ଗଲ୍‌ : ଶ୍ରୀଲଙ୍କା ଗସ୍ତରେ ଆୟର୍ଲାଣ୍ଡ ଦଳ ଦୁଇଟିଯାକ ଟେଷ୍ଟ୍‌ରେ ପାଳି ପରାଜୟ ବରଣ କରିଛି। ପ୍ରଥମ ଟେଷ୍ଟ୍‌ ଭଳି ଆୟର୍ଲାଣ୍ଡ ଦ୍ବିତୀୟ ଟେଷ୍ଟ୍‌ରେ ମଧ୍ୟ ଏକ ପାଳି ଓ ୧୦ ରନ୍‌ରେ ପରାସ୍ତ ହୋଇଛି। ଫଳରେ ଶ୍ରୀଲଙ୍କା ଦୁଇଟି ପାଳି ବ୍ୟବଧାନ ବିଜୟ ସହ ୨-୦ରେ ଶୃଙ୍ଖଳା ପୋଛିନେଇଛି। ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ପାଳିରେ ୫ ଏବଂ ଦ୍ବିତୀୟ ପାଳିରେ ୨ ୱିକେଟ ଦଖଲ କରିଥିବା ସ୍ପିନର ପ୍ରବଥ ଜୟସୂରିଆ ମ୍ୟାଚ୍‌ର ଏବଂ ଦୁଇଟିଯାକ ଟେଷ୍ଟ୍‌ରେ ମୋଟ ୩୮୫ ରନ୍‌ କରିଥିବା କୁଶାଲ ମେଣ୍ଡିସ୍‌ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

Advertisment

ଜୟସୂରିଆଙ୍କ ୫ ୱିକେଟ୍‌ ବଳରେ ଆୟର୍ଲାଣ୍ଡ ପ୍ରଥମ ପାଳିକୁ ୪୯୨ ରନ୍‌ରେ ଅଟକାଇବା ପରେ ଘରୋଇ ଦଳ ଦୁଇଟି ଦ୍ବିଶତକ, ଦୁଇଟି ଶତକ ସାଙ୍ଗକୁ ଦୁଇଟି ଦ୍ବିଶତକୀୟ ଭାଗୀଦାରି ବଳରେ ୭୦୪/୩ରେ ପ୍ରଥମ ପାଳି ଘୋଷଣା କରିଥିଲା। ରମେଶ ମେଣ୍ଡିସ୍‌ଙ୍କ ୫ ୱିକେଟ୍‌ ଦଖଲ ଯୋଗୁଁ ଘରୋଇ ଦଳ ଭ୍ରଣକାରୀ ଦଳର ଦ୍ବିତୀୟ ପାଳିକୁ ୨୦୨ ରନ୍‌ରେ ସଫା କରିଦେଇଥିଲା।

ସଂକ୍ଷିପ୍ତ ସ୍କୋର୍‌: ଆୟର୍ଲାଣ୍ଡ ପ୍ରଥମ ପାଳି ୪୯୨/୧୦। ଶ୍ରୀଲଙ୍କା ପ୍ରଥମ ପାଳି ୧୫୧ ଓଭରରେ ୭୦୪/୩ରେ ଘୋଷିତ (ନିଶାନ ମଦୁସ୍କା-୨୦୫, ଦିମୁଥ କରୁଣାରତ୍ନେ-୧୧୫, କୁଶାଲ ମେଣ୍ଡିସ୍‌-୨୪୫, ଆଞ୍ଜେଲୋ ମାଥ୍ୟୁସ୍‌-୧୦୦*, କର୍ଟିସ୍‌ କାମ୍ଫେର-୧/୧୦୧, ଆଣ୍ଡି ମ୍ୟାକ୍‌ବିର୍ନି-୧/୧୯୧, ଗ୍ରାହାମ ହୁମେ-୧/୮୭)। ଆୟର୍ଲାଣ୍ଡ ଦ୍ବିତୀୟ ପାଳି ୭୭.୩ ଓଭରରେ ୨୦୨/୧୦ (ହାରି ଟେକ୍ଟର-୮୫, ଆଣ୍ଡି ବଲ୍‌ବିର୍ନି-୪୬, ରମେଶ ମେଣ୍ଡିସ-୫/୬୪, ଆସିଥା ଫର୍ଣ୍ଣାଣ୍ଡୋ-୩/୩୦, ପ୍ରବଥ ଜୟସୂରିଆ-୨/୮୮)।

୫୦ ଟେଷ୍ଟ୍‌ ୱିକେଟ୍‌ ନେବାରେ ଜୟସୂରିଆ ଦ୍ରୁତତମ ସ୍ପିନର
ସିଂହଳୀ ବାମହାତୀ ସ୍ପିନର ପ୍ରବଥ ଜୟସୂରିଆ ଆୟର୍ଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ପାଳିରେ ୫ ୱିକେଟ୍‌ ନେବା ପରେ ଦ୍ବିତୀୟ ପାଳିରେ ୨ ୱିକେଟ୍‌ ଦଖଲ କରିଥିଲେ। ଏଥି ସହିତ ନିଜର ସପ୍ତମ ଟେଷ୍ଟ୍‌ରେ ସେ ୫୦ ୱିକେଟ୍‌ ପୂରଣ କରିଥିଲେ। ଜଣେ ସ୍ପିନର ଏତେ କମ୍‌ ଟେଷ୍ଟ୍‌ରେ ୫୦ ୱିକେଟ୍‌ ଦଖଲ କରିବା କ୍ଷେତ୍ରରେ ଜୟସୂରିଆ ବିଶ୍ବ କୀର୍ତ୍ତିମାନ ପୃଷ୍ଠାରେ ନିଜ ନାମକୁ ଯୋଡ଼ିଛନ୍ତି। ସ୍ପିନର ଭାବେ ୭ ଟେ‌ଷ୍ଟ୍‌ରୁ ୫୦ ୱିକେଟ୍‌ ପୂରଣ କରିବାରେ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି। ଫଳରେ ୱେଷ୍ଟ୍‌ଇଣ୍ଡିଜ୍‌ ମହାନ ସ୍ପିନର ଅଲ୍‌ଫ ଭାଲେଣ୍ଟିନେ (୮ ଟେ‌ଷ୍ଟ୍‌, ୧୯୫୧ ମସିହା)ଙ୍କ ନାମରେ ଥିବା ଦ୍ରୁତତମ କୀର୍ତ୍ତିମାନକୁ ପଛରେ ପକାଇ ଦେଇଛନ୍ତି। ୩୧ ବର୍ଷ ବୟସ୍କ ଜୟସୂରିଆ ମୋଟ ଉପରେ ଟେଷ୍ଟ୍‌ କ୍ରିକେଟ୍‌ରେ ଦ୍ରୁତତମ ୫୦ ୱିକେଟ୍‌ ନେବାରେ ମିଳିତ ଦ୍ବିତୀୟରେ ରହିଛନ୍ତି। ତାଙ୍କ ପୂର୍ବରୁ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଭର୍ନନ ଫିଲାଣ୍ଡର ଏବଂ ଇଂଲଣ୍ଡ ଦ୍ରୁତ ବୋଲର ଟମ୍ ରିଚାର୍ଡସନ୍‌ ନିଜ ନିଜର ସପ୍ତମ ଟେ‌ଷ୍ଟ୍‌ରୁ ୫୦ ୱିକେଟ୍‌ ମାଇଲଖୁଣ୍ଟ ଛୁଇଁଥିଲେ। ଏବେ ଫିଲାଣ୍ଡର, ରିଜାର୍ଡସନ୍‌ ଓ ଜୟସୂରିଆଙ୍କ ଉପରକୁ କେବଳ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଚାର୍ଲି ଟର୍ନର (୬ ଟେଷ୍ଟ୍‌, ୧୯୮୮ ମସିହା) ରହିଛନ୍ତି।