ନ୍ୟୁଜିଲାଣ୍ଡରେ ଐତିହାସିକ ଶୃଙ୍ଖଳା ବିଜୟ : ନ୍ୟୁଜିଲାଣ୍ଡକୁ ମୂଳପୋଛ କଲା ଭାରତ

ପଞ୍ଚମ ମୁକାବିଲାକୁ ୭ ରନ୍‌ରେ ଜିତିଲା ଭାରତ , ବୁମରାଙ୍କ ବିଶ୍ବ ରେକର୍ଡ, ରାହୁଲ ‌ଶୃଙ୍ଖଳାର ଶ୍ରେଷ୍ଠ

ମାଉଣ୍ଟମଙ୍ଗନୁଇ : ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡ ମାଟିରେ ଐତିହାସିକ ଶୃଙ୍ଖଳା ବିଜୟ ହାସଲ କରିଛି । ରବିବାରର ରୋମାଞ୍ଚଭରା, ନାଟକୀୟ ତଥା ଉତ୍କଣ୍ଠାପୂର୍ଣ୍ଣ ପଞ୍ଚମ ମୁକାବିଲାକୁ ୭ ରନ୍‌ରେ ଜିତି କ୍ରମାଗତ ପଞ୍ଚମ ବିଜୟ ସହ ନ୍ୟୁଜିଲାଣ୍ଡକୁ ୫-୦ରେ ମୂଳପୋଛ କରିଛି। ତା’ ସହ କୌଣସି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୫-୦ରେ ଜିତିବାରେ ପ୍ରଥମ ଦଳ ହୋଇଛି। ସେହିଭଳି ଅଷ୍ଟ୍ରେଲିଆ (୨୦୧୫/୧୬, ଅଷ୍ଟ୍ରେଲିଆ) ଓ ୱେଷ୍ଟଇଣ୍ଡିଜ୍ (୨୦୧୯, ଆମେରିକା/‌ୱେଷ୍ଟଇଣ୍ଡିଜ୍) ପରେ ବିଦେଶରେ କୌଣସି ଦଳକୁ ତୃତୀୟ ଥର ପାଇଁ ମୂଳପୋଛ କରିଛି। ରବିବାରର ବିଜୟ ସହ ଭାରତ ମଧ୍ୟ ନ୍ୟୁଜିଲାଣ୍ଡଠାରୁ ବିଶ୍ବକପ୍ ସେମିଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି। ଶୃଙ୍ଖଳାରେ ୪-୦ରେ ଆଗୁଆ ଥିବା ଭାରତ ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ରୋହିତ ଶର୍ମାଙ୍କ ଅର୍ଧଶତକ ସାଙ୍ଗକୁ କେଏଲ୍ ରାହୁଲଙ୍କ ୪୫ ରନ୍ ବଳରେ ୩ ୱିକେଟ୍ ହରାଇ ୧୬୩ ରନ୍ କରିଥିଲା। ଏହା ପରେ ଘରୋଇ ନ୍ୟୁଜିଲାଣ୍ଡକୁ ୧୫୬/୯ରେ ଅଟକାଇ ଦେଇଥିଲା। ଭାରତର ଏହି ବିଜୟରେ ଯୁବ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା (୪-୧-୧୨-୩) ମୁଖ୍ୟ ନାୟକ ଥିଲେ। ବିଶ୍ବ କୀର୍ତ୍ତିମାନ ମେଡେନ୍ ସହ ସେ ହିଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୫ ପାଳିରୁ ୨୨୪ କରିଥିବା କେଏଲ୍ ରାହୁଲ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ସମ୍ବନ୍ଧିତ ଖବର