ପାକିସ୍ତାନ ଗସ୍ତରେ ଇମ୍ରାନ୍‌ଙ୍କଠୁ ଅଧିକ ଲୋକପ୍ରିୟ ଥିଲେ ବାଲାଜୀ: ନେହରା

ନୂଆଦିଲ୍ଲୀ: ଦୁଇ ଦେଶର କୁଟନୈତିକ ସଂପର୍କ ଛିନ୍ନ ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ କ୍ରିକେଟ୍‌ ଶୃଙ୍ଖଳା ପୁଣି କେବେ ଆରମ୍ଭ ହେବ ତାହା ଅସ୍ପଷ୍ଟ ରହିଛି। ହେଲେ ୧୬ ବର୍ଷ ତଳେ ଭାରତୀୟ କ୍ରିକେଟ୍‌ ଦଳର ପାକିସ୍ତାନ ଗସ୍ତ ବେଳେ କେଉଁ ଭାରତୀୟ ତାରକା ତତ୍‌କାଳୀନ ପାକିସ୍ତାନ ଦଳର ଅଧିନାୟକ ତଥା ଏବର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ତୁଳନାରେ ସବୁଠୁ ଲୋକପ୍ରିୟ ଥିଲେ ସେ ସଂପର୍କରେ ଟିପ୍ପଣୀ ରଖିଛନ୍ତି ପୂର୍ବାତନ ବାମହାତୀ ଦ୍ରୁତ ବୋଲର ଆଶିଷ ନେହରା। ନେହରାଙ୍କ କହିବା ଅନୁଯାୟୀ ୧୬ ବର୍ଷ ତଳେ ତଥା କାର୍ଗିଲ ଯୁଦ୍ଧ ପରେ ଯେତେବେଳେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ପ୍ରଥମ ଥର ଲାଗି ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିଥିଲା ସେତେବେଳେ ଉଭୟ ଦେଶ ମଧ୍ୟରେ ସ୍ଥିତି ଭିନ୍ନ ଥିଲା। ତେବେ ସେହି ଗସ୍ତରେ ଗାଙ୍ଗୁଲିଙ୍କ ଦଳ ଉଭୟ ଟେଷ୍ଟ୍‌ ଓ ଦିନିକିଆ ଶୃଙ୍ଖଳାରେ ଘରୋଇ ପାକିସ୍ତାନକୁ ମାତ୍‌ ଦେଇଥିଲା। ଆଉ ସେହି ଗସ୍ତରେ ବୀରେନ୍ଦ୍ର ସେହବାଗ୍‌, ରାହୁଲ ଦ୍ରାବିଡ୍‌, ସଚିନ୍ ତେନ୍ଦୁଲକର ଓ ଇର୍ଫାନ୍‌ ପଠାନ୍‌ଙ୍କ ଭଳି ତାରକା ଖେଳାଳି କେତେକ ସ୍ମରଣୀୟ ପ୍ରଦର୍ଶନ କରି ପାକିସ୍ତାନକୁ ଚକିତ କରିଥିଲେ। କିନ୍ତୁ ମୋ ମତରେ ଡାହାଣହାତୀ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀ ହିଁ ସବୁଠୁ ପ୍ରଶଂସନୀୟ ପ୍ରଦର୍ଶନ ଜରିଆରେ ଲୋକପ୍ରିୟତାର ଶୀର୍ଷରେ ରହିଥିଲେ ବୋଲି ନେହରା କହିଛନ୍ତି।

୨୦୦୩-୦୪ ପାକିସ୍ତାନ ଗସ୍ତରେ ବାଲାଜୀ ସମସ୍ତ ତିନି ଟେଷ୍ଟ୍‌ ଓ ୫ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ। ଆଉ ସେ ହିଁ ଭାରତ ଶୃଙ୍ଖଳା ବିଜୟର ପ୍ରମୁଖ ଅସ୍ତ୍ର ଥିଲେ। ରାୱଲପିଣ୍ଡିରେ ନିର୍ଣ୍ଣାୟକ ତୃତୀୟ ଟେଷ୍ଟ୍‌ରେ ସେ ୭ ୱିକେଟ୍‌ ଅକ୍ତିଆର କରି ଲୋକପ୍ରିୟ ଭାରତୀୟ କ୍ରିକେଟର୍‌ ବନି ଯାଇଥିଲେ ବୋଲି ନେହରା ମନେ ପକାଇଛନ୍ତି। ଡ୍ରେସିଂ ରୁମ୍‌ରେ ତାଙ୍କ ଲୋକପ୍ରିୟତା ସଂପର୍କରେ ହୁଏତ ମୋଠୁ ଅଧିକ କହିପାରିବେ ଇର୍ଫାନ୍‌। କିନ୍ତୁ ସେହି ଗସ୍ତରେ ଗୋଟିଏ କଥା ମୋର ମନେପଡ଼େ, ସେ ହେଲେ ବାଲାଜୀ। ଏପରିକି ସେ ଇମ୍ରାନ୍‌ ଖାନ୍‌ଙ୍କଠୁ ମଧ୍ୟ ଲୋକପ୍ରିୟତାରେ ଟପି ଯାଇଥିଲେ ବୋଲି ନେହରା ଷ୍ଟାର୍‌ ସ୍ପୋର୍ଟସ ସୋ ‘କ୍ରିକେଟ୍‌ କନେକ୍ଟେଡ୍‌’ରେ କହିଛନ୍ତି। ବାଲାଜୀ ମଧ୍ୟ ସେହି ଗସ୍ତର ଦିନିକିଆ ଶୃଙ୍ଖଳାରେ ପାକିସ୍ତାନର ଦୁଇ ଭୟଙ୍କର ଦ୍ରୁତ ବୋଲର ସୋଏବ୍‌ ଅଖ୍‌ତର ଓ ମହମ୍ମଦ ସାମିଙ୍କୁ ଛକା ମାରିବା ତାଙ୍କ ଲୋକପ୍ରିୟତାର ପ୍ରମାଣ ଦେଇଥିଲା। ସେହି ୬ ସପ୍ତାହ ବ୍ୟାପୀ ଗସ୍ତରେ ବାଲାଜୀ ହିଁ ଉଭୟ ବାମ ଓ ଡାହାଣ ପାର୍ଶ୍ବକୁ ଛକା ମାରୁଥିଲେ ତାହା ନିସନ୍ଦେହ ଥିଲା। ପୁଣି ସେହବାଗ୍‌ଙ୍କ ତ୍ରିଶତକ, ଦ୍ରାବିଡ୍‌ଙ୍କ ଦ୍ବିଶତକ ଏବଂ ଇର୍ଫାନ୍‌ଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସବୁକିଛି ବାଲାଜୀଙ୍କ ପ୍ରଦର୍ଶନ ପଛରେ ରହିଯାଇଥିଲା।

ଭାରତୀୟ ଦଳ ଶୃଙ୍ଖଳା ଜିତିବା ପରେ ଜାଭେଦ୍‌ ମିଆଁଦାଦ୍‌ ଆମ ସମସ୍ତଙ୍କୁ ତାଙ୍କ ବାସଭବନକୁ ନିମନ୍ତ୍ରଣ କରିବା କଥା ମଧ୍ୟ ମୋର ମନେ ଅଛି। ତାଙ୍କ ଘରେ ପରଷା ଯାଇଥିବା ଖାଦ୍ୟ ଅତ୍ୟନ୍ତ ରୁଚିକର ଥିଲା। ଏବେ ବି ତାହା ମୋ ମନରୁ ଯାଇନି ବୋଲି କହିଛନ୍ତି ନେହରା। ଏଠାରେ ସୂଚନାଯୋଗ୍ୟ, ବାଲାଜୀ ତାଙ୍କ ଆନ୍ତର୍ଜାତିକ କ୍ରିକେଟ୍‌ ଜୀବନରେ ଭାରତ ପାଇଁ ୮ ଟେଷ୍ଟ୍‌, ୩୦ ଦିନିକିଆ ଓ ୫ ଟ୍ବେଣ୍ଟି-୨୦ ଖେଳିଥିଲା ବେଳେ ଯଥାକ୍ରମେ ୨୭, ୩୪ ଓ ୧୦ ୱିକେଟ୍‌ ଅକ୍ତିଆର କରିଥିଲେ। ସେ ୨୦୧୭ରେ ସବୁ ଫର୍ମାଟ୍‌ରୁ ଅବସର ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର