କୋହଲିଙ୍କ ପାଇଁ କଷ୍ଟକର ୫ କୀର୍ତ୍ତି: ୨୦୦ ଟେଷ୍ଟ୍ ମ୍ୟାଚ୍‌, ୧୫,୯୨୧ ଟେଷ୍ଟ୍ ରନ୍‌

ନୂଆଦିଲ୍ଲୀ: ବିରାଟ କୋହଲିଙ୍କୁ ଏବେ ବିଶ୍ବର ଅନ୍ୟତମ ମହାନ ବ୍ୟାଟ୍‌ସମ୍ୟାନ୍‌ ଭାବେ ଗଣାଯାଉଛି। ତାଙ୍କୁ ସମସାମୟିକ କ୍ରିକେଟର୍‌‌ କେନ୍ ୱିଲିୟମ୍‌ସନ୍‌, ଷ୍ଟିଭ୍ ସ୍ମିଥ୍‌ ଏବଂ ‌ଜୋ ରୁଟଙ୍କ ସହ ବି ଗୋଟିଏ କ୍ଲବ୍‌ରେ ରଖାଯାଇଥାଏ। ସମସ୍ତ ଫର୍ମାଟରେ‌ କୋହଲିଙ୍କ ନିରଂତର ସଫଳତା ମଧ୍ୟ ତାଙ୍କୁ ଆଧୁନିକ କ୍ରିକେଟର୍‌ ମହାନ ତାଲିକାରେ ରଖିବାକୁ ବାଧ୍ୟ କରିଛି। ୧୨ ବର୍ଷର କ୍ରିକେଟ୍ ଜୀବନରେ କୋହଲି ଅନେକ କୀର୍ତ୍ତିମାନ ଭାଙ୍ଗିସାରିଛନ୍ତି ଏବଂ ଆହୁରି କିଛି ଭାଙ୍ଗିବାକୁ ଯାଉଛନ୍ତି। ତା’ ମଧ୍ୟରେ ସଚିନ ତେନ୍ଦୁଲକରଙ୍କ ୧୦୦ ଅନ୍ତର୍ଜାତୀୟ ଶତକ ରହିଛି। ଏ ପର୍ଯ୍ୟନ୍ତ ୭୦ ଅନ୍ତର୍ଜାତୀୟ ଶତକ ହାସଲ କରିସାରିଥିବାରୁ କୋହଲି ନିଶ୍ଚିତ ଏହି ଲକ୍ଷ୍ୟ ପଥରେ ପହଞ୍ଚିଯିବେ ବୋଲି ବିଶ୍ବାସ କରାଯାଉଛି। କିନ୍ତୁ ଏମିତି କିଛି କ୍ରିକେଟ୍ କୀର୍ତ୍ତିମାନ ରହିଛି ଯାହା କୋହଲିଙ୍କ ପାଇଁ ଅପହଞ୍ଚ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସେ ମଧ୍ୟରୁ ଆମେ ୫ଟି କୀର୍ତ୍ତିମାନର ତାଲିକା ନିମ୍ନରେ ପ୍ରଦାନ କରୁଛୁ।

୨୦୦ ଟେଷ୍ଟ୍ ମ୍ୟାଚ୍‌
କୋହଲିଙ୍କ ଫିଟନେସ୍‌ ସ୍ତର ଦେଖିଲେ ଏହାକୁ ଯଦି ସେ ବଜାୟ ରଖନ୍ତି ତେବେ ୨୦୦ରୁ ଊର୍ଧ୍ବ ଟେଷ୍ଟ୍ ମ୍ୟାଚ୍‌ ଖେଳିବେ‌ ବୋଲି ଆଶା ଓ ଆଶଙ୍କା ରହିଛି। ସଚିନ ତେନ୍ଦୁଲକର ଏକମାତ୍ର କ୍ରିକେଟର୍‌ ଭାବେ ୨୦୦ ଟେଷ୍ଟ୍ ଖେଳିଛନ୍ତି। କିନ୍ତୁ ଏଥିପାଇଁ ସେ ୨୪ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ରହିଥିଲେ। କୋହଲି କିନ୍ତୁ ସମସ୍ତ ଫର୍ମାଟରେ ସନ୍ତୁଳନ ରଖିଥିବାରୁ ବ୍ୟସ୍ତ ଖେଳସୂଚୀ କାରଣରୁ ଶରୀର ଉପରେ ଏହା ବୋଝ ହୋଇପାରେ। ଯେଉଁଥିପାଇଁ କୋହଲି ୨୦୦ ଟେଷ୍ଟ୍‌ଠାରୁ ପଛରେ ଅଟକି ଯାଇପାରନ୍ତି ବୋଲି ଆଶଙ୍କା ବି ରହିଛି। ୩୧ ବର୍ଷୀୟ କୋହଲି ଅଦ୍ୟାବଧି ୮୬ ଟେଷ୍ଟ୍ ଖେଳିଛନ୍ତି।

୧୫,୯୨୧ ଟେଷ୍ଟ୍ ରନ୍‌
ସର୍ବାଧିକ ଟେଷ୍ଟ୍‌ ରନ୍‌ର କୀର୍ତ୍ତିମାନ ମଧ୍ୟ କିଂବଦନ୍ତି ଭାରତୀୟ ବ୍ୟାଟସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ୨୦୦ ଟେଷ୍ଟ୍ ଖେଳି ସଚିନ ସେ ୧୫,୯୨୧ ରନ୍ ସଂଗ୍ରହ କରିଛନ୍ତି। କୋହଲି ଅଦ୍ୟାବଧି ୮୬ ଟେଷ୍ଟ୍‌ରୁ ୭୨୪୦ ରନ୍ ସଂଗ୍ରହ କରିଛନ୍ତି। ସଚିନଙ୍କ କୀର୍ତ୍ତିମାନକୁ କେବଳ ଆଲେଷ୍ଟର୍ କୁକ୍ ଟପିବା ଆଶଙ୍କା ଥିଲେ ମଧ୍ୟ ସେ ୧୬୧ ଟେଷ୍ଟ୍ ଖେଳି ୧୨,୪୭୨ ରନ୍‌ ସଂଗ୍ରହ‌ କରିଥିବା ବେଳେ ଅବସର‌ ନେଇଯାଇଥିଲେ। ଭାରତ ଆଜିକାଲି ଅଧିକ ଟେଷ୍ଟ୍ ମ୍ୟାଚ୍‌ ଖେଳୁନଥିବାରୁ କୋହଲି ଭୋକିଲା ଥିଲେ ବି ଏହି ମ୍ୟାଜିକ୍ ନମ୍ବରଠାରୁ ଦୂରରେ ରହିପାରନ୍ତି।

ଗୋଟିଏ ଟେଷ୍ଟ୍ ପାଳିରେ ୪୦୦*
ଲାଲ୍ ବଲ୍‌ କ୍ରିକେଟ୍‌ରେ କୋହଲିଙ୍କ ଦମ୍ କିଛି କମ୍‌ ନୁହେଁ। ଟେଷ୍ଟ୍ କ୍ରିକେଟ୍‌ ଇତିହାସରେ ପ୍ରଥମ ବ୍ୟାଟସମ୍ୟାନ୍ ଭାବେ ସେ ୪ ଲଗାତାର ଟେଷ୍ଟ୍‌ ଶୃଙ୍ଖଳାରେ ୪ ଦ୍ବିଶତକ ହାସଲ କରିଥିଲେ। ଟେଷ୍ଟ୍ ମ୍ୟାଚ୍‌ରେ ବ୍ୟାଟିଂ ତାଙ୍କ ପାଇଁ ସବୁଠୁ ସହଜ କାମ ଭଳି ଅନୁଭବ ହୋଇଥାଏ। ନିଜର ଚମତ୍କାର ରନ୍‌ ସଂଗ୍ରହ ଧାରା ଓ ମନୋଭାବ ସତ୍ତ୍ବେ ସେ ୱେଷ୍ଟଇଣ୍ଡିଜ୍‌ର ମହାନ ବାମହାତୀ ବ୍ୟାଟସମ୍ୟାନ୍‌ ବ୍ରାଏନ୍ ଲାରାଙ୍କ ୪୦୦* ରନ୍‌ର ବ୍ୟକ୍ତିଗତ ସର୍ବୋଚ୍ଚ ଟେଷ୍ଟ୍ ପାଳିକୁ ଅତିକ୍ରମ କରିବା ଅସମ୍ଭବ ମନେ ହୁଏ। ବିଶେଷ କରି ଭାରତୀୟ ଦଳ ପ୍ରାଧାନ୍ୟ ବିସ୍ତାର ସ୍ଥିତିରେ ଥିଲେ କୋହଲି କେବେ ବି ଏତେ ଲମ୍ବା ସମୟ ବ୍ୟାଟିଂ କରିବାକୁ ପସନ୍ଦ କରିବେ ନାହିଁ। ଆକ୍ରମଣାତ୍ମକ ଆଚରଣ ଏବଂ ଦଳର ବିଜୟ କୋହଲିଙ୍କ ଚରିତ୍ରରେ ଅଗ୍ରାଧିକାର ପାଉଥିବାରୁ ଏଭଳି ସୁଯୋଗ କୋହଲି ନେଇନପାରନ୍ତି। ଏବେ ତାଙ୍କ ସର୍ବୋଚ୍ଚ ଟେଷ୍ଟ୍ ପାଳି ୨୫୪* ରହିଛି, ଯାହାକୁ ସେ ପୁନେରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୧୯ରେ ହାସଲ କରିଥିଲେ। ମୋଟ ୨୭ ଟେଷ୍ଟ୍ ଶତକ ମଧ୍ୟରେ ୭ଟି ଦ୍ବିଶତକ ମଧ୍ୟ ରହିଛି।

ଦିନିକିଆ ପାଳିରେ ୨୬୪
ସୀମିତ ଓଭର କ୍ରିକେଟ୍‌ରେ ବି କୋହଲିଙ୍କ କମାଲ ଭାରତକୁ ଅନେକ ମ୍ୟାଚ୍ ବିଜୟର ସଫଳତା ଦେଇଛି। କୋହଲିଙ୍କ ପାଇଁ କିନ୍ତୁ ତାଙ୍କ ଦଳୀୟ ସାଥୀ ରୋହିତ ଶର୍ମାଙ୍କ ୨୬୪ ରନ୍‌ର ବ୍ୟକ୍ତିଗତ ଦିନିକିଆ ପାଳିକୁ ଅତିକ୍ରମ କରିବା କଷ୍ଟକର ହୋଇପାରେ। ରୋହିତ ଶର୍ମାଙ୍କ ଏଭଳି ଖେଳ କାରଣରୁ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିବା କୋହଲିଙ୍କ ପାଇଁ କମ୍ ବଲ୍‌ ଓ ସୁଯୋଗ ରହିଥାଏ ସେ ପର୍ଯ୍ୟନ୍ତ ପହଞ୍ଚିବାରେ। ସୀମିତ ଓଭର କ୍ରିକେଟ୍‌ର ପରିବର୍ତିତ ନିୟମ ମଧ୍ୟ କୋହଲିଙ୍କୁ ଏଥିରୁ ବଞ୍ଚିତ ରଖିବ। ଶେଷାନ୍ତ ଓଭର ଗୁଡିକରେ ବି ପଡିଆର ୩୦ ଗଜ ବାହ‌ାରେ ୫ ‌‌‌ଜଣ କ୍ଷେତ୍ରରକ୍ଷକ ନିୟୋଜିତ ରହୁଥିବାରୁ କୋହଲିଙ୍କ ଖେଳ ଜୀବନରେ ଏଭଳି ସୁଯୋଗ ମିଳିନପାରେ। ରୋହିତ ଶର୍ମା ୩ ଦ୍ବିଶତକ ସହ ଆଗରେ ରହିଥିବା ବେଳେ କୋହଲିଙ୍କ ବ୍ୟକ୍ତିଗତ ସର୍ବୋଚ୍ଚ ଦିନିକିଆ ପାଳି ୧୮୩ ରନ୍ (ବନାମ ପାକିସ୍ତାନ, ଢାକା, ୨୦୧୨)ରେ ସୀମିତ ରହିଛି।

୧୮,୪୨୬ ଦିନିକିଆ ରନ୍‌
ସଚିନ ତେନ୍ଦୁଲକରଙ୍କ ଆଉ ଏକ କୀର୍ତ୍ତିମାନ ମଧ୍ୟ ବିରାଟ କୋହଲିଙ୍କ ପାଇଁ କଷ୍ଟକର ହୋଇଯିବ। ଦିନିକିଆରେ ସଚିନ ୧୮,୪୨୬ ରନ୍ ସହ ଶୀର୍ଷରେ ରହିଛନ୍ତି। କୋ‌ହଲି ପାଳି ଆରମ୍ଭ କରୁନଥିବାରୁ ମଧ୍ୟ ଏତେ ରନ୍‌ ସଂଗ୍ରହ କରିନପାରନ୍ତି। ସଚିନଙ୍କ ଭଳି ବିରାଟ କୋହଲିଙ୍କୁ ମଧ୍ୟ ପ୍ରତିପକ୍ଷ ଦଳ ପ୍ରଥମରୁ ହିଁ ଟା‌ର୍ଗେଟ୍‌ କରିଥା’ନ୍ତି। ଏହି କାରଣରୁ ସଚିନଙ୍କ ସର୍ବାଧିକ ଦିନିକିଆ ରନ୍‌ର ବିଶ୍ବ କୀର୍ତ୍ତିମାନ ଅନେକ ଦିନ ଧରି ଅତୁଟ ରହିବାର ସମ୍ଭାବନା ଅଧିକ। କୋହଲି ଏବେ ୨୪୮ ଦିନିକିଆରୁ ୧୧,୮୬୭ ରନ୍ ସଂଗ୍ରହ କରିସାରିଛନ୍ତି।

ସମ୍ବନ୍ଧିତ ଖବର