ବିଶ୍ବକପ୍‌ କ୍ରିକେଟରେ ବ୍ୟାଟ୍ସମ୍ୟାନଙ୍କୁ ନାକେଦମ୍ କରିବେ ଏହି ପାଞ୍ଚ ପେସ୍ ବୋଲର

ମୁମ୍ବାଇ:  ଦିନିକିଆ କ୍ରିକେଟ୍‌ରେ ଦୁଇଟି ନୂଆ ବଲ୍‌ର ଉପଯୋଗ ଆରମ୍ଭ ହେବା ପରେ, ବୋଲରଙ୍କ ଅପେକ୍ଷା ବ୍ୟାଟ୍ସମ୍ୟାନ୍ ଫାଇଦାରେ ରହୁଛନ୍ତି। କ୍ରିକେଟ୍ ସମ୍ଭବତଃ ବ୍ୟାଟ୍ସମ୍ୟାନଙ୍କ ପଟକୁ ମାତ୍ରାଧିକ ଢଳି ଯାଇଛି। ଦ୍ରୁତ ବୋଲରମାନେ ଏହି କାରଣରୁ ମଧ୍ୟ ବଲ୍‌କୁ ପାଲଟା ସୁଇଂ କରାଇ ପାରୁନାହାନ୍ତି। ୯୦ ଦଶକ ଏବଂ ୨,୦୦୦ ମସିହା ବେଳେ ଏହା ଦ୍ରୁତ ବୋଳରଙ୍କର ସବୁଠାରୁ ବଡ଼ ଅସ୍ତ୍ର ଥିଲା। ଏବେ ଏହା ଏକପ୍ରକାର ଅକାମି ହେବାରେ ଲାଗିଛି। ଏଥିପାଇଁ ମଧ୍ୟ ଦିନିକିଆରେ ୩୦୦ରୁ ଅଧିକ ଦଳଗତ ରନ୍ ସଂଖ୍ୟା ବଢ଼ି ଚାଲିଛି। ବିଶ୍ବକପ୍ ବେଳେ ଇଂଲଣ୍ଡ ଓ ୱେଲ୍ସରେ ଶୁଖିଲା ପିଚ୍ ଓ ଉଷ୍ମ ଜଳବାୟୁ ଦ୍ରୁତ ବୋଲରଙ୍କ କାମକୁ ଆହୁରି କଷ୍ଟକର କରିବ। ତଥାପି ଆସନ୍ତା ବିଶ୍ବକପ୍‌ରେ ଏମିତି ପାଞ୍ଚ ଦ୍ରୁତ ବୋଲର ଅଛନ୍ତି, ଯିଏ ବ୍ୟାଟ୍ସମ୍ୟାନଙ୍କୁ ଶକ୍ତ ଧକ୍କା ଦେବାକୁ ପୂରା ସକ୍ଷମ।


ଯଶ୍‌ପ୍ରୀତ ବୁମରା (ଭାରତ)
ସଂପ୍ରତି ବିଶ୍ବ କ୍ରି‌କେଟ୍‌ର ଶ୍ରେଷ୍ଠ ଦ୍ରୁତ ବୋଲରର ମାନ୍ୟତା ଲାଭ କରିଥିବା ବୁମରାଙ୍କ ସଫଳତା ଉପରେ ଅନେକାଂଶରେ ଭାରତର ସଫଳତା ନିର୍ଭର କରିବ। ବିଶ୍ବ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ବୁମରା ଶେଷ ଓଭରଗୁଡ଼ିକରେ ଭାରତର ପ୍ରମୁଖ ଅସ୍ତ୍ର ହେବେ। ତାଙ୍କ ଅଣପାରମ୍ପରିକ ଶୈଳୀ ସହ ଅତିରିକ୍ତ ଗତି ଏବଂ ଉଚ୍ଛାଳ ସୃଷ୍ଟି କରିବାର କ୍ଷମତା ବ୍ୟାଟ୍ସମ୍ୟାନଙ୍କୁ ଅଡ଼ୁଆରେ ପକାଇପାରେ। ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ବୁମରା ମୁମ୍ବାଇ ଇଣ୍ଡିଆନ୍ସରୁ ଖେଳି ୧୬ ମ୍ୟାଚ୍‌ରୁ ୧୯ ୱିକେଟ୍ ଅକ୍ତିଆର କରିଛନ୍ତି। ୨୫ ବର୍ଷୀୟ ବୁମରା‌ ୪୯ ଦିନିକିଆରୁ ୮୫ ୱିକେଟ୍ କରାୟତ କରିଛନ୍ତି। ସେଥିମଧ୍ୟରେ ସେ ୪.୫୧ ହାରରେ ରନ୍ ବ୍ୟୟ କରିଛନ୍ତି।

କାଗିସୋ ରବାଦା (ଦକ୍ଷିଣ ଆଫ୍ରିକା)
ନଭେମ୍ବର ୨୦୧୫ରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିବା ପରେ କା‌ଗିସୋ ରବାଦା ଦକ୍ଷିଣ ଆଫ୍ରିକାର ପ୍ରମୁଖ ବୋଲର ରହି ଆସିଛନ୍ତି। ତାଙ୍କ ଗତି ଏବଂ ସୁଇଂ ବୋଲିଂକୁ ବୁଝିବା ଅନେକ ବଛା ବଛା ବ୍ୟାଟ୍ସମ୍ୟାନଙ୍କ ପାଇଁ ସହଜ ହୋଇନି। ଚଳିତ ବର୍ଷର ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପ୍ଲେ ଅଫ୍‌ ନେବାରେ ସେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ। ମାତ୍ର ୧୨ ମ୍ୟାଚ୍‌ରୁ ରବାଦା ୨୫ ୱିକେଟ୍‌ କରାୟତ କରିଥିଲେ। ଶେଷ ଆଡ଼କୁ ପିଠି ଯନ୍ତ୍ରଣା ପାଇଁ ସେ ସ୍ବଦେଶ ଫେରିବାକୁ ବାଧ୍ୟ ହୋଇଥି‌ଲେ। ଯାହା ଦିଲ୍ଲୀକୁ ପ୍ଲେ ଅଫରେ ବହୁତ ବାଧିଥିଲା। ଡେଲ୍ ଷ୍ଟେନ୍ ଓ କ୍ରିସ୍ ମୋରିସଙ୍କ ସହ ଇଂଲଣ୍ଡ ବିଶ୍ବକପ୍‌ରେ ରବାଦା ଦକ୍ଷିଣ ଆଫ୍ରିକା ପାଇଁ ନିର୍ଣ୍ଣାୟକ ଭୂମିକା‌ ତୁଲାଇବେ। ସେ ୬୬ ଦିନିକିଆରୁ ୧୦୬ ୱିକେଟ୍ ଅକ୍ତିଆର କରିଛନ୍ତି।

ମିଚେଲ ଷ୍ଟାର୍କ (ଅଷ୍ଟ୍ରେଲିଆ)
ଅଷ୍ଟ୍ରେଲିଆର ବାମହାତୀ ବୋଲର ମିଚେଲ ଷ୍ଟାର୍କଙ୍କ ଉପରେ ମଧ୍ୟ କ୍ରିକେଟ୍ ପ୍ରେମୀଙ୍କର ବିଶେଷ ନଜର ରହିବ। ଅଷ୍ଟ୍ରେଲିଆ ଟ୍ରଫି ବଜାୟ ରଖିବାକୁ ହେଲେ ଷ୍ଟାର୍କଙ୍କୁ ବଡ଼ ଭୂମିକା ତୁଲାଇବାକୁ ହେବ। ଏହି ୨୯ ବର୍ଷୀୟ ବୋଲର ଗତ ବିଶ୍ବକପ୍‌ରେ ଚମତ୍କାର ଫର୍ମରେ ଥିଲେ। ସେ ମଧ୍ୟ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବିଶ୍ବକପ୍‌ରେ ଷ୍ଟାର୍କ ୨୨ ୱିକେଟ୍ ଅକ୍ତିଆର କରିଥିଲେ। ଷ୍ଟାର୍କ ୭୫ ଦିନିକିଆରୁ ୧୪୫ ୱିକେଟ୍ ନେଇଛନ୍ତି। ସେଥିମଧ୍ୟରେ ସେ ୪.୯୬ ହାରରେ ରନ୍ ବ୍ୟୟ କରିଛନ୍ତି।

ଟ୍ରେଣ୍ଟ ବୋଲ୍ଟ (ନ୍ୟୁଜିଲାଣ୍ଡ)
ନ୍ୟୁଜିଲାଣ୍ଡର ବାମହାତୀ ବୋଲର ଟ୍ରେଣ୍ଟ ବୋଲ୍ଟ ଢେର କିଛି ବର୍ଷ ହେବ ନିଜ ଦଳର ପ୍ରମୁଖ ବୋଲର ଦାୟିତ୍ବ ତୁଲାଇ ଆସୁଛନ୍ତି। ଷ୍ଟାର୍କଙ୍କ ସହ ସେ ୨୦୧୫ ବିଶ୍ବକପ୍‌ର ଅଗ୍ରଣୀ ୱିକେଟ୍ ଦଖଲକାରୀ ଥିଲେ। ନିୟନ୍ତ୍ରଣ ଏବଂ ସଠିକତା ତାଙ୍କର ଶକ୍ତି। ବିଶ୍ବର ଯେ କୌଣସି ପିଚ୍‌ରେ ସେ ଉଭୟ ପଟକୁ ବଲ୍ ଘୂରାଇ ପାରନ୍ତି। ୬୧ ‌ଟେଷ୍ଟ, ୭୯ ଦିନିକିଆ ଖେଳିଥିବା ବୋଲ୍ଟ ନିକଟ ଅତୀତରେ ଅବଶ୍ୟ ସେତେଟା ଭଲ କରି ନାହାନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆଇପିଏଲ୍ ଖେଳିଥିବା ବୋଲ୍ଟ ମାତ୍ର ୫ ମ୍ୟାଚ୍ ଖେଳି ୫ ୱିକେଟ୍ ନେଇଥିଲେ। ବୋଲ୍ଟ ୧୪୭ ଦିନିକିଆ ୱିକେଟ୍ ନେଇଛନ୍ତି। ସେଥିମଧ୍ୟରେ ସେ ୫.୦୮ ହାରରେ ରନ୍ ବ୍ୟୟ କରିଛନ୍ତି।

ହାସନ ଅଲ୍ଲୀ (ପାକିସ୍ତାନ)
ପାକିସ୍ତାନର ୨୪ ବର୍ଷୀୟ ଦ୍ରୁତ ବୋଲର ହାସନ ଅଲ୍ଲୀ ମଧ୍ୟ ଯେ କୌଣସି ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କ ହୋସ୍ ଉଡ଼ାଇବାକୁ ପୂରା ସକ୍ଷମ। ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ସେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ପାକିସ୍ତାନର ପ୍ରଥମ ଚାମ୍ପିଅନ୍ସ ଟ୍ରଫି ବିଜୟରେ ନିର୍ଣ୍ଣାୟକ ଭୂମିକା ନେଇଥିବା ହାସନ ମୋଟ ୧୩ ୱିକେଟ୍ ଅକ୍ତିଆର କରିଥିଲେ। ଲଗାତାର ୯୦ ମାଇଲରୁ ଅଧିକ ବେଗରେ ବୋଲିଂ କରିବାର ଦକ୍ଷତା ରଖୁଥିବା ହାସନଙ୍କ ପ୍ରମୁଖ ଶକ୍ତି ‌ହେଲା ତାଙ୍କ ବିବିଧତା। ୪୪ ଦିନିକିଆ ଖେଳି ସେ ୭୭ ୱିକେଟ୍ ନେଇଛନ୍ତି। ବିଶ୍ବକପରେ ସେ ଚାମ୍ପିଅନ୍ସ ଟ୍ରଫି ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛନ୍ତି।

ସମ୍ବନ୍ଧିତ ଖବର