ନୂଆଦିଲ୍ଲୀ: ନିଜର ୩୭ତମ ଜନ୍ମ ଦିବସ ଅବସରରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୫୦୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାର ଇତିହାସ ରଚିଲେ। ଚଳିତ ଇଂଲଣ୍ଡ ଗସ୍ତରେ ଶୁକ୍ରବାର ଦ୍ୱିତୀୟ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବା ଅବସରରେ ଏହି ଓ୍ଵିକେଟ୍ରକ୍ଷକ ବ୍ୟାଟ୍ସମ୍ୟାନ୍ ଏଭଳି ସଫଳତା ହାତେଇଛନ୍ତି। ଆଉ ୫୦୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାରେ ଧୋନି ମଧ୍ୟ ତୃତୀୟ ଭାରତୀୟ ହୋଇଛନ୍ତି। ୨୦୧୪ରେ ଟେଷ୍ଟ କ୍ରିକେଟ୍ରୁ ଅବସର ନେଇସାରିଥିବା ଧୋନିଙ୍କ ୫୦୦ ଆନ୍ତର୍ଜାତିକ ମ୍ୟାଚ୍ ମଧ୍ୟରେ ୯୦ ଟେଷ୍ଟ, ୩୧୮ ଦିନିକିଆ ଏବଂ ୯୨ ଟେ୍ଵଣ୍ଟି-୨୦ ସାମିଲ ରହିଛି। ଏଭଳି ମାଇଲଖୁଣ୍ଟରେ ପହଞ୍ଚିବାରେ ଧୋନି ବିଶ୍ୱର ନବମ ଖେଳାଳି ହେଲେ। ଧୋନି ୬ ଶତକ ଓ ୩୩ ଅର୍ଧଶତକ ସହାୟତାରେ ୪୮୭୬ ଟେଷ୍ଟ ରନ୍ ସଂଗ୍ରହ କରିଥିଲା ବେଳେ ୧୦ ଶତକ ଓ ୬୭ ଅର୍ଧଶତକ ବଳରେ ୯୯୬୭ ଦିନିକିଆ ଏବଂ ୨ ଅର୍ଧଶତକ ଜରିଆରେ ୧୪୫୫ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ ରନ୍ ନିଜ ନାମରେ ରଖିଛନ୍ତି। ସେହିପରି ଓ୍ଵିକେଟ୍ ପଛରେ ନିଜ ଗ୍ଲୋବ୍ସରେ ଧୋନି ମୋଟ ୬୦୨ କ୍ୟାଚ୍ ଧରିଥିଲା ବେଳେୟ ୧୭୮ ଷ୍ଟମ୍ପିଂ କରିଛନ୍ତି। ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ରେ ସର୍ବାଧିକ (୩୩) ଷ୍ଟମ୍ପିଂ କରିବାର ବିଶ୍ୱ କୀର୍ତିମାନ ମଧ୍ୟ ଧୋନିଙ୍କ ନାମରେ ରହିଛି। ଧୋନିଙ୍କ ପୂର୍ବରୁ ସଚିନ୍ ତେନ୍ଦୁଲକର ଓ ରାହୁଲ୍ ଦ୍ରାବିଡ୍ ହିଁ ଅନ୍ୟ ଦୁଇ ଭାରତୀୟ ଭାବେ ୫୦୦ ମ୍ୟାଚ୍ ଖେଳିବାର କୀର୍ତିମାନ ପାଇଥିଲେ। ସଚିନ୍ ମୋଟ ୬୬୪ ଏବଂ ଦ୍ରାବିଡ୍ ୫୦୯ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ। ସଚିନ୍ଙ୍କ ୬୬୪ ଆନ୍ତର୍ଜାତିକ ମ୍ୟାଚ୍ ମଧ୍ୟରେ ୨୦୦ ଟେଷ୍ଟ, ୪୬୩ ଦିନିକିଆ ଓ ଗୋଟିଏ ମାତ୍ର ଟେ୍ଵଣ୍ଟି-୨୦ ସାମିଲ ଥିଲା ବେଳେ ଦ୍ରାବିଡ୍ ୧୬୪ ଟେଷ୍ଟ, ୩୪୪ ଦିନିକିଆ ଓ ଗୋଟିଏ ଟେ୍ଵଣ୍ଟି-୨୦ ଖେଳିଥିଲେ। ବିଶ୍ୱ କ୍ରିକେଟ୍ରେ ଅନ୍ୟମାନଙ୍କ ମଧ୍ୟରେ ତିନି ସିଂହଳୀ ତାରକା ମାହେଲା ଜୟବର୍ଧନେ (୬୫୨), କୁମାର ସାଙ୍ଗାକାରା (୫୯୪) ଓ ସନତ ଜୟସୂରିଆ (୫୮୬), ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୫୬୦), ପାକିସ୍ତାନର ସାହିଦ୍ ଆଫ୍ରିଦି (୫୨୪) ଏବଂ ଦକ୍ଷିଣ ଆଫ୍ରିକାର ଜାକ୍ସ କାଲିସ୍ (୫୧୯) ୫୦୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାର ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।
ଧୋନିଙ୍କ ୫୦୦ ଆନ୍ତର୍ଜାତିକ ମ୍ୟାଚ୍
ତୃତୀୟ ଭାରତୀୟ; ବିଶ୍ୱର ନବମ
/sambad/media/post_attachments/wp-content/uploads/2018/06/MS-Dhoni.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)