ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୬୨ତମ ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ଶେଷ ଦିନରେ ଓଡ଼ିଶାକୁ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି। ଫଳରେ ଓଡ଼ିଶାର ପଦକ ସଂଖ୍ୟା ୫ (୧ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୧ କାଂସ୍ୟ)ରେ ପହଞ୍ଚିଛି। ସ୍ବର୍ଣ୍ଣ ପଦକଟି ସ୍ପ୍ରିଣ୍ଟର ଶ୍ରାବଣୀ ନନ୍ଦ ଜିତିଥିଲା ବେଳେ ରୌପ୍ୟ ପାଇଥିଲେ ଜାଭ୍‌ଲିନ୍‌ ଫିଙ୍ଗାଳି କିଶୋର କୁମାର ଜେନା। ମହିଳା ୨୦୦ ମିଟର ଦୌଡ଼କୁ ୨୩.୭୭ ସେକେଣ୍ଡରେ ଶେଷ କରି ଶ୍ରାବଣୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ସ୍ବର୍ଣ୍ଣ ସହ ଶ୍ରାବଣୀଙ୍କ ପଦକ ସଂଖ୍ୟା ୩ରେ ପହଞ୍ଚିଛି। ପୂର୍ବରୁ ସେ ୧୦୦ ମିଟରରେ ରୌପ୍ୟ ଏବଂ ୪ଗୁଣା ୧୦୦ ମିଟର ରିଲେରେ କାଂସ୍ୟ ଜିତିଥିଲେ। ପୁରୁଷ ଜାଭେଲିନ୍‌ର ପ୍ରାରମ୍ଭିକ ରାଉଣ୍ଡରେ ୭୯.୯୬ ମିଟର ଜାଭଲିନ୍‌ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର ସହ ଏସୀୟ କ୍ରୀଡ଼ା ଯୋଗ୍ୟତା ମାନଦଣ୍ଡ (୭୮.୨୩ ମିଟର)କୁ ଟପିଥିବା କିଶୋର ଫାଇନାଲ୍‌ରେ ଏହାଠୁ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଫାଇନାଲ୍‌ରେ ସେ ୮୨.୯୭ ମିଟର ଫିଙ୍ଗି ଦ୍ବିତୀୟ ସ୍ଥାନରେ ରହି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ଏହି ଇଭେଣ୍ଟରେ ଅନ୍ୟ ଜଣେ ଓଡ଼ିଆ ବିକ୍ରାନ୍ତ ମଲ୍ଲିକ (୬୬.୮୨) ଏକାଦଶ ସ୍ଥାନରେ ରହିଥିଲେ। ଉତ୍ତର ପ୍ରଦେଶର ରୋହିତ ଯାଦବ (୮୩.୨୮) ସ୍ବର୍ଣ୍ଣ ଏବଂ ଶିବପାଲ ସିଂହ (୮୧.୯୬) କାଂସ୍ୟ ଜିତିବା ସହ ଏସୀୟ କ୍ରୀଡ଼ା ମାନଦଣ୍ଡ ଡେଇଁଥିଲେ। ଲଙ୍ଗ ଜମ୍ପ୍‌ ଫାଇନାଲ୍‌ରେ ପହଞ୍ଚିଥିବା ଓଡ଼ିଶାର ମନୀଷା ମେରେଲ ୫.୯୯ ମିଟର ଡେଇଁ ଦଶମ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି। ଏହି ଇଭେଣ୍ଟରେ କେରଳ ଆନ୍‌ସି ସୋଜନ୍‌ (୬.୫୧ ମିଟର) ଓ ଉତ୍ତର ପ୍ରଦେଶର ଶୈଲୀ ସିଂହ (୬.୪୯ ମିଟର) ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ଜିତିବା ସହ ଏସୀୟ କ୍ରୀଡ଼ା ଯୋଗ୍ୟତା ହାସଲ କରିଥିଲେ।

ଶେଷ ଦିନର ପଦକ ବିଜେତା

Advertisment

ପୁରୁଷ: ୨୦୦ ମିଟରରେ ଆସାମର ଅମ୍ଳାନ ବୋର୍ଗୋହାଁ (୨୦.୭୧ ସେକେଣ୍ଡ) ସ୍ବର୍ଣ୍ଣ, କର୍ଣ୍ଣାଟକର ଶଶିକାନ୍ତ ବିରୁପାକ୍ଷ (୨୧.୦୮) ରୌପ୍ୟ, ଉତ୍ତର ପ୍ରଦେଶର ଆକାଶ କୁମାର (୨୧.୧୭) କାଂସ୍ୟ ପଦକ ଜିତିଥିଲେ। ୧୫୦୦ ମିଟରରେ କେରଳର ଜିନ୍‌ସନ୍‌ ଜନସନ୍‌ (୩:୪୨.୭୭) ସ୍ବର୍ଣ୍ଣ, ଉତ୍ତର ପ୍ରଦେଶର ଅଜୟ କୁମାର ସରୋଜ (୩:୪୨.୯୬) ରୌପ୍ୟ ଓ ବିହାରର ଶଶି ଭୂଷଣ ସିଂହ (୩:୪୩.୯୩) କାଂସ୍ୟ ଜିତିଥିଲେ। ୪୦୦ ମିଟର ବାଧାଦୌଡ଼ରେ କର୍ଣ୍ଣାଟକର ଯଶସ ପି (୪୯.୩୭), ତାମିଲନାଡ଼ୁର ସନ୍ତୋଷ କୁମାର ଟି (୪୯.୫୨), କେରଳର ଜାବିର ଏମ୍‌ପି (୫୦.୪୦) ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ, କାଂସ୍ୟ ଜିତିଥିଲେ। ଲଙ୍ଗ ଜମ୍ପରେ କେରଳର ଶ୍ରୀଶଙ୍କର ମୁରଲୀ (୮.୨୯ ମିଟର) ସ୍ବର୍ଣ୍ଣ ଓ ତାମିଲନାଡ଼ୁର ଜେଶ୍ବିନ ଆଲ୍‌ଡ୍ରିନ (୭.୯୮ ମିଟର) ରୌପ୍ୟ ସହ ଏସୀୟ ଯୋଗ୍ୟତା ପାଇଥିଲେ।

ମହିଳା: ୮୦୦ ମିଟରରେ ଦିଲ୍ଲୀର ଚନ୍ଦା (୨:୦୩.୮୨), ପଞ୍ଜାବର ହର୍ମିଲାନ ବେନ୍ସ (୨:୦୪.୦୪) ଓ ମଧ୍ୟପ୍ରଦେଶର କେଏମ୍‌ ଦୀକ୍ଷା (୨:୦୪.୩୫) ପ୍ରଥମ ୩ ସ୍ଥାନରେ ରହି ପଦକ ଜିତିବା ସହ ଏସୀୟ କ୍ରୀଡ଼ା ଯୋଗ୍ୟତା ମାନଦଣ୍ଡ ପାର୍‌ କରିଥିଲେ। ୪୦୦ ମିଟର ବାଧାଦୌଡ଼ରେ ତାମିଲନାଡ଼ୁର ଆର୍‌ ଭିଥ୍ୟା ରାମରାଜ (୫୬.୦୧) ସ୍ବର୍ଣ୍ଣ, କର୍ଣ୍ଣାଟକର ସିଞ୍ଚଲ କାଭିରାମ୍ମା ଟିଆର୍‌ (୫୬.୭୬) ରୌପ୍ୟ ଓ କେରଳର ଅନୁ ଆର୍‌ (୫୮.୧୩) କାଂସ୍ୟ ଜିତିଥିଲେ। ଜାଭଲିନ୍‌ରେ ଉତ୍ତର ପ୍ରଦେଶର ଅନୁ ରାଣୀ (୫୮.୨୨) ଏସୀୟ କ୍ରୀଡ଼ା ଯୋଗ୍ୟତା ସହ ସ୍ବର୍ଣ୍ଣ, ହରିୟାଣାର ପ୍ରିୟଙ୍କା (୫୧.୯୪) ରୌପ୍ୟ, ଆନ୍ଧ୍ର ପ୍ରଦେଶର ରଶ୍ମି କେ (୫୦.୯୫) କାଂସ୍ୟ ପାଇଥିଲେ। ହାମର ଥ୍ରୋରେ ଉତ୍ତର ପ୍ରଦେଶର କେଏମ୍‌ ରଚନା (୬୫.୦୩) ଓ ତନୟା ଚୌଧୁରୀ (୬୩.୧୬) ସ୍ବର୍ଣ୍ଣ ଓ ରୌପ୍ୟ ସହ ଏସୀୟ କ୍ରୀଡ଼ ଯୋଗ୍ୟତା ଏବଂ ହରିୟାଣାର ରେଣୁ (୬୦.୯୧) କାଂସ୍ୟ ପାଇଥିଲେ। ହାଇ ଜମ୍ପରେ ହରିୟାଣାର ପୂଜା (୧.୮୦) ଏସୀୟ କ୍ରୀଡ଼ା ଯୋଗ୍ୟତା ସହ ସ୍ବର୍ଣ୍ଣ, ରୁବିନା ଯାଦବ (୧.୭୮) ରୌପ୍ୟ ଓ କର୍ଣ୍ଣା‌ଟକର ଅଭିନୟା ଏସ୍‌ ସେଟ୍ଟୀ (୧.୭୬) କାଂସ୍ୟ ଜିତିଥିଲେ।