ଭୁବନେଶ୍ବର: ହିମାଳୟ ପର୍ବତମାଳାର କେଦାରକଣ୍ଠା ପାହାଡ଼ ଆରୋହଣ କରିଛନ୍ତି ଓଡ଼ିଶାର ୭ ଜଣ ଉତ୍ସାହୀ ପର୍ବତାରୋହୀ। ଶୁକ୍ରବାର ସକାଳ ସାଢ଼େ ୬ଟାରେ -୧୦ରୁ -୧୨ ଡିଗ୍ରୀ ସେଲସିଅସ୍ର ହାଡ଼ଭଙ୍ଗା ଶୀତରେ କଳିଙ୍ଗ ଡେୟାରଡେଭିଲ୍ସ ଏବଂ ଥ୍ରୀଲୋଫିଲିଆର ମିଳିତ ଆନୁକୂଲ୍ୟରେ ଦେଶ ତଥା ଦେଶ ବାହାରର ୧୭ ଜଣ ପର୍ବତାରୋହୀ କେଦାରକଣ୍ଠା ଶିଖରରେ ପତାକା ଉଡ଼ାଇଥିଲେ। ଆଉ ସେଥିମଧ୍ୟରେ ଥିଲେ ଓଡ଼ିଶାର ୭ ଜଣ। ଏହି ଅଭିଯାତ୍ରୀ ଦଳରେ ବାହାରିନରୁ ଜଣେ, କେରଳରୁ ୪ ଜଣ, ପଞ୍ଜାବରୁ ୨, କର୍ଣ୍ଣାଟକରୁ ଜଣେ ଏବଂ ନୂଆଦିଲ୍ଲୀରୁ ୨ ଜଣ ସଦସ୍ୟ ଥିଲେ।
ଏହି କାର୍ଯ୍ୟକ୍ରମକୁ କଳିଙ୍ଗ ଡେୟାରଡେଭିଲ୍ସ କ୍ଲବ୍ର ସଭାପତି ସତ୍ୟପୀର ପଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିବା ସହିତ ନେତୃତ୍ୱ ମଧ୍ୟ ନେଇଥିଲେ। ସଫଳତାର ସହ ଏହି ଅଭିଯାନକୁ ଶେଷ କରିଥିବା ଓଡ଼ିଆ ପର୍ବତାରୋହୀଙ୍କ ମଧ୍ୟରେ ଥିଲେ ବଲାଙ୍ଗୀରରୁ ଛବିଲାଲ ମେହେର, କଳାହାଣ୍ଡିରୁ ଯୋଗେଶ୍ୱର ନାଏକ, ପ୍ରଭାତ କୁମାର ମହାନ୍ତି, ଜିତେନ୍ଦ୍ର ସାହୁ, ନବରଙ୍ଗପୁରରୁ ପ୍ରଦୀପ କୁମାର ସିହ୍ନା, ସୁନ୍ଦରଗଡ଼ରୁ ବିଶ୍ବକର୍ମା ସିଂହ ପ୍ରମୁଖ। ଅଭିଯାତ୍ରୀ ଦଳ ଗତ ୭ ତାରିଖ ସକାଳୁ ଉତ୍ତରାଖଣ୍ଡର ରାଜସାଂକ୍ରି ଗ୍ରାମରୁ ଯାତ୍ରା ଆରମ୍ଭ କରିଥିଲା। ଓଡ଼ିଶା ପର୍ବତାରୋହୀଙ୍କ ପାଇଁ ହାଇଟେକ୍ ଗ୍ରୁପ୍ର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ବିମାନ ଯାତ୍ରାର ବ୍ୟବସ୍ଥା କରିଥିଲେ।