ଗୋଟିଏ ଓଭରରେ ୭ ଛକା ! ରେକର୍ଡ କଲେ ଋତୁରାଜ

ମୁମ୍ବାଇ : ଗୋଟିଏ ଓଭରରେ ୭ ଛକା ସହ ମୋଟ ୪୩ ରନ କରି ଘରୋଇ କ୍ରିକେଟରେ ଏକ ନୂଆ ରେକର୍ଡ କରିଛନ୍ତି ବ୍ୟାଟର ଋତୁରାଜ ଗାଏକ୍ବାଡ୍ ।

ବିଜୟ ହଜାରେ ଟ୍ରଫିରେ ମହାରାଷ୍ଟ୍ର ତରଫରୁ ଖେଳୁଥିବା ଗାଏକ୍ବାଡ୍ ଉତ୍ତରପ୍ରଦେଶ ବିପକ୍ଷରେ ଏହି କାରନାମା ଦେଖାଇଛନ୍ତି । ଗୋଟିଏ ଓଭରରେ ୭ ଛକା ସହ ୪୩ ରନ କରିବା ସହ ସେ ଏହି ଦିନିକିଆ ମ୍ୟାଚରେ ସେ ନିଜର ଦ୍ବିଶତକ ପୂରଣ କରିଥିଲେ । ମ୍ୟାଚର ୪୯ ତମ ଓଭରରେ ସେ ଉତ୍ତରପ୍ରଦେଶର ଶିବା ସିଂଙ୍କ ବଲରେ  ଏପରି ନିର୍ଦ୍ଦୟ ପ୍ରହାର କରିଥିଲେ । ଏହା ଫଳରେ ମହାରାଷ୍ଟ୍ର ୫୦ ଓଭରରେ ୩୩୦ ରନ କରିପାରିଥିଲା । ୪୯ ତମ ଓଭରରେ ଗାଏକ୍ବାଡ୍ ଲଗାତାର ଛକା ମାରୁଥିବାବେଳେ ୫ମ ବଲଟି ନୋ ବଲ ହୋଇଥିଲା । ସେଥିରେ ବି ସେ ଏକ ଛକା ମାରିଥିଲେ । ଗୋଟିଏ ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚରେ ଗୋଟିଏ ଓଭରରେ ଏତେ ରନ କରିବାରେ ସେ ବିଶ୍ବ ରେକର୍ଡର ସମକକ୍ଷ ହୋଇଛନ୍ତି ।

 

ଅନ୍ତର୍ଜାତୀୟ ଓ ପ୍ରଥମ ଶ୍ରେଣୀ କ୍ରିକେଟରେ ପୂର୍ବରୁ କିଛି ଖେଳାଳି ଗୋଟିଏ ଓଭରରେ ୬ଟି ଛକା ମାରିବାର ରେକର୍ଡ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଯୁବରାଜ ସିଂ, ଗାରିଫିଲଡ ସୋବର୍ସ, ହର୍ସଲ ଗିବ୍ସ, କିରେନ ପୋଲାର୍ଡ, ରବି ଶାସ୍ତ୍ରୀ ( ପ୍ରଥମ ଶ୍ରେଣୀ କ୍ରିକେଟ) । ତେବେ ଋତୁରାଜ ୭ଟି ଛକ୍କା ମାରି ନୂଆ ରେକର୍ଡ କରିଛନ୍ତି।

ସମ୍ବନ୍ଧିତ ଖବର