ମ୍ୟାଚ୍‌ ପରିଚାଳନା ଦାୟିତ୍ବରେ ୫ ଓଡ଼ିଆ

କଟକ: ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ରେ ଓଡ଼ିଆ ଝଲକ ଦେଖିବାକୁ ମିଳିଛି। ଓଡ଼ିଶାରୁ କୌଣସି ଖେଳାଳି ଏହି ଆନ୍ତର୍ଜାତିକ ପ୍ରତିଯୋଗିତାରେ ଖେଳୁନଥିଲେ ବି ମ୍ୟାଚ୍‌ ପରିଚାଳନା ଦାୟିତ୍ବରେ ୫ ଓଡ଼ିଆ ରହିଛନ୍ତି। ଜୀବନ ବଲ୍ଲଭ ସାମଲ, ପି କୃଷ୍ଣ କୁମାର, ବିଜନ କୁମାର ମହାପାତ୍ର, ସୁଜିତ କୁମାର ରାଏ ଓ କଲ୍ଲୋଳ ଗାଙ୍ଗୁଲି ରେଫରି ଭୂମିକାରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ଜୀବନ ଓ କୃଷ୍ଣ କୁମାର ବ୍ଲୁ ବ୍ୟାଚ୍‌ ବିଭାଗ (ଏଲିଟ୍‌ ପ୍ୟାନେଲ)ରେ ଆସୁଛନ୍ତି। ଜୀବନ ଏଥିପୂର୍ବରୁ ୨୦୧୦ ଓ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରିଚାଳନା କରିସାରିଥିଲା ବେଳେ ୨୦୨୦ ପାରା ଅଲିମ୍ପିକ୍ସରେ ମ୍ୟାଚ୍‌ ପରିଚାଳନା ପାଇଁ ମନୋନୀତ ହୋଇଛନ୍ତି। ସେହିପରି କୃଷ୍ଣକୁମାର ଏସୀୟ କନିଷ୍ଠ ପ୍ରତିଯୋଗିତା ସହ ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମ୍ୟାଚ୍‌ ପରିଚାଳନା କରିସାରିଛନ୍ତି। ବିଜନ ଏସୀୟ କ୍ୟାଡେଟ୍‌, ସୁଜିତ ସାଫ୍‌ କ୍ରୀଡ଼ା, ଲୁସିଫୋନିଆ କ୍ରୀଡ଼ାରେ ଆନ୍ତର୍ଜାତିକ ମ୍ୟାଚ୍‌ ପରିଚାଳନା କରିଛନ୍ତି। ତେବେ କଲ୍ଲୋଳଙ୍କ ପାଇଁ ଏହା ହେଉଛି ପ୍ରଥମ ଆନ୍ତର୍ଜାତିକ ଅଭିଜ୍ଞତା। ଏହି ପ୍ରତିଯୋଗିତାରେ ମୋଟ ୩୬ ରେଫରି ମ୍ୟାଚ ପରିଚାଳନା କରୁଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର