୩୦ ଜଣ ପାଇବେ ୮.୬୪ ଲକ୍ଷ ପୁରସ୍କାର

ଟାଟା ଷ୍ଟିଲ୍‌ ଭୁବନେଶ୍ୱର ହାଫ୍‌ ମାରାଥନ୍‌ ଜାନୁଆରି ୧୪ରେ

ଭୁବନେଶ୍ୱର: ଟାଟା ଷ୍ଟିଲ୍‌ର ଭୁବନେଶ୍ୱର ହାଫ୍‌ ମାରାଥନ୍‌ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ୨୦୧୮ ମସିହା ଜାନୁଆରି ୧୪ ତାରିଖରେ ଅନୁଷ୍ଠିତ ହେବ। ଚଳିତବର୍ଷର ଦ୍ୱିତୀୟ ସଂସ୍କରଣ ଭଳି ମୋଟ ୩୦ ଜଣଙ୍କୁ ୮.୬୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ହାଫ୍‌ ମାରାଥନ୍‌ ସହିତ ଅଣ ପେସାଦାରଙ୍କ ପାଇଁ ୧୦ କିଲୋମିଟର୍‌ ଏବଂ ୫ କିଲୋମିଟର୍‌ ବିଶିଷ୍ଟ ଅନ୍ୟ ଦୁଇଟି ମିନି ମାରାଥନ୍‌ ପ୍ରତିଯୋଗିତା ମଧ୍ୟ ସମାନ ସମୟରେ ଆୟୋଜିତ ହେବ। ଯୁବବର୍ଗଙ୍କ ପ୍ରେରଣାର ଉତ୍ସ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ସପ୍ତାହ ଅବସରରେ ଆୟୋଜିତ ଏହି ହାଫ୍‌ ମାରାଥନ୍‌ର ମୁଖ୍ୟ ପ୍ରତିଯୋଗିତା ୨୧.୦୯ କିଲୋମିଟର୍‌ର ଉଭୟ ପୁରୁଷ ଓ ମହିଳା ବିଜେତାଙ୍କୁ ୧,୦୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏହା ବ୍ୟତୀତ ପ୍ରଥମ ୫ ଜଣଙ୍କ ପାଇଁ ମଧ୍ୟ ଆର୍ଥିକ ପୁରସ୍କାର ରହିଛି।
ସେହିଭଳି ୧୦ କିଲୋମିଟର୍‌ ବିଶିଷ୍ଟ ଉଭୟ ପୁରୁଷ ଓ ମହିଳା ବିଜେତାଙ୍କୁ ୫୧,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ସ୍କୁଲ୍‌ ପିଲାଙ୍କ ପାଇଁ ଉଦ୍ଧିଷ୍ଟ (ଦ୍ୱାଦଶ ଷ୍ଟାଣ୍ଡାର୍ଡ ପର୍ଯ୍ୟନ୍ତ)ଙ୍କୁ ନେଇ ଆୟୋଜିତ ୫ କିଲୋମିଟର୍‌ ବିଶିଷ୍ଟ ମିନି ମାରାଥନ୍‌ ବିଜେତା ବାଳକ ଓ ବାଳିକାଙ୍କ ପାଇଁ ୧୧,୦୦୦ ଟଙ୍କା ଲେଖାଏଁ ରଖାଯାଇଛି। ଏହି ଦୁଇ ବର୍ଗର ପ୍ରଥମ ୫ ଜଣ ଲେଖାଏଁ ମଧ୍ୟ ଆର୍ଥିକ ପୁରସ୍କାର ପାଇବେ। ଆର୍ଥିକ ପୁରସ୍କାର ସହିତ ଟ୍ରଫି ଓ ପଦକ ପ୍ରଦାନ କରାଯିବ। ଗତ ଥର ଭଳି ଟାଇମ୍‌ସ ସେନସର୍‌, ଆରଏଫ୍‌ଆଇଡି ବିବ୍‌ ଚିପ୍‌ସ, ଟ୍ରାକିଂ କ୍ୟାମେରା, ଓ୍ଵାଇ-ଫାଇ ନେଟ୍‌ଓ୍ଵାର୍କସ, ଫଟୋ ଫିନିସ୍‌ ଆଦି ଅନ୍ତର୍ଜାତୀୟ ସ୍ତରର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। କଳିଙ୍ଗ ଷ୍ଟାଡିୟମ୍‌ ଗେଟ୍‌ ନମ୍ବର-୪ରୁ ଆରମ୍ଭ ହୋଇ ଏହା ଗେଟ୍‌ ନମ୍ବର-୯ରେ ଫେରିବ। ଆଗ୍ରହୀ ଖେଳାଳିମାନେ ନାମ ପଞ୍ଜିକରଣ କରିନେବାକୁ ଅନୁରୋଧ କରାଯାଇଛି।
www.tatasteelbbsr-run.comରେ ଲଗ୍‌ ଅନ୍‌ କରି ଖେଳାଳିମାନେ ନାମ ପଞ୍ଜିକରଣ କରିପାରିବେ। ନଭେମ୍ବର ୧୫ ତାରିଖରୁ ପଞ୍ଜିକରଣ ଆରମ୍ଭ ହେବ। ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ ଅବସରରେ ଏହି େଓ୍ଵବ୍‌ସାଇଟ୍‌ ଏବଂ ଜର୍ସି ଉନ୍ମୋଚନ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସୋମବାର ଟାଟା ଷ୍ଟିଲ୍‌ର ଉପ ସଭାପତି ଅରୁଣ ମିଶ୍ର, କର୍ପୋରେଟ୍‌ ସର୍ଭିସେସ୍‌ ଉପ ସଭାପତି ସୁନୀଲ ଭାସ୍କରନ୍‌, କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦେଶକ ଭିନିଲ୍‌ କ୍ରିଷ୍ଣା, ଟାଟା ଷ୍ଟିଲ୍‌ ଏସ୍‌ଇଜେଡ୍‌ ପରିଚାଳନା ନିର୍ଦେଶକ ରାଜୀବ କୁମାର, ଅଲିମ୍ପିକ୍‌ ଧାବିକା ଦୂତି ଚାନ୍ଦ, ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ଅର୍ଚିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ମାରାଥନ୍‌ ପାଇଁ ଧୈର୍ଯ୍ୟର ଆବଶ୍ୟକତା ପଡ଼ିଥାଏ, ଏହା ଏତେ ସହଜ ନୁହେଁ। କିନ୍ତୁ ମୁଁ ୨୦୦୬-୦୭ରେ ମାରାଥନ୍‌ ଦୌଡ଼ରୁ ହିଁ ମୋ ଖେଳ ଜୀବନ ଆରମ୍ଭ କରି ଅଲିମ୍ପିକ୍‌ ପର୍ଯ୍ୟନ୍ତ ପହଞ୍ଚି ପାରିଛି। ନିଜ ଫିଟନେସ୍‌ ସମ୍ପର୍କିତ ପ୍ରଶ୍ନରେ ଦୂତି କହିଥିଲେ ଅନେକ କିଛି କରିବାକୁ ପଡ଼ିଥାଏ। ଏଥି ପାଇଁ ମୋତେ ଦୈନିକ ପ୍ରାୟ ୬ ଘଣ୍ଟାର ପରିଶ୍ରମ କରିବାକୁ ପଡ଼ିଥାଏ। ମୁଖ୍ୟ ଅତିଥି କ୍ରୀଡ଼ା ନିର୍ଦେଶକ ଭିନିଲ୍‌ କ୍ରିଷ୍ଣା କହିଥିଲେ ଭୁବନେଶ୍ୱର କ୍ରମେ କ୍ରୀଡ଼ା ନଗରୀ ପାଲଟିଯିବାକୁ ବସିଛି। ଏହା ରାଜ୍ୟର ଭାବମୂର୍ତି ବଢ଼ାଉଛି ଏବଂ ଲୋକଙ୍କୁ ଏକତ୍ରିତ କରିବାର ଏକ ମାଧ୍ୟମ ହୋଇଛି। ଆସନ୍ତା ମାସର ହକି ବିଶ୍ୱ ଲିଗ୍‌ ପରେ ୨୦୧୮ର ହକି ବିଶ୍ୱକପ୍‌ ଆମ ପାଇଁ ଅଧିକ ଆହ୍ଵାନ ବୋଲି ସ୍ୱୀକାର କରିଥିଲେ ଭିନିଲ୍‌ କ୍ରିଷ୍ଣା। ରାଜ୍ୟର ଏକମାତ୍ର ପେସାଦାର ମାରାଥନ୍‌ ପ୍ରତିଯୋଗିତାକୁ ଉତ୍ସାହିତ ଓ ସମର୍ଥନ କରିବାକୁ ମଧ୍ୟ ଅନୁରୋଧ କରିଥିଲେ ଅଭିନେତା ସବ୍ୟସାଚୀ ମିଶ୍ର।

ସମ୍ବନ୍ଧିତ ଖବର