ଦେବାଶିଷ ସୁନ୍ଦରାୟ
ପ୍ୟାରିସ୍: ଭାରତର ପ୍ୟାରିସ୍ ଅଲିମ୍ପିକ୍ସ ଅଭିଯାନ ବହୁ ଆଶା, ଆକାଂକ୍ଷା ନେଇ ଆରମ୍ଭ ହୋଇଥିଲା। ପ୍ୟାରିସ୍କୁ ୧୧୭ଜଣିଆ ଭାରତୀୟ ଦଳ ଯାଇଥିଲା। ପ୍ରକୃତରେ କିନ୍ତୁ ୧୧୨ ଜଣ ଭାରତୀୟ ଖେଳାଳି ୧୬ ଖେଳର ୬୯ ମେଡାଲ ଇଭେଣ୍ଟ୍ରେ ଅବତୀର୍ଣ୍ଣ ହୋଇଥିଲେ। ତେବେ ଭାରତୀୟ ଦଳର ହାତକୁ ଆସିଛି ମାତ୍ର ୬ ପଦକ। ଭାରତୀୟମାନେ ଅଂଶଗ୍ରହଣ କରିଥିବା ୧୬ ଖେଳ ମଧ୍ୟରୁ କେବଳ ୪ଟିକୁ ଛାଡ଼ି ୧୨ଟି ଖେଳରେ ଭାରତ ପଦକ ଶୂନ୍ୟ ରହିଛି। ଭାରତୀୟ ଖେଳାଳିମାନେ ପଦକ ଜିତିଥିବା ଖେଳଗୁଡ଼ିକ ମଧ୍ୟରେ ରହିଛି ଆଥଲେଟିକ୍ସ, ହକି, ସୁଟିଂ ଓ କୁସ୍ତି। ସୁଟିଂରୁ ଭାରତକୁ ସର୍ବାଧିକ ତିନିଟି ପଦକ ମିଳିଛି। ରୌପ୍ୟ ରୂପରେ ସର୍ବୋଚ୍ଚ ପଦକ କିନ୍ତୁ ଆଥଲେଟିକ୍ସ (ଜାଭଲିନ୍)ରୁ ଆସିଛି। ହକି ଓ କୁସ୍ତିରେ ଗୋଟିଏ ଲେଖାଏଁ କାଂସ୍ୟ ହସ୍ତଗତ ହୋଇଛି। ଏଭଳି ଦୟନୀୟ ପ୍ରଦର୍ଶନ କୋଟିକୋଟି ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଛି। ଓଡ଼ିଶା କିନ୍ତୁ ଐତିହାସିକ ସଫଳତା ପାଇଛି। ଅମିତ ରୋହିଦାସ ଲଗାତାର ଅଲିମ୍ପିକ୍ସ ପଦକ ଜିତିଥିବା ହାତଗଣତି ଖେଳାଳି ମଧ୍ୟରେ ନିଜକୁ ସାମିଲ କରିଛନ୍ତି। କିଶୋର ଜେନା ମଧ୍ୟ ପୁରୁଷ ଜାଭଲିନ୍ ଖେଳିବାରେ ରାଜ୍ୟର ପ୍ରଥମ ଖେଳାଳି ହୋଇଛନ୍ତି। ଗୁରତେଜ ସିଂହ (୧୯୮୪, ଲସଏଞ୍ଜେଲ୍ସ), ନୀରଜ ଚୋପ୍ରା (୨୦୨୧ ଟୋକିଓ, ୨୦୨୪ ପ୍ୟାରିସ୍)ଙ୍କ ଲିଗ୍ରେ ସାମିଲ ହୋଇ ରାଜ୍ୟପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।
ପ୍ୟାରିସ୍ରେ ଭାରତ ଗତ ଟୋକିଓ ଅଲିମ୍ପିକ୍ସଠାରୁ ଭଲ କରିବ ବୋଲି ଦାବି ହେଉଥିଲା। ହେଲେ ସତକଥା ହେଲା ଏଥର ଭାରତ ଟୋକିଓ ଅଲିମ୍ପିକ୍ସଠୁ ବହୁତ ଖରାପ କରିଛି। ଟୋକିଓରେ ଭାରତ ଗୋଟିଏ ସ୍ବର୍ଣ୍ଣ (ଯାହାକୁ ନୀରଜ ପୁରୁଷ ଜାଭଲିନ୍ରେ ଜିତିଥିଲେ) ସହ ୭ ପଦକ (୧ ସ୍ବର୍ଣ୍ଣ, ୨ ରୌପ୍ୟ, ୪ କାଂସ୍ୟ) ଜିତିଥିଲା। ୩ବର୍ଷ ତଳେ ଖେଳାଯାଇଥିବା ଅଲିମ୍ପିକ୍ସର ସେହି ସଂସ୍କରଣରେ ଅବଶ୍ୟ ୧୮ ଖେଳରେ ୧୧୯ଜଣ ଭାରତୀୟ ଖେଳାଳି ଅଂଶଗ୍ରହଣ କରିଥିଲେ। ଆଥଲେଟିକ୍ସ (୧), ବ୍ୟାଡ୍ମିଣ୍ଟନ୍, (୧) ମୁଷ୍ଟିଯୁଦ୍ଧ (୧), ହକି (୧), ଭାରୋତ୍ତୋଳନ (୧), କୁସ୍ତି (୨) ଭଳି ଖେଳରୁ ପଦକ ମିଳିଥିଲା। ଏଥର ଦଳର ସ୍ବର୍ଣ୍ଣ ଘର ଖାଲି ଥିଲା ବେଳେ କେବଳ ଗୋଟିଏ ରୌପ୍ୟ ଓ ୫ଟି କାଂସ୍ୟ ହାତକୁ ଆସିଛି। ବ୍ୟାଡମିଣ୍ଟନ୍, ମୁଷ୍ଟିଯୁଦ୍ଧ ଓ ଭାରୋତ୍ତୋଳନରେ ଭାରତୀୟ ପ୍ରତିଯୋଗୀ ଗତ ସଂସ୍କରଣର ସଫଳତା ଦୋହରାଇବାରେ ବିଫଳ ହୋଇଛନ୍ତି। ଯାହା ୧୪୦ କୋଟିରୁ ଅଧିକ ଜନସଂଖ୍ୟାର ଦେଶ ପାଇଁ କୌଣସି ଲଜ୍ଜାଠାରୁ କିଛି କମ୍ ନୁହେଁ।
ପ୍ୟାରିସ୍ରେ ଭାରତ: ୧୬ ଖେଳ, ୧୧୨ ଖେଳାଳି
ସମ୍ମାନ ରଖିଲେ ଆଥଲେଟିକ୍ସ, ହକି, ସୁଟିଂ, କୁସ୍ତି
ଭାରତ ତୁଳନାରେ ଓଡ଼ିଶା ଅଧିକ ସଫଳ
ଭାରତ ଦୌଡ଼କୁଦ ପାଇଁ ସର୍ବାଧିକ ୨୯ ଖେଳାଳି ପଠାଇଥିଲା। ନୀରଜଙ୍କ ଛଡ଼ା ସମସ୍ତେ ନିରାଶ କରିଛନ୍ତି। ସୁଟିଂରେ ମନୁ ଭାକର ଇତିହାସ ରଚି ଦୁଇଟି କାଂସ୍ୟ ପଦକ ଜିତିଛନ୍ତି। ଏଭଳି କରିବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି ସେ। ସରବଜୋତ ସିଂହ ଓ ସ୍ବପ୍ନିଲ କୁଶାଲେଙ୍କ ରୂପରେ ଭାରତକୁ ଦୁଇ ଜଣ ସଫଳ ସୁଟିଂ ତାରକା ମିଳିଛନ୍ତି। ସେହିଭଳି ହକି ଦଳ ଲଗାତାର କାଂସ୍ୟ ପଦକ ଜିତି ୫୨ ବର୍ଷର ପ୍ରତୀକ୍ଷାରେ ପୂର୍ଣ୍ଣଛେଦ ଟାଣିଛି। ଶେଷ ଥର ପାଇଁ ଭାରତ ୧୯୭୨ ମ୍ୟୁନିକ ଓ ୧୯୬୮ ମେକ୍ସିକୋ ସିଟି୍ ଅଲିମ୍ପିକ୍ସରେ କ୍ରମାଗତ କାଂସ୍ୟ ପଦକ ପାଇଥିଲା। ନିରାଶା ସହ କିଛିଟା ଆଶା ଓ ନିଆରା ସଫଳତା ମଧ୍ୟ ଏଥର ଭାରତୀୟ ଦଳକୁ ମିଳିଛି। ଭାରତ ଏଥର ସୁଟିଂରୁ ଜିତିଥିବା ତିନିଟି ପଦକ କୌଣସି ଏକ ନିର୍ଦ୍ଦିଷ୍ଟ ଖେଳରେ ଦେଶର ସର୍ବୋଚ୍ଚ ଅଲିମ୍ପିକ୍ସ ସଫଳତା ହୋଇଛି। ସେହିଭଳି ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଶେଷଥର ପାଇଁ ଅଷ୍ଟ୍ରେଲିଆକୁ ଭାରତ ୧୯୭୨ ମ୍ୟୁନିକ୍ ଅଲିମ୍ପିକ୍ସରେ ପରାସ୍ତ କରିଥିଲା। ତୀରନ୍ଦାଜିରେ ପଦକ ମିଳି ନଥିଲେ ମଧ୍ୟ ଭାରତୀୟ ପ୍ରତିଯୋଗୀ ନୂଆ ରେକର୍ଡ କରିଛନ୍ତି। ଧୀରାଜ ବୋମଦେବରା ଓ ଅଙ୍କିତା ଭକତ ପ୍ରଥମ ଭାରତୀୟ ଯୋଡ଼ି ଭାବେ ମିଶ୍ରିତ ବର୍ଗରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ବ୍ୟାଡମିଣ୍ଟନ୍ରେ ଲକ୍ଷ୍ୟ ସେନ୍ ପ୍ରଥମ ଭାରତୀୟ ଭାବେ ପୁରୁଷ ଏକକର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେମିଫାଇନାଲ୍ ସହ ତୃତୀୟ ଓ ଚତୁର୍ଥ ସ୍ଥାନ ମ୍ୟାଚ୍ ହାରି ଅଳ୍ପକେ ସେ ପଦକରୁ ବଞ୍ଚିତ ହେବା ଭାରତୀୟ କ୍ରୀଡ଼ାପ୍ରେମୀଙ୍କୁ କିନ୍ତୁ ବ୍ୟଥିତ କରିଛି। ମନିକା ବାତ୍ରା ପ୍ରଥମ ଭାରତୀୟ ଭାବେ ମହିଳା ଟେବୁଲ ଟେନିସ୍ର ପ୍ରିକ୍ବାର୍ଟରରେ ପ୍ରବେଶ କରିଥିଲେ। ଶ୍ରୀଜା ଅକୁଲା ମଧ୍ୟ ଏହି କୀର୍ତ୍ତିମାନ ଦୋହରାଇଥିଲେ। ବିଭିନ୍ନ ଖେଳରେ ୮ଜଣ ଭାରତୀୟ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ହାତଛଡ଼ା କରିଥିବା ହତଭାଗା ଖେଳାଳି ତାଲିକାରେ ସ୍ଥାନ ପାଇଛନ୍ତି। ଏହା ସେମାନଙ୍କ ପାଇଁ ‘ଚାରି’ର ଚେଙ୍କ ସଦୃଶ ହୋଇଥିଲା। ସେପଟେ ଭାରତ ତୁଳନାରେ ଓଡ଼ିଶାର ସଫଳତା ହାର ଅଧିକ ରହିଛି। ଏହି ତୁଳନା ସେତେଟା ଯୁକ୍ତିସଂଗତ ନହେଲେ ବି ପ୍ୟାରିସ୍ ଅଲିମ୍ପିକ୍ସରେ ଓଡ଼ିଶାର ମାତ୍ର ୨ଜଣ ଖେଳାଳି ଅଂଶଗ୍ରହଶ କରି ଅମିତ ରୋହି ଦାସଙ୍କ ରୂପରେ ଜଣେ ଖେଳାଳି ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ଅର୍ଥାତ୍ ଖେଳାଳି ଓ ପଦକ ଅନୁପାତରେ ଓଡ଼ିଶାରେ ୫୦ ପ୍ରତିଶତ ସଫଳତା ପାଇଛି। ଯାହା ଭରତଠାରୁ ଯଥେଷ୍ଟ ଭଲ।