ହେଡିଂଲେ: ହେଡିଂଲେ ଟେଷ୍ଟ୍‌ରେ ଭାରତୀୟ କ୍ରିକେଟ୍ ଦଳର ଅପ୍ରତ୍ୟାଶିତ ପରାଜୟ ଅନେକଙ୍କୁ ବିସ୍ମିତ କରିଛି। ଦଳ ତା’ର ଦୁଇଟି ପାଳିରେ ପାଞ୍ଚଟି ଶତକ ଅର୍ଜନ କରିବା ସତ୍ତ୍ବେ ପରାଜୟର ସମ୍ମୁଖୀନ ହୋଇଥିଲା। ଯାହା ୧୪୮ ବର୍ଷର ଟେଷ୍ଟ୍ ଇତିହାସରେ ପ୍ରଥମ ଘଟଣା ଥିଲା। ବିଶେଷ କରି ଦ୍ବିତୀୟ ପାଳିରେ ଶୁବମନ୍ ଗିଲ୍‌ଙ୍କ ଦଳର ଦୁର୍ବଳ ବୋଲିଂ ଦଳ ପାଇଁ କାଳ ହୋଇଥିଲା। ତେବେ କେବଳ ଦୁର୍ବଳ ବୋଲିଂ ନୁହେଁ, ଦୃଢ଼ ସ୍ଥିତିରେ ରହିମଧ୍ୟ ଭାରତ ଏହି ମ୍ୟାଚ୍‌ ହାରିବାର ଅନ୍ୟୂନ ୬ଟି କାରଣ ଥିଲା ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଆସନ୍ତୁ ଏହି ୬ଟି କାରଣ ଉପରେ ନଜର ପକାଇବା।

Advertisment

ବୁମ୍‌ରାଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳତା
କେବଳ ହେଡିଂଲେରେ ନୁହେଁ ନିକଟ ଅତୀତରେ ଭାରତୀୟ କ୍ରିକେଟ୍ ଦଳ ଟେଷ୍ଟ୍ କ୍ରିକେଟ୍‌ରେ ଆଶାଜନକ ପ୍ରଦର୍ଶନ କରିପାରିନାହିଁ। ଏପରିକି ଦଳ ଖେଳିଥିବା ଗତ ୯ଟି ଟେଷ୍ଟ୍‌ରୁ ସପ୍ତମ ପରାଜୟ ବରଣ କରିଛି। ଏହାର ଅନ୍ୟତମ କାରଣ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରାଙ୍କ ଉପରେ ଦଳ ମାତ୍ରାଧିକ ନିର୍ଭରଶୀଳ ରହିବା ବୋଲି କୁହାଯାଇପାରେ। ଲିଡ୍‌ସ ଟେଷ୍ଟ୍‌ରେ ବୁମ୍‌ରା ୪୩.୪ ଓଭର  ବୋଲିଂ କରି ୩.୨୦ ରନ୍ ହାରରେ ୫ ୱିକେଟ୍ ନେଇଥିଲେ। ଇଂଲଣ୍ଡ ପୂରା ମ୍ୟାଚ୍‌ରେ ଓଭର ପିଛା ୪.୫ ରନ୍ ଲେଖାଏଁ ସଂଗ୍ରହ କରିଥିଲେ ମଧ୍ୟ ବୁମ୍‌ରା ଯଥେଷ୍ଟ କମ୍ ରନ୍ ଖର୍ଚ୍ଚ କରିଥିଲେ। ଅନ୍ୟ ତିନି ଭାରତୀୟ ପେସର୍ ଶାର୍ଦୁଳ ଠାକୁର, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ମିଳିତ ଭାବେ ୯୨ ଓଭର ବୋଲିଂ କରି ୪୮୨ ରନ୍ ବ୍ୟୟ କରିଥିଲେ। ସେହି ଅନୁସାରେ ଏମାନେ ଓଭର ପିଛା ୫.୨ ରନ୍ ଦେଇଥିଲେ। ଯାହା ଟିମ୍ ଇଣ୍ଡିଆକୁ ଅଡ଼ୁଆରେ ପକାଇଥିଲା। ଶେଷ ଦିନରେ ଇଂଲଣ୍ଡକୁ ବିଜୟ ପାଇଁ ୩୫୧ ରନ୍‌ ଦରକାର ଥିଲା ବେଳେ ଏମାନେ ମାତ୍ରାଧିକ ରନ୍ ବ୍ୟୟ କରିଥିଲେ। ଯାହା ଫଳରେ ବୁମ୍‌ରା ସୃଷ୍ଟି କରୁଥିବା ଚାପ ଆପେଆପେ କମି ଯାଉଥିଲା। ସିରାଜ ଖେଳିଥିବା ଗତ ୧୪ ଟେଷ୍ଟ୍‌ରେ ଗୋଟିଏ ହେଲେ ବି ପାଞ୍ଚ ୱିକେଟ୍ ସଫଳତା ପାଇ ନାହାନ୍ତି। ଶେଷ ଥର ଲାଗି ୨୦୨୪ ଜାନୁଆରିରେ କେପ୍‌ଟାଉନ୍‌ଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୫ ରନ୍ ଦେଇ ୬ ୱିକେଟ୍ କରାୟତ୍ତ କରିଥିଲେ ସେ। 

ବହୁ କ୍ୟାଚ୍ ହାତଛଡ଼ା ହେବା
କଥାରେ ଅଛି ‘କ୍ୟାଚେସ୍ ୱିନ୍ ମ୍ୟାଚେସ୍’। ଲିଡ୍‌ସ ଟେଷ୍ଟ୍‌ରେ କିନ୍ତୁ ଭାରତ ସର୍ବମୋଟ ୮ଟି କ୍ୟାଚ୍ ହାତଛଡ଼ା କରିଥିଲା। କେବଳ ପ୍ରଥମ ପାଳିରେ ଟିମ୍ ଇଣ୍ଡିଆ ଆଶ୍ଚର୍ଯ୍ୟଜନକ ଭାବେ ୬ଟି କ୍ୟାଚ୍ ଖସାଇ ଦେଇଥିଲା। ଗତ ୨୦ବର୍ଷ ମଧ୍ୟରେ ଇଂଲଣ୍ଡରେ ଖେଳିଥିବା କୌଣସି ଟେଷ୍ଟ୍‌ରେ ବିଶ୍ବର କୌଣସି ‌ଦଳ ଏତେ ସଂଖ୍ୟକ କ୍ୟାଚ୍ ହାତଛଡ଼ା କରି ନଥିଲା। ଓପନର୍ ଯଶସ୍ବୀ ଜୟସ୍ବାଲଙ୍କ ହାତରେ ତ ଯେମିତି ତେଲ ଲାଗି ଯାଇଥିଲା। ସେ ଏକାକୀ ୪ କ୍ୟାଚ୍ ଛାଡ଼ିବା ସହ ବୋଲର୍‌ଙ୍କୁ ହତାଶ କରିଥିଲେ। ପ୍ରଥମ ପାଳିରେ ଇଂଲଣ୍ଡ ବିଜୟର ନାୟକ ବେନ୍ ଡକେଟ ୧୫ ରନ୍‌ରେ ଥିଲା ବେଳେ ରବୀନ୍ଦ୍ର ଜାଡ଼େଜା ତାଙ୍କର ଏକ ସହଜ କ୍ୟାଚ୍ ଛାଡ଼ି ଦେଇଥିଲେ। ଏହା ପୂର୍ବରୁ ସେ ୧୧ ରନ୍‌ରେ ଥିଲା ବେଳେ ଜୟସ୍ବାଲ ତାଙ୍କର ଆଉ ଏକ କ୍ୟାଚ୍ ଛାଡ଼ି ଦେଇଥିଲେ। ଓଲି ପୋପ୍, ହ୍ୟାରି ବ୍ରୁକଙ୍କ ଭଳି ଖେଳାଳି ମଧ୍ୟ ଏକାଧିକ ଜୀବନ ଦାନ ପାଇଥିଲେ। ଯାହା ଭାରତ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲା।

ନିମ୍ନକ୍ରମ ବିପର୍ଯ୍ୟୟ
ପାଞ୍ଚଟି ଶତକ ଛଡ଼ା ଏହି ଟେଷ୍ଟ୍‌ରେ ଭାରତ ତା’ର ଉଭୟ ପାଳିରେ ୬ଟି ଡକ୍ (ଶୂନ ସ୍କୋର୍) ମଧ୍ୟ ପାଇଥିଲା। ଉଭୟ ପାଳିରେ ଭାରତର ନିମ୍ନକ୍ରମ ଅତ୍ୟନ୍ତ ନିରାଶ କରିଥିଲା। ପ୍ରଥମ ପାଳିରେ ମାତ୍ର ୩ ୱିକେଟ୍ ହରାଇ ଭାରତ ୪୩୦ ରନ୍ କରି ନେଇଥିଲା। ସେଥିପାଇଁ ଏକ ବିଶାଳ ସ୍କୋର୍ କରିବ ବୋଲି ଆଶା କରାଯାଉଥିଲା। ହେଲେ ହଠାତ୍ ଟିମ୍ ଇଣ୍ଡିଆ ପାଳି ଭୁଶୁଡ଼ି ଯାଇଥିଲା। ପରବର୍ତ୍ତୀ ୭ ୱିକେଟ୍ କେବଳ ୪୧ ରନ୍‌ରେ ହରାଇ ଗିଲ୍ ବାହିନୀ ୪୭୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଅନ୍ୟପକ୍ଷରେ ଇଂଲଣ୍ଡର ନିମ୍ନକ୍ରମ ପ୍ରଥମ ପାଳି ସ୍କୋର୍‌କୁ ୩୯୮/୭ରୁ ୪୬୫କୁ ଟାଣି ନେଇଥିଲା। ଅନୁରୂପ ଭାବେ ଦ୍ବିତୀୟ ପାଳିରେ ୩୩୩/୫ କରି ଭାରତ ଦୃଢ଼ ସ୍ଥିତିରେ ରହିଥିଲା। ହେଲେ ୩୬୪ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଭାରତ ୩୧ ରନ୍‌ରେ ୬ ୱିକେଟ୍‌ ହରାଇବା ପ୍ରଶଂସକଙ୍କ ସହ ବିଶେଷଜ୍ଞମାନଙ୍କୁ ମଧ୍ୟ ବିସ୍ମିତ କରିଥିଲା। ନୀତୀଶ କୁମାର ରେଡ୍ଡୀଙ୍କ ବଦଳରେ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ଶାର୍ଦୁଳ ଠାକୁର ଉଭୟ ପାଳିକୁ ମିଶାଇ ୫ ରନ୍ କରିବା ସହ ୨ ୱିକେଟ୍ ନେଇଥିଲେ। ଯାହାର ଭରପୂର ଲାଭ ଇଂଲଣ୍ଡ ଉଠାଇଥିଲା। 

ହର୍ଷିତଙ୍କୁ ଛାଡ଼ିଲା ଭାରତ
ଲିଡ୍‌ସ ଟେଷ୍ଟ୍‌ର ଠିକ୍ ପୂର୍ବରୁ ଭାରତ ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ଦଳରେ ସାମିଲ କରିଥିଲା। ଭାରତ-ଏ’ ଦଳରୁ ଇଂଲଣ୍ଡ-ଏ’ ବିପକ୍ଷ ଶୃଙ୍ଖଳା ଖେଳୁଥିବା ହର୍ଷିତ ସେଥିପାଇଁ ବେକେନହାମ୍‌ରୁ ଦଳ ସହ ଲିଡ୍‌ସ ଯାତ୍ରା କରିଥିଲେ। ହେଲେ ଜୁଲାଇ ୨ ତାରିଖରୁ ବର୍ମିଂହାମରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ ପୂର୍ବରୁ ଦଳ ତାଙ୍କୁ ଭାରମୁକ୍ତ କରିଛି। ଏଣୁ ସେ ଭାରତୀୟ ଦଳ ସହ ଲିଡ୍‌ସରୁ ବର୍ମିଂହାମ ଯାତ୍ରା କରି ନାହାନ୍ତି। ଏଥିନେଇ ମୁଖ୍ୟ ପ୍ରଶିକ୍ଷକ ତଥା ପୂର୍ବତନ ଓପନର୍ ଗୌତମ ଗମ୍ଭୀର କହିଛନ୍ତି ଯେ ଆମ  ବୋଲିଂ ବାହିନୀର ଜଣେ ବୋଲର ସାମାନ୍ୟ ଅସୁସ୍ଥ ଥିଲେ। ସେଥିପାଇଁ ହର୍ଷିତଙ୍କୁ ଶେଷ ମୁହୂର୍ତ୍ତରେ ଦଳରେ ନିଆଯାଇଥିଲା। ଏବେ ସମସ୍ତେ ସୁସ୍ଥ ଥିବାରୁ ତାଙ୍କର ଆଉ ଆବଶ୍ୟକତା ନାହିଁ। ଏଣୁ ତାଙ୍କୁ ସ୍ବଦେଶ ଫେରିଯିବାକୁ କୁହାଯାଇଛି।

ଅନଭିଜ୍ଞ ଅଧିନାୟକ
ଭାରତର ସର୍ବକନିଷ୍ଠ ଟେଷ୍ଟ୍ ଅଧିନାୟକ ଭାବେ ଶୁବମନ୍ ଗିଲ୍ ଏହି ମ୍ୟାଚ୍‌ରେ ପ୍ରଥମ ଥର ପାଇଁ ଭାରତୀୟ ଦଳର ନେତୃତ୍ବ ନେଉଥିଲେ। ଅନେକ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତରେ ସେ ମାତ୍ରାଧିକ ରକ୍ଷଣାତ୍ମକ ଫିଲ୍‌ଡ ସଜାଇଥିବା ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍ ତାଙ୍କ ପାଇଁ ନୂଆ ଅଭିଜ୍ଞତା ନେଇ ଆସିଥିଲା। ତେବେ ତାଙ୍କୁ ବହୁତ କିଛି ଶିଖିବାର ଅଛି ବୋଲି ପ୍ରମାଣିତ ବି ହୋଇଥିଲା। ଏପରିକି ଇଂଲଣ୍ଡକୁ ବିଜୟ ପାଇଁ ଆଉ ମାତ୍ର ୨୧ ରନ୍‌ର ଦରକାର ଥିଲା ବେଳେ ବୁମ୍‌ରାଙ୍କୁ ସେ ଦ୍ବିତୀୟ ନୂଆ ବଲ୍‌ରେ ବୋଲିଂ କରିବାକୁ ଦେଇ ନଥିଲେ। ସିରାଜ ୮୦ ଓଭର ପରେ ନୂଆ ବଲ୍‌ରେ ବୋଲିଂ କରିବାର ସୁଯୋଗ ପାଇଥିଲେ। ବୁମ୍‌ରାଙ୍କ ଉପରେ ମାତ୍ରାଧିକ ଚାପ ଥିଲା ବେ‌ଳେ ତାଙ୍କୁ ନିୟମିତ ବ୍ୟବଧାନରେ ବିଶ୍ରାମ ଦେବାକୁ ଗିଲ୍ ପୂରା ବିଫଳ ହୋଇଥିଲେ। ରବୀନ୍ଦ୍ର ଜାଡ଼େଜାଙ୍କୁ ଜାମି ସ୍ମିଥ୍ ବରାବର ଆକ୍ରମଣ କରୁଥିଲେ ମଧ୍ୟ ଗିଲ୍ ତାଙ୍କୁ ବୋଲିଂରୁ ହଟାଇ ନଥିଲେ। ତେବେ ନିଜ ପ୍ରଥମ ମ୍ୟାଚ୍‌ରେ ଗିଲ୍ ସେତେ ବି ଖରାପ ନେତୃତ୍ବ କରିନାହାନ୍ତି ବୋଲି କିଛି ପୂର୍ବତନ କ୍ରିକେଟର୍ ମତ ରଖିଛନ୍ତି। ସେହିଭଳି ଆଗାମୀ ମ୍ୟାଚ୍‌ରେ ସେ ଆହୁରି ଭଲ କରିବେ  ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି।

ସୁଦର୍ଶନ ଓ କରୁଣଙ୍କ ବିଫଳତା
ସେହିଭଳି ପଦାର୍ପଣକାରୀ ସାଇ ସୁଦର୍ଶନ ଏବଂ ୮ବର୍ଷ ପରେ ଟେଷ୍ଟ୍ କ୍ରିକେଟ୍‌କୁ ଫେରିଥିବା କରୁଣ ନାୟରଙ୍କ ବିଫଳତା ମଧ୍ୟ ଭାରତ ପରାଜୟର ଅନ୍ୟତମ କାରଣ ଥିଲା। ପ୍ରଥମ ପାଳିରେ ଦୁଇ ଜଣଯାକ ଖାତା ଖୋଲି ପାରି ନଥିଲେ। ଦ୍ବିତୀୟରେ ସୁଦର୍ଶନ ୩୦ ରନ୍ କରିଥିଲା ବେଳେ କରୁଣ ୨୦ ରନ୍ ଆଗକୁ ବଢ଼ି ନଥିଲେ। ହେଡିଂଲେରେ ଉଭୟ ଦଳ ମୋଟ ଉପରେ ୧୬୭୩ ରନ୍ କରିଥିଲେ। ଯାହା କୌଣସି ଭାରତ-ଇଂଲଣ୍ଡ ଟେଷ୍ଟ୍‌ରେ ସର୍ବାଧିକ ଥିଲା। ହେଲେ ସୁଦର୍ଶନ ଓ କରୁଣ ମିଶିକି ମାତ୍ର ୫୦ ରନ୍ କରିବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। 

ଜାଡ଼େଜାଙ୍କ ସଂଘର୍ଷ
ଭାରତ ଏହି ମ୍ୟାଚ୍‌ରେ ଏକମାତ୍ର ସ୍ପିନର୍ ଭାବେ ରବୀନ୍ଦ୍ର ଜାଡ଼େଜାଙ୍କୁ ଖେଳାଇଥିଲା। ହେଲେ ପାରମ୍ପରିକ ଭାବେ ବିଦେଶ ମାଟିରେ ଜାଡ଼େଜା ପୁଣି ଥରେ ପ୍ରଭାବହୀନ ପ୍ରଦର୍ଶନ କରିଥିଲେ। ଜାଡ଼େଜା ଘରୋଇ ମାଟିରେ ଖେଳିଥିବା ୪୯ ଟେଷ୍ଟ୍‌ରୁ ୨୩୮ ୱିକେଟ୍ ନେଇଛନ୍ତି। ବିଦେଶ ମାଟିରେ କିନ୍ତୁ ୩୦ ଟେଷ୍ଟ୍ ଖେଳି କେବଳ ୮୧ ୱିକେଟ୍ ଅକ୍ତିଆର କରିଛନ୍ତି। ଇଂଲଣ୍ଡରେ ଆହୁରି ଖରାପ କରି ୧୩ ଟେଷ୍ଟ୍‌ରେ ମାତ୍ର ୨୮ ୱିକେଟ୍ ନେଇଛନ୍ତି। ହେଡିଂଲେ ଟେଷ୍ଟ୍‌ରେ ୩୬ବର୍ଷୀୟ ଜାଡ଼େଜା ପ୍ରଥମ ପାଳିରେ ୱିକେଟ୍ ଶୂନ୍ୟ ରହିଥିଲେ। ୨୩ ଓଭର ବୋଲିଂ କରି ୬୮ ରନ୍ ବ୍ୟୟ କରିଥିଲେ। ଦ୍ବିତୀୟ ପାଳିରେ ୨୪ ଓଭରରେ ୧୦୪ ରନ୍ ଦେଇ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ। ସେଥିପାଇଁ ଦ୍ବିତୀୟ ଟେଷ୍ଟରେ କୁଲଦୀପ ଯାଦବ କିମ୍ବା ୱାସିଂଟନ୍ ସୁନ୍ଦରଙ୍କୁ ଖେଳାଇବାକୁ ପୂର୍ବତନ କ୍ରିକେଟର୍‌ମାନେ ପରାମର୍ଶ ଦେଇଛନ୍ତି।