ନୂଆଦିଲ୍ଲୀ: ଯେକୌଣସି ସ୍ତରରେ ଗୋଟିଏ ଓଭରରୁ ୬ଟି ଛକା ମରାଯିବା ଘଟଣା କ୍ରିକେଟ୍ ଇତିହାସରେ ପ୍ରଥମ ଥର ୧୯୬୮ ମସିହା ଅଗଷ୍ଟ ୩୧ ତାରିଖରେ ଘଟିଥିଲା। ୱେଷ୍ଟଇଣ୍ଡିଜ୍ର କିଂବଦନ୍ତି ବ୍ୟାଟର୍ ସାର୍ ଗାରଫିଲ୍ଡ ସୋବର୍ସ ଇଂଲିଶ କାଉଣ୍ଟି ଚାମ୍ପିଅନ୍ସିପ୍ର ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ନଟିଂହାମସାୟାର ପାଇଁ ଖେଳୁଥିବା ବେଳେ ଗ୍ଲାମରଗନ୍ ବିପକ୍ଷରେ ଏହି କୀର୍ତ୍ତିମାନ କରିଥିଲେ। ନଟିଂହାମସାୟାର ୩୦୮ ରନ୍ରେ ୫ ୱିକେଟ୍ ହରାଇବା ପରେ ସୋବର୍ସ ବ୍ୟାଟିଂ ପାଇଁ ଆସିଥିଲେ। ମାଲ୍କମ୍ ନାସ୍ଙ୍କୁ ଧୂଲେଇ କରିଥିଲେ ସୋବର୍ସ। ସାଧାରଣତଃ ନାସ୍ ଦ୍ରୁତ ବୋଲିଂ କରିଥାନ୍ତି, କିନ୍ତୁ ସେତେବେଳେ ଅଧିନାୟକ ତାଙ୍କୁ ସ୍ପିନ୍ ବୋଲିଂ କରିବାକୁ କହିଥିଲେ। କିନ୍ତୁ ସେହି ଓଭର ଇତିହାସକୁ ଚାଲିଯାଇଥିଲା। ସେହି ଓଭରରେ ଲଗାତାର ୪ ଛକା ମାରିବା ପରେ ପଞ୍ଚମ ବଲ୍ରେ ସୋବର୍ସ ଆଉଟ୍ ହେବା ସ୍ଥିତିକୁ ଚାଲିଆସିଥିଲେ। ଉଚ୍ଚ ସଟ୍କୁ ବାଉଣ୍ଡରି ପାଖରେ ରୋଜର ଡେଭିସ୍ କ୍ୟାଚ୍ ନେଇଥିଲେ ମଧ୍ୟ ସେ ବାଉଣ୍ଡରି ଉପରେ ଚଢ଼ିଯାଇଥିଲେ। ଶେଷ ବଲ୍କୁ ମଧ୍ୟ ଛକା ମାରି ସୋବର୍ସ ପ୍ରଥମ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଏବେ ଏହି କୀର୍ତ୍ତିମାନ ୫୬ ବର୍ଷ ହୋଇଗଲାଣି। ସୋବର୍ସଙ୍କ ପରଠୁ ରବି ଶାସ୍ତ୍ରୀ (ରଣଜୀ ଟ୍ରଫି, ୧୯୮୫), ହର୍ଶେଲ ଗିବ୍ସ (ଦିନିକିଆ ବିଶ୍ବକପ୍, ୨୦୦୭), ଯୁବରାଜ ସିଂହ (ଟ୍ବେଣ୍ଟି-୨୦ ବିଶ୍ବକପ, ୨୦୦୭), ରସ୍ ହ୍ବିଟ୍ଲେ (ଟି୨୦ ବ୍ଲାଷ୍ଟ୍), ଦୀପେନ୍ଦ୍ର ସିଂହ ଆଇରି (ଏସିସି ଟ୍ବେଣ୍ଟି-୨୦ ପ୍ରିମିୟର କପ୍, ୨୦୨୪) ଗୋଟିଏ ଓଭରରେ ୬ଛକା ମାରିବାର ଗୌରବ ଅର୍ଜନ କରିଛନ୍ତି।
ପ୍ରିୟାଂଶ ନୂଆ ସଦସ୍ୟ
ଯେ କୌଣସି ପ୍ରକାର କ୍ରିକେଟ୍ର ଗୋଟିଏ ଓଭରରୁ ୬ ଛକା ଅମଳ ହେବାର ୫୬ତମ ବାର୍ଷିକୀରେ ଦିଲ୍ଲୀ ବ୍ୟାଟର୍ ପ୍ରିୟାଂଶୁ ଆର୍ଯ୍ୟା ଏହି ନିଆରା କ୍ଲବ୍ର ସଦ୍ୟତମ ସଦସ୍ୟ ହୋଇଛନ୍ତି। ଶନିବାର ଦିଲ୍ଲୀ ପ୍ରିମିୟର୍ ଲିଗ୍ର ଏକ ମ୍ୟାଚ୍ରେ ଗୋଟିଏ ଓଭରରୁ ୬ଛକା ମାରି ନିଜ ନାମକୁ ରେକର୍ଡ ବୁକ୍ରେ ସ୍ଥାନିତ କରିଛନ୍ତି। ଦକ୍ଷିଣ ଦିଲ୍ଲୀ ସୁପରଷ୍ଟାର୍ ପ୍ରତିନିଧିତ୍ବ କରି ୨୩ ବର୍ଷୀୟ ଆର୍ଯ୍ୟା ପ୍ରତିପକ୍ଷ ଦିଲ୍ଲୀ ଷ୍ଟ୍ରାଇକର୍ସ ସ୍ପିନର ମନନ ଭରଦ୍ବାଜଙ୍କୁ ଲଗାତାର ୬ଟି ଛକା ମାରିଥିଲେ। ଏହି ଘଟଣା ଉତ୍ତର ଦିଲ୍ଲୀ ପାଳିର ଦ୍ବାଦଶ ଓଭରରେ ଘଟିଥିଲା। ଏଭଳି ସଫଳତା ଲାଭ କରିବାରେ ରବି ଶାସ୍ତ୍ରୀ ଓ ଯୁବରାଜ ସିଂହଙ୍କ ପରେ ତୃତୀୟ ଭାରତୀୟ ହୋଇଛନ୍ତି ଆର୍ଯ୍ୟା।
ବଦୋନିଙ୍କ ବିଶ୍ବ ରେକର୍ଡ
ଦିଲ୍ଲୀ ପ୍ରିମିୟର୍ ଲିଗ୍ର ଏହି ମ୍ୟାଚ୍ରେ ଦକ୍ଷିଣ ଦିଲ୍ଲୀ ଦଳର ଅଧିନାୟକ ଆୟୂଷ ବଦୋନି ମଧ୍ୟ ବିଶ୍ବ ରେକର୍ଡ କରିଥିଲେ। ସେ ନିଜ ୧୬୫ ରନ୍ର ପାଳି ମଧ୍ୟରେ ୧୯ ଛକା ମାରି ୱେଷ୍ଟଇଣ୍ଡିଜ୍ର କିଂବଦନ୍ତି ବ୍ୟାଟର୍ କ୍ରିସ୍ ଗେଲ୍ଙ୍କୁ ଟପିଥିଲେ। ଏହା ପୂର୍ବରୁ କୌଣସି ଟ୍ବେଣ୍ଟି-୨୦ ମ୍ୟାଚ୍ରେ ସର୍ବାଧିକ ଛକା ମାରିବାର ରେକର୍ଡ ଗେଲ୍ଙ୍କ ସହ ଇସ୍ତୋନିଆର ସାହିଲ ଚୌହ୍ବାନଙ୍କ ନାଁରେ ରହିଥିଲେ। ଉଭୟ ୧୮ଟି ଲେଖାଏଁ ଛକା ମାରିଥିଲେ। ବଦୋନିଙ୍କ ସହ ଆର୍ଯ୍ୟା ୫୦ ବଲ୍ରୁ ୧୨୦ ରନ୍ କରିବା ପରେ ଦକ୍ଷିଣ ଦିଲ୍ଲୀ ୨୦ ଓଭରରେ ୩୦୮/୫ ରନ୍ କରିଥିଲା। ଯାହା ଟ୍ବେଣ୍ଟି-୨୦ ଇତିହାସର ସର୍ବୋଚ୍ଚ ଦଳଗତ ସ୍କୋର୍ଠାରୁ ମାତ୍ର ୬ ରନ୍ କମ୍ ଥିଲା। ମଙ୍ଗୋଲିଆ ବିପକ୍ଷରେ ନେପାଳ କରିଥିବା ୩୧୪/୩ ଏବେବି ଟ୍ବେଣ୍ଟି-୨୦ର ସର୍ବୋଚ୍ଚ ଦଳଗତ ସ୍କୋର ହୋଇ ରହିଛି। ତେବେ ବଦୋନି ଓ ଆର୍ଯ୍ୟା ଦ୍ବିତୀୟ ୱିକେଟ୍ରେ ସଂଗ୍ରହ କରିଥିବା ୨୮୬ ରନ୍ ଟ୍ବେଣ୍ଟି-୨୦ ଇତିହାସର ସର୍ବୋଚ୍ଚ ହୋଇଛି।