ଏସୀୟ ରଗ୍‌ବି ସେଭେନ୍ସ ଟ୍ରଫି ଲାଗି ଓଡ଼ିଶାରୁ ୪

ଭୁବନେଶ୍ବର: ଆସନ୍ତା ମାସ ୬ ଓ ୭ ତାରିଖରେ ଇଣ୍ଡୋନେସିଆର ଜାକର୍ତ‌ାରେ ଖେଳାଯିବାକୁ ଥିବା ଏସୀୟ ‌ରଗ୍‌ବି ସେଭେନ୍ସ ଟ୍ରଫି ଲାଗି ମଙ୍ଗଳବାର ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଘୋଷିତ ହୋଇଛି। ଏହି ଦଳରେ ଓଡ଼ିଶାରୁ ୪ ଜଣ ଶାନାୱାଜ ଅହମ୍ମଦ (ପୁରୁଷ) ଏବଂ ହୁପି ମାଝି, ଦୁମୁନି ମାର୍ଣ୍ଡି ଓ ତରୁଲତା ନାଏକ (ମହିଳା)ଙ୍କୁ ସ୍ଥାନ ମିଳିଛି। ପ୍ରିନ୍ସ ଖତ୍ରି ପୁରୁଷ ଦଳ ଏବଂ ବାହବିଜ ଭରୁଚା ମହିଳା ଦଳର ଅଧିନାୟକ ରହିଛନ୍ତି। କେନ୍ଦ୍ର ଓ ଓଡ଼ିଶା କ୍ରୀଡ଼ା ବିଭାଗର ସହଯୋଗରେ କିଟ୍‌ଠାରେ ଆୟୋଜିତ ୬ ସପ୍ତାହ ଜାତୀୟ ତାଲିମ ଶିବିରରୁ ‌ଏହି ଖେଳାଳିମାନେ ବଛା ଯାଇଛନ୍ତି। ଭୁବନେଶ୍ବରରେ ଆୟୋଜିତ ଏହି ଶିବିରରେ ୪୫ ପୁରୁଷ ଓ ୪୦ ମହିଳା ଯୋଗ ଦେଇଥିଲା ବେଳେ ଏମାନଙ୍କ ମଧ୍ୟରୁ ଜାକର୍ତା ଲାଗି ୧୪ ଜଣ ଲେଖାଏଁ ଖେଳାଳି ଚୟନ ହୋଇଛନ୍ତି। ଉଭୟ ଦଳ ବୁଧବାର ଜାକର୍ତା ଗସ୍ତ କରିବେ। ପ୍ରତିଯୋଗିତାର ପୁରୁଷ ବିଭାଗରେ ୧୨ ଏବଂ ମହିଳାରେ ୮ ଦଳ ଅଂଶଗ୍ରହଣ କରୁଛନ୍ତି। ସଂପ୍ରତି ମାନ୍ୟତାରେ ଭାରତୀୟ ପୁରୁଷ ଦଳ ତ୍ରୟୋଦଶ ଏବଂ ମହିଳା ଦଳ ଦଶମ ସ୍ଥାନରେ ରହିଛି। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ଆର୍‌ ଭିନିଲ କ୍ରିଷ୍ଣା ଓ ରଗ୍‌ବି ଇଣ୍ଡିଆ ସଭାପତି ରାହୁଲ ବୋଷ ସଫଳତା କାମନା କରିବା ସହ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପୁରୁଷ ଦଳ: ପ୍ରିନ୍ସ ଖତ୍ରି (ଅଧିନାୟକ), ନୀରଜ ଖତ୍ରି, ଦୀପକ ପୁନିଆ, ବିକାଶ ଖତ୍ରି, ମୋହିତ ଖତ୍ରୀ, ଅଜୟ, ସୁରିନ୍ଦର ସିଂହ, ଜୋସାଙ୍ଗଜୁଆଲା, ପପୁ ତୋଡକର, ଆକାଶ ବାଲ୍ମିକୀ, ରାଜଦୀପ ସାହା, ହିତେଶ ଡଗର, ଗୌତମ ଡଗର ଓ ଶାନାୱାଜ ଅହମ୍ମଦ।

ମହିଳା ଦଳ: ବାହବିଜ ବରୁଚା (ଅଧିନାୟିକା) ‌ବୈଷ୍ଣବୀ ପାଟିଲ, ଶ୍ବେତା ସାହି, ଆରତି କୁମାରୀ, ହୁପି ମାଝି, ଦୁମୁନି ମାର୍ଣ୍ଡି, ତରୁଲତା ନାଏକ, ସନ୍ଧ୍ୟା ରାଏ, ଶିଖା ଯାଦବ, ନନ୍ଦିନୀ, ପ୍ରିୟା ବଂଶଲ, ଶୀତଲ ଶର୍ମା, ଗୋମତି ଓ ରମନୀକ କୌର।

ସମ୍ବନ୍ଧିତ ଖବର