ଭୁବନେଶ୍ବର: ବିହାର ପାଟନାରେ ଚଳିତ ମାସ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଚତୁର୍ଥ ସର୍ବଭାରତୀୟ ଓପନ୍ ଆଥଲେଟିକ୍ସରେ ଓଡ଼ିଶାର ଯଶବୀର ନାୟକ ପୁରୁଷ ଡେକାଥଲନରେ ନୂଆ ମିଟ୍ ରେକର୍ଡ ସ୍ଥାପନ କରି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏହି ଇଭେଣ୍ଟ୍‌ରେ ସେ ସର୍ବମୋଟ ୭୦୬୫ ପଏଣ୍ଟ୍ ଅର୍ଜନ କରି ପ୍ରଥମ ସ୍ଥାନରେ ରହିଥିଲେ। ସେହିଭଳି ଡେକାଥଲନରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିବାରେ ପ୍ରଥମ ଓଡ଼ିଆ ହୋଇଛନ୍ତି ସେ। କଳାହାଣ୍ଡି ଜିଲ୍ଲା ବାସିନ୍ଦା ଯଶବୀର ମାତ୍ର ୨ବର୍ଷ ତଳେ ଡେକାଥଲନ୍ ଖେଳିବା ଆରମ୍ଭ କରି ଏଭଳି ଅନନ୍ୟ ସଫଳତା ଲାଭ କରିବା ସହ ଓଡ଼ିଶା ଦୌଡ଼କୁଦ ଜଗତର ଅନ୍ୟତମ ଯୁବ ସମ୍ଭାବନା ଭାବେ ଉଭା ହୋଇଛନ୍ତି। ତାମିଲନାଡ଼ୁର ଲୋଗେଶ କୁମାର (୬୫୨୫) ଏହି ଇଭେଣ୍ଟ୍‌ରେ ରୌପ୍ୟ ଏବଂ କର୍ଣ୍ଣାଟକର ଲୋକେଶ ରାଥୋଡ (୬୪୪୦) କାଂସ୍ୟ ପଦକ ପାଇଥିଲେ। ଯଶବୀରଙ୍କ ପୂର୍ବରୁ ଅନ୍ତଜାତୀୟ ଆଥଲେଟ୍ ପୂର୍ଣ୍ଣିମା ହେମ୍ବ୍ରମ୍ ଓଡ଼ିଶା ପାଇଁ ହେପ୍ଟାଥଲନରେ ଜାତୀୟ ସ୍ବର୍ଣ୍ଣ ଜିତିଥିଲେ। 

Advertisment

ରିଲାଏନ୍ସ ଏଚ୍‌ପିସି ଓଡ଼ିଶାରେ ପ୍ରଶିକ୍ଷଣ ନେଉଥିବା ଯଶବୀର ଏହା ପୂର୍ବରୁ ଗତବର୍ଷର ଜାତୀୟ ଓପନ୍ ଆଥଲେଟିକ୍ସର ୨୩ ବର୍ଷରୁ କମ୍ ଦୌଡ଼କୁଦରେ ରୌପ୍ୟ ପଦକ ହାସଲ କରିଥିଲେ। ଆଗାମୀ ସମୟରେ ଏସୀୟ କ୍ରୀଡ଼ା ଏବଂ ଅଲିମ୍ପିକ୍ସ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ଯଶବୀର। ସେହିଭଳି ଓଡ଼ିଶାର ଅନିମେଶ କୁଜୁର ଏହି ପ୍ରତିଯୋଗିତାର ୧୦୦ ମିଟର (୧୦.୩୮ ‌ସେକେଣ୍ଡ)ରେ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିବା ସହ ୨୦୦ ମିଟର (୨୦.୬୫ ‌ସେକେଣ୍ଡ)ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୨୦୦ ମିଟରରେ ସେ ନିଜ କୀର୍ତ୍ତିମାନକୁ ଟପିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୁରୁଷ ବାଧାଦୌଡ଼ରେ ଗ୍ରେସସନ୍ ଜିଭା ଏବଂ ଲକ୍ଷ୍ମୀପ୍ରିୟା କିଶାନ ୮୦୦ ମିଟରରେ ସ୍ବର୍ଣ୍ଣ ଓ ୧୫୦୦ କିଟରରେ ରୌପ୍ୟ ପଦକ ଜିତିଛନ୍ତି। ଟ୍ରିପଲ ଜମ୍ପରେ ମେରିମୁକ୍ତା ସୋରେନ୍ ମଧ୍ୟ ରୌପ୍ୟ ପଦକ ପାଇଥିଲେ। ଦଳଗତ ପଦକ ତାଲିକାରେ ୫ ସ୍ବର୍ଣ୍ଣ ଓ ୨ ରୌପ୍ୟ ସହ ୧୮ ଜଣିଆ ଓଡ଼ିଶା ଦଳ ତୃତୀୟ ସ୍ଥାନରେ ରହିଛି। ଅନିମେଶ ମଧ୍ୟ ପ୍ରତିଯୋଗିତାର ଶ୍ରେଷ୍ଠ ପୁରୁଷ ଖେଳାଳି ବିବେଚିତ ହୋଇଛନ୍ତି। ଚଳିତ ଋତୁରେ ସ୍ଥିରତା ବଜାୟ ରଖିଥିବାରୁ ଅନିମେଶ ଖୁସି ଓ ଆତ୍ମସନ୍ତୋଷ ଜାହିର କରିଛନ୍ତି।