କଲମ୍ବୋ: ସାଂପ୍ରତିକ କୋଭିଡ୍-୧୯ ମହାମାରୀ ରୂପ ନେଉଥିବାରୁ ସାରାବିଶ୍ବ ଏକେ ଲକ୍ଡାଉନ୍। କ୍ରୀଡ଼ା ଓ କ୍ରୀଡ଼ାବିତ୍ମାନେ ଏଥିରେ ଖୁବ୍ ପ୍ରଭାବିତ। ଏପରି ସଂକଟଜନକ ସ୍ଥିତିରେ ବିଶ୍ବର ସବୁଠୁ ଲୋଭନୀୟ କ୍ରିକେଟ୍ ପ୍ରତିଯୋଗିତା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆୟୋଜନ କରିବା ଭାରତ ପାଇଁ ଅସମ୍ଭବ ହୋଇପଡ଼ିଛି। ଚଳିତ ବର୍ଷ ମାର୍ଚ୍ଚ ୨୯ରୁ ପ୍ରକୃତରେ ଏହାର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବାର ଥିଲା। ହେଲେ କରୋନା ଭୂତାଣୁର ପ୍ରକୋପ ସବୁକିଛି ବିଗାଡ଼ି ଦେଇଛି। ପ୍ରଥମେ ଏହାକୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ହେଲେ ଭାରତରେ ଲକ୍ଡାଉନ୍ ସମୟ ଅବଧିକୁ ମେ' ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ପରେ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଆଇପିଏଲ୍କୁ ଅନିର୍ଦିଷ୍ଟ ସମୟ ପାଇଁ ସ୍ଥଗିତ ରଖିଛି। ଏପରିକି ଚଳିତ ବର୍ଷ ଆଇପିଏଲ୍ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ତଥାପି ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ସେପ୍ଟେମ୍ବର-ଅକ୍ଟୋବରରେ କିମ୍ବା ଟ୍ବେଣ୍ଟି-୨୦ ବିଶ୍ବକପ୍ ବାତିଲ ହେଲେ ସେହି ସମୟରେ ଆଇପିଏଲ୍ କରିବାକୁ ବିସିସିଆଇ ଦୁଇଟି ବିକଳ୍ପ ସନ୍ଧାନରେ ରହିଛି। ଆଇପିଏଲ୍ଏ ନହେଲେ ଏଥିପାଇଁ ବିସିସିଆଇ ଓ ଏହାର ଅଂଶୀଦାରମାନେ ୫୦୦ ମିଲିୟନ୍ରୁ ଅଧିକ ଆର୍ଥିକ କ୍ଷତି ସହିବେ। ଏପରିସ୍ଥଳେ ଆଇପିଏଲ୍କୁ ଆୟୋଜନ କରିବା ପାଇଁ ଶ୍ରୀଲଙ୍କା ଆଗ୍ରହ ପ୍ରକାଶ କରିଛି। ଏଥିପାଇଁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ବିସିସିଆଇକୁ ପ୍ରସ୍ତାବ ଦେଇଛି। ପୂରା ବାତିଲ କରିବା ଅପେକ୍ଷା ଆମ ଦେଶରେ ଆୟୋଜନ କରିବାକୁ ରାଜି ହେଲେ କ୍ଷତି ପରିମାଣ ହ୍ରାସ ପାଇପାରିବ ବୋଲି ସିଂହଳୀ ବୋର୍ଡ ସଭାପତି ସାମି ସିଲ୍ଭା କହିଛନ୍ତି। ପୁଣି ଶ୍ରୀଲଙ୍କାରେ ଖେଳାଗଲେ, ଟିଭିରେ ମ୍ୟାଚ୍ ଦେଖିବା ଭାରତୀୟ ଦର୍ଶକଙ୍କ ପାଇଁ ସହଜ ହେବ।
ଆଇପିଏଲ୍ ପୂର୍ବରୁ ଦୁଇଥର ଭାରତ ବାହାରେ (ଦକ୍ଷିଣ ଆଫ୍ରିକା ଓ ୟୁଏଇ) ଆୟୋଜିତ ହୋଇଥିବାରୁ ଏବେ ବାହାରକୁ ଯିବାରେ କୌଣସି ଆପତ୍ତି ନଥିବ ବୋଧେ। ତେବେ ଆମେ ଏନେଇ ଭାରତର ସମ୍ମତିକୁ ଅପେକ୍ଷା କରିଛୁ ବୋଲି ସିଲ୍ଭା କହିଛନ୍ତି। ସୂଚନାଯୋଗ୍ୟ, ୨୦୦୯ ଦେଶରେ ଲୋକସଭା ନିର୍ବାଚନ ପାଇଁ ଆଇପିଏଲ୍ ଦକ୍ଷିଣ ଆଫ୍ରିକାରେ ଏବଂ ୨୦୧୪ ବିଧାନସଭା ନିର୍ବାଚନ ପାଇଁ ୟୁଏଇରେ ଆୟୋଜିତ ହୋଇଥିଲା। ତେଣୁ ଏଥର କରୋନା ଆତଙ୍କ ଯୋଗୁଁ ଯଦି ଆମକୁ ଆଇପିଏଲ୍ ଆୟୋଜନ ଅଧିକାର ହସ୍ତାନ୍ତର କରିବାକୁ ଭାରତ ରାଜି ହୁଏ, ତାହାଲେ ଆମେ ପୂରା ପ୍ରସ୍ତୁତ ବୋଲି ସିଲ୍ଭା କହିଛନ୍ତି।କରୋନା ଯୋଗୁଁ ଶ୍ରୀଲଙ୍କା ସେମିତି ବିଶେଷ ପ୍ରଭାବିତ ହୋଇନାହିଁ। ଏବେ ବି ଭାରତ ତୁଳନାରେ ଶ୍ରୀଲଙ୍କାରେ କରୋନା ମାମଲା ଯଥେଷ୍ଟ କମ୍। ଶ୍ରୀଲଙ୍କା ସରକାର ମଧ୍ୟ କରୋନା ନିୟଂତ୍ରଣ ପାଇଁ କଠୋର ପଦକ୍ଷେପ ନେଉଛନ୍ତି। ତେଣୁ ଆଇପିଏଲ୍ ଆୟୋଜନ ପାଇଁ ଶ୍ରୀଲଙ୍କା ଶ୍ରେଷ୍ଠ ବିକଳ୍ପ ହେବ ବୋଲି ସେ କହିଛନ୍ତି। ଏହାସତ୍ତ୍ବେ ସରକାରୀ ଅନୁମତି ମଧ୍ୟ ଆବଶ୍ୟକ ବୋଲି ସିଲ୍ଭା କହିଛନ୍ତି।
ମହା ଉଦ୍ଘାଟନ
ଗୁଜରାଟର ବଡ଼ କ୍ରିକେଟ୍ ପ୍ରଶାସକ ତଥା ବ୍ୟବସାୟୀ ଲଲିତ ମୋଦୀଙ୍କ ମାନସପୁତ୍ର ଭାବେ ୨୦୦୮ ମସିହାରେ ବିସିସିଆଇର ଏହି ଟି-୨୦ ଘରୋଇ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଅଭିନେତା ସାହାରୁଖ୍ ଖାନ୍ଙ୍କ ସହିତ ବହୁ ତାରକାଙ୍କୁ ନେଇ ବଲିଉଡ୍ ସଂଗୀତ, ନୃତ୍ୟ ଓ ଆତସବାଜି ମଧ୍ୟରେ ଏହି ପ୍ରତିଯୋଗିତାର ମହା ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେତେବେଳେ ବିସିସିଆଇ ଏହାକୁ 'ଐତିହାସିକ ଦିବସ'ର ଆଖ୍ୟା ଦେଇଥିଲା। ପ୍ରଥମ ମ୍ୟାଚ୍ରେ ହିଁ ନ୍ୟୁଜିଲାଣ୍ଡ୍ର ବ୍ରେଣ୍ଡନ୍ ମ୍ୟାକ୍ଲମ ୭୩ ବଲ୍ରୁ ୧୫୮ ରନ୍ ସଂଗ୍ରହ କରି ଫଟାଫଟ୍ କ୍ରିକେଟ୍ ଦୁନିଆରେ ବିସ୍ଫୋରଣ ସୃଷ୍ଟି କରିଥିଲେ। ଏହା ପରଠାରୁ ଏହି ଲିଗ୍ ବିଶ୍ବ କ୍ରିକେଟ୍ ଦୁନିଆର ସବୁଠୁ ମନୋରଂଜନ ଭରା ପ୍ରତିଯୋଗିତା ହୋଇଯାଇଥିଲା।
ଦକ୍ଷିଣ ଆଫ୍ରିକା ଯାତ୍ରା
ଆଇପିଏଲ୍ ଖେଳସୂଚୀ ସହିତ ଭାରତର ସାଧାରଣ ନିର୍ବାଚନ ତାରିଖ ମୁହାଁମୁହିଁ ହେବାରୁ ଦ୍ବିତୀୟ ସଂସ୍କରଣକୁ ୨୦୦୯ରେ ଦକ୍ଷିଣ ଆଫ୍ରିକା ସ୍ଥାନାନ୍ତର କରିବାକୁ ପଡ଼ିଥିଲା। ଅନ୍ୟତମ ଦାବିଦାର ଇଂଲଣ୍ଡକୁ ପଛରେ ପକାଇ ଦକ୍ଷିଣ ଆଫ୍ରିକା ଆୟୋଜନ ପାଇଁ ଅଣ୍ଟା ଭିଡିଥିଲା। ଅନେକ କାମକୁ ପଛରେ ପକାଇ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ମଧ୍ୟ ଏହାକୁ ସଫଳ କରାଇଥିଲା। ଏଥିପାଇଁ ଦକ୍ଷିଣ ଆଫ୍ରିକା ଅର୍ଥନୀତିକୁ ମଧ୍ୟ ୧୦୦୦ ଲକ୍ଷ ଡଲାର୍ ଫାଇଦା ହୋଇଥିଲା। ଏବି ଡି'ଭିଲିୟର୍ସଙ୍କ ପାଇଁ ମଧ୍ୟ ଏହି ସଂସ୍କରଣ ଭଲ୍ ରନ୍ ବର୍ଷାର ଋତୁ ବିତିଥିଲା। ଅନୁରୂପ କାରଣରୁ ମଧ୍ୟ ୨୦୧୪ ସଂସ୍କରଣ ଆଇପିଏଲ୍ର ପ୍ରଥମ ଭାଗ ୟୁଏଇରେ ଖେଳାଯାଇଥିଲା।
ଫିକ୍ସିଂ କଳଙ୍କ
ବିଶ୍ବ କ୍ରିକେଟ୍ର ସବୁଠୁ ଧନି ପ୍ରତିଯୋଗିତାର ମାନ୍ୟତା ହାସଲ କରି ସାରିଥିବା ଆଇପିଏଲ୍କୁ ୨୦୧୩ ମସିହାରେ ସବୁଠୁ ବଡ଼ ଝଟକା ଲାଗିଥିଲା। ସ୍ପଟ୍ ଫିକ୍ସିଂ ପାଇଁ ପୁଲିସ୍ ତଦନ୍ତ ପରେ ବହୁ ଅଧିକାରୀ ଏବଂ ରାଜସ୍ଥାନ ରୟାଲ୍ସର ୩ ଖେଳାଳି ଧରାପଡ଼ିଥିଲେ। ଚେନ୍ନାଇ ସୁପର୍ କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସର ସହ ମାଲିକ ଯଥାକ୍ରମେ ଗୁରୁନାଥ ମେୟାପ୍ପନ୍ ଓ ରାଜ କୁନ୍ଦ୍ରାଙ୍କୁ ଆଜୀବନ ଦଣ୍ଡ ଭୋଗିବାକୁ ପଡ଼ିଥିଲା। ଉଭୟ ଦଳକୁ ମଧ୍ୟ ୨୦୧୫ ମସିହାରେ ୨ ବର୍ଷ ପାଇଁ ନିଲମ୍ବିତ କରିଦିଆଯାଇଥିଲା। ପୂର୍ବରୁ ୨୦୧୦ ମସିହାରେ ମଧ୍ୟ ପୂର୍ବତନ ଆଇପିଏଲ୍ ଅଧ୍ୟକ୍ଷ ଲଳିତ ମୋଦୀଙ୍କ ନାମରେ ଦୁର୍ନୀତି ଅଭିଯୋଗରେ ତାଙ୍କୁ ବିତାଡ଼ିତ ହେବାକୁ ପଡ଼ିଥିଲା। ୩ ବର୍ଷ ପରେ ବ୍ରିଟେନ୍ରେ ଆତ୍ମଗୋପନ କରିଥିବା ଲଳିତ ମୋଦୀଙ୍କୁ ବିସିସିଆଇ ବିଶୃଙ୍ଖଳିତ ଆଚରଣ ପାଇଁ ଆଜୀବନ ନିଲମ୍ବନ ଆଦେଶ ଦେଇଥିଲା।
ଚାଇନିଜ୍ ପ୍ରାୟୋଜକ
ଆଇପିଏଲ୍ ଏହାର ଆକର୍ଷଣୀୟ ଆର୍ଥିକ ଚୁକ୍ତି ପାଇଁ ବେଶ ପରିଚିତ ହୋଇ ସାରିଥିଲା। ଢେର ରାଜସ୍ବ ପାଇଁ ବିସିସିଆଇକୁ ଅଧିକ ଧନି କ୍ରୀଡ଼ା ସଂଘର ମାନ୍ୟତା ବି ପ୍ରଦାନ କରିଥିଲା। ଭାରତୀୟ ଅର୍ଥନୀତିକୁ ମଧ୍ୟ ୮୪୦୦୦ କୋଟି ଟଙ୍କାର ଯୋଗଦାନ ରଖିଥିଲା। ୨୦୧୫ ବେଳକୁ ଏହା ୨୫୦୦୦ କୋଟି ଟଙ୍କାକୁ ବି ବଢ଼ିଯାଇଥିଲା। ଚାଇନିଜ୍ ମୋବାଇଲ୍ ନର୍ମାତା କମ୍ପାନି ଭିଭୋ ଏହାର ପ୍ରାୟୋଜକ ହେବା ପରେ ଏହି ଅଭିବୃଦ୍ଧି ଘଟିଥିଲା। ୨୦୧୭ରେ ଷ୍ଟାର ଇଣ୍ଡିଆକୁ ବି ପ୍ରାୟୋଜକ ଭାବେ ୫ ବର୍ଷ ଲାଗି ୧୯୦୦୦ କୋଟି ଟଙ୍କାରେ ପ୍ରସାରଣ ଅଧିକାର ବିକ୍ରୀ କରାଯାଇଥିଲା। ଇଂଲିସ୍ ପ୍ରିମିୟର୍ ଲିଗ୍ ପରେ ଏହା ସମ୍ଭବତଃ ଦ୍ବିତୀୟ ସର୍ବାଧିକ ରାଶିର ଚୁକ୍ତି ବୋଲି କିଛି ଦିନ ତଳେ ପୂର୍ବତନ ଆଇପିଏଲ୍ ଅଧ୍ୟକ୍ଷ ରାଜୀବ ଶୁକ୍ଳା ପ୍ରକାଶ କରିଥିଲେ।
କରୋନା ମହାମାରୀ
ଅତୀତର ଅନେକ ବିବାଦ ସତ୍ତ୍ବେ କୌଣସି ଶକ୍ତି ଆଇପିଏଲ୍କୁ ରୋକି ପାରିନଥିଲା। ଗୋଟିଏ ପରେ ଗୋଟିଏ ୧୨ଟି ସଂସ୍କରଣ ଯଥାରୀତି ସମ୍ପନ୍ନ ହୋଇଥିଲା। ମାରାତ୍ମକ ମହାମାରୀ କରୋନା କିନ୍ତୁ ଚଳିତ ବର୍ଷର ଆଇପିଏଲ୍କୁ ବାତିଲ କରିବାକୁ ବାଧ୍ୟ କରିଛି। ଏହାକୁ ଶ୍ରୀଲଙ୍କା ଏବଂ ୟୁଏଇ ଭଳି କିଛି ସ୍ବଳ୍ପ ସଂକ୍ରମିତ ଦେଶରେ ଆୟୋଜନ ନେଇ ପ୍ରସ୍ତାବ ଆସୁଥିଲେ ମଧ୍ୟ ସବୁକିଛି ଅନିଶ୍ଚିତତା ଭିତରେ ରହିଛି। ପ୍ରଶଂସକ, ପ୍ରାୟୋଜକ, ଖେଳାଳି ଓ ଆୟୋଜକଙ୍କ ସହିତ ଭାରତୀୟ ଅର୍ଥନୀତିକୁ ମଧ୍ୟ ଏହା ବହୁଳଭାବେ ପ୍ରଭାବିତ କରିବାକୁ ଯାଉଛି।