ଭୁବନେଶ୍ବର: ଦକ୍ଷତା ବିକାଶକୁ ପ୍ରାଥମିକତା ଦେଉଥିବା ଓଡ଼ିଶା ସରକାର ୨୦୪୭ ସୁଦ୍ଧା ରାଜ୍ୟରେ ବିଶ୍ବ ଦକ୍ଷତା କେନ୍ଦ୍ର (ଡବ୍ଲ୍ୟଏସ୍ସି)ର ଅତିକମ୍ରେ ୭ଟି କ୍ୟାମ୍ପସ୍ ସ୍ଥାପନ କରିବେ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ ବେଳକୁ ୨୦୩୬ ସୁଦ୍ଧା ଏଭଳି ୫ଟି କ୍ୟାମ୍ପସ୍ ସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବିଶ୍ବ ଦକ୍ଷତା କେନ୍ଦ୍ରର ପରିସରକୁ ବଢ଼ାଇବା ଲାଗି ମେରାଇନ୍ ଇଞ୍ଜିନିୟରିଂ, ଡିଜିଟାଲ୍ ଆନିମେସନ୍, ଏରେସ୍ପେସ୍ ଟେକ୍ନୋଲୋଜି, ଆଭିଓନିକ୍ସ, ସେମିକଣ୍ଡକ୍ଟର, ଲଜିଷ୍ଟିକ୍ସ ଓ ଯୋଗାଣ ଶୃଙ୍ଖଳ ଉପରେ ନୂଆ ପାଠ୍ୟକ୍ରମ ଆରମ୍ଭ କରାଯିବ।
ନିକଟରେ ଉନ୍ମୋଚନ ହୋଇଥିବା ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ଅନୁଯାୟୀ, ସମସ୍ତ ୩୧୪ ବ୍ଲକ୍ରେ ଆଇଟିଆଇ ଖୋଲାଯିବ। ଯେଉଁ ବ୍ଲକ୍ରେ ଆଇଟିଆଇ ନାହିଁ, ସେଠାରେ ନୂଆ କେନ୍ଦ୍ର ଖୋଲିବାକୁ ପ୍ରାଥମିକତା ଦିଆଯିବ। ଘରୋଇ-ସରକାରୀ ସହଭାଗିତାରେ ଆଇଟିଆଇ ଓ ପଲିଟେକ୍ନିକ୍ଗୁଡ଼ିକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଶିଳ୍ପସଂସ୍ଥାଗୁଡ଼ିକୁ ପ୍ରୋତ୍ସାହିତ କରାଯିବ। ସେହିପରି, ବାର୍ଷିକ ସରକାରୀ ସ୍ବଳ୍ପମିଆଦୀ ଦକ୍ଷତା କ୍ଷମତା ୨୦୩୬ ସୁଦ୍ଧା ୧.୫ ଲକ୍ଷ ଓ ୨୦୪୭ ସୁଦ୍ଧା ୨.୫ ଲକ୍ଷକୁ ବୃଦ୍ଧି କରାଯିବ। ରାଜ୍ୟର ଯୁବକଯୁବତୀମାନେ ଯେଭଳି ବିଦେଶରେ ନିଯୁକ୍ତି ସୁଯୋଗ ହାସଲ କରିପାରିବେ, ସେଥିରେ ମଧ୍ୟ ସରକାର ସହଯୋଗ କରିବେ। ୨୦୩୬ ସୁଦ୍ଧା ବାର୍ଷିକ ୨୫ ହଜାର ଓ ୨୦୪୭ ସୁଦ୍ଧା ୧ ଲକ୍ଷ ଯୁବକଯୁବତୀଙ୍କୁ ବିଦେଶରେ ଚାକିରି ହାସଲ କରିବା ପାଇଁ ସୁବିଧାସୁଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ସିଙ୍ଗାପୁର, ଅଷ୍ଟ୍ରେଲିଆ, ହଂକଂ, ଆମେରିକା, ବ୍ରିଟେନ, ଜର୍ମାନୀ, ନେଦରଲ୍ୟାଣ୍ଡ୍ସ, ଜାପାନ, ସାଉଦି ଆରବ, କତର ଓ ମାଳଦ୍ବୀପ ଆଦିରେ ବିଭିନ୍ନ ଦକ୍ଷତାର ଯୁବକଯୁବତୀଙ୍କୁ ନିଯୁକ୍ତି ସୁବିଧା ପ୍ରଦାନ କରାଯିବ। ସରକାର ସେଥିପାଇଁ ଏକ ‘ଅନ୍ତର୍ଜାତୀୟ କ୍ୟାରିୟର କେନ୍ଦ୍ର’ ଗଠନ କରିବେ।
ଆସନ୍ତା ୨୪ ମାସ ଭିତରେ ସରକାର ଆଇଟି ଓ ତତ୍ ସଂକ୍ରାନ୍ତୀୟ କ୍ଷେତ୍ର, ସେମିକଣ୍ଡକ୍ଟର, ଏରୋସ୍ପେସ୍ ଓ ମେରାଇନ୍ ଭଳି ବିଷୟକୁ ନେଇ ବିଶ୍ବ ଦକ୍ଷତା କେନ୍ଦ୍ରର ତିନିଟି କ୍ୟାମ୍ପସ୍ ସ୍ଥାପନ କରିବେ। ସାରା ରାଜ୍ୟରେ ୧୦ଟି ଜୋନାଲ୍ ଆଇଟିଆଇ ଖୋଲାଯିବ। ଅତିକମ୍ରେ ୫୦ଟି ଆଇଟିଆଇରେ ଶିଳ୍ପ ଆଧାରିତ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଦକ୍ଷତା କାର୍ଯ୍ୟକ୍ରମ ଲାଗୁ କରାଯିବ। ଦକ୍ଷତା ବିକାଶ ପାଇଁ ‘ସ୍କିଲ୍ଡ ଇନ୍ ଓଡ଼ିଶା ଡିଜିଟାଲ୍ ହବ୍’ ନାମରେ ଏକକ ପୋର୍ଟାଲ୍ ଆରମ୍ଭ କରିବାକୁ ମଧ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ଏକ ଓଡ଼ିଶା ଦକ୍ଷତା ଓ ଉଦ୍ୟମିତା ବିଶ୍ବବିଦ୍ୟାଳୟ (ଓଏସ୍ଇୟୁ) ସ୍ଥାପନ କରିବା ଲକ୍ଷ୍ୟ ରହିଛି। ସେଥିରେ ସାର୍ଟିଫିକେସନ୍ ପାଠ୍ୟକ୍ରମଠାରୁ ଆରମ୍ଭ କରି ସ୍ନାତକ ପାଠ୍ୟକ୍ରମ ଉପଲବ୍ଧ ହେବ। ଶିଳ୍ପ-ଆଉଟ୍ରିଚ୍ ଓ ପ୍ଲେସ୍ମେଣ୍ଟ୍ ସେଲ୍ ଗଠନ କରାଯିବ। ପ୍ରଚଳିତ ଧାରା ଓ ସମ୍ଭାବ୍ୟ ନିବେଶ ବିଷୟରେ ଜାଣିବା ଲାଗି ‘ଦକ୍ଷତା ଅନୁଶୀଳନ ୟୁନିଟ୍’ ଗଠନ କରାଯିବ। ଦକ୍ଷତା ତାଲିମ ହାସଲ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଆପ୍ରେଣ୍ଟିସିସିପ୍ ଓ ପୂର୍ଣ୍ଣକାଳୀନ ନିଯୁକ୍ତି ସୁବିଧା ଯୋଗାଇ ଦିଆଯିବ।