ଏସିଆନ୍ ରଗ୍‌ବି ସେଭେନ୍ସରେ ଓଡ଼ିଶାରୁ ୬

ଭୁବନେଶ୍ବର: ଇଣ୍ଡୋନେସିଆର ଜାକର୍ତାଠାରେ ଚଳିତ ମାସ ୧୦ ଓ ୧୧ ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏସିଆ ରଗ୍‌ବି ସେଭେନ୍ସ ଲାଗି ସୋମବାର ଭୁବନେଶ୍ବରରେ ଭାରତୀୟ ପୁରୁଷ ଓ ମହିଳା ଦଳ ଘୋଷଣା କରାଯାଇଛି। ଉଭୟ ଦଳରେ ୧୨ ଜଣ ଲେଖାଏଁ ଖେଳାଳି ସ୍ଥାନ ପାଇଛନ୍ତି। ଭାରତୀୟ ମହିଳା ଦଳରେ ଓଡ଼ିଶାର ୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ହୁପି ମାଝୀ, ଶୁଭଲକ୍ଷ୍ମୀ ବାରିକ, ମିନାରାଣୀ ହେମ୍ବ୍ରମ୍ ଓ ସୁମିତ୍ରା ନାୟକ। ପୁରୁଷ ଦଳରେ କିନ୍ତୁ ଜଣେ ହେଲେ ବି ଓଡ଼ିଆ ସୁଯୋଗ ପାଇ ନାହାନ୍ତି। ତେବେ ମାନସ ଜେନା ଓ ଧିରେନ୍ କୁମାର ରାଉତ ଉଭୟ ଦଳର ପ୍ରବନ୍ଧକ ନିଯୁକ୍ତ ହୋଇଛନ୍ତି। ଏହି ପ୍ରତିଯୋଗିତା ଏସିଆ ରଗ୍‌ବି ସେଭେନ୍ସ ସିରିଜ୍ ଲାଗି ଯୋଗ୍ୟତାପର୍ଯ୍ୟାୟର କାର୍ଯ୍ୟ କରିବ। ଏଥିନେଇ ଭାରତୀୟ ଦଳର ପ୍ରଶିକ୍ଷଣ ଶିବିର ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସହଯୋଗରେ କିଟ୍‌ ବିଶ୍ବବିଦ୍ୟାଳୟରେ ଚାଲିଥିଲା। ଏହି ଶିବିର ଲାଗି ଗତମାସରେ ପାଟନାଠାରେ ଆୟୋଜିତ ଜାତୀୟ ବରିଷ୍ଠ ରଗ୍‌ବି ସେଭେନ୍ସରୁ ଖେଳାଳି ବଛା ହୋଇଥିଲେ। ଶିବିରରେ ଓଡ଼ିଶାର ବହୁ ଖେଳାଳି ସ୍ଥାନ ପାଇଥିଲେ। ଭାରତୀୟ ପୁରୁଷ ଦଳର ସମ୍ଭାବ୍ୟ ତାଲିକାରେ ଓଡ଼ିଶାର ରାଜ କିଶୋର ମୁର୍ମୁ, ବିଭୂତି ଭୂଷଣ ସେଠୀ ଓ ସୁଗଧା‌ ମାଝୀ ବି ଥିଲେ। ହେଲେ ଏମାନେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇ ନାହାନ୍ତି। ମହିଳା ଦଳର ସମ୍ଭାବ୍ୟ ତାଲିକାରେ ଓଡ଼ିଶାର ୬ ଜଣ ଖେଳାଳି ଥିଲା ବେଳେ ଚୂଡ଼ାନ୍ତ ଦଳରେ ୪ ଜଣ ସ୍ଥାନ ପାଇଛନ୍ତି। ହରିଆଣାର ବିକାଶ ଖତ୍ରି ଓ ମହାରାଷ୍ଟ୍ରର ବାହାଭିଜ୍ ଭରୁଚା ଏହି ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଓ ମହିଳା ଦଳର ନେତୃତ୍ବ ନେବେ। କଳିଙ୍ଗ ଷ୍ଟାଡିୟମରେ ସୋମବାର ଆୟୋଜିତ ଦଳ ଘୋଷଣା କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଲ ଦେବ, ପୂର୍ବତନ ଭାରତୀୟ ରଗ୍‌ବି ଖେଳାଳି ତଥା ଅଭିନେତା ରାହୁଲ ବୋଷ, ଭାରତୀୟ ରଗ୍‌ବି ଦଳର ପୂର୍ବତନ ଅଧିନାୟକ ତଥା ରଗ୍‌ବି ଇଣ୍ଡିଆର ସାଧାରଣ ସଂପାଦକ ନାସିର ହୁସେନ, ଓଡ଼ିଶା ରଗ୍‌ବି ଫୁଟବଲ୍ ସଂଘର ସଂପାଦକ ଉପେନ୍ଦ୍ର ମହାନ୍ତି ଓ କିଟ୍ କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ରଗ୍‌ବି ଖେଳାଳିଙ୍କୁ ଚାକିରି ବିଚାରାଧୀନ: କ୍ରୀଡ଼ାମନ୍ତ୍ରୀ
ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରୀୟ ରଗ୍‌ବି ପ୍ରତିଯୋଗିତା ଖେଳିଥିବା ଓଡ଼ିଶା ଖେଳାଳିଙ୍କୁ ପ୍ରଚଳିତ ନୀତି ଏବଂ ବ୍ୟବସ୍ଥା ଅନୁସାରେ କର୍ମସଂସ୍ଥାନ ଯୋଗାଇ ଦିଆଯିବ। ହେଲେ ଏଥିଲାଗି ଖେଳାଳିମାନଙ୍କୁ ଆବେଦନ କରିବାକୁ ହେବ। ଏ ପର୍ଯ୍ୟନ୍ତ ଏଭଳି କୌଣସି ଆବେଦନ କିମ୍ବା ପ୍ରସ୍ତାବ ଆମକୁ ମିଳିନାହିଁ। ପ୍ରସ୍ତାବ ଆସିଲେ ଆମେ ଏହି ବିଷୟରେ ନିଶ୍ଚିତ ଚିନ୍ତା କରିବୁ। ରାଜ୍ୟର ଅନ୍ତର୍ଜାତୀୟ ରଗ୍‌ବି ଖେଳାଳିଙ୍କୁ ଚାକିରି ଯୋଗାଇ ଦେବା ନେଇ ହୋଇଥିବା ଏକ ପ୍ରଶ୍ନର ଉତ୍ତର ନେଇ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଏହା କହିଥିଲେ। ସେହିଭଳି ରଗ୍‌ବିକୁ ଓଡ଼ିଶା ସରକାର ସବୁ ପ୍ରକାର ସହାୟତା ଦେବେ ବୋଲି ସେ ଏହି ଅବସରରେ ଆଶ୍ବାସନା ଦେଇଥିଲେ। ଶ୍ରୀ ବହେରା ଆହୁରି କହିଥିଲେ ଜୁନ୍ ମାସରେ ଏସିଆ ମହିଳା ରଗ୍‌ବି ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳରେ କିସ୍‌ର ୬ରୁ ୭ ଜଣ ଖେଳାଳି ଥିଲେ। ଯାହା ଆମ ପାଇଁ ଗର୍ବର ବିଷୟ ଥିଲା। ଏବେ ଆମେ ଯୁବ ପ୍ରତିଭାଙ୍କୁ ଭୁବନେଶ୍ବରରେ ଥିବା ଭିତ୍ତିଭୂମିର ଉପଯୋଗ କରିବାକୁ ଆହ୍ବାନ କରୁଛି। ପରବର୍ତୀ ସମୟରେ ଆମେ ରଗ୍‌ବିକୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ସଂପ୍ରସାରଣ କରିବାକୁ ଯୋଜନା ହାତକୁ ନେବୁ। କ୍ରୀଡ଼ା ସଚିବ ବିଶାଲ ଦେବ କହିଥିଲେ ଯେ ଭାରତୀୟ ମହିଳା ରଗ୍‌ବି ଦଳରେ ଓଡ଼ିଶାର ୪ ଜଣ ଖେଳାଳି ଅଛନ୍ତି। ପୁରୁଷ ଦଳରେ ମଧ୍ୟ ଆମ ରାଜ୍ୟର ଖେଳାଳି ସ୍ଥାନ ପାଇଲେ ବ୍ୟକ୍ତିଗତ ଭାବେ ମୁଁ ଅଧିକ ଖୁସି ହେବି। ଭୁବନେଶ୍ବରକୁ ଦେଶର କ୍ରୀଡ଼ା କ୍ୟାପିଟାଲ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ବପ୍ନ ପୁରଣ କରିବା ପାଇଁ କ୍ରୀଡ଼ା ବିଭାଗ କାର୍ଯ୍ୟ କରୁଛି। ଆମ ରାଜ୍ୟର ଖେଳାଳିମାନେ ଯେଉଁ ଖେଳରେ ଭଲ କରୁଛନ୍ତି, ସେ ସବୁ ଖେଳରେ ଆମେ ସେମାନଙ୍କୁ ହାଇପର୍‌ଫର୍ମାନ୍ସ ସେଣ୍ଟର ମାଧ୍ୟମରେ ଉନ୍ନତ ପ୍ରଶିକ୍ଷଣ ଦେବା ବ୍ୟବସ୍ଥା କରିବୁ। ଓଡ଼ିଶା ଭଳି ଅନ୍ୟରାଜ୍ୟଗୁଡ଼ିକ ମଧ୍ୟ ଭାରତୀୟ କ୍ରୀଡ଼ାକୁ ସମର୍ଥନ ଦେବା ଲାଗି ଆଗେଇ ଆସିବାକୁ ସେ ମଧ୍ୟ ଆହ୍ବାନ କରିଥିଲେ।

ହାଇପର୍‌ଫର୍ମାନ୍ସ ସେଣ୍ଟର ୨୪ ମାସ ଭିତରେ କାର୍ଯ୍ୟକ୍ଷମ: ରାହୁଲ
ଓଡ଼ିଶା ପାଇଁ ଭାରତୀୟ ରଗ୍‌ବିର ସ୍ତର ଓ ଲୋକପ୍ରିୟତା ବଢ଼ିଛି। ଓଡ଼ିଶା ସରକାର ଏବଂ କିଟ୍ ଦେଇ ଆସୁଥିବା ସହଯୋଗ ପାଇଁ ଭାରତୀୟ ରଗ୍‌ବି ଆଜି ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚି ପାରିଛି। ସୋମବାର ବଲିଉଡ୍ ଅଭିନେତା ତଥା ପୂର୍ବତନ ଭାରତୀୟ ରଗ୍‌ବି ଖେଳାଳି ରାହୁଲ ବୋଷ୍ ଏହା କହିଛନ୍ତି। ଓଡ଼ିଶାରେ ଆୟୋଜିତ ଜାତୀୟ ପ୍ରଶିକ୍ଷଣ ଶିବିର ଗତ ୨୦ ବର୍ଷ ମଧ୍ୟରେ ଶ୍ରେଷ୍ଠ ବୋଲି କହିବା ସହ ଓଡ଼ିଶା ସରକାର ଭାରତୀୟ କ୍ରୀଡ଼ା ପାଇଁ ନେଉଥିବା ବିଭିନ୍ନ ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ। ସେହିଭଳି ଆସନ୍ତା ୧୮ରୁ ୨୪ ମାସ ଭିତରେ ରଗ୍‌ବି ହାଇପର୍‌ଫର୍ମାନ୍ସ ସେଣ୍ଟର ଭୁବନେଶ୍ବରରେ କାର୍ଯ୍ୟକ୍ଷମ ହେବ। ଏଠାରେ ବହୁ ପ୍ରତିଷ୍ଠିତ ପ୍ରଶିକ୍ଷକ ପ୍ରଶିକ୍ଷଣ ଦେବେ। ହାଇପର୍‌ଫର୍ମାନ୍ସ ସେଣ୍ଟରରେ ୪୦ରୁ ୫୦ ଜଣ ଖେଳାଳି ବଛାବଛା ଖେଳାଳି ରହିବାର ବ୍ୟବସ୍ଥା ହେବ। ସ୍ଥାନୀୟ ଖେଳାଳିଙ୍କୁ ମଧ୍ୟ ବହୁମାତ୍ରାରେ ସୁଯୋଗ ମିଳିବ ବୋଲି ମଧ୍ୟ ସେ ଏହି ଅବସରରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର