ଏସୀୟ କ୍ରୀଡ଼ା ଟେଷ୍ଟ ଇଭେଣ୍ଟ୍‌: ଫାଇନାଲ୍‌ରେ ୬ ଭାରତୀୟ ମୁଷ୍ଟିଯୋଦ୍ଧା

ଜାକର୍ତା: ଏଠାରେ ଚାଲିଥିବା ଏସୀୟ କ୍ରୀଡ଼ା ଟେଷ୍ଟ ଇଭେଣ୍ଟ୍‌ର ବାସ୍କେଟ୍‌ବଲ୍‌ରେ ଭାରତ ମଙ୍ଗଳବାର ଉପବିଜେତା ହୋଇଥିଲା ବେଳେ ବୁଧବାର ମୁଷ୍ଟିଯୁଦ୍ଧରେ ୬ ଭାରତୀୟ ଫାଇନାଲ୍‌ ପ୍ରବେଶ କରିଛନ୍ତି। ଏଥି ସହିତ ଭାରତ ଅତି କମ୍‌ରେ ୬ କାଂସ୍ୟ ପଦକ ଜିତିବା ନିଶ୍ଚିତ କରିଛି। ସେମିଫାଇନାଲ୍‌ର ମହିଳା ବର୍ଗରେ ଯୁବ ବିଶ୍ୱ ବିଜୟିନୀ ଶଶୀ ଚୋପ୍ରା (୫୭ କେଜି) ୪-୧ରେ ଫିଲିପାଇନ୍‌ସର ରିଜା ପାସୁଟ୍‌ଙ୍କୁ, ପବିତ୍ରା (୬୦ କେଜି) ୫-୦ରେ ଦକ୍ଷିଣ କୋରିଆର ହ୍ଵାଙ୍ଗ୍‌ ହିଜଙ୍ଗ୍‌ଙ୍କୁ ପରାସ୍ତ କରିଛନ୍ତି। ଗୁରୁବାର ଫାଇନାଲ୍‌ରେ ଶଶୀ ଥାଇଲାଣ୍ଡ୍‌ର ରାଚାଦପୋର୍ନ ସାଓଟୋ ଏବଂ ପବିତ୍ରା ଅନ୍ୟତମ ଥାଇଲାଣ୍ଡ୍‌ ଯୋଦ୍ଧା ନୀଲଓ୍ଵନ୍‌ ତେଚାସୁପ୍‌ଙ୍କୁ ଭେଟିବେ। ଅନ୍ୟପକ୍ଷରେ ପୁରୁଷ ବର୍ଗରେ ଇଣ୍ଡିଆ ଓପନ୍‌ ସ୍ୱର୍ଣ୍ଣ ତଥା ଜାତୀୟ ବିଜେତା ମନୀଷ କୌଶିକ୍‌ (୬୦ କେଜି) ୫-୦ରେ ଚାଇନିଜ୍‌ ତାଇପେର ଲାଇ ଚୁ ୟେନ୍‌ଙ୍କୁ, ତିନି ଥର କିଙ୍ଗ୍‌ସ କପ୍‌ ସ୍ୱର୍ଣ୍ଣ ବିଜେତା କେ ଶ୍ୟାମ କୁମାର (୪୯ କେଜି) ମାଲେସିଆର ମହମ୍ମଦ ଫୁଆଦ୍‌ ରେଜୁଆନ୍‌ଙ୍କୁ, ସେକ୍‌ ସଲ୍‌ମନ୍‌ ଅନ୍‌ଓ୍ଵର (୫୨ କେଜି) ୩-୨ରେ ଜାପାନର ବାବା ର୍ୟୁସେଇଙ୍କୁ ଏବଂ ଆଶିଷ (୬୪ କେଜି) ଇଣ୍ଡୋନେସିଆର ଲିବର୍ଟସ୍‌ ଘା’ଙ୍କୁ ପରାସ୍ତ କରିଛନ୍ତି। ଫାଇନାଲ୍‌ରେ ମନୀଷ ଜାପାନର ରେନ୍‌ଟାରୋ କିମୁରାଙ୍କୁ, ଶ୍ୟାମ କୁମାର ଇଣ୍ଡୋନେସିଆର ମାରିଓ ବ୍ଲାସିଉସ୍‌ଙ୍କୁ, ଅନ୍‌ଓ୍ଵର ଇଣ୍ଡୋନେସିଆର ରୋଗେନ୍‌ ଲାଡନ୍‌ଙ୍କୁ, ଆଶିଷ ଫିଲିପାଇନ୍‌ସର ସୁଗାର ରେ ଓସାନାଙ୍କୁ ଭେଟିବେ। ଅନ୍ୟପକ୍ଷରେ ମହମ୍ମଦ ଇତାଶା ଖାନ୍‌ (୫୬ କେଜି), ରିତୁ ଗ୍ରେଓ୍ଵାଲ (୫୧ କେଜି), ପଓ୍ଵନ୍‌ କୁମାର (୬୯ କେଜି) ଏବଂ ଆଶିଷ କୁମାର (୭୫ କେଜି) ନିଜ ନିଜ ସେମିଫାଇନାଲ୍‌ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି।

ସମ୍ବନ୍ଧିତ ଖବର