ଭୁବନେଶ୍ବର/କଟକ: ବୟସ ଜାଲିଆତି ମାମଲାରେ ଫସି ଗତ ଋତୁରେ ବାସନ୍ଦ ହୋଇଥିବା ବାମହାତୀ ସ୍ପିନର ସୁମିତ ଶର୍ମା ରଣଜୀ ପଦାର୍ପଣରେ ଚମକ ଦେଖାଇଛନ୍ତି। ଓଡ଼ିଶାର ଷଷ୍ଠ ବୋଲର୍‌ ଭାବେ ପଦାର୍ପଣ ମ୍ୟାଚ୍‌ରେ ୫ ୱିକେଟ୍‌ ସଫଳତା ପାଇ ବିରଳ କ୍ଲବ୍‌ରେ ସାମିଲ୍‌ ହୋଇଛନ୍ତି। ଜମ୍ମୁ କାଶ୍ମୀର ବିପକ୍ଷରେ ବାରବାଟୀ ଷ୍ଟାଡିୟମ୍‌ରେ ଶୁକ୍ରବାରଠୁ ଆରମ୍ଭ ‌ହୋଇଥିବା ରଣଜୀ ମ୍ୟାଚ୍‌ର ପ୍ରଥମ ଦିନରେ ସୁମିତ (୧୭-୪-୭୯-୫) ବୋଲିଂ ସଫଳତା ପାଇଥିଲେ। ସେ ଶତକ ଅର୍ଜନକାରୀ ଅବଦୁଲ ସମଦ (୧୨୭)ଙ୍କ ୱିକେଟ୍‌ ମଧ୍ୟ ନେଇଥିଲେ। ଏପରିକି ପଦାର୍ପଣରେ ଏହି ସଫଳତା ପାଇବାରେ ବାମମତୀ ସ୍ପିନର ଧୀରାଜ ସିଂହଙ୍କ ପରେ ଦ୍ବିତୀୟ ସ୍ପିନର ହୋଇଛନ୍ତି। ତାଙ୍କ ପୂର୍ବରୁ ଦେବାଶିଷ ମହାନ୍ତି, ଦୀପକ ମଙ୍ଗରାଜ, ବସନ୍ତ ମହାନ୍ତି ଓ ସୁନୀଲ ରାଉଳ ପଦାର୍ପଣ ରଣଜୀ ମ୍ୟାଚ୍‌ରେ ୫ ୱିକେଟ୍‌ ସଫଳତା ପାଇଛନ୍ତି।  

Advertisment

ଜମ୍ମୁ କାଶ୍ମୀର ଟସ୍‌ ଜିତି ବ୍ୟାଟିଂ କରିଥିଲା ବେଳେ ଘରୋଇ ଦଳକୁ ଆରମ୍ଭରୁ ରାଜେଶ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ ଓ ସୁମିତ ପ୍ରାରମ୍ଭିକ ସଫଳତା ଦେଇଥିଲେ। ତୃତୀୟ ଓଭରରେ ଅଭିନବ ପୁରୀ (୬)ଙ୍କୁ ଏଲ୍‌ବିଡବ୍‌ଲ୍ୟୁ କରି ରାଜେଶ ନିଜ ୱିକେଟ୍‌ ଖାତା ଖୋଲିଥିଲା ବେଳେ ଷଷ୍ଠ ଓଭରରେ ଗତ ମ୍ୟାଚ୍‌ର ଦ୍ବିଶତକ ଅର୍ଜନକାରୀ ଶୁଭମ୍‌ ଖଜୁରିଆ (୭)ଙ୍କୁ ସୁଇଂରେ ପରାସ୍ତ କରି ସୂର୍ଯ୍ୟକାନ୍ତ କଟ୍‌ ବିହାଇଣ୍ଡ କରିଥିଲେ। ଅବଦୁଲଙ୍କ ସହ ବଡ଼ ଭାଗୀଦାରି ଗଢ଼ିବା ପୂର୍ବରୁ ଶୁଭମ୍‌ ପୁନ୍ଦିର୍‌ଙ୍କୁ ସୁମିତ ପାଭିଲିଅନ୍‌ ପଠାଇଥିଲେ। ମଧ୍ୟାହ୍ନଭୋଜନ ପୂର୍ବରୁ ଅଧିନାୟକ ପାରସ୍‌ ଡୋଗ୍ରାଙ୍କୁ ବୋଲ୍ଡ କରି ସୁମିତ ଦ୍ବିତୀୟ ୱିକେଟ୍‌ ପାଇଥିଲେ। କିନ୍ତୁ ଏହାପରେ ଅବଦୁଲ୍‌ଙ୍କ ସହ ସାହିଲ ଲୋଟ୍‌ରା ଓଡ଼ିଶା ବୋଲର୍‌ରୁ ଆଉ ସୁଯୋଗ ‌ନଦେଇ ରନ୍‌ ବଢ଼ାଇ ଚାଲିଥିଲେ। ତେବେ ଗୋବିନ୍ଦ ପୋଦ୍ଦାର ବାରମ୍ବାର ଉଭୟ ବ୍ୟାଟର୍‌ଙ୍କୁ ଅସୁବିଧାରେ ପକାଉଥିବାରୁ ସ୍ପିନର୍‌ଙ୍କୁ ଆକ୍ରମଣାତ୍ମକ ଖେଳିବାକୁ ବ୍ୟାଟର୍‌ ଦ୍ବୟ ମନସ୍ଥ କରିଥିଲେ।

ଅବଦୁଲ୍‌ଙ୍କ ଶତକରେ ଜମ୍ମୁ କାଶ୍ମୀର ୨୭୦; ଓଡ଼ିଶା ୧୫/୧

ଫଳରେ ସମଦ୍‌ ଦ୍ରୁତ ଭାବେ ରନ୍‌ ସଂଗ୍ରହ କରିବାକୁ ଯାଇ ଗୋବିନ୍ଦ ଓ ସୁମିତଙ୍କୁ ଚୌକା, ଛକା ପ୍ରହାର କରିଥିଲେ। ୯୧ ରନ୍‌ କରିଥିଲା ବେଳେ ଅବଦୁଲ୍‌ଙ୍କୁ ଆଉଟ୍‌ କରିବାକୁ ଗୋବିନ୍ଦ ସୁବର୍ଣ୍ଣ ସୁଯୋଗ ପାଇଥିଲେ ମଧ୍ୟ ବାଉଣ୍ଡରି ନିକଟରେ ଦେବବ୍ରତ ପ୍ରଧାନ କ୍ୟାଚ୍‌ ହାତଛଡ଼ା କରିବାରୁ ସେ ଶତକ ଅର୍ଜନ କରିପାରିଥିଲେ। ଚା’ପାନ ବିରତି ପୂର୍ବରୁ ବୋଲିଂରେ ପରିବର୍ତ୍ତନ କରାଯାଇ ସୂର୍ଯ୍ୟକୁମାରଙ୍କୁ ଅଣାଯାଇଥିଲା ବେଳେ ସେ ସାହିଲ୍‌ (୩୯)ଙ୍କୁ ବୋଲ୍ଡ କରିବାରୁ ଯୋଡ଼ି ଭାଙ୍ଗିଥିଲା। କିନ୍ତୁ ସେତେବେଳକୁ ଅବଦୁଲ୍‌-ସାହିଲ ମହତ୍ବପୂର୍ଣ୍ଣ ୧୩୧ ରନ୍‌ ଭାଗୀଦାରି ଗଢ଼ି ଦଳକୁ ୨୦୦ ନିକଟତର କରାଇଥିଲେ। ତେବେ ବିରତି ପରେ ସୁମିତ୍‌ଙ୍କୁ ଛକା ମାରିବାକୁ ଯାଇ ଅବଦୁଲ୍‌ ଏଥର ବାଉଣ୍ଡରିରେ ଅନୁରାଗ ଷଡ଼ଙ୍ଗୀଙ୍କ ହାତରେ ଧରାପଡ଼ିଯାଇଥିଲେ। ଆଉଟ୍‌ ହେବା ବେଳକୁ ଅବଦୁଲ୍‌ ୧୧୭ ବଲ୍‌ରୁ ୬ ଚୌକା ଓ ୯ ବିଶାଳ ‌ଛକା ସହାୟତାରେ ବ୍ୟକ୍ତିଗତ ଶ୍ରେଷ୍ଠଠୁ ୧ ରନ୍‌ ଦୂରରେ ଥାଇ ଆଉଟ୍‌‌ ହୋଇଥିଲେ। ଅବଦୁଲ୍‌ଙ୍କ ପରେ ଅନ୍ୟମାନେ ଅଧିକ ସମୟ ବ୍ୟାଟିଂ କରି ନପାରିବାରୁ ଜମ୍ମୁ କାଶ୍ମୀର ୨୭୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ସୁମିତ୍‌ଙ୍କ ୫ ୱିକେଟ୍‌ ସଫଳତା ବ୍ୟତୀତ ରାଜେଶ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ପ୍ରଥମ ଦିନର ଷ୍ଟମ୍ପ୍ସ ବେଳକୁ ଶାନ୍ତନୁ ମିଶ୍ରଙ୍କୁ ପ୍ରଥମ ଓଭରରେ ଓଡ଼ିଶା ହରାଇଥିଲା ବେଳେ ପ୍ରଥମ ପାଳିରେ ୧୫/୧ ସ୍କୋର କରିଛି। ଅନୁରାଗ ଷଡ଼ଙ୍ଗୀ ୮* ଓ ସନ୍ଦୀପ ପଟ୍ଟନାୟକ ୬* ରନ୍‌ କରି ଅପରାଜିତ ଅଛନ୍ତି।

ସଂକ୍ଷିପ୍ତ ସ୍କୋର: ଜମ୍ମୁ କାଶ୍ମୀର ପ୍ରଥମ ପାଳି ୭୦.୩ ଓଭରରେ ୨୭୦/୧୦ (ଅବଦୁଲ୍‌ ସମଦ-୧୨୭, ସାହିଲ ଲୋଟ୍‌ରା-୩୯, ଯୁଦ୍ଧବୀର ସିଂହ-୧୮, ସୁମିତ ଶର୍ମା-୫/୭୯, ରାଜେଶ ମହାନ୍ତି-୨/୪୭, ସୂର୍ଯ୍ୟକାନ୍ତ ପ୍ରଧାନ-୨/୫୦, ଦେବବ୍ରତ ପ୍ରଧାନ-୧/୨୨)। ଓଡ଼ିଶା ପ୍ରଥମ ପାଳି ୯ ଓଭରରେ ୧୫/୧ (ଅନୁରାଗ ଷଡ଼ଙ୍ଗୀ-୮*, ସନ୍ଦୀପ ପଟ୍ଟନାୟକ-୬*, ଅକିବ୍‌ ନବୀ-୧/୬)।