ପ୍ରଥମ‌‌ ଶ୍ରେଣୀ କ୍ରିକେଟ୍‌, ୧୦୦ ମ୍ୟାଚ୍‌ କ୍ଲବ୍‌ରେ ୬ ଓଡ଼ିଆ

ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍ ଦଳ ୧୯୪୯-୫୦ ଋତୁରୁ ରଣଜୀ ଟ୍ରଫି ଖେଳି ଆସୁଛି। ଚଳିତ ବର୍ଷ ଓଡ଼ିଶା ୭୦ ବର୍ଷ ଅତିକ୍ରାନ୍ତ କରିଛି। ଗତ ଫେବ୍ରୁଆରି ମାସରେ ଟାଙ୍ଗୀର ଡ୍ରିମ୍ସ ପଡ଼ିଆରେ ବେଙ୍ଗଲ ବିପକ୍ଷ କ୍ବାର୍ଟରଫାଇନାଲ୍ ମ୍ୟାଚ୍‌ ଖେଳିବା ଅବସରରେ ଓଡ଼ିଶା ଦଳର ବରିଷ୍ଠତମ ସଦସ୍ୟ ବସନ୍ତ ମହାନ୍ତି ନିଜ ଖେଳ ଜୀବନର ୧୦୦ତମ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ‌ଖେଳି ନୂଆ ମାଇଲଖୁଣ୍ଟ ଛୁଇଁଥିଲେ। ଏହି ଅବସରରେ ସେ ଷଷ୍ଠ ଓଡ଼ିଆ ଭାବେ ବିରଳ ଶତକୀୟ ପ୍ରଥମ ‌ଶ୍ରେଣୀ ମ୍ୟାଚ୍ କ୍ଲବ୍‌ରେ ନିଜକୁ ସାମିଲ କରି ନେଇଥିଲେ। ପୂର୍ବରୁ ଏହି କ୍ଲବ୍‌ରେ ଥିଲେ ଟେଷ୍ଟ୍ ତାରକା ଶିବସୁନ୍ଦର ଦାସ, ଦେବାଶିଷ ମହାନ୍ତିଙ୍କ ସହ ରଶ୍ମିରଂଜନ ପରିଡ଼ା, କୁଳମଣି ପରିଡ଼ା ଓ ପ୍ରଜ୍ଞାନ ଓଝା। କିନ୍ତୁ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରି ଏହି କ୍ଲବ୍‌କୁ ଆସିବାରେ ବସନ୍ତ ମହାନ୍ତି ହୋଇଛନ୍ତି ଚତୁର୍ଥ। ଦୁଇ ପ୍ରତିଷ୍ଠିତ ସ୍ପିନର୍‌ କୁଳମଣି ପରିଡ଼ା ଓ ପ୍ରଜ୍ଞାନ ଓଝା ଘରୋଇ କ୍ରିକେଟ୍‌ରେ ଯଥାକ୍ରମେ ରେଳବାଇ ଓ ହାଇଦ୍ରାବାଦ ପାଇଁ ଖେଳିଥିଲେ ମଧ୍ୟ ଓଡ଼ିଆଙ୍କ କ୍ଲବ୍‌ରେ ଆମେ ସାମିଲ ରଖିଛୁ।

ଘରୋଇ କ୍ରିକେଟ୍‌ରେ ଠିକ୍ ଦୁଇ ଦଶନ୍ଧି ଲେଖାଏଁ ଖେଳିଥିବା ବ୍ୟାଟ୍‌ସମ୍ୟାନ୍‌ ଶିବସୁନ୍ଦର ଦାସ (୧୮୦) ଓ ରଶ୍ମି ରଂଜନ ପରିଡ଼ା (୧୩୯) ସର୍ବାଧିକ ମ୍ୟାଚ୍‌ ଖେଳିଛନ୍ତି। ପ୍ରଥମ ଓଡ଼ିଆ ଅନ୍ତର୍ଜାତୀୟ କ୍ରିକେଟର୍‌ ଦେବାଶିଷ ମହାନ୍ତିଙ୍କ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ସଂଖ୍ୟା ୧୧୭ରେ ସୀମିତ ରହିଛି। ବସନ୍ତ ମହାନ୍ତି ଏହି କ୍ଲବ୍‌ର ସଦ୍ୟତମ ସଦସ୍ୟ ପାଲଟିଛନ୍ତି। ଶିବସୁନ୍ଦର ଦାସଙ୍କ ୨୩ ଟେଷ୍ଟ୍ ଏବଂ ଦେବାଶିଷ ମହାନ୍ତିଙ୍କ ୨ ଟେଷ୍ଟ୍‌କୁ ବାଦ୍ ଦେଲେ ସେମାନେ ଅନ୍ୟ ସବୁ ମ୍ୟାଚ୍‌ ଘରୋଇ କ୍ରିକେଟ୍‌ରେ ଖେଳିଛନ୍ତି। ଶିବସୁନ୍ଦର ଓଡ଼ିଶା ସହିତ ବୋର୍ଡ ସଭାପତି ଏକାଦଶ, ଭାରତ ‘ଏ’, ବିଦର୍ଭ, ପୂର୍ବାଞ୍ଚଳ ପାଇଁ ଖେଳିଥିବା ବେଳେ ରଶ୍ମି ଏକାଧିକ ରାଜ୍ୟରୁ ଖେଳିବାର କୀର୍ତ୍ତିମାନ ରଖିଛନ୍ତି। ଓଡ଼ିଶା ବାଦ୍ ସେ ଆସାମ, ରାଜସ୍ଥାନ, ବିଦର୍ଭ, ହିମାଚଳପ୍ରଦେଶ ପାଇଁ ଏବଂ ଈରାନୀ ଟ୍ରଫିରେ ଅବଶିଷ୍ଟ ଭାରତ ପାଇଁ ମଧ୍ୟ ଖେଳିଛନ୍ତି। ଇଣ୍ଡିଆ ‘ଏ’ ପାଇଁ ମଧ୍ୟ ଖେଳିଛନ୍ତି। ଦେବାଶିଷଙ୍କ ଶତକ ପ୍ରଥମ‌ ଶ୍ରେଣୀ ମ୍ୟାଚ୍‌ ଭିତରେ ୨ ଟେଷ୍ଟ୍‌ ସହିତ ଦଲିପ ଟ୍ରଫି, ବୋର୍ଡ ସଭାପତି ଏକାଦଶ, ଭାରତ ‘ଏ’ ମ୍ୟାଚ୍‌ ମଧ୍ୟ ସାମିଲ ରହିଛି। କୁଳମଣି ପରିଡ଼ା (୧୦୮), ପ୍ରଜ୍ଞାନ ଓଝା (୧୦୮) ଓ ବସନ୍ତ ମହାନ୍ତି (୧୦୦*) ଦଲିପ ଟ୍ରଫିରେ ଖେଳିଛନ୍ତି। କୁଳମଣି ପରିଡ଼ା ଦଲିପ ଟ୍ରଫି ଓ ଈରାନୀ ଟ୍ରଫି ଖେଳିବାର ଗୌରବ ପାଇଛନ୍ତି। ପ୍ରଜ୍ଞାନ ଓଝା ହାଇଦ୍ରାବାଦ ସହିତ‌ ବେଙ୍ଗଲ୍ ପାଇଁ ମଧ୍ୟ ରଣଜୀ ଟ୍ରଫି ଖେଳିଛନ୍ତି।

ଦଳଗତ ସଫଳତା ଦୃଷ୍ଟିକୋଣରୁ ଦେଖିଲେ ବିରଳ କ୍ଲବ୍‌ରେ ରହିଛନ୍ତି ବ୍ୟାଟସମ୍ୟାନ୍‌ ରଶ୍ମିରଂଜନ ପରିଡ଼ା ଓ ଅଫସ୍ପିନର୍‌ କୁଳମଣି ପରିଡ଼ା। ଉଭୟ ଦୁଇ ଥର ଲେଖାଏଁ ରଣଜୀ ଟ୍ରଫି ବିଜେତା ଦଳର ସଦସ୍ୟ ହେବାର ଗୌରବ ପାଇଛନ୍ତି, ଯାହାକି କୌଣସି ଓଡ଼ିଶା ଖେଳାଳିଙ୍କ ଭାଗ୍ୟରେ ଜୁଟିନାହିଁ। ରାଜସ୍ଥାନକୁ ଦୁଇ ଥର (୨୦୧୦-୧୧ ଓ ୨୦୧୧-୧୨) ରଣଜୀ ଟ୍ରଫି ବିଜେତା କରାଇବାରେ ରଶ୍ମିଙ୍କ ଭୂମିକା ରହିଥିଲା। ଫାଇନାଲରେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇବାର କୃତିତ୍ବ ବି ସାଉଁଟିଥିଲେ। ରଶ୍ମି ଥରେ ମଧ୍ୟ ଈରାନୀ ଟ୍ରଫି ବିଜେତା (୨୦୦୧-୦୨) ଅବଶିଷ୍ଟ ଭାରତୀୟ ଦଳରେ ଥିଲେ। ସେହ‌ିଭଳି ଏକଦା ଭାରତୀୟ ଦଳ ଦ୍ବାରଦେଶରେ ପହଞ୍ଚିଥିବା କୁଳମଣି ପରିଡ଼ା ରେଳବାଇକୁ ଦୁଇ ଥର ଲେଖାଏଁ ରଣଜୀ ଟ୍ରଫି (୨୦୦୧-୦୨ ଓ ୨୦୦୪-୦୫) ଓ ଈରାନୀ ଟ୍ରଫି ( (୨୦୦୨-୦୩ ଓ ୨୦୦୫-୦୬) ବ‌ିଜେତା କରାଇଥିଲେ। ଏଥି ସହିତ ୪ ଥର ଦଲିପ ଟ୍ରଫି ଜିତିବାର ବିରଳ ଗୌରବ ମଧ୍ୟ କେବଳ କୁଳମଣିଙ୍କ ନାମରେ ରହିଛି। ଦଲିପ ଟ୍ରଫି ଜିତିବାର ଗୌରବ ଓଡ଼ିଶା ଖେଳାଳାଙ୍କ ମଧ୍ୟରେ ଶିବସୁନ୍ଦର ଦାସ, ନଟରାଜ ବେହେରା (ଉଭୟ ଅଧିନାୟକ ଭାବେ), ବସନ୍ତ ମହାନ୍ତି, ବିପ୍ଳବ ସାମନ୍ତରାୟ ଏବଂ ଆଲୋକ ମଙ୍ଗରାଜଙ୍କ ଭାଗ୍ୟରେ ଜୁଟିଛି। ନଟରାଜ, ବସନ୍ତ, ବିପ୍ଳବ ୨ ଥର ଲେଖାଏଁ (୨୦୧୧-୧୨ ଓ ୨୦୧୨-୧୩ ଋତୁ) ଏହି ଘରୋଇ ପ୍ରଥମ ଶ୍ରେଣୀ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର