ଶୀର୍ଷ ୩ ଦୌଡ଼ରେ ୬ ଦଳ

ଭୁବନେଶ୍ବର: ଭୁବନେଶ୍ବର ହକି ବିଶ୍ବକପ୍‌ରେ ମୋଟ ୧୬ ଦଳ ଅଂଶ ଗ୍ରହଣ କରିବେ। ହେଲେ ସେଥିମଧ୍ୟରୁ ୬-୭ ଦଳ ଶ୍ରେଷ୍ଠ ତିନି ସ୍ଥାନ ଦୌଡ଼ରେ ରହିବେ। ଏଭଳି ଆକଳନ କରିଛନ୍ତି ଶୁକ୍ରବାର ଭୁବନେଶ୍ବର ପହଞ୍ଚିଥିବା ସ୍ପେନ୍ ହକି ଦଳର ପ୍ରଶିକ୍ଷକ ଫ୍ରେଡରିକ୍ ସୋୟାଜ୍। ସୋୟାଜ୍ କହିଛନ୍ତି, ଏହି ବିଶ୍ବକପ୍ ବେଶ୍ ସଂଘଷପୂର୍ଣ୍ଣ ରହିବ। ଶ୍ରେଷ୍ଠ ତିନି ସ୍ଥାନ ଲାଗି ଅନ୍ୟୁନ ୬-୭ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେବ। ଏହି ସବୁ ଦଳ ଶକ୍ତି ଓ ସାମର୍ଥରେ କେହି କାହାରିକୁ କମ୍ ନୁହନ୍ତି। ଜର୍ମାନି, ନେଦରଲାଣ୍ଡ୍ସ, ବେଲିଜୟମ, ଅଷ୍ଟ୍ରେଲିଆ ସହ ଆୟୋଜକ ଭାରତ ମଧ୍ୟ ଚତୁର୍ଦଶ ବିଶ୍ବକପ୍‌ର ପ୍ରବଳ ଦାବିଦାର। ଘରୋଇ ପରିବେଶରେ ଭାରତକୁ ନ୍ୟୁନ ଆକଳନ କରିବା ଠିକ୍ ହେବ ନାହିଁ। ବିଶ୍ବ ମାନ୍ୟତାର ଅଷ୍ଟମ ସ୍ଥାନରେ ରହିଥିବା ସ୍ପେନ୍‌ ବିଶ୍ବକପ୍‌ରେ ଦୁଇ ଥର ଉପବିଜେତା ହୋଇଛି। ନିଜ ଦଳର ପ୍ରସ୍ତୁତି ଉପରେ ସନ୍ତୋଷ ଜାହିର କରି ସୋୟାଜ୍ କହିଛନ୍ତି ଆମେ ଭଲ ପ୍ରସ୍ତୁତି କରିଛୁ। ଏବେ ଆମର ସମସ୍ତ ଲକ୍ଷ୍ୟ କିନ୍ତୁ ପ୍ରଥମ ମ୍ୟାଚ୍ ଉପରେ ରହିଛି। ଗ୍ରୁପ୍ ପର୍ଯ୍ୟାୟରେ ଭଲ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଗତବର୍ଷ ଆମେ କଳିଙ୍ଗ ଷ୍ଟାଡିୟମରେ ଖେଳିଥିଲୁ। ଏଠାକାର ପରିବେଶ ଚୁମ୍ବକୀୟ। ପୁଣି ଥରେ ସେହି ମନ୍ତ୍ରମୁଗ୍ଧକର ହକି ପରିବେଶରେ ଖେଳିବାକୁ ଆମେ ଅପେକ୍ଷା କରି ରହିଛୁ। ସୂଚନାଯୋଗ୍ୟ ଯେ ୟୁରୋପୀୟ ଶକ୍ତି ସ୍ପେନ୍ ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ ଓ ଫ୍ରାନ୍ସ ସହ ପୁଲ୍-ଏରେ ସ୍ଥାନ ପାଇଛି। ରେଡ୍ ଷ୍ଟିକ୍ ଭାବେ ପରିଚିତ ସ୍ପେନ୍ ବିଶ୍ବକପ୍‌ର ଗତ ତେରଟି ଯାକ ସଂସ୍କରଣରେ ଅଂଶ ଗ୍ରହଣ କରିଛି। ସେଥିମଧ୍ୟରେ ୧୯୭୧ର ପ୍ରଥମ ଏବଂ ୧୯୯୮ର ନବମ ସଂସ୍କରଣରେ ସ୍ପେନ୍ ଉପବିଜେତା ହୋଇଥିଲା। ସେହିଭଳି ୨୦୦୬ରେ ତୃତୀୟ ଏବଂ ୨୦୧୦ରେ ପଞ୍ଚମ ସ୍ଥାନ ଅଧିକାର କରିଥିଲା। ୨୦୧୪ ମସିହାର ଗତ ସଂସ୍କରଣରେ ସ୍ପେନ୍ ଅଷ୍ଟମ ସ୍ଥାନରେ ରହିଥିଲା। ଗତି ଏବଂ ପେନାଲ୍ଟି ଦକ୍ଷତା ପାଇଁ ପରିଚିତ ସ୍ପେନ୍ ଦଳରେ ଅନେକ ବିଶ୍ବସ୍ତରୀୟ ଖେଳାଳି ଅଛନ୍ତି। ସେର୍ଗି ଏନରିକ ଏବଂ ଅଧିନାୟକ ଡେଭିଡ୍ ଆଲେଗ୍ରେଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ପ୍ରଦର୍ଶନ କିନ୍ତୁ ଏହି ଦଳ ପାଇଁ ଢେର ମହତ୍ବପୂର୍ଣ୍ଣ ରହିବ। ସ୍ପେନ୍ କେବେବି ବିଶ୍ବକପ୍ ଜିତି ନଥିଲେ ମଧ୍ୟ ତିନିଟି ଅଲିମ୍ପିକ୍ସ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ଜିତିଛି।

ଆଜି ଆସିବେ ବିଜେତା ଅଷ୍ଟ୍ରେଲିଆ ସହିତ ୪ ଦେଶ
ଭୁବନେଶ୍ବର: ଓଡ଼ିଶା ପୁରୁଷ ହକି ବିଶ୍ବକପ୍ ପାଇଁ ଶୁକ୍ରବାର ୩ ଦଳ ଆସିବା ପରେ କଳିଙ୍ଗ ମାଟିରେ ପାଦ ଥାପି ସାରିଥିବା ଅତିଥି ଦଳର ସଂଖ୍ୟା ୭ରେ ପହଞ୍ଚିଛି। ପ୍ରଥମ ଦୁଇ ଦିନ ଅଲିମ୍ପିକ୍ ବିଜେତା ଆର୍ଜେଣ୍ଟିନା ସହିତ ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ ଏବଂ ପ୍ରଥମ ପଦାର୍ପଣକାରୀ ଦଳ ଚୀନ୍‌ ପହଞ୍ଚିଥିଲେ। ଶୁକ୍ରବାର ଏହି ଆଗମନ ପର୍ବରେ ସାମିଲ ହୋଇଛନ୍ତି ସ୍ପେନ, ‌ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ। ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଏହି ଦଳଗୁଡ଼ିକୁ ପାଛୋଟି ନିଆଯାଇଥିଲା। ଶନିବାର ଆଉ ୩ ଦଳ ଭୁବନେଶ୍ବର ପହଞ୍ଚିବେ ବୋଲି ସୂଚନା ମିଳିଛି। ବିଶେଷ କରି ଗତ ଥରର ବିଜେତା ଅଷ୍ଟ୍ରେଲିଆ ଦଳକୁ ହକି ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ବିଶ୍ବର ୪ ନମ୍ବର ମାନ୍ୟତାପ୍ରାପ୍ତ ଦଳ ତଥା ଗତ ୨୦୧୪ ମସିହାର ଆୟୋଜକ ନେଦରଲାଣ୍ଡସ, ବିଶ୍ବର ୩ ନମ୍ବର ମାନ୍ୟତାପ୍ରାପ୍ତ ରିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ବେଲଜିୟମ ଏବଂ ୧୧ ନମ୍ବର ଦଳ କାନାଡ଼ା ପହଞ୍ଚିବେ। ବିଶ୍ବର ଏକ ନମ୍ବର ଦଳ ଅଷ୍ଟ୍ରେଲିଆ ମଧ୍ୟାହ୍ନ ୧.୧୦ ମିନିଟରେ, ନେଦରଲାଣ୍ଡ୍ସ ସଂଧ୍ୟା ୬.୧୦ ମିନିଟରେ, ବେଲଜିୟମ ସଂଧ୍ୟା ୭.୦୫ ମିନିଟରେ ଏବଂ ମଧ୍ୟରାତ୍ର ୧ଟାରେ କାନାଡ଼ା ପହଞ୍ଚିବ।

ସମ୍ବନ୍ଧିତ ଖବର