ପ୍ରଥମ ଟେଷ୍ଟ୍‌ ପୂର୍ବରୁ ୫ ସକାରାତ୍ମକ ଦିଗ: ଶୁବମନଙ୍କ ଲୟ, ହନୁମାଙ୍କ ଉପରେ ଦାୟିତ୍ବ, ସାମିଙ୍କ ଶାଣିତ ବୋଲିଂ

ନୂଆଦିଲ୍ଲୀ: ଗୁରୁବାରଠାରୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ ହେବ। ୪ ମ୍ୟାଚ୍‌ ମଧ୍ୟରୁ ଆଡିଲେଡରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ୍‌ ଦିବାରାତ୍ର ବିଶିଷ୍ଟ ଧାର୍ଯ୍ୟ ରହିଛି। ଏଥି ପାଇଁ ଭାରତୀୟ ଦଳ ଭଲ ପ୍ରସ୍ତୁତି କରିଛି। ରବିବାର ଶେଷ ହୋଇଥିବା ୩ ଦିନିଆ ପିଙ୍କ୍‌ ବଲ୍‌ ଅଭ୍ୟାସ ମ୍ୟାଚ୍‌କୁ ଭାରତ ଜିତିପାରିନଥିଲେ ମଧ୍ୟ ବିଶେଷ ଚିନ୍ତିତ‌ ହୋଇନାହିଁ। ଏହି ମ୍ୟାଚ୍‌ରୁ କିନ୍ତୁ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଅନେକ ସକାରାତ୍ମକ ଦିଗ ପାଇଛନ୍ତି। ସେମଧ୍ୟରୁ ୫ଟିକୁ ଏଠାରେ ସ୍ଥାନିତ କରାଗଲା।

ଶୁବମନଙ୍କ ଲୟ
ପିଙ୍କ୍‌ ବଲ୍‌ ଅଭ୍ୟାସ ମ୍ୟାଚ୍‌ର ଉଭୟ ପାଳିରେ ଶୁବମନ ଗିଲ୍‌ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିଲେ। ଏହି ପୋଜିସନ୍‌ ପାଇଁ ଦୌଡ଼ରେ ଥିବା ଅନ୍ୟ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ଗିଲ୍‌ ପଛରେ ପକାଇ ଦେଇଛନ୍ତି। ମୟଙ୍କ ଅଗ୍ରୱାଲଙ୍କ ଓପନିଂ ପାର୍ଟନର୍‌ ପୃଥ୍ବୀ ସ’ଙ୍କୁ ବାଦ୍‌ ଦେବା କଥା ଦଳୀୟ ମ୍ୟାନେଜମେଣ୍ଟ୍‌ ଚିନ୍ତା କଲେ କେଏଲ୍ ରାହୁଲଙ୍କୁ ସୁଯୋଗ ମିଳିପାରେ। ନିଜର ୪୩ ଓ ୬୫ ରନ୍ ପାଳି ମଧ୍ୟରେ ଗିଲ୍‌ ମଧ୍ୟ ନିଜ ଅଫଷ୍ଟମ୍ପ୍‌ କେଉଁଠି ଅଛି ସଠିକ୍‌ ଆକଳନ କରିପାରୁଥିଲେ ଏବଂ ସର୍ଟ ଓ ବାଉଁସ ବଲ୍‌ ଖେଳିବାରେ କୌଣସି ଆସୁବିଧାରେ ପଡ଼ୁନଥିଲେ।

ସାମିଙ୍କ ଶାଣିତ ବୋଲିଂ
ମହମ୍ମଦ ସାମି ଏହି ମ୍ୟାଚ୍‌ରୁ ୫ ୱିକେଟ୍‌ ସଂଗ୍ରହ କରିଛନ୍ତି। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ସମସ୍ତ ୫ ୱିକେଟ୍ ସେ ପ୍ରଥମ ଅଧିବେଶନରେ ପାଇଥିଲେ। ପିଙ୍କ୍‌ ବଲ୍‌ ମ୍ୟାଚ୍‌ରେ ଏହି ଅଧିବେଶନ ବୋଲରଙ୍କ ପାଇଁ କଷ୍ଟସାଧ୍ୟ ଥିବାବେଳେ ସାମିଙ୍କ ପ୍ରଭାବୀ ପ୍ରଦର୍ଶନ ଆଡିଲେଡ୍ ଟେଷ୍ଟ୍‌ ପୂର୍ବରୁ ଭାରତୀୟ ଶିବିରରେ ଆତ୍ମବିଶ୍ବାସ ଭରି ଦେଇଛି। ଲାଲ୍ ବଲ୍‌ର ମଧ୍ୟାହ୍ନ-‌ଚା’ପାନ ବିରତି ବେଳେ ବଲ୍‌ କମ୍‌ ଗତିଶୀଳ ହେଉଥିବାଭଳି ଗୋଲପି ବଲ୍‌ ପ୍ରଥମ ଅଧିବେଶନରେ ଅନୁକୂଳ ଆଚରଣ ଦେଖାଇଥାଏ। ସାମି କିନ୍ତୁ ଦ୍ବିତୀୟ ଏବଂ ତୃତୀୟ ଦିନ ଖେଳ ଆରମ୍ଭରୁ ହିଁ ବିପର୍ଯ୍ୟୟ ଘଟାଇଥିଲେ। ଏଥି ସହିତ ସାମି ସଂଧ୍ୟାରେ ଫ୍ଲଡଲାଇଟ୍‌‌ରେ ନିଶ୍ଚିତ ଅଷ୍ଟ୍ରେଲୀୟଙ୍କୁ ଅସୁବିଧାରେ ପକାଇବେ ବୋଲି କୋହଲି ଆଶା ପ୍ରକଟ କରିଛନ୍ତି। ଏଥି ସହିତ ନିଜକୁ କ୍ଲାନ୍ତ ହେବାକୁ ନ ଦେଇ ଯଶପ୍ରୀତ୍ ବୁମରା ଓ ନଭଦୀପ ସୈନି ମଧ୍ୟ ଭଲ ବୋଲିଂ କରି ୱିକେଟ୍ ନେଇଥିଲେ।

ହନୁମାଙ୍କ ଉପରେ ଦାୟିତ୍ବ
ଟେଷ୍ଟ୍ ଶୃଙ୍ଖଳାରେ ୬ ନମ୍ବର ବ୍ୟାଟ୍ସମ୍ୟାନ୍‌ ନିଶ୍ଚିତ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବେ। ଏହି କାରଣରୁ ହନୁମା ବିହାରୀଙ୍କ କାନ୍ଧ ଉପରେ ରହିବ ଗୁରୁ ଦାୟିତ୍ବ। ଶନିବାର ସେ ହାସଲ କରିଥିବା ପିଙ୍କ୍‌ ବଲ୍‌ ଶତକର ସବୁଠାରୁ ଉଜ୍ବଳ ଦିଗଟି ହେଉଛି ସେ ଆଲୋକ ଆସିବା ପରେ ଶତକ ହାସଲ କରିଥିଲେ। ବାଉଁସର ବଲ୍‌କୁ ନେଇ ସେ ବିବ୍ରତ ନଥିଲେ। ଟେଷ୍ଟ୍ ଶୃଙ୍ଖଳା ପାଇଁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଧାରଣା ଦେଇଛନ୍ତି। ‘ଏହା ଭଲ ଅଭ୍ୟାସ ମ୍ୟାଚ୍‌ ଥିଲା ଏବଂ ସଂଧ୍ୟାରେ ପିଙ୍କ୍‌ ବଲ୍‌ ବ୍ୟାଟ୍‌କୁ ଭଲରେ ଆସୁଥିଲା। ବାଉଁସ ବି ଚିନ୍ତାର କାରଣ ହେବା କଥା ନୁହେଁ’‌ ବୋଲି ହନୁମା ପ୍ରକାଶ କରିଛନ୍ତି।

ନିମ୍ନକ୍ରମ ବ୍ୟାଟିଂ ଭରସା
ବିଦେଶ ଗସ୍ତ ବେଳେ ଭାରତୀୟ ଦଳ ଅଧିକାଂଶ ସମୟ ନିମ୍ନକ୍ରମ ବ୍ୟାଟିଂ ଦ୍ବାରା ହତାଶ ହୋଇଥାଏ। ପିଙ୍କ୍‌ ବଲ୍ ଅଭ୍ୟାସ ମ୍ୟାଚ୍‌ରେ କିନ୍ତୁ ଭାରତର ଶେଷ ଯୋଡ଼ି ଯଶପ୍ରୀତ୍ ବୁମରା (୫୫*) ଏବଂ ମହମ୍ମଦ ସିରାଜ୍ (୨୨) ୭୧ ରନ୍ ସଂଯୋଗ କରି ସମ୍ମାନ ରଖିଥିଲେ। ସଂଧ୍ୟା ନଇଁବା ପରେ ଭାରତର ମଧ୍ୟକ୍ରମ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିବା ବେଳେ ଏମାନେ ଦଶମ ୱିକେଟ୍‌ ପାଇଁ ଅପ୍ରତ୍ୟାଶିତ ଭାଗୀଦାରି ପ୍ରତିଷ୍ଠା କରିଥିଲେ। ତେବେ ଏହା ଟୁର୍ ମ୍ୟାଚ୍‌ ହୋଇଥିବାରୁ ଏହା ଉଭୟଙ୍କ ଉପରେ ଚାପ ପକାଇନଥିବ। ଟେଷ୍ଟ୍ ମ୍ୟାଚ୍‌ ବେଳକୁ ଏଭଳି ଆଶା ରହିବ ଟେଲ୍‌ ଏଣ୍ଡରଙ୍କ ବ୍ୟାଟ୍‌ରୁ।

ଋଷବଙ୍କ ଫର୍ମ
ହନୁମା ବିହାରୀଙ୍କ ଭଳି ଏହି ମ୍ୟାଚ୍‌ରେ ମଧ୍ୟ ଆକର୍ଷଣୀୟ ଶତକ ହାସଲ କରିଥିଲେ ୱିକେଟରକ୍ଷକ ତଥା ବାମହାତୀ ବ୍ୟାଟ୍ସମ୍ୟାନ୍‌ ଋଷବ ପନ୍ତ୍‌। ବିହାରୀଙ୍କ ଧୈର୍ଯ୍ୟପୂର୍ଣ୍ଣ ପାଳିର ପାଲଟା ପ୍ରଦର୍ଶନ କରି ପନ୍ତ୍‌ ମାତ୍ର ୭୩ ବଲରୁ ୧୦୩* ରନ୍ କରିଥିଲେ। ଆଇପିଏଲ୍‌ ବେଳ ଫିଟ୍‌ନେସ୍‌ ଓ ଫର୍ମକୁ ନେଇ ସଂଘର୍ଷ କରୁଥିବାରୁ ପନ୍ତ୍‌ ଆତ୍ମବିଶ୍ବାସକୁ ଫେରିଛନ୍ତି। ଏହ‌ା କିନ୍ତୁ ଦଳୀୟ ପରିଚାଳକକୁ ଚିନ୍ତାରେ ପକାଇଛି ‌ତାଙ୍କୁ ଖେଳାଇବେ ନା ଋଦ୍ଧିମାନ ସାହାଙ୍କୁ। ଋଦ୍ଧିମାନ ନିଶ୍ଚିତ ଅଧିକ ଉନ୍ନତ ୱିକେଟରକ୍ଷକ। ‘ଏ ଶତକ ମୋ ପାଇଁ ବଡ଼ ଆତ୍ମବିଶ୍ବାସ ଆଣି ଦେଇଛି। ବେକରେ ରକ୍କା ପାଇଁ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳିପାରିନଥିଲି। ପିଙ୍କ୍‌ ବଲ୍‌ ଅଭ୍ୟାସ ମ୍ୟାଚ୍‌ର ପ୍ରଥମ ପାଳିରେ ଦୁର୍ଭାଗ୍ୟପୂର୍ଣ୍ଣ ଏଲ୍‌ବିଡବଲ୍ୟୁର ଶିକାର ହୋଇଥିଲି। ଦ୍ବିତୀୟ ପାଳିରେ କିନ୍ତୁ ଏକାଗ୍ର ହୋଇ ପାଳି ଗଢ଼ିବା ପରେ ଭଲ ‌ଖେଳିଥିଲି’ ବୋଲି ପ୍ରକାଶ କରିଛନ୍ତି ପନ୍ତ୍‌।

ସମ୍ବନ୍ଧିତ ଖବର