ଲାହୋର: କ୍ରିକେଟ୍ ବଲ୍କୁ ଅଧିକ ଚିକ୍କଣ ଓ ସୁଇଂ ଉପଯୋଗୀ କରିବା ଲାଗି ବୋଲରମାନେ ସାଧାରଣତଃ ଶରୀରର ଝାଳ ଓ ଲାଳ ବ୍ୟବହାର କରନ୍ତି। ଯେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ବେଳେ ବୋଲର ନିଜ ରନ୍ ଅପ୍ ପୂର୍ବରୁ ବଲ୍ ଉପରେ ଲାଳ କିମ୍ବା ଛେପ ମାରୁଥିବା ଆପଣ ଦେଖିଥିବେ। ଅନେକ ସମୟରେ ୱିକେଟ୍ ପାଖରେ କ୍ଷେତ୍ରରକ୍ଷଣ କରୁଥିବା ଖେଳାଳିମାନେ ମଧ୍ୟ ବୋଲରଙ୍କୁ ଏଥିରେ ସହାୟତା କରନ୍ତି। ବିଶେଷ କରି ଟେଷ୍ଟ୍ ମ୍ୟାଚ୍ ବେଳେ କ୍ଷେତ୍ରରକ୍ଷକମାନେ ବଲ୍ରେ ଲାଳ ଲଗାଇ ଏହାକୁ ନିଜ ପୋଷାକରେ ବାରମ୍ବାର ଘଷିବା ପରେ ବୋଲରଙ୍କୁ ଦେଉଥିବାର ଦୃଶ୍ୟ ଏକ ସାଧାରଣ ଘଟଣା। ହେଲେ ଆଗାମୀ ସମୟରେ ହୁଏତ ଏଭଳି ଦୃଶ୍ୟ ଆଉ ଦେଖିବାକୁ ମିଳି ନପାରେ। କାରଣ କରୋନା ଭୂତାଣୁ ବ୍ୟାପିବା ଆଶଙ୍କାରେ ଆଇସିସି ବଲ୍ ଉପରେ ଝାଳ ଓ ଲାଳ ଉପଯୋଗ କରିବା ଉପରେ ଅଙ୍କୁଶ ଲଗାଇବା ଲାଗି ଚିନ୍ତା କରୁଛି। ଏହା ବଦଳରେ କୌଣସି ତୈଳ ଜାତୀୟ ବାହ୍ୟ ପଦାର୍ଥ ବୋଲରଙ୍କୁ ଦେବାକୁ ଚିନ୍ତା କରୁଛି। ଏଥିନେଇ ଅବଶ୍ୟ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ନିଆଯାଇ ନାହିଁ। ତେବେ ଗତ ସପ୍ତାହରେ ବସିଥିବା କାର୍ଯ୍ୟନିର୍ବାହୀ ବୈଠକରେ ଏହି ବିଷୟ ଆଲୋଚନା ହେବା ପରେ କ୍ରିକେଟ୍ ଦୁନିଆରେ ଏବେ ଏହା ମୁଖ୍ୟ ଚର୍ଚାର ବିଷୟ ହୋଇଛି। ଏଥିନେଇ ସମଗ୍ର କ୍ରିକେଟ୍ ଜଗତର ବର୍ତ୍ତମାନ ଓ ଅତୀତର ବୋଲରମାନେ ମଧ୍ୟ ଭିନ୍ନ ଭିନ୍ନ ମତ ପୋଷଣ କରୁଛନ୍ତି। ପାକିସ୍ତାନର ଅନ୍ୟତମ ସଫଳ ବୋଲର ୱାକର ୟୁନିସ କିନ୍ତୁ ଏଭଳି କୌଣସି ପଦକ୍ଷେପକୁ ତୀବ୍ର ବିରୋଧ କରିଛନ୍ତି। ବଲ୍ ଉପରେ ଯେ କୌଣସି ପ୍ରକାର ବାହ୍ୟ ପଦାର୍ଥ ବ୍ୟବହାର ଓ ବଲ୍ ବିକୃତ ନିୟମରେ କୌଣସି ପରିବର୍ତ୍ତନ ଏବଂ ଏଥିନେଇ ହେଉଥିବା ଆଲୋଚନାକୁ ୟୁନିସ୍ ଦୃଢ଼ ସମାଲୋଚନା କରିଛନ୍ତି। ‘‘କରୋନା ପାଇଁ ଘରୁ ବାହାରି ପାରୁ ନଥିବାରୁ ହତାଶ ହୋଇ କିଛି ଲୋକ ଏଭଳି ଆଲୋଚନା କରୁଛନ୍ତି। ଜଣେ ଦ୍ରୁତ ବୋଲର ଭାବେ ଏଭଳି କୌଣସି ପଦକ୍ଷେପକୁ ମୁଁ ତୀବ୍ର ବିରୋଧ କରୁଛି। ଝାଳ ଓ ଲାଳ ବ୍ୟବହାର କରିବା ଏକ ସ୍ବାଭାବିକ ପ୍ରକ୍ରିୟା। କ୍ରିକେଟ୍ ବଲ୍ ଦିନସାରା ହାତକୁ ହାତ ଅଦଳ ବଦଳ ହୋଇଥାଏ। ଆପଣ ଦୌଡ଼ାଦୌଡ଼ି କରନ୍ତି, ପଡ଼ନ୍ତି ଓ ଉଠନ୍ତି। ଏଭଳି ପରିସ୍ଥିତିରେ ବଲ୍ରେ ଝାଳ ବୋଳିବା ସାଧାରଣ କଥା। ଏହାକୁ କେହି ଉଦ୍ଦେଶ୍ୟମୂଳକ ଭାବେ କରି ନଥାଆନ୍ତି। ବୋଲରଙ୍କ ପାଇଁ ଏହା ଏକ ଅଭ୍ୟାସରେ ପରିଣତ ହୋଇଥାଏ। ଆପଣ ଏହାକୁ ନିୟନ୍ତ୍ରଣ କରିବା ଅସମ୍ଭବ। ଲାଳ ପରିବର୍ତ୍ତେ କୌଣସି ବାହ୍ୟ ପଦାର୍ଥ ବ୍ୟବହାର କରିବା ଏହାର ସମାଧାନ ନୁହେଁ’’ ବୋଲି ସଂପ୍ରତି ପାକିସ୍ତାନର ବୋଲିଂ ପ୍ରଶିକ୍ଷକ ଥିବା ୟୁନିସ୍ ଏକ ସାକ୍ଷାତକାରରେ କହିଛନ୍ତି।
ବଲ୍ ଟାମ୍ପରିଂକୁ ଡୋନାଲ୍ଡଙ୍କ ସମର୍ଥନ
ଲଣ୍ଡନ: ନିକଟରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ସିଇସି ବଲ୍ରେ ଲାଳ ବଦଳରେ ଅନ୍ୟ କିଛି କୃତ୍ରିମ ପଦାର୍ଥ ବ୍ୟବହାର କରିବାକୁ ବିଚାର କରୁଥିଲା। ବଲ୍ରେ ଲାଳ ଲଗାଇ ବୋଲରମାନେ ଚିକ୍କଣ କରୁଥିଲେ। ଲାଳ ଦ୍ବାରା କରୋନା ଭୂତାଣୁ ବ୍ୟାପୁଥିବାରୁ ଆଇସିସି ଏହି ବିଚାର କରୁଥିଲା। ବଲ୍ରେ ଲାଳ ବଦଳରେ ଅନ୍ୟ ଯେଉଁ ପଦାର୍ଥ ଲଗାଇବା ଲାଗି ଆଇସିସି ନିୟମ କରେ ତାହା ଏକ ପ୍ରକାର ବଲ୍ ଟାମ୍ପରିଂକୁ ସମର୍ଥନ କରିବା ସଙ୍ଗେ ସମାନ ବୋଲି ଭାବିବାକୁ ପଡ଼ିବ। ଏହାକୁ ଆଇନ୍ରେ ପରିଣତ କଲେ 'ଆତ୍ମ ବିରେଧୀ' ବୋଲି କହିଛନ୍ତି ୱେଷ୍ଟ୍ଇଣ୍ଡିଜ୍ େବାଲିଂ କିଂବଦନ୍ତି ମାଇକେଲ୍ ହୋଲଡିଂ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଆଲାନ୍ ଡୋନାଲ୍ଡ ଏହାର ବିପକ୍ଷରେ ଅଛନ୍ତି। ସେ କହିଛନ୍ତି, ମୁଁ ବଲ୍-ଟାମ୍ପରିଂକୁ ଆଇନଗତ କରିବାକୁ ସମ୍ପୂର୍ଣ୍ଣ ସହମତ। କିନ୍ତୁ ଏହା ଉପରେ ବିଚାର ହେବା ଦରକାର। ୨୦୦୦ ମସିହାରେ ଏକ ସ୍ତମ୍ବରେ ମୁଁ ଲେଖିଥିଲି, ବଲ୍ ଟ୍ୟାମ୍ପରିଂ ଯେମିତି ହେଲେ ହେଉଛି। ଅମ୍ପାୟାର କୁହନ୍ତି ବଲ୍ ଫୋପାଡ଼ି ଦେବା ପାଇଁ, ଖେଳାଳିମାନେ ମଧ୍ୟ ତାହା କରନ୍ତି। କିନ୍ତୁ ଯଦି ଏହାକୁ ଭଲ ଭାବେ ତଦାରଖ କରାଯିବ ତେବେ ଖେଳାଳି କ'ଣ କରୁଛି ଜଣାପଡ଼େ ବୋଲି ଡୋନାଲ୍ଡ କହିଛନ୍ତି। ଗୋଟିଏ ବଲ୍ ଖେଳ ବେଳେ ହାତକୁ ହାତ ବୁଲୁଥାଏ। ତୁମେ ଦୌଡ଼ୁଥିବ, ମ୍ୟାଚ୍କୁ ନେଇ ଖୁସି କି ଦୁଃଖରେ ଥିବ। ଏହି ସମୟରେ ତୁମେ ଅଜାଣତରେ ବଲ୍ରେ ଝାଳ କିମ୍ବା ଲାଳ ଲଗାଇ ଦେଇଥିବ। ଏହି ଅଭ୍ୟାସକୁ କେବେ ବି ନିୟନ୍ତ୍ରଣ କରିହେବନି ବୋଲି ଡୋନାଲ୍ଡ କହିଛନ୍ତି।
ଚଣ୍ଡୀଗଡ଼: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ଲାଳ ବ୍ୟବହାର ନେଇ ହେଉଥିବା ଚର୍ଚା ଉପରେ ନିଜ ମତ ରଖିଛନ୍ତି। ଲାଳ ଲଗାଇ ବଲ୍କୁ ଚିକ୍କଣ କରିବାର ପୁରୁଣା ପରମ୍ପରାକୁ ବନ୍ଦ କରି ଦିଆଗଲେ, ଏହା ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ। ବ୍ୟାଟିଂ ଆହୁରି ସହଜ ହୋଇଯିବ ବୋଲି ଚହଲ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏଭଳି ପଦକ୍ଷେପ ବଲ୍ର ସୁଇଂ ଓ ଡ୍ରିଫ୍ଟକୁ ପ୍ରଭାବିତ କରିବ। ଶେଷରେ ବ୍ୟାଟ୍ସମ୍ୟାନଙ୍କ ପାଇଁ ବ୍ୟାଟିଂ ସହଜ ହୋଇଯିବ। ଏଣୁ ଏହା ସହ ଆଉ ଗୋଟିଏ ନିୟମ ଯୋଡ଼ି ଦିଆଯାଉ, ବ୍ୟାଟ୍ସମ୍ୟାନ୍ ଯେତେବେଳେ ବି ଛକା ମାରିବ, ସେ ନିଜେ ଯାଇ ବଲ୍ ଆଣିବ। ସେହିଭଳି ଟ୍ବେଣ୍ଟି-୨୦ ବିଶ୍ବକପ୍ ଆୟୋଜନ ପୂର୍ବରୁ ଆଇପିଏଲ୍ କରିବାକୁ ସେ ବିସିସିଆଇକୁ ଆହ୍ବାନ କରିଛନ୍ତି। ଯେ କୌଣସି ପ୍ରତିଯୋଗିତା ପୂର୍ବରୁ ଆଇପିଏଲ୍ ହେବା ଉଚିତ। ଏହା ହେଲେ ଖେଳାଳିଙ୍କର ଅନ୍ତର୍ଜାତୀୟ ପ୍ରତ୍ୟାବର୍ତ୍ତନ ପାଇଁ ଏହା ଅଭ୍ୟାସ ଭଳି କାର୍ଯ୍ୟ କରିବ ବୋଲି ଚହଲ କହିଛନ୍ତି। କରୋନା ପାଇଁ ଚାଲିଥିବା ତାଲାବନ୍ଦ ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ କହୁତ କଷ୍ଟକର ଥିଲା। ପ୍ରଥମ ଦୁଇ ତିନି ସପ୍ତାହ ସେ ବ୍ୟସ୍ତ ବିବ୍ରତ ରହୁଥିଲେ। ତା ପରେ ନକାରାତ୍ମକ ଚିନ୍ତା ଛାଡ଼ି ସକାରାତ୍ମକ କଥା ଉପରେ ଚହଲ ଅଧିକ ଧ୍ୟାନ ଦେଇଥିଲେ। ‘‘ମୋର ୨୦ ବର୍ଷର କ୍ରିକେଟ୍ ଜୀବନ ଭିତରେ ପ୍ରଥମ ଥର ପାଇଁ ମୁଁ କିଛି ନ କରି ଘରେ ବସିଛି। ହେଲେ ଆପଣଙ୍କୁ ଏହାକୁ ସକାରାତ୍ମକ ଭାବେ ନେବାକୁ ହେବ, ଏହା ଦ୍ବାରା ଆପଣ ମାନସିକ ସ୍ତରରେ ଆହୁରି ଶକ୍ତିଶାଳୀ ହୋଇ ପାରିବେ। ଘରେ ଏକାଥରକେ ଏତେଦିନ ରହି ନଥିବାରୁ ପ୍ରଥମେ ପ୍ରଥମେ ମୋ ପାଇଁ ଅସୁବିଧା ହେଉଥିଲା। ଏବେ ସବୁକିଛି ଠିକ୍ ଅଛି’’ ବୋଲି ଚହଲ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/98f7jhd9g87jhd98jdgdgdgdgdgdgdgdgdgdgdgdgdgdgdgdgdgdgdgdgdgdg.jpg)