ଶେଷ ଲଢ଼େଇରେ ସପ୍ତରଥୀ

ଲଣ୍ଡନ: ଇଂଲଣ୍ଡରେ ଚାଲିଥିବା ଏକଦିବସୀୟ କ୍ରିକେଟ୍ ବିଶ୍ବକପରେ ଅନେକ ପୁରୁଖା ଓ ନାମୀ ଖେଳାଳି ଖେଳୁଛନ୍ତି। ସେଥିମଧ୍ୟରୁ ଅନେକଙ୍କ ପାଇଁ ସମ୍ଭବତଃ ଏହା ବିଶ୍ବକପ୍‌ର ଶେଷ ପଦାର୍ପଣ ହେବ। ଏହି ଖେଳାଳିମାନେ ଶେଷ ବିଶ୍ବ ଲଢ଼େଇରେ ବ୍ୟକ୍ତିଗତ ଛାପ ଛାଡ଼ିବାକୁ ପୂରା ବ୍ୟଗ୍ର। ଏଭଳି ଖେଳାଳିଙ୍କ ତାଲିକାରେ କିନ୍ତୁ ଆଗୁଆ ରହିଛନ୍ତି ଭାରତର ବିଶ୍ବକପ୍ ବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ୱେଷ୍ଟଇଣ୍ଡିଜର ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍, ନ୍ୟୁଜିଲାଣ୍ଡର ରସ୍ ଟେଲର, ଶାଣୀତ ୟର୍କରଙ୍କ ପାଇଁ ପରିଚିତ ଶ୍ରୀଲଙ୍କା ବୋଲର ଲସିଥ ମାଲିଙ୍ଗା, ପାକିସ୍ତାନର ପୂର୍ବତନ ଅଧିନାୟକ ସୋଏବ ମଲ୍ଲିକ, ବାଂଲାଦେଶ ଅଧିନାୟକ ମାସ୍ରଫ ମୋର୍ତାଜା, ଦକ୍ଷିଣ ଆଫ୍ରିକାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ହାସିମ ଆମଲା ଓ ସ୍ପିନର ଇମ୍ରାନ ତାହିର ପ୍ରମୁଖ। ଏମାନଙ୍କ ଛଡ଼ା ମଧ୍ୟ ଆହୁରି ଅନେକ ଖେଳାଳି ବିଶ୍ବକପରେ ଶେଷ ଥର ପାଇଁ ଖେଳୁଛନ୍ତି। ବିଶ୍ବକପର ଏହି ବିଦାୟୀ ଖେଳାଳି ତାଲିକାର ସପ୍ତରଥୀଙ୍କ ଉପରେ ଆସନ୍ତୁ ନଜର ପକାଇବା।

ମହେନ୍ଦ୍ର ସିଂହ ଧୋନି
ଶେଷ ବିଶ୍ବକପ୍ ଖେଳୁଥିବା ଖେଳାଳି ତାଲିକାରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସମ୍ଭବତଃ ସର୍ବାଗ୍ରେ ରହିବେ। ୨୦୧୧ ମସିହା ଏକାଦଶ ବିଶ୍ବକପ୍‌ର ଫାଇନାଲରେ ନୁୱାନ କୁଳସେକରାଙ୍କୁ ଛକା ମାରି ଭାରତକୁ ୨୮ ବର୍ଷ ପରେ ବିଶ୍ବକପ୍ ବିଜେତା କରାଇଥିବା ୩୭ ବର୍ଷୀୟ ଧୋନି ୨୦୦୭‌ ମସିହାରେ ୱେଷ୍ଟଇଣ୍ଡିଜରେ ନିଜ ପ୍ରଥମ ଏକଦିବସୀୟ ବିଶ୍ବକପ୍ ଖେଳିଥିଲେ। ଦ୍ବିତୀୟ ବିଶ୍ବକପ୍‌ରେ ହିଁ ଧୋନି ଭାରତକୁ ଅଧିନାୟକ ଭାବେ ବିଶ୍ବବିଜେତା କରାଇଥିଲେ। ୨୦୧୫ରେ ତାଙ୍କ ନେତୃତ୍ବରେ ଭାରତ ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲା। ଚଳିତ ଥର କିନ୍ତୁ ସେ ଯୁବ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ବରେ ବିଶ୍ବକପ୍ ଖେଳିବେ। ଯାହା ତାଙ୍କ ଶେଷ ବିଶ୍ବକପ୍ ବୋଲି ଚର୍ଚା ହେଉଛି। ଏଣୁ ଏଥର ଧୋନି ଭାରତକୁ ତୃତୀୟବାର ବିଶ୍ବ ବିଜୟୀ କରାଇବା ଲକ୍ଷ୍ୟରେ ରହିଛନ୍ତି। ୨୦୧୧ ଭଳି ୨୦୧୯ରେ ମଧ୍ୟ ତାଙ୍କ ହେଲିକପ୍ଟର ସଟ୍ ବେଶ୍ ଚର୍ଚିତ ହେବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଧୋନି ଭାରତ ପକ୍ଷରୁ ୯୦ ଟେଷ୍ଟ, ୩୪୧ ଦିନିକିଆ ଓ ୯୮ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରୁ ଯଥାକ୍ରମେ ୪୮୭୬, ୧୦,୫୦୦ ଓ ୧୬୧୭ ରନ୍ କରିଛନ୍ତି।

ରସ୍ ଟେଲର
ଚଳିତ ବିଶ୍ବକପ୍‌ ଖେଳୁଥିବା ଅନ୍ୟ ଜଣେ ଅଭିଜ୍ଞ ତାରକା ହେଲେ ନ୍ୟୁଜିଲାଣ୍ଡର ରସ ଟେଲର। ୩୫ ବର୍ଷୀୟ ଟେଲରଙ୍କର ମଧ୍ୟ ଏହା ଶେଷ ବିଶ୍ବକପ୍ ହେବ। ନ୍ୟୁଜିଲାଣ୍ଡର ୧୫ ଜଣିଆ ବିଶ୍ବକପ୍ ଦଳରେ ସର୍ବାଧିକ ମ୍ୟାଚ୍‌ ଖେଳିଥିବା ଟେଲର ନିଜ ଚତୁର୍ଥ ବିଶ୍ବକପ୍ ଖେଳୁଛନ୍ତି। ଏଭଳି କରିବାରେ ସେ ନ୍ୟୁଜିଲାଣ୍ଡର ସପ୍ତମ ଖେଳାଳି। ଅଣପାରମ୍ପରିକ ଖେଳିବା ଶୈଳୀ ପାଇଁ ପ୍ରତିପକ୍ଷଙ୍କୁ ଅନେକ ସମୟରେ ଅଡ଼ୁଆରେ ପକାଉଥିବା ଟେଲର ନ୍ୟୁଜିଲାଣ୍ଡ ମଧ୍ୟକ୍ରମର ମେରୁଦଣ୍ଡ। ଚଳିତ ବର୍ଷ ଟେଲର ୧୧ ପାଳି ଖେଳି ୫୯୩ ରନ୍ କରିଛନ୍ତି। ସେଥିମଧ୍ୟରେ ଗୋଟିଏ ଶତକ ଏବଂ ଚାରିଟି ଅର୍ଧଶତକ ରହିଛି। ଗତବର୍ଷ ସେ ୧୧ ଦିନିକିଆରୁ ୯୧.୨୮ ହାରରେ ୬୯୩ ରନ୍ କରିଥିଲେ। ସେଥିମଧ୍ୟରେ ଦୁଇଟି ଶତକ ଏବଂ ଚାରିଟି ଅର୍ଧଶତକ ଥିଲା। ମୋଟ ଉପରେ ଟେଲର ୯୨ ଟେଷ୍ଟ, ୨୧୯ ଦିନିକିଆ ଏବଂ ୮୮ ଟ୍ବେଣ୍ଟି-୨୦ରେ ନ୍ୟୁଜିଲାଣ୍ଡର ପ୍ରତିନିଧିତ୍ବ କରିଛନ୍ତି (ଚଳିତ ବିଶ୍ବକପ୍ ପୂର୍ବରୁ)। ସେଥିମଧ୍ୟରେ ସେ ୬୭୨୭, ୮୦୨୬, ୧୫୭୯ ରନ୍ କରିଛନ୍ତି।

କ୍ରିସ୍ ଗେଲ୍
ୱେଷ୍ଟଇଣ୍ଡିଜର ଲୋକପ୍ରିୟ ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ ମଧ୍ୟ ନିଜ ଶେଷ ବିଶ୍ବକପ୍ ଖେଳୁଛନ୍ତି। ବିଶ୍ବକପ୍ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିବେ ବୋଲି ମଧ୍ୟ ୩୯ ବର୍ଷୀୟ ଗେଲ୍ ସଙ୍କେତ ଦେଇ ସାରିଛନ୍ତି। ଗେଲ୍ ୧୯୯୯ ମସିହାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେବେଠାରୁ ଏହି ଜାମାଇକା ଜନ୍ମିତ କ୍ରିକେଟର ୨୦୧୫ରେ ପ୍ରଥମ ଖେଳାଳି ଭାବେ ବିଶ୍ବକପ୍‌ରେ ଦ୍ବିଶତକ ହାସଲ କରିଥିଲେ। ଚଳିତ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଗେଲ୍ ବିଶ୍ବକପ୍‌ରେ ସର୍ବାଧିକ ଛକା‌ ମାରିବାର କୀର୍ତ୍ତିମାନ କରି ସାରିଛନ୍ତି। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଗେଲ୍ ୧୦୩ ଟେଷ୍ଟ, ୨୯୦ ଦିନିକିଆ ଏବଂ ୫୮ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ସେଥିମଧ୍ୟରେ ସେ ଯଥାକ୍ରମେ ୭୨୧୪, ୧୦୨୦୧ ଓ ୧୬୨୭ ରନ୍ କରିଛନ୍ତି।

ଲସିଥ ମାଲିଙ୍ଗା
ଶ୍ରୀଲଙ୍କାର ସଫଳ ବୋଲର ଲସିଥ ମାଲିଙ୍ଗା ଚଳିତ ବିଶ୍ବକପ୍ ‌ଖେଳୁଥିବା ଅଭିଜ୍ଞ ତାରକାଙ୍କ ମଧ୍ୟରୁ ଅନ୍ୟତମ। ୩୫ ବର୍ଷୀୟ ମାଲିଙ୍ଗା ପୂର୍ବବିଜେତା ଶ୍ରୀଲଙ୍କା ବୋଲିଂ ବାହିନୀର ନେତୃତ୍ବ ନେବେ। ମାଲିଙ୍ଗା ୩୦ ଟେଷ୍ଟ, ୨୧୯ ଦିନିକିଆ ଏବଂ ୭୩ ଟ୍ବେଣ୍ଟି-୨୦ ଖେଳିଛନ୍ତି। ସେଥିମଧ୍ୟରେ ସେ ଯଥାକ୍ରମେ ୧୦୧, ୩୨୨ ଓ ୯୭ ୱିକେଟ୍ କରାୟତ କରିଛନ୍ତି। ୨୦୦୪ରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିବା‌ ମାଲିଙ୍ଗା ୨୦୦୭ ବିଶ୍ବକପ୍‌ର ଦକ୍ଷିଣ ଆଫ୍ରିକା ବିପକ୍ଷ ସୁପର-୮ ମୁକାବିଲାରେ ଚାରିଟି ବଲ୍‌ରେ ଚାରିଟି ୱିକେଟ୍ ନେଇ ଚହଳ ସୃଷ୍ଟି କରିଥିଲେ। ତେବେ ସେହି ମୁକାବିଲାକୁ ଦକ୍ଷିଣ ଆଫ୍ରିକା ୧ ୱିକେଟ୍‌ରେ ଜିତି ନେଇଥିଲା। ଜାଜ୍ଜୁଲ୍ୟମାନ ଖେଳ ଜୀବନ ସତ୍ତ୍ବେ ସେ କେବେ ବି ବିଶ୍ବକପ୍ ବିଜୟୀ ଦଳର ସଦସ୍ୟ ହୋଇ ପାରିନାହାନ୍ତି। ଏଥର ବ୍ୟକ୍ତିଗତ ଭାବେ ସେ ଭଲ କଲେ ମଧ୍ୟ ଶ୍ରୀଲଙ୍କା ବିଶ୍ବକପ୍ ଜିତିବାର ସମ୍ଭବନା ‌ଆଦୌ ନାହିଁ କହିଲେ ଚଳେ।

ହାସିମ ଆମଲା
ସ୍ଥିର ପ୍ରଦର୍ଶନ ପାଇଁ ପରିଚିତ ଦକ୍ଷିଣ ଆଫ୍ରିକାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଆମ୍‌ଲା ୧୮୦୦୦ରୁ ଅଧିକ ଅନ୍ତର୍ଜାତୀୟ ରନ୍ କରିଛନ୍ତି। ୩୬ ବର୍ଷୀୟ ଆମଲା ମଧ୍ୟ ଦକ୍ଷିଣ ଆଫ୍ରିକାର ସଫଳତମ ବ୍ୟାଟ୍ସମ୍ୟାନ୍। ଦକ୍ଷିଣ ଆଫ୍ରିକାର ଚଳିତ ବିଶ୍ବକପ୍ ଅଭିଯାନରେ ତାଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ରହିବ। ଆମଲା ୧୨୪ ଟେଷ୍ଟ, ୧୭୫ ଦିନିକିଆ ଓ ୪୪ ଟ୍ବେଣ୍ଟି-୨୦ ଖେଳିଛନ୍ତି। ସେଥିମଧ୍ୟରେ ସେ ୯୨୮୨, ୭୯୨୩ ଏବଂ ୧୨୭୭ ରନ୍ କରିଛନ୍ତି। ଆମଲା ବହୁ କୀର୍ତ୍ତିମାନର ଅଧିକାରୀ ହୋଇଥିଲା‌ ବେଳେ ୨୦୦୮ ମସିହାରେ ବାଂଲ‌ାଦେଶ ବିପକ୍ଷରେ ନିଜ ଦିନିକିଆ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ଚଳିତ ବିଶ୍ବକପ୍‌ର ଉଦଘାଟନୀ ମୁକାବିଲାରେ ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ବାଉନ୍ସରରେ ଘାଇଲା ହୋଇ ସେ ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ।

ଇମ୍ରାନ ତାହିର
ନିଜ ନିଆରା ୱିକେଟ୍ ଉତ୍ସବ ପାଳନ ପାଇଁ ଚର୍ଚାକୁ ଆସୁଥିବା ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ସ୍ପିନର ଇମ୍ରାନ ତାହିରଙ୍କର ମଧ୍ୟ ଏହା ଶେଷ ବିଶ୍ବକପ୍। କାରଣ ବିଶ୍ବକପ୍ ପରେ ସେ ଅନ୍ତର୍ଜାତୀୟ କ୍ରି‌କେଟ୍‌ରୁ ଅବସର ନେବେ ବୋଲି ଘୋଷଣା କରି ସାରିଛନ୍ତି। ୪୦ ବର୍ଷୀୟ ତାହିର ଚଳିତ ବିଶ୍ବକପ୍‌ର ସବୁଠାରୁ ବୟସ୍କ ଖେଳାଳି। ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରି ଗୋଲାପୀ ଟୋପି ଜିତିଥିବା ଲେଗସ୍ପିନର ତାହିର ଚଳିତ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକାର ପ୍ରମୁଖ ଅସ୍ତ୍ର ହେବେ। ତାହିର ୨୦ ଟ୍ବେଣ୍ଟି-୨୦, ୯୯ ଦିନିକିଆ ଓ ୩୮ ଟ୍ବେଣ୍ଟି-୨୦ ଖେଳି ଯଥାକ୍ରମେ ୫୭, ୧୬୪ ଓ ୬୩ ୱିକେଟ୍ ଅକ୍ତିଆର କରିଛନ୍ତି। ତାହିର ୨୦୧୧ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେହିବର୍ଷ ସେ ନିଜ ପ୍ରଥମ ବିଶ୍ବକପ୍ ଭାରତରେ ଖେଳିଥିଲେ। ୨୦୧୫ ବିଶ୍ବକପ୍ ଖେଳିବା ପରେ ତାହିର ଚଳିତ ଥର ଲଗାତାର ତୃତୀୟ ଥର ପାଇଁ ବିଶ୍ବକପ୍ ଖେଳିବାର ଗୌରବ ଅର୍ଜନ କରିବେ।

ସୋଏବ ମଲ୍ଲିକ
ପାକିସ୍ତାନର ପୂର୍ବତନ ଅଧିନାୟକ ସୋଏବ ମଲ୍ଲିକ ଓ ୩୮ ବର୍ଷୀୟ ମହମ୍ମଦ ହାଫିଜ ମଧ୍ୟ ସମ୍ଭବତଃ ନିଜ ଶେଷ ବିଶ୍ବକପ୍ ଖେଳୁଛନ୍ତି। ୨୮୨ ଦିନିକିଆ ଖେଳିଥିବା ସୋଏବଙ୍କ ସଫଳତା ଉପରେ ମଧ୍ୟ ପାକିସ୍ତାନର ଚଳିତ ବିଶ୍ବକପ୍ ଅଭିଯାନ ଅନେକାଂଶରେ ନିର୍ଭର କରିବ। ହାଫିଜ ମଧ୍ୟ ପାକିସ୍ତାନ ବିଶ୍ବକପ୍ ଦଳର ଜଣେ ପ୍ରମୁଖ ସଦସ୍ୟ। ସେହିଭଳି ବାଂଲାଦେଶ ଅଧିନାୟକ ୩୫ ବର୍ଷୀୟ ମାସ୍ରଫ ମୋର୍ତାଜା ଓ ଭାରତୀୟ ଖେଳାଳି ଶିଖର ଧାୱନ, ରବୀନ୍ଦ୍ର ଜାଦେଜା ଓ ଦୀନେଶ କାର୍ତିକଙ୍କର ମଧ୍ୟ ଏହା ଶେଷ ବିଶ୍ବକପ୍ ବୋଲି ଚର୍ଚା ହେଉଛି।

ସମ୍ବନ୍ଧିତ ଖବର