ଦୁବାଇ: ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣ ଶନିବାରଠୁ ଆରମ୍ଭ ହୋଇଛି। ଚଳିତ ବର୍ଷ ଆଇପିଏଲ୍ ଖେଳିବାକୁ ଯାଉଥିବା ୫ ନବାଗତଙ୍କ ଉପରେ ନଜର ପକାଇବା।
ଜୋସ ଫିଲିପ (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର)
ଅଷ୍ଟ୍ରେଲିଆର ୱିକେଟ୍ରକ୍ଷକ ବ୍ୟାଟ୍ସମ୍ୟାନ୍ ଫିଲିପ ୨୦୧୯-୨୦ ବିଗ୍ ବାସ ଲିଗ୍ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ୮୧ ରନ୍ର ପାଳିରୁ ସେ ଏହି ପ୍ରତିଯୋଗିତା ଆରମ୍ଭ କରିଥିଲେ। ୨୩ ବର୍ଷୀୟ ଫିଲିପଙ୍କୁ ଆର୍ସିବି ଚଳିତ ବର୍ଷ ନିଲାମରେ ୨୦ ଲକ୍ଷ ଟଙ୍କାରେ କିଣିଥିଲା। ଫିଲିପ ଇଂଲଣ୍ଡ ବିପକ୍ଷ ଏକଦିବସୀୟ ଓ ଟି-୨୦ ଶୃଙ୍ଖଳା ବେଳେ ଅଷ୍ଟ୍ରେଲିଆ ଦଳରେ ସ୍ଥାନ ପାଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ସେ ଅନ୍ତର୍ଜାତୀୟ ପଦାର୍ପଣ କରିନାହାନ୍ତି। ତାଙ୍କୁ ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ୍ରକ୍ଷକ ଆଦାମ ଗିଲକ୍ରିଷ୍ଟ ଓ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସ ନିକଟରେ ପ୍ରଶଂସା କରିଥିଲେ।
ଈଶାନ ପୋରେଲ (କିଙ୍ଗ୍ସ ଇଲେଭେନ୍ ପଂଜାବ)
୨୨ ବର୍ଷୀୟ ଦ୍ରୁତ ବୋଲର ପୋରେଲ ୧୪୦ କିମି ବେଗରେ ବୋଲିଂ କରିବାର ଦକ୍ଷତା ରଖିଛନ୍ତି। ୧୯ ବର୍ଷରୁ କମ୍ ବିଶ୍ବକପ୍ (୨୦୧୮)ରେ ସେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ପାକିସ୍ତାନ ବିପକ୍ଷରେ ୪/୧୭ ସଫଳତା ପାଇବା ସହ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ୍ରେ ଓପନିଂ ସ୍ପେଲ୍ରେ ମିତବ୍ୟୟୀ ରହିଥିଲେ। ୨୦୧୯-୨୦ ରଣଜୀ ଋତୁରେ ସେ ବେଙ୍ଗଲକୁ ଫାଇନାଲ୍ରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ଚଳିତ ବର୍ଷ ଭାରତୀୟ ‘ଏ’ ଦଳର ନ୍ୟୁଜିଲାଣ୍ଡ ଗସ୍ତ ବେଳେ ସେ ୩ ମ୍ୟାଚ୍ ଖେଳି ୮ ୱିକେଟ୍ ଅକ୍ତିଆର କରିଥିଲେ।
ଟମ ବାଣ୍ଟନ (କୋଲ୍କାତା ନାଇଟ୍ ରାଇଡର୍ସ)
ଟି-୨୦ ଫର୍ମାଟ୍ରେ ବ୍ୟାଟ୍ସମ୍ୟାନ୍ ଭାବେ ୨୧ ବର୍ଷୀୟ ବାଣ୍ଟନ୍ଙ୍କ ନାମ ଚର୍ଚ୍ଚାରେ ରହିଛି। ସେ ମାତ୍ର ୪୦ ଟି-୨୦ ମ୍ୟାଚ୍ ଖେଳିଥିଲା ବେଳେ ତାଙ୍କ ଷ୍ଟ୍ରାଇକ୍ରେଟ୍ ୧୫୪.୧୬ ଏବଂ ହାରାହାରି ପାଖାପାଖି ୩୦ ରହିଛି। ସମରସେଟ୍ ପକ୍ଷରୁ ଖେଳୁଥିବା ବାଣ୍ଟନ ୨୦୧୯ ଇଂଲିସ ଘରୋଇ ପ୍ରତିଯୋଗିତା ରୟାଲ ଦିନିକିଆ କପ୍ରେ ୪୫୪ ରନ୍ କରିଥିଲେ। ୩ଟି ନକ୍ଆଉଟ୍ ମ୍ୟାଚ୍ରେ ସେ ୧୧୨, ୫୯ ଓ ୬୯ ରନ୍ କରିଥିଲେ। ସେ ବିଗ୍ ବାସ ଲିଗ୍ ଓ ପାକିସ୍ତାନ ସୁପର ଲିଗ୍ରେ ମଧ୍ୟ ଖେଳିଥିଲା ବେଳେ ଇଂଲଣ୍ଡ ଧଳା ବଲ୍ ଦଳର ସେ ଏବେ ନିୟମିତ ସଦସ୍ୟ ହୋଇପାରିଛନ୍ତି। ରିଭର୍ସ ସୁଇପ୍ରେ ସେ ଜଣେ ଚମତ୍କାର ଖେଳାଳି।
ରବି ବିଷ୍ଣୋଇ (କିଙ୍ଗ୍ସ ଇଲେଭେନ୍ ପଂଜାବ)
ଗୁଗଲି ସାଙ୍ଗକୁ ଚିରାଚରିତ ଲେଗ୍ବ୍ରେକ୍ରେ ବ୍ୟାଟ୍ସମ୍ୟାନ୍ମାନଙ୍କୁ ବାନ୍ଧି ରଖିବାରେ ଦକ୍ଷତା ରଖିଥିବା ରବି ୧୯ ବର୍ଷରୁ କମ୍ ବିଶ୍ବକପ୍ (୨୦୨୦)ରେ ସର୍ବାଧିକ ୱିକେଟ୍ ହାସଲକାରୀ ଥିଲେ। ସେ ୬ ମ୍ୟାଚ୍ ଖେଳି ୧୦.୬୪ ହାରରେ ୧୭ ୱିକେଟ୍ ଅକ୍ତିଆର କରିଥିଲେ। ୨୦ ବର୍ଷୀୟ ରବି ସଂପ୍ରତି କିଙ୍ଗ୍ସ ଇଲେଭେନ୍ ପଂଜାବର ପ୍ରଶିକ୍ଷକ ତଥା ପୂର୍ବତନ ଭାରତୀୟ ଲେଗ୍ ସ୍ପିନର ଅନିଲ କୁମ୍ବଲେଙ୍କଠୁ ବୋଲିଂ କଳା ଶିଖୁଛନ୍ତି। ବିଶେଷ କରି ସେ କୁମ୍ବଲେଙ୍କଠୁ ଫ୍ଲିପର ଶିଖୁଛନ୍ତି।
ଯଶସ୍ବୀ ଜୈସ୍ବାଲ (ରାଜସ୍ଥାନ ରୟାଲ୍ସ)
ମୁମ୍ବାଇର ୧୮ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଯଶସ୍ବୀ ୧୯ ବର୍ଷରୁ କମ୍ ବିଶ୍ବକପ୍ (୨୦୨୦)ରେ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ବିଶ୍ବକପ୍ରେ ସେ ୧୩୩ ହାରରେ ୪୦୦ ରନ୍ କରିଥିଲେ। ଏଥିରେ ଗୋଟିଏ ଶତକ ଓ ୪ ଅର୍ଧଶତକ ସାମିଲ ଥିଲା। ଏହାପରେ ସେ ମୁମ୍ବାଇ ବରିଷ୍ଠ ଦଳରେ ସୁଯୋଗ ପାଇଥିଲେ। ୨୦୧୯-୨୦ ଋତୁରେ ମୁମ୍ବାଇ ପକ୍ଷରୁ ବିଜୟ ହାଜାରେ ଟ୍ରଫିରେ ୩ ଶତକ ଓ ଗୋଟିଏ ଦ୍ବିଶତକ ହାସଲ କରିଥିଲେ। ତାଙ୍କର ଏହି ପ୍ରଦର୍ଶନ ଯୋଗୁଁ ରାଜସ୍ଥାନ ରୟାଲ୍ସ ୨.୪ କୋଟି ଟଙ୍କାରେ କିଣିଥିଲା। ଚଳିତ ବର୍ଷ ଆଇପିଏଲ୍ରେ ସେ ଆଜିଙ୍କ୍ୟ ରାହାଣେଙ୍କ ସହ ଓପନିଂ କରିବାର ସମ୍ଭାବନା ଅଧିକ ରହିଛି।
ଆଇପିଏଲ୍-୧୩ର ୫ ନବାଗତ, ପ୍ରଦର୍ଶନ ଉପରେ କ୍ରିକେଟପ୍ରେମୀଙ୍କ ନଜର
/sambad/media/post_attachments/wp-content/uploads/2020/09/dg8dh798sfh7s8f97h98sfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)