ପଞ୍ଚମ ଥର ଶୀର୍ଷରେ ବର୍ଷ ଶେଷ କଲେ ନାଦାଲ୍

ନୂଆଦିଲ୍ଲୀ: ସ୍ପେନ୍‌ ଟେନିସ୍ ତାରକା ରାଫେଲ୍ ନାଦାଲ ଶୀର୍ଷ ମାନ୍ୟତା ସହିତ ବର୍ଷ ୨୦୧୯କୁ ଶେଷ କରିଛନ୍ତି। ସଦ୍ୟ ପ୍ରକାଶିତ ଏଟିପି ମାନ୍ୟତା ଅନୁଯାୟୀ ନାଦାଲ ୯୫୮୫ ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ସର୍ବିଆ ତାରକା ନୋଭାକ୍ ଜୋକୋଭିକ୍ (୮୯୪୫) ଏବଂ ସ୍ବିଜରଲାଣ୍ଡ୍‌ ତାରକା ରୋଜର ଫେଡେରର୍ (୬୧୯୦) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ନାଦାଲ ପଞ୍ଚମ ଥର ପାଇଁ ଏଟିପି ମାନ୍ୟତାର ଶୀର୍ଷ ସ୍ଥାନ ସହ ବର୍ଷ ଶେଷ କରିଛନ୍ତି। ଏହା ପୂର୍ବରୁ ୨୦୦୮, ୨୦୧୦, ୨୦୧୩ ଓ ୨୦୧୭ରେ ସେ ଶୀର୍ଷ ମାନ୍ୟତା ସହ ବର୍ଷ ଶେଷ କରିଥିଲେ। ଏହା ବ୍ୟତୀତ ୫ କିମ୍ବା ୫ରୁ ଅଧିକଥର ଶୀର୍ଷ ମାନ୍ୟତା ସହ ବର୍ଷ ଶେଷ କରିବାରେ ନାଦାଲ ପଞ୍ଚମ ଖେଳାଳି ହୋଇଛନ୍ତି। ଏହା ପୂର୍ବରୁ ଆମେରିକାର ପିଟ୍‌ ସମ୍ପ୍ରାସ୍ (୬ ଥର), ଜିମି କନର୍ସ (୫ ଥର), ରୋଜର ଫେଡେରର୍ (୫ ଥର) ଓ ନୋଭାକ ଜୋକୋଭିକ୍ (୫ ଥର) ଏହି ସଫଳତା ହାସଲ କରିସାରିଛନ୍ତି। ଚଳିତ ବର୍ଷ ନାଦାଲ ଓ ଜୋକୋଭିକ୍ ଦୁଇଟି ଲେଖାଏଁ ଗ୍ରାଣ୍ଡସ୍ଲାମ ଜିତିଛନ୍ତି। ସେହିଭଳି କଲମ୍ବିଆ ଯୋଡ଼ି ଜୁଆନ୍ ସେବାସ୍ତିଆନ୍ କବଲ ଓ ରବର୍ଟ ଫରା ୮୩୦୦ ଅଙ୍କ ସହ ପୁରୁଷ ଯୁଗଳ ଶୀର୍ଷରେ ରହିଛନ୍ତି। ଅଷ୍ଟ୍ରେଲିଆର ୨୩ ବର୍ଷୀୟା ଆସ୍‌ଲେ ବାର୍ତି ୭୮୫୧ ପଏଣ୍ଟ ସହ ମହିଳା ଏକକରେ ଡବ୍ଲ୍ୟୁଟିଏର ଶୀର୍ଷ ମାନ୍ୟତା ହାସଲ କରିଥିବା ବେଳେ ଚେକ୍ ଗଣରାଜ୍ୟର କାରୋଲିନା ପ୍ଲିସକୋଭା (୫୯୪୦ ପଏଣ୍ଟ) ଦ୍ବିତୀୟ ଓ ଜାପାନର ନାଓମି ଓସାକା (୫୪୯୬ ପଏଣ୍ଟ) ତୃତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର