ରାଞ୍ଚି: ଭାରତୀୟ ଯୁବ ବ୍ୟାଟର୍‌ ଯଶସ୍ବୀ ଜୟସ୍ବାଲ ଶନିବାର ପଞ୍ଚମ ଭାରତୀୟ ଭାବେ ଗୋଟିଏ ଟେଷ୍ଟ୍ ଶୃଙ୍ଖଳାରେ ୬୦୦+ ରନ୍ ଗଂଗ୍ରହ କରିଛନ୍ତି। ରାଞ୍ଚିରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ଦ୍ବିତୀୟ ଦିନରେ ଜୟସ୍ବାଲ ଏହି ମାଇଲ୍‌ଖୁଣ୍ଟ ଛୁଇଁଥିଲେ। ଚଳିତ ଶୃଙ୍ଖଳାରେ ଜୟସ୍ବାଲଙ୍କ ଏହା ସପ୍ତମ ପାଳି ହୋଇଥିଲା ବେଳେ‌ ସୋଏବ୍‌ ବଶିରଙ୍କ ବଲ୍‌ରେ ୧ ରନ୍‌ ନେବା ପରେ ୫୫* ରନ୍‌ରେ ସେ ପହଞ୍ଚିବାବେଳେ ଏହି ମାଇଲ୍‌ଖୁଣ୍ଟରେ ପହଞ୍ଚିଥିଲେ। ଚଳିତ ଶୃଙ୍ଖଳାରେ ଜୟସ୍ବାଲ ଦୁଇଟି ଦ୍ବିଶତକ ମାରିଛନ୍ତି। ‌ଗୋଟିଏ ଶୃଙ୍ଖଳାରେ ୬୦୦+ ରନ୍ ସଂଗ୍ରହ ତାଲିକାରେ ପୂର୍ବରୁ ସୁନୀଲ ଗାଭାସ୍କର, ବିରାଟ କୋହଲି, ରାହୁଲ ଦ୍ରାବିଡ଼, ଦିଲ୍ଲୀପ ସରଦେଶାଇ ଆଗରେ ଅଛନ୍ତି। ଭାରତୀୟଙ୍କ ମଧ୍ୟରେ ଗାଭାସ୍କର ୧୯୭୦-୭୧ ଋତୁରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୪ ଶତକ ଓ ୩ ଅର୍ଦ୍ଧଶତକ ସହିତ ୧୫୪.୮ ହାରରେ ସର୍ବାଧିକ ୭୭୪ ରନ୍‌ ସଂଗ୍ରହ କରିଥିଲେ। ତେବେ ବିଶ୍ବ କ୍ରିକେଟ୍‌ରେ ଏହି କୀର୍ତ୍ତିମାନ ଅଷ୍ଟ୍ରେଲିଆର ଡୋନାଲ୍ଡ ବ୍ରାଡମ୍ୟାନ୍‌ଙ୍କ ନାମରେ ରହିଛି। ୧୯୩୦ରେ ଇଂଲଣ୍ଡ ବିପକ୍ଷ ୫ମ୍ୟାଚ୍‌ ଶୃଙ୍ଖଳାରେ ସେ ୧୩୯.୧୪ ହାରେ ୯୭୪ ରନ୍‌ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ୪ ଶତକ ସାମିଲ ଥିଲା।