶ୍ବର ଓ ରାଉରକେଲାରେ ଚଳିତ ମାସ ୧୩ରୁ ଆରମ୍ଭ ହେବାକୁଥିବା ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ ଲାଗି ରବିବାର ସ୍ପେନ୍‌, କୋରିଆ ଓ ଫ୍ରାନ୍ସ ପହଞ୍ଚିଛି। ରବିବାର ପ୍ରଥମ ଦଳ ଭାବେ ସ୍ପେନ୍‌ ଭୁବନେଶ୍ବର ପହଞ୍ଚିଥିଲା। କିଛି ସମୟ ଭୁବନେଶ୍ବରରେ ରହିବା ପରେ ଏହି ଦଳ ସ୍ପେନ୍‌ ସହ ଚାଟାର୍ଡ ଫ୍ଲାଇଟ୍‌ରେ ଅପରାହ୍ଣରେ ରାଉର‌କେଲା ଗସ୍ତ କରିଥିଲା। କୋରିଆ ଦଳ ଅପରାହ୍ଣରେ ଏବଂ ଫ୍ରାନ୍ସ ରାତିରେ ପହଞ୍ଚିଥିଲା।

Advertisment

ଭାରତରେ ଓ ଭାରତ ବିପକ୍ଷରେ ଖେଳିବା ସୌଭାଗ୍ୟ
ଆୟୋଜକ ଭାରତ ସହ ପୁଲ୍‌-ଡି’ରେ ଥିବା ସ୍ପେନ୍‌ ରବିବାର ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦର‌ରେ ପହଞ୍ଚିବା ପରେ ୱେଲ୍ସ ସହ ରାଉରକେଲା ଯାଇଥିଲା। ସ୍ପେନ୍‌ ପ୍ରଥମ ମ୍ୟାଚ୍‌ ରାଉରକେଲାରେ ଆୟୋଜକ ଭାରତ ବିପକ୍ଷରେ ୧୩ ତାରିଖରେ ଖେଳିବ। ‘‘ମୁଁ ଭାବୁଛି ଏହା ସବୁଠାରୁ ରୋମାଞ୍ଚକର ଖେଳ ହେବ। ଭାରତରେ ଓ ଭାରତ ବିପକ୍ଷରେ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ ଖେଳିବା ସୌଭାଗ୍ୟର କଥା। ମ୍ୟାଚ୍‌ ବହୁତ ଭଲ ହେବ। ଆମର ପ୍ରସ୍ତୁତି ଭଲ ରହିଛି। ଏକାଠି ବହୁତ ଅଭ୍ୟାସ କରିଛୁ, କେବଳ ମ୍ୟାଚ୍‌କୁ ଅପେକ୍ଷା।’’ ବୋଲି ସ୍ପେନ୍‌ ଅଧିନାୟକ ଅଲ୍‌ଭାରୋ ଇଗ୍‌ଲେସିଆସ୍‌ କହିଛନ୍ତି।

ସ୍ପେନ୍‌ ଦଳ: ଆନ୍ଦ୍ରେସ ରଫି, ଆଲେଜା‌ଣ୍ଡ୍ରୋ ଆଲୋନ୍‌ସୋ, ସିଜାର କୁରିଏଲ, ଜାଭି ଗିସପର୍ଟ, ବୋର୍ଜା ଲାକାଲି, ଅଲ୍‌ଭାରୋ ଇଗଲେସିଆସ୍‌ (ଅଧିନାୟକ), ଇଗନାସିଓ ରଡ୍ରିଗୁଏଜ, ଏନ୍‌ରିକ ଗୋଞ୍ଜାଲେଜ, ଗେରାଡ କ୍ଲାପ୍ସ, ଜୋର୍ଡି ବୋନାସ୍ତ୍ରି, ଜାକ୍ବିନ ମେନିନି, ମାରିଓ ଗାରିନ, ମାର୍କ ରେନେ, ମାର୍କ ମିରାଲେସ, ପେପେ କୁନିଲ, ମାର୍କ ରେକାସେନ୍ସ, ପଉ କୁନିଲ, ମାର୍କ ଭିଜକାଇନୋ, ମ୍ୟାକ୍ସ କାଲ‌ଡାସ (ପ୍ରଶିକ୍ଷକ)। ରାଫେଲ ଭିଲାଲୋଙ୍ଗା, ପେରେ ଆମତ (ଷ୍ଟାଣ୍ଡବାଇ)।

ସକାରାତ୍ମକ ଫଳ ଆଶାରେ କୋରିଆ
ପୁଲ୍‌-ବି’ରେ କୋରିଆ ଦଳ ୧୪ ତାରିଖରେ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ବେଲ୍‌ଜିୟମ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ। ସଂପ୍ରତି ବିଶ୍ବ ମାନ୍ୟତ‌ାରେ କୋରିଆ ଦଶମ ସ୍ଥାନରେ ରହିଥିଲା ବେଳେ ୨୦୦୨ ଓ ୨୦୦୬ରେ ଚତୁର୍ଥ ସ୍ଥାନ ଅଧିକାର କରିବା ଏହି ଦଳର ଶ୍ରେଷ୍ଠ ବିଶ୍ବକପ୍‌ ପ୍ରଦର୍ଶନ। ‘‘ଆମେ ଭାରତରେ ଅନେକ ମ୍ୟାଚ୍‌ ଖେଳିଛୁ। ଏବେ ବିଶ୍ବକପ୍‌ ଖେଳିବା ଲାଗି ଉତ୍ସାହର ସହ ଆସିଛୁ।ବିଜେତା ବେଲ୍‌ଜିୟମ ସହ ଆମର ପ୍ରଥମ ମୁକାବିଲା ହେବ। ଏହା କଷ୍ଟକର ହେଲେ ମଧ୍ୟ ସକାରାତ୍ମକ ଫଳ ଆଶାରେ ରହିଛୁ।’’ ବୋଲି କୋରିଆ ମୁଖ୍ୟ ପ୍ରଶିକ୍ଷକ ସିଓକ ସିନ କେ‌ୟୋ କହିଛନ୍ତି।
କୋରିଆ ଦଳ: କିମ୍‌ ଜେୟନ, ଲି ଗାଙ୍ଗସାନ, ଲି ନାମୟଙ୍ଗ, ଜୁଙ୍ଗ ମାନ୍‌ଜାଏ, ହ୍ବାଙ୍ଗ ତାଇଲ, ଲି ଜୁଙ୍ଗଜୁନ, ସିଓ ଇନ୍‌ଉ, ଜି ଉ ଚେଓନ, ଲି ୟେସୁଙ୍ଗ, କିମ ଜାଏଁ, କିମ ସୁଙ୍ଗହୁଁ, ଜିଅନ ବିଉଙ୍ଗଜିନ, ୟାଙ୍ଗ ଜିହୁଁ, ଲି ଜୁୟଙ୍ଗ, ସିଓକ ସିନ କେ‌ୟୋ (ପ୍ରଶିକ୍ଷକ)। କିମ ହିଓନହଙ୍ଗ, କିମ କେୟୁବିଓମ (ଷ୍ଟାଣ୍ଡବାଇ)।

ସହଜରେ ବାଟ ଛାଡ଼ିବୁନି: ଫ୍ରାନ୍ସ ଅଧିନାୟକ
‌ଫ୍ରାନ୍ସ ରବିବାର ସଂଧ୍ୟାରେ ୧୪ତମ ବିଦେଶୀ ଦଳ ଭାବେ ଓଡ଼ିଶା ପହଞ୍ଚିଥିଲା। ଏହି ଦଳ ବିଶ୍ବର ଏକ ନମ୍ବର ଅଷ୍ଟ୍ରେଲିଆ ବିପକ୍ଷରେ ୧୩ ତାରିଖରେ ପ୍ରଥମ ମ୍ୟାଚ୍‌ ଖେଳିବ। ‘‘ଆମେ କୌଣସି ଦଳକୁ ସହଜରେ ବାଟ ଛାଡ଼ିବୁନି। ଅଷ୍ଟ୍ରେଲିଆ ଏବଂ ଆର୍ଜେଣ୍ଟିନା ବିପକ୍ଷରେ ଆମେ ଆମର ଶ୍ରେ‌ଷ୍ଠ ଦେବାକୁ ଚେଷ୍ଟା କରିବୁ।’’ ବୋଲି ଫ୍ରାନ୍ସ ଅଧିନାୟକ ଭିକ୍ଟର ଚାର୍ଲେଟ କହିଛନ୍ତି।

ଫ୍ରାନ୍ସ ଦଳ: ଆଥର ‌ଥିଫ୍ରାଏ, ମାତିଓ ଡେସ୍‌ଗୁଇଲନ୍ସ, ପିଟର ଭାନ ଷ୍ଟ୍ରାଟେନ, ଷ୍ଟାନିସଲାସ ବ୍ରାନିସ୍କି, ଗାସସପାର୍ଡ ଜାଭିଅର, ସିମନ ମାର୍ଟିନ-ବ୍ରିସାକ, ବ୍ଲାଇଜ୍‌ ରୋଗେଉ, ଭିକ୍ଟର ଲକଉଡ, ଚା‌ର୍ଲସ ମାସୁନ, ଗାସପାର୍ଡ ବଉମଗାର୍ଟେନ, ଫ୍ରାଙ୍କୋଇସ୍‌ ଗୋୟେଟ, ନୋଏ ଜୌଇନ, ଜିଅନ-ବାପିଷ୍ଟ ଫର୍ଗ୍ୟୁଜ୍‌, ଇଲିଅଟ କୁର୍ଟି, ଟିନି ଟିନେଭେଜ, ଭିକ୍ଟର ଚାର୍ଲେଟ (ଅଧିନାୟକ), ବ୍ରିଉକ ଡେଲେମାଜୁର, ଏଗର ରେନଡ, ଫ୍ରେଡ୍‌ ସୋୟେଜ (ପ୍ରଶିକ୍ଷକ)। କୋରେଣ୍ଟିନ ସେଲିଅର, ଟିମ ‌ସ୍ଲେମେଣ୍ଟ (‌ଷ୍ଟାଣ୍ଡବାଇ)।