ବିଶ୍ବ ମହିଳା ମୁଷ୍ଟିଯୁଦ୍ଧ ଭାରତୀୟ ଦଳରେ ୫ ନୂଆ ମୁହଁ

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର ୩ରୁ ୧୩ ତାରିଖ ପର୍ଯ୍ୟନ୍ତ ରୁଷିଆରେ ହେବାକୁଥିବା ବିଶ୍ବ ମହିଳା ମୁ‌ଷ୍ଟିଯୁଦ୍ଧ ପ୍ରତିଯୋଗିତା ଲାଗି ଗୁରୁବାର ୧୦ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏହି ଦଳରେ ୫ ଜଣ ନୂଆ ଖେଳାଳିଙ୍କୁ ସ୍ଥାନ ମିଳିଛି। ମଞ୍ଜୁ ରାଣୀ (୪୮ କେଜି), ଯମୁନା ବୋରୋ (୫୪ କେଜି), ନୀରଜା (୫୭ କେଜି), ମଞ୍ଜୁ ବମ୍ବୋରିୟା (୬୪ କେଜି) ଓ ନନ୍ଦିନୀ (୮୧ କେଜି) ପ୍ରଥମ ଥର ଲାଗି ଏହି ପ୍ରତିଯୋଗିତାରେ ଭାଗନେବେ। ଏମାନଙ୍କ ବାଦ୍‌ ୧୦ ବର୍ଷ ତଳେ ପ୍ରଥମ ବିଶ୍ବ ପ୍ରତିଯୋଗିତା ପଦକ ଜିତିଥିବା ପୁରୁଖା ଏଲ୍‌ ସରିତା ଦେବୀ (୬୦ କେଜି)ଙ୍କ ସହ ୬ ଥରର ବିଶ୍ବ ବିଜୟିନୀ ଏମ୍‌ସି ମେରିକମ୍‌ (୫୧ କେଜି), ଏସୀୟ କାଂସ୍ୟ ବିଜୟିନୀ ଲଭଲିନା ବୋର୍ଗୋହାଁ (୬୯ କେଜି), ସ୍ବିଟ୍‌ ବୁରା (୭୫ କେଜି) ଏବଂ କବିତା ଚହଲ (୮୧ କେଜିରୁ ଅଧିକ) ଏହି ଦଳରେ ସ୍ଥାନ ପାଇଛନ୍ତି। ଚଳିତ ବର୍ଷର ପ୍ରଦର୍ଶନ ଆଧାରରେ ମେରିକମ୍‌ ଏବଂ ଲଭଲିନା ବିନା ଟ୍ରାୟଲ୍‌ରେ ସ୍ଥାନ ପାଇଥିଲା ବେଳେ ଅନ୍ୟମାନେ ଟ୍ରାୟଲ୍‌ ପରେ ବିଶ୍ବ ପ୍ରତିଯୋଗିତା ଟିକେଟ୍‌ ହାସଲ କରିଥିଲେ। ତେବେ ବିନା ଟ୍ରାୟଲ୍‌ରେ ମେରିକମ୍‌ଙ୍କ ଚୟନକୁ ନେଇ କନି‌ଷ୍ଠ ବିଶ୍ବ ପ୍ରତିଯୋଗିତା ବିଜୟିନୀ ନିଖାତ ଜରୀନ ଆପତ୍ତି ଉଠାଇଛନ୍ତ।

ସମ୍ବନ୍ଧିତ ଖବର