ଆଉ ୫ ଦିନ: ଭିନ୍ନ ଦଳରୁ ଖେଳିବେ ୱିଲିୟମ୍ସ ଭ୍ରାତା, ଗୋଟିଏ ଦଳରେ ଭାଇ-ଭାଇ ଏକାଠି

ଫୁଟ୍‌ବଲ୍ କିଂବଦନ୍ତିଙ୍କୁ ସଂଗୀତରେ ଶ୍ରଦ୍ଧା‌ଞ୍ଜଳି

ନୂଆଦିଲ୍ଲୀ: ସ୍ପେନ୍‌ ଫୁଟ୍‌ବଲ୍‌ କ୍ଲବ୍‌ ଆଥଲେଟିକ୍‌ ବିଲ୍‌ବାଓର ଫରୱାର୍ଡ ଇନାକି ୱିଲିୟମ୍ସ ଓ ତାଙ୍କ ଭାଇ ନିକୋ ୱିଲିୟମ୍ସ ଆସନ୍ତା ଫିଫା ବିଶ୍ବକପ୍‌ରେ ଦୁଇଟି ଭିନ୍ନ ଦଳକୁ ପ୍ରତିନିଧିତ୍ବ କରିବେ। ସୋମବାର ଇନାକି ଘାନା ଦଳ ପାଇଁ ଚୟନ ହୋଇଛନ୍ତି। ଗତ ସପ୍ତାହରେ ଘୋଷଣା ହୋଇଥିବା ସ୍ପେନ୍‌ ଦଳରେ ସାନ ଭାଇ ନିକୋ ସ୍ଥାନ ପାଇଥିଲେ। ବିଶ୍ବକପ୍‌ରେ ଦୁଇ ଭାଇ ଅଲଗା ଦଳରୁ ଖେଳିବା ଘଟଣା କ୍ବଚିତ୍‌ ଦେଖିବାକୁ ମିଳେ। ପୂର୍ବରୁ ବୋଏତେଙ୍ଗ ଭ୍ରାତା ୨୦୧୦ ଦକ୍ଷିଣ ଆଫ୍ରିକା ବିଶ୍ବକପ୍‌ ଏବଂ ୨୦୧୪ ବ୍ରାଜିଲ୍‌ ବିଶ୍ବକପ୍‌ରେ ଭିନ୍ନ ଦଳକୁ ପ୍ରତିନିଧିତ୍ବ କରିଥିବା ଦେଖାଯାଇଥିଲା। ଜେରୋମ୍‌ ବୋଏତେଙ୍ଗ ଜର୍ମାନିର ଡିଫେଣ୍ଡର ହୋଇଥିଲା ବେଳେ ବଡ଼ ଭାଇ କେଭିନ୍‌ ପ୍ରିନ୍ସ ବୋଏତେଙ୍ଗ ଘାନାର ମିଡ୍‌ଫିଲ୍ଡର ଭାବେ ଖେଳିଥିଲେ।

ଇନାକି କହିଛନ୍ତି, ସ୍ପେନ୍‌ ଯିବା ପାଇଁ ସେ ଏକ ଟ୍ରକ୍‌ ପଛପଟେ ଲଦି ହୋଇ ଆସିଥିଲା ବେଳେ ସାହାରା ମରୁଭୂମିରେ ଖାଲିପାଦରେ ଚାଲିଚାଲି ପଥ ଅତିକ୍ରମ କରିଥିଲେ। ଯେତେବେଳେ ସେ ତାଙ୍କ ମା’ଙ୍କ ଗର୍ଭରେ ଥିଲେ ସେତେବେଳେ ବାପା ଓ ମା’ ଉଭୟ ସ୍ପେନ୍‌ ସୀମା ଅତିକ୍ରିମ କରୁଥିଲା ବେଳେ ଧରାପଡ଼ିଥିଲେ। ତେବେ ଏକ ଚାରିଟି ଗ୍ରୁପ୍‌ର ପରାମର୍ଶକ୍ରମେ ସେମାନଙ୍କୁ ସ୍ପେନ୍‌ ସୀମାରେ ପ୍ରବେଶ ଅନୁମତି ମିଳିଥିଲା। ଲିବେରିଆରେ ଗୃହ ଯୁଦ୍ଧ ଚାଲିଥିବାରୁ ସେମାନେ ସ୍ପେନ୍‌ ଚାଲିଯିବାକୁ ଚାହିଁଥିବା କହିଥିଲେ। ପରେ ସେମାନେ ବସ୍କ ପ୍ରଦେଶକୁ ଚାଲିଆସିଥିଲା ବେଳେ ସେଠାରେ ଦୁଇ ଭ୍ରାତାଙ୍କ ଜନ୍ମ ହୋଇଥିଲା। ଉଭୟ ଭ୍ରାତା ପ୍ରଥମ ଡିଭିଜନ୍‌ କ୍ଲବ୍‌ ଆଥ୍‌ଲେଟିକ୍‌ ବିଲବାଓର ୟୁଥ୍‌ ଏକାଡେମୀରେ ପରବର୍ତ୍ତୀ ସମୟରେ ଯୋଗଦାନ କରି ଫୁଟ୍‌ବଲ୍‌ ଯାତ୍ରା ଆରମ୍ଭ କରିଥିଲେ। ଏବେ ସେମାନେ ଯାହା ବି କିଛି କରୁଛନ୍ତି ସେସବୁ ତାଙ୍କ ଅଭିଭାବକଙ୍କ ପାଇଁ କରୁଛନ୍ତି। ସେମାନେ ଯେଉଁ ବଳିଦାନ‌ ଦେଇଛନ୍ତି ତାହା ତାଙ୍କୁ ଫେରାଇ ଦେବା ପାଇଁ ଆମେ ଦୁଇ ଭାଇ ସବୁବେଳେ ଚେଷ୍ଟା କରୁଛୁ ବୋଲି ଇନାକି ସ୍ପେନ୍‌ର ଏକ ଦୈନିକ ଖବରକାଗଜକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି।

ଇନାକି ଗତବର୍ଷ ସ୍ପାନିସ୍‌ ଲିଗ୍‌ରେ ସର୍ବାଧିକ ୨୦୩ ମ୍ୟାଚ୍‌ ଖେଳି କୀର୍ତ୍ତିମାନ ରଚିଥିଲେ। ୨୦୧୬ରୁ ସେ କ୍ଲବ୍‌ସ୍ତରରେ ଖେଳିଆସୁଥିଲେ ବି କେବେ ବି ଜାତୀୟ ଦଳକୁ ଡକରା ପାଇନଥିଲେ। ତେଣୁ ଆଫ୍ରିକୀୟ ଦେଶ ଘାନା ପକ୍ଷରୁ ଖେଳିବା ପାଇଁ‌ ସେ ସ୍ଥିର କରିଥିଲେ। ବିଶ୍ବକପ୍‌ ପ୍ରସ୍ତୁତି ପାଇଁ ଘାନା ପ୍ରତିଭାବାନ୍‌ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରୁଥିବାରୁ ଏହି ସୁଯୋଗରେ ଇନାକି ମଧ୍ୟ ଘାନା ଦଳରେ ସ୍ଥାନ ପାଇଯାଇଥିଲେ। ଗତ ସେପ୍ଟେମ୍ବରରେ ନିକାରାଗୁଆ ବିପକ୍ଷରେ ସେ ଘାନା ପାଇଁ ପ୍ରଥମ ଥର ଖେଳିଥିଲା ବେଳେ ପରେ ବ୍ରାଜିଲ୍‌ ବିପକ୍ଷରେ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ସେ ଦଳରେ ସ୍ଥାନ ପାଇଥିଲେ। ଅନ୍ୟପ‌କ୍ଷରେ ନିକୋଙ୍କୁ ସ୍ପେନ୍‌ ପ୍ରଶିକ୍ଷକ ଲୁଇସ୍‌ ଏନରିକ୍‌ ବିଳମ୍ବରେ ଦଳରେ ସାମିଲ କରିଥିଲେ। ଜାତୀୟ ଦଳକୁ ଆସିବା ପରେ ନେସନ୍ସ ଲିଗ୍‌ରେ ସ୍ବିଜରଲାଣ୍ଡ ବିପକ୍ଷରେ ସେ ପ୍ରଥମ ଥର ‌ଖେଳିଥିଲେ।

ଗୋଟିଏ ଦଳରେ ଭାଇ-ଭାଇ ଏକାଠି
ବିଶ୍ବକପ୍‌ରେ ଗୋଟିଏ ଦଳରେ ଭାଇ-ଭାଇ ଏକାଠି ଖେଳିବା ନଜିର ମଧ୍ୟ ରହିଛି। ୨୦୧୦ରେ ହଣ୍ଡୁରାସ୍‌ ପାଇଁ ତିନି ପାଲାସିଓ ଭ୍ରାତା ଖେଳିଥିଲେ। ସେହିପରି ୨୦୧୪ରେ ଘାନା ପାଇଁ ଆନ୍ଦ୍ରେ ଓ ଜୋର୍ଡାନ୍‌ ଆୟୁ ଖେଳିଥିଲା ବେଳେ ଆସନ୍ତା କାତାର ବିଶ୍ବକପ୍‌ରେ ମଧ୍ୟ ଏହି ଭାଇଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ। ଆଇଭରି କୋଷ୍ଟ ପାଇଁ ଦୁଇ ଭାଇ ୟାୟା ଓ କୋଲୋ ଟୌର ୨୦୧୦ ଓ ୨୦୧୪ରେ ଖେଳିଛନ୍ତି। ସେହିପରି ୨୦୧୮ରେ ମେକ୍ସିକୋ ପାଇଁ ଜୋନାଥନ୍‌ ଓ ଜିଓଭାନି ସାନ୍ତୋଷ ଏବଂ ବେଲ୍‌ଜିୟମ୍‌ ପାଇଁ ଏଡେନ୍‌ ଓ ଥୋରଗାନ୍‌ ହାଜାର୍ଡ ଖେଳିଥିବା ଦେଖାଯାଇଥିଲା। ୧୯୯୪ ଓ ୧୯୯୮ ବିଶ୍ବକପ୍‌ରେ ନେଦରଲାଣ୍ଡ୍ସ ଦଳରେ ଯାଆଁଳା ଭାଇ ଫ୍ରାଙ୍କ୍‌ ଓ ରୋନାଲ୍ଡ ବୋଏର୍‌ ଖେଳିଥିଲା‌ ବେଳେ ଏହି ଦେଶ ପାଇଁ ୧୯୭୪ ଓ ୧୯୭୮ ବିଶ୍ବକପ୍‌ରେ ଅନ୍ୟତମ ଯାଆଁଳା ଭାଇ ରେନେ ଓ ୱିଲି ଭାନ୍‌ ଡେ କେରଖୋଫ୍‌ ଦଳକୁ ଫାଇନାଲ୍‌ରେ ପହଞ୍ଚାଇଥିଲେ। ସେହିପରି ଏହି ଡଚ୍‌ ଦଳରେ ୧୯୯୦ରେ ଏରୱିନ୍‌ ଓ ରୋନାଲ୍ଡ କୋଏମାନ୍‌, ୧୯୯୮ରେ ଡେନମାର୍କ ଦଳରେ ବ୍ରାଏନ୍‌ ଓ ମାଇକେଲ୍‌ ଲାଉଡ୍ରପ୍‌ ଖେଳିଥିଲା ବେଳେ ଇଂଲଣ୍ଡ ପାଇଁ ଜ୍ୟାକ୍‌ ଓ ବବି ଚାର୍ଲଟନ୍‌ ୧୯୬୬ ଓ ୧୯୭୦ ବିଶ୍ବକପ୍‌ରେ ‌ଖେଳିଥି‌ଲେ।

 

ସମ୍ବନ୍ଧିତ ଖବର