୬୫ ଜଣଙ୍କୁ ରାଷ୍ଟ୍ରୀୟ ଖେଳ ପୁରସ୍କାର

ରୋହିତ, ଈଶାନ୍ତ, ଫୋଗଟ୍‌, ସାତ୍ବିକ ଅନୁପସ୍ଥିତ

ନୂଆଦିଲ୍ଲୀ : ଶନିବାର ଥିଲା ହକି କିଂବଦନ୍ତି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମତିଥି ଓ ଜାତୀୟ କ୍ରୀଡ଼‌ା ଦିବସ। କୋଭିଡ୍-୧୯ ସଙ୍କଟ ପାଇଁ ଏହି ଅବସରରେ ଆୟୋଜିତ ପ୍ରଥମ ଭର୍ଚୁଆଲ ପୁରସ୍କାର ବିତରଣୀ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ୬୫ ଜଣ କ୍ରୀଡ଼ାବିତଙ୍କୁ ରାଷ୍ଟ୍ରୀୟ ଖେଳ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବିଜେତାମାନେ ୯ଟି ସ୍ଥାନରେ ଥିବା ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) କେନ୍ଦ୍ରରୁ ଏହି ଉତ୍ସବ ସହ ଯୋଡ଼ି ହୋଇଥିଲେ। ଚଳିତବର୍ଷ ରାଷ୍ଟ୍ରୀୟ ଖେଳ ପୁରସ୍କାର ଲାଗି ମୋଟ ୭୪ ଜଣ କ୍ରୀଡ଼ାବିତ୍ ମନୋନୀତ ହୋଇଥିଲେ। ତେବେ ବିଭିନ୍ନ କାରଣ ପାଇଁ ୯ ଜଣ ଉତ୍ସବରେ ଯୋଗ ଦେଇପାରି ନଥିଲେ। ଆଇପିଏଲ୍ ଖେଳିବା ଲାଗି ସଂପ୍ରତି ଦୁବାଇରେ ଥିବା ଭାରତୀୟ ସୀମିତ ଓଭର କ୍ରିକେଟ୍ ଦଳର ଉପଅଧିନାୟକ ରୋହିତ ଶର୍ମା (ଖେଳରତ୍ନ) ଓ ଦ୍ରୁତ ବୋଲର ଈଶାନ୍ତ ଶର୍ମା (ଅର୍ଜୁନ) ଉତ୍ସବରେ ଅନୁପସ୍ଥିତ ରହିଥିଲେ। ସେହିଭଳି କୋଭିଡ୍-୧୯ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ‘ଖେଳରତ୍ନ’ ପାଇଁ ମନୋନୀତ ହୋଇଥିବା କୁସ୍ତି ତାରକା ଭିନେଶ ଫୋଗଟ ଏବଂ ବ୍ୟାଡମିଣ୍ଟନ୍ ଖେଳାଳି ସାତ୍ବିକ ସାଇରାଜ ରାଙ୍କିରେଡ୍ଡୀ (ଅର୍ଜୁନ) ଶେଷ ମୁହୂର୍ତରେ ଏହି ନିଆରା ପୁରସ୍କାର ବିତରଣୀ ଉତ୍ସବରୁ ଓହରିବାକୁ ବାଧ୍ୟ ହୋଇଥିଲେ। ଖେଳରତ୍ନ ପୁରସ୍କାର ପାଇଥିବା ଅନ୍ୟ ତିନି କ୍ରୀଡ଼ାବିତ୍ ଟେବୁଲ‌ ଟେନିସ୍ ତାରକା ମନିକା ବାତ୍ରା, ପାରାଲିମ୍ପିଆନ୍ ସ୍ବର୍ଣ୍ଣ ପଦକ ବିଜେତା ମାରିଆପାନ୍ ଥଙ୍ଗଭଲ୍ଲୁ ଓ ମହିଳା ହକି ଖେଳାଳି ରାଣୀ ରାମପାଲ କିନ୍ତୁ ଯୋଗଦେଇଥିଲେ। ଦୌଡ଼ରାଣୀ ଦୂତି ଚାନ୍ଦ, ମହିଳା କ୍ରିକେଟର ଦୀପ୍ତି ଶର୍ମା, ଗଲ୍ଫର ଅଦିତୀ ଆଶୋକ, ତୀରନ୍ଦାଜ ଅତନୁ ଦାସ, ହକି ଖେଳାଳି ଆକାଶଦୀପ ସିଂହ ଅର୍ଜୁନ ପୁରସ୍କାର ଗ୍ରହଣ କରିଥିଲେ। ଦୂତି କୋଲକାତା ସାଇ କେନ୍ଦ୍ରରେ ରହି ପୁରସ୍କାର ନେଇଥିଲେ। ରାଷ୍ଟ୍ରପତି ‌ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ଯୋଜନା ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। କୋଭିଡ୍-୧୯ ମହାମାରୀ ପାଇଁ ଦେଶ ସାରା ବହୁ କ୍ରୀଡ଼ା କାର୍ଯ୍ୟକ୍ରମରେ ବ୍ୟାଘାତ ସୃଷ୍ଟି ହେବା ସହ ୨୦୨୦ ଟୋକିଓ ଅଲିମ୍ପିକ୍ସ ମଧ୍ୟ ସ୍ଥଗିତ ହୋଇଛି ବୋଲି କହିଥିଲେ।

ପୁରସ୍କାର ବିଜେତା
ଖେଳରତ୍ନ: ରୋହିତ ଶର୍ମା (କ୍ରିକେଟ୍), ମାରିଆପାନ୍ ଥଙ୍ଗଭଲ୍ଲୁ (ପାରାଆଥଲେଟ୍), ମନିକା ବାତ୍ରା ‌(ଟେବୁଲ ଟେନିସ୍), ରାଣୀ ରାମପାଲ (ହକି), ଭିନେଶ ଫୋଗଟ (କୁସ୍ତି)।
ଦ୍ରୋଣାଚାର୍ଯ୍ୟ: ଧର୍ମେନ୍ଦ୍ର ତିୱାରୀ (ତୀରନ୍ଦାଜି), ପୁରୁଷୋତ୍ତମ ରାଏ (ଦୌଡ଼କୁଦ), ଶିବ ସିଂହ (ମୁଷ୍ଟିଯୁଦ୍ଧ), ରମେଶ ପଠାନିଆ (ହକି), କୃଷ୍ଣ କୁମାର ହୁଦା (କବାଡ଼ି), ବିଜୟ ବାଲଚନ୍ଦ୍ର ମୁନିଶ୍ବର ( ପାରା ପାୱାର ଲିପ୍ଟିଂ), ନରେଶ କୁମାର (ଟେନିସ୍), ଓମ୍ ପ୍ରକାଶ ଦାହିୟା (କୁସ୍ତି)।

ଜୀବନ ବ୍ୟାପୀ ସେବା ସମ୍ମାନ: ଜୁଡ୍ ଫେଲିକ୍ସ ସେବାସ୍ତିଆନ୍ (ହକି), ଯୋଗେଶ ମାଲବୀୟ (ମଲଖମ୍ବ), ଯଶପାଲ ରାଣା (ବନ୍ଧୁକଚାଳନା), କୁଲଦୀପ କୁମାର ହଣ୍ଡୁ (ଉଷୁ), ଗୌରବ ଖାନ୍ନା (ପାରା ବ୍ୟାଡମିଣ୍ଟନ୍)।

ଅର୍ଜୁନ: ଦୂତି ଚାନ୍ଦ (ଦୌଡ଼କୁଦ), ଅତନୁ ଦାସ (ତୀରନ୍ଦାଜି), ଚିରାଗ ଚନ୍ଦ୍ରଶେଖର ସେଟ୍ଟୀ (ବ୍ୟାଡମିଣ୍ଟନ୍), ସାତ୍ବିକ ସାଇରାଜ ରାଙ୍କିରେଡ୍ଡୀ (ବ୍ୟାଡମିଣ୍ଟନ୍), ବିଶେଷ ଭୃଗୁବଂଶୀ (ବାସ୍କେଟବଲ୍), ମନୀଷ କୌଶିକ (ମୁଷ୍ଟିଯୁଦ୍ଧ), ଲଭ୍‌ଲିନା ବର୍ଗୋହେନ୍ (ମୁଷ୍ଟିଯୁଦ୍ଧା), ଈଶାନ୍ତ ଶର୍ମା (କ୍ରିକେଟ୍), ଦୀପ୍ତି ଶର୍ମା (କ୍ରିକେଟ୍), ସାୱନ୍ତ ଅଜୟ ଅନନ୍ତ (ଅଶ୍ବଚାଳନା), ସନ୍ଦେଶ ଝିଙ୍ଗାନ (ଫୁଟବଲ୍), ଅଦିତୀ ଅଶୋକ (ଗଲ୍ଫ), ଆକାଶଦୀପ ସିଂହ (ହକି), ଦୀପିକା (ହକି), ଦୀପକ (କବାଡ଼ି), କାଲେ ସାରିକା ସୁଧାକର (ଖୋ ଖୋ), ଦତ୍ତୁ ବବନ ଭୋକନଲ (ନୈଚାଳନା), ମନୁ ଭାକର (ବନ୍ଧୁକଚାଳନା), ‌ସୌରଭ ଚୌଧୁରୀ (ବନ୍ଧୁକ ଚାଳନା), ମଧୁରିକା ସୁହାସ ପଟକର (ଟେବୁଲ ଟେନିସ୍), ଦୀଭିଜ୍ ଶରଣ (ଟେନିସ୍), ଶିବ କେଶବନ୍ (ୱିଣ୍ଟର ସ୍ପୋର୍ଟସ), ଦିବ୍ୟ କକ୍ରାନ (କୁସ୍ତି), ରାହୁଲ ଆୱାରେ (କୁସ୍ତି), ସୁୟାସ ନାରାୟଣ ଯାଦବ (ପାରା କୁସ୍ତି), ମନୀଷ ନରୱାଲ (ପାରା ସୁଟିଂ)।

ଧ୍ୟାନଚାନ୍ଦ ପୁରସ୍କାର: କୁଲଦୀପ ସିଂହ ଭୂଲାର (ଦୌଡ଼କୁଦ) ଜିନ୍ସି ଫିଲିପ୍ସ (ଦୌଡ଼କୁଦ), ପ୍ରଦୀପ ଶ୍ରୀକୃଷ୍ଣ ଗନ୍ଧେ, ତୃପ୍ତି ମୁରଗୁଣ୍ଡେ (ବ୍ୟାଡମିଣ୍ଟନ୍), ଏସ୍ ଉଷା (ମୁଷ୍ଟିଯୁଦ୍ଧ), ଲକ୍ଷ୍ୟା ସିଂହ (ମୁଷ୍ଟିଯୁଦ୍ଧ), ସୁଖବିନ୍ଦର ସିଂହ ସାନ୍ଧୁ (ଫୁଟବଲ୍), ଅଜିତ ସିଂହ (ହକି), ମନପ୍ରୀତ ସିଂହ (କବାଡ଼ି), ଜେ ରଣଜୀତ କୁମାର (ପାରା ଆଥଲେଟିକ୍ସ), ସତ୍ୟ ପ୍ରକାଶ ତିୱାରୀ (ପାରା ବ୍ୟାଡମିଣ୍ଟନ୍), ମନଜିତ ସିଂହ (ନୌଚାଳନା), ଶ୍ରୀ ସଚିନ ନାଗ (ସନ୍ତରଣ), ନନ୍ଦନ ପି ବଳ (ଟେନିସ୍), ନେତରପାଲ ହୁଦା (କୁସ୍ତି)।

ସମ୍ବନ୍ଧିତ ଖବର