ମିରପୁର: ବାଂଲାଦେଶ ବିପକ୍ଷ ଉତ୍କଣ୍ଠାପୂର୍ଣ୍ଣ ମୀରପୁର ଦିନିକିଆକୁ ୱେଷ୍ଟଇଣ୍ଡିଜ୍ ନାଟକୀୟ ଭାବେ ସୁପର ଓଭରରେ ଜିତି ନେଇଛି। ଉଭୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୨୧୩ ରନ୍ କରିବା ପରେ ମ୍ୟାଚ୍ ଟାଇ ରହିଥିଲା। ସୁପର ଓଭରରେ କିନ୍ତୁ ୱେଷ୍ଟଇଣ୍ଡିଜ୍ ମାତ୍ର ୧ରନ୍‌ରେ ବାଜି ମାରି ନେଇଥିଲା। ଇଣ୍ଡିଜ୍ ସ୍ପିନର ଅକିଲ ହୁସେନ ଦୁଇଟି ୱାଇଡ୍ ଏବଂ ଗୋଟିଏ ନୋ’ ବଲ୍ ସହ ମୋଟ ୯ଟି ବଲ୍ ପକାଇବା ସତ୍ତ୍ବେ ବାଂଲାଦେଶ ବିଜୟ ଲକ୍ଷ୍ୟଠାରୁ ଗୋଟିଏ ରନ୍ ପଛରେ ରହିଯାଇଥିଲା।  ଘଟଣା ବହୁଳ ସୁପର ଓଭରରେ ୱେଷ୍ଟଇଣ୍ଡିଜ୍ ଗୋଟିଏ ୱିକେଟ୍ ବିନିମୟରେ ୧୦ ରନ୍ କରିଥିଲା।   ଘରୋଇ ପରିବେଶ ସତ୍ତ୍ବେ ବାଂଲାଦେଶ ୯ ରନ୍‌ରେ ଅଟକି ଯାଇ ପ୍ରଥମ ଥର କୌଣସି ସୁପର ଓଭର୍ ମୁକାବିଲା ହାରିଥିଲା।

Advertisment

ବାଂଲାଦେଶ ମଙ୍ଗଳବାର ମ୍ୟାଚ୍ ପୂର୍ବରୁ ୮୧୩ ମ୍ୟାଚ୍ (୪୫୩ ଦିନିକିଆ, ୧୫୪ ଟେଷ୍ଟ୍ ଓ ୨୦୬ ଟ୍ବେଣ୍ଟି-୨୦) ଖେଳିଥିଲେ ମଧ୍ୟ କେବେବି କୌଣସି ମ୍ୟାଚ୍ ଟାଇ କରି ସୁପର ଓଭର୍ ଖେଳି ନଥିଲା। ଏକ ରୋଚକ ଘଟଣାକ୍ରମେ ବାଂଲାଦେଶ ପାଳିର ପୂରା ୫୦ ଓଭର ବୋଲିଂ ୱେଷ୍ଟଇଣ୍ଡିଜ୍ ସ୍ପିନର୍‌ମାନେ କରିଥିଲେ। ଯାହା ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟ୍ ଇତିହାସର ପ୍ରଥମ ଘଟଣା ଥିଲା। ଏହା ପୂର୍ବରୁ ୨୧ବର୍ଷ ତଳେ ଅର୍ଥାତ୍ ୨୦୦୪ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଶ୍ରୀଲଙ୍କା ସ୍ପିନ୍‌ ବୋଲର୍‌ମାନେ ସର୍ବାଧିକ ୪୪ ଓଭର ବୋଲିଂ କରିଥିଲେ। 

ଏହି ଦିବା-ରାତ୍ର ମ୍ୟାଚ୍‌ରେ ବାଂଲାଦେଶ ୭ ୱିକେଟ୍ ବିନିମୟରେ ୨୧୩ ରନ୍ କରିଥିଲା। ଜବାବରେ ଏକଦା ଦୃଢ଼ ସ୍ଥିତି‌ରେ ଥିବା ଇଣ୍ଡିଜ୍ ମିନି ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବିଜୟ ସୁଯୋଗ ହାତଛଡ଼ା କରିଥିଲା। ତେବେ ସାଇ ହୋପ୍‌ଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ୨୧୩/୯ କରି ମ୍ୟାଚ୍‌କୁ ଟାଇ ରଖିଥିଲା। ବାଂଲାଦେଶ କ୍ରିକେଟ୍ ଇତିହାସର ମଧ୍ୟ ଏହା ପ୍ରଥମ ଟାଇ ମ୍ୟାଚ୍ ଥିଲା। ମଙ୍ଗଳବାରର ରୋମାଞ୍ଚକ ବିଜୟ ପରେ ଇଣ୍ଡିଜ୍ ମଧ୍ୟ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୧-୧ ସ୍ତରକୁ ନେଇ ଆସିଛି।