ପ୍ୟାରିସ୍: ପ୍ୟାରିସ୍ ପାରାଲିମ୍ପିକ୍ସର ଦୌଡ଼କୁଦ ଇଭେଣ୍ଟରୁ ଭାରତକୁ ମଙ୍ଗଳବାର ଷଷ୍ଠ ପଦକ ମିଳିଛି। ଭାରତର ଦୀପ୍ତି ଜୀବନଜୀ ପାରାଲିମ୍ପିକ୍ସ ପଦାର୍ପଣରେ କାଂସ୍ୟ ପଦକ ଜିତିଛନ୍ତି। ମହିଳା ୪୦୦ ମିଟର୍ (ଟି୨୦) ଦୌଡ଼ ଫାଇନାଲ୍ରେ ଦୀପ୍ତି ୫୫.୮୨ ସେକେଣ୍ଡ୍ ସମୟ ନେଇ ତୃତୀୟ ସ୍ଥାନରେ ରହିଥିଲେ। ଚଳିତ ପାରାଲିମ୍ପିକ୍ସରେ ଏହା ଭାରତର ଷୋଡ଼ଶ ପଦକ ହୋଇଛି। ଅନ୍ୟପକ୍ଷରେ ଦୌଡ଼ ଇଭେଣ୍ଟରୁ ଏହା ତୃତୀୟ ପଦକ ହୋଇପାରିଛି। ପୂର୍ବରୁ ମହିଳା ୧୦୦ ମିଟର ଓ ୨୦୦ ମିଟରରେ ପ୍ରୀତି ପାଲ୍ ଦୁଇଟି କାଂସ୍ୟ ପଦକ ଜିତିଥିଲେ। ଏହି ଇଭେଣ୍ଟରେ ୟୁକ୍ରେନ୍ର ୟୁଲିଆ ସୁଲିଆର ୫୫.୧୬ ସେକେଣ୍ଡ ସହ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ସ୍ବର୍ଣ୍ଣ ଜିତିଥିଲା ବେଳେ ତୁର୍କୀର ଆୟସେଲ୍ ଓଣ୍ଡର ୫୫.୨୩ ସେକେଣ୍ଡ ସହ ରୌପ୍ୟ ପଦକ ପାଇଥିଲେ।
କାଂସ୍ୟ ଜିତିଲେ ନିତ୍ୟାଶ୍ରୀ
ଚଳିତ ପ୍ୟାରିସ୍ ପାରାଲିମ୍ପିକ୍ସର ବ୍ୟାଡମିଣ୍ଟନରୁ ଭାରତ ଆଉ ଏକ ପଦକ ଜିତିଛି। ମହିଳା ଏକକ (ଏସ୍ଏଚ୍୬)ରେ ନିତ୍ୟାଶ୍ରୀ ସୁମତି ଶିବନ କାଂସ୍ୟ ପଦକ ଜିତିଛନ୍ତି। କାଂସ୍ୟ ପଦକ ପାଇଁ ହୋଇଥିବା ମୁକାବିଲାରେ ଇଣ୍ଡୋନେସିଆର ରିନା ମାର୍ଲିନାଙ୍କୁ ସେ ୨୧-୧୪, ୨୧-୬ରେ ପରାସ୍ତ କରିଥିଲେ। ଫଳରେ ବ୍ୟାଡମିଣ୍ଟନରୁ ଭାରତର ପଦକ ସଂଖ୍ୟା ୫ରେ ପହଞ୍ଚିଛି।
ରାଇଫଲ୍ ୩ ପୋଜିସନ୍ର ପଞ୍ଚମରେ ଅବନି
୧୦ ମିଟର ଏୟାର ରାଇଫଲ୍ରେ ସ୍ବର୍ଣ୍ଣ ପଦକ ଜିତିଥିବା ମହିଳା ସୁଟର୍ ଅବନି ଲେଖାର ୫୦ ମିଟର ରାଇଫଲ୍ ୩ ପୋଜିସନ୍ (ଏସ୍ଏଚ୍୧) ରେ ପଦକ ପାଇପାରି ନାହାନ୍ତି। ଏହି ଇଭେଣ୍ଟରେ ସେ ୪୨୦.୬ ସ୍କୋର କରି ପଞ୍ଚମ ସ୍ଥାନରେ ରହିଥିଲେ। ଜର୍ମାନୀର ନତାସ୍କା ହିଲଟ୍ରପ୍ (୪୫୬.୫), ସ୍ଲୋଭାକିଆର ଭେରୋନିକା ଭାଡୋଭିକୋଭା (୪୫୬.୧), ଚୀନ୍ର କୁଇପିଙ୍ଗ ଝାଙ୍ଗ୍ (୪୪୬) ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ପାଇଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ଅବନି ସପ୍ତମ ସ୍ଥାନରେ ରହି ଫାଇନାଲ୍ରେ ପ୍ରବେଶ କରିଥିଲେ। ଏହି ଇଭେଣ୍ଟରେ ଅନ୍ୟତମ ଭାରତୀୟ ତଥା ୧୦ ମିଟର ଏୟାର ରାଇଫଲର କାଂସ୍ୟ ପଦକ ବିଜେତା ମୋନା ଅଗରୱାଲ୍ ଏହି ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ତ୍ରୟୋଦଶ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ।
ମହିଳା ସଟ୍ପୁଟ୍ (ଏଫ୍୩୪) ଫାଇନାଲ୍ରେ ଭାରତର ଭାଗ୍ୟଶ୍ରୀ ମହାଭରାଓ ଯାଦବ (୭.୨୮ ମିଟର) ପଞ୍ଚମ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟରେ ଚୀନ୍, ପୋଲାଣ୍ଡ ଓ ମାଲେସିଆର କ୍ରୀଡ଼ାବିତ୍ ପଦକ ହାସଲ କରିଥିଲେ। ତୀରନ୍ଦାଜି ମହିଳା ରିକର୍ଭ କ୍ବାର୍ଟରଫାଇନାଲ୍ରୁ ପୂଜା ବିଦାୟ ନେଇଛନ୍ତି। କ୍ବାର୍ଟରରେ ଚୀନ୍ର ଚୂୟାଁ ଉ’ଙ୍କଠୁ ୪-୬ରେ ସେ ପରାସ୍ତ ହୋଇଥିଲେ। ଏଥିପୂର୍ବରୁ ପ୍ରିକ୍ବାର୍ଟରଫାଇନାଲ୍ରେ ସେ ତୁର୍କୀର ୟାଗମୁର ସେନଗୁଲ୍ଙ୍କୁ ୬-୦ରେ ପରାସ୍ତ କରିଥିଲେ।