କନିଷ୍ଠ ପୁରୁଷ ହକି ବିଶ୍ବକପ୍‌: ଦିନକରେ ୭୦ ଗୋଲ୍, ୯ ହ୍ୟାଟ୍ରିକ୍

ସ୍ପେନ୍ ୧୭-୦ରେ ଜିତିଲା, ଫ୍ରାନ୍ସର ଦ୍ବିତୀୟ ବିଜୟ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ର ଦ୍ବିତୀୟ ଦିନରେ ରେକର୍ଡ ୭୦ ଗୋଲ୍ ଦେଖିବାକୁ ମିଳିଛି। ଗୁରୁବାରର ଆର୍ଜେଣ୍ଟିନା-ଇଜିପ୍ଟ ପ୍ରଥମ ମ୍ୟାଚ୍‌ରେ ୧୪ ଗୋଲ୍ (ଆର୍ଜେଣ୍ଟିନା ୧୪, ଇଜିପ୍ଟ ୦), ନେଦରଲାଣ୍ଡ୍ସ-ଦକ୍ଷିଣ କୋରିଆ ଦ୍ବିତୀୟ ମ୍ୟାଚ୍‌ରେ ୧୭ ଗୋଲ୍ (ନେଦରଲାଣ୍ଡ୍ସ ୧୨, ଦକ୍ଷିଣ କୋରିଆ ୫) ଦେଖିବାକୁ ମିଳିଥିଲା। ସେହିଭଳି ସ୍ପେନ୍-ଆମେରିକା ତୃତୀୟ ମ୍ୟାଚ୍‌ରେ ୧୭ (ସ୍ପେନ୍ ୧୭, ଆମେରିକା ୦), ଫ୍ରାନ୍ସ-ପୋଲାଣ୍ଡ ଚତୁର୍ଥ ମ୍ୟାଚ୍‌ରେ ୮ (ଫ୍ରାନ୍ସ ୭, ପୋଲାଣ୍ଡ ୧) ଏବଂ ଶେଷରେ ଭାରତ-କାନାଡା ପଞ୍ଚମ ତଥା ଶେଷ ମ୍ୟାଚ୍‌ରେ ୧୪ ଗୋଲ୍ (ଭାରତ ୧୩, କାନାଡା ୧) ଦେଖିବାକୁ ମିଳିଥିଲା।
ବ୍ୟକ୍ତିଗତ ଭାବେ ନେଦରଲାଣ୍ଡ୍ସର ବୁକେନ୍ସ ମାଇଲ୍ସ ୫ଟି ଗୋଲ୍ ଦେଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନେଦରଲାଣ୍ଡ୍ସର କାସ୍ପର ଭାନଡର ଭିନ୍ ୩, ଦକ୍ଷିଣ କୋରିଆର ଜଙ୍ଗ ଜୁନ୍ ସଙ୍ଗ ୩, ‌ସ୍ପେନର ଜେରାଡ କ୍ଲେପ୍ସ ୪, ଏଡୁୱାର୍ଡ ଡି ଇଗ୍ନାସିଓ ୩, ଆର୍ଜେଣ୍ଟିନାର ଫାସୁଣ୍ଡୋ ଜରାଟେ ୩ ଓ ଫ୍ରାନ୍ସର କୋରେଣ୍ଟିନ ସେଲାର ୩ ଗୋଲ୍‌ ଦେଇଥିଲେ। ସେହିଭଳି ଭାରତ-କାନାଡା ମ୍ୟାଚ୍‌ରେ ସଞ୍ଜୟ ଓ ଅରାଇଜିତ ସିଂହ ହୁଣ୍ଡାଲ ଦୁଇଟି ହ୍ୟାଟ୍ରିକ୍ କରିଥିଲେ। ଫଳରେ ଗୁରୁବାର ମୋଟ ୯ ହ୍ୟାଟ୍ରିକ୍ ଦେଖିବାକୁ ମିଳିଥିଲା।

କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ର ଗୁରୁବାର ଖେଳାଯାଇଥିବା ଦୁଇଟି ଯାକ ମ୍ୟାଚ୍‌ରେ ଲଗାତାର ଗୋଲ୍ ବର୍ଷା ହୋଇଥିଲା। ମଧ୍ୟାହ୍ନରେ ଖେଳାଯାଇଥିବା ନେଦରଲାଣ୍ଡ୍ସ-ଦକ୍ଷିଣ କୋରିଆ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ୧୨-୫ ଗୋଲ୍‌ରେ ବିଜୟୀ ହୋଇଥିଲା। ସେହିଭଳି ଅପରାହ୍ନ ୨ଟା ୩୦ରୁ ଆରମ୍ଭ ହୋଇଥିବା ସ୍ପେନ୍-ଆମେରିକା ମ୍ୟାଚ୍‌ରେ ସ୍ପେନ୍ ୧୭-୦ ଗୋଲ୍‌ରେ ଆମେରିକାକୁ ସ୍ତବ୍ଧ କରିଥିଲା।

ନେଦରଲାଣ୍ଡ୍ସ ୧୨-୫ରେ ବିଜୟୀ
ନେଦରଲାଣ୍ଡ୍ସ-ଦକ୍ଷିଣ କୋରିଆ ମୁକାବିଲାରେ ତିନିଟି ହ୍ୟାଟ୍ରିକ୍ ଦେଖିବାକୁ ମିଳିଥିଲା। ନେଦରଲାଣ୍ଡ୍ସର ମାଇଲ୍ସ ବୁକେନ୍ସ ଏକାକି ୫ ଗୋଲ୍ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଦଳର କାସ୍ପର ଭାନଡର ଭିର ଏବଂ ଦକ୍ଷିଣ କୋରିଆର ଜନ୍ ଜୁନ୍ ସଙ୍ଗ ମଧ୍ୟ ତିନିଟି ଲେଖାଏଁ ଗୋଲ୍ କରିଥିଲେ। ଅନ୍ୟପକ୍ଷରେ ଅଧିକାଂଶ ଭାରତୀୟ ବଂଶୋଦ୍ଭବଙ୍କୁ ନେଇ ଖେଳୁଥିବା ଆମେରିକା ଦଳ ସ୍ପେନ୍ ବିପକ୍ଷରେ ଗୋଟିଏ ହେଲେ ବି ଗୋଲ୍ ଦେଇ ପାରିନଥିଲା। ସ୍ପେନର ଜେରାଡ କ୍ଲେପ୍ସ ଚାରିଟି ଏବଂ ଏଡୁୱାର୍ଡ ଡି ଇଗ୍ନନାସିଓ ତିନିଟି ଗୋଲ୍ ଦେଇ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଏହି ଦୁଇ ମ୍ୟାଚ୍‌ରେ ମୋଟ ୩୪ ଗୋଲ୍ ଦେଖିବାକୁ ମିଳିଥିଲା। ନେଦରଲାଣ୍ଡ୍ସ-ଦକ୍ଷିଣ କୋରିଆ ମ୍ୟାଚ୍‌ ଆରମ୍ଭ ବେଳେ ଅନ୍ତର୍ଜାତୀୟ କବାଡ଼ି ଖେଳାଳି ରଶ୍ମିତା ସାହୁ ଏବଂ ଶେଷରେ ପୂର୍ବତନ ଅନ୍ତର୍ଜାତୀୟ ହକି ତାରକା ଶୁଭଦ୍ରା ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ। ମାଇଲ୍ସ ବୁକେନ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଶୁଭଦ୍ରାଙ୍କଠାରୁ ଗ୍ରହଣ କରିଥିଲେ। ଏହି ମ୍ୟାଚ୍‌ରେ ଓଡ଼ିଶାର ବିଶ୍ବ ରଞ୍ଜନ ଷଡ଼ଙ୍ଗୀ ବୈଷୟିକ ଅଧିକାରୀ ଦାୟିତ୍ବ ତୁଲାଇଥିଲେ। ଅନ୍ୟପକ୍ଷରେ ସ୍ପେନ୍-ଆମେରିକା ମ୍ୟାଚ୍‌ରେ ଜେରାଡ କ୍ଲେପ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷିତ ହୋଇଥିଲେ। ଏହି ମ୍ୟାଚ୍‌ରେ ଏସ୍‌ୱାଇଡବ୍ଲ୍ୟୁବିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକ ଏବଂ ପୂର୍ବତନ ଅନ୍ତର୍ଜାତୀୟ ହକି ଅଲିମ୍ପିଆନ୍ ୱିଲିୟମ୍ ଖାଲକୋ ସମ୍ମାନିତ ଅତିଥି ଥିଲେ।

ଫ୍ରାନ୍ସର ଦ୍ବିତୀୟ ବିଜୟ

ବୁଧବାର ନିଜ ପ୍ରଥମ ମୁକାବିଲାରେ ଗତଥରର ବିଜେତା ତଥା ଆୟୋଜକ ଭାରତକୁ ୫-୪ ଗୋଲ୍‌ରେ ପରାସ୍ତ କରି ସ୍ତବ୍ଧ କରିଥିବା ଫ୍ରାନ୍ସ ଗୁରୁବାର ଦ୍ବିତୀୟ ମ୍ୟାଚ୍‌ରେ ମଧ୍ୟ ବିଜୟୀ ହୋଇଛି। ବରଂ ଦ୍ବିତୀୟ ମ୍ୟାଚ୍‌ରେ ଏହି ୟୁରୋପୀୟ ଦଳ ନିଜ ବିଜୟ ବ୍ୟବଧାନକୁ ଆହୁରି ବଢ଼ାଇ ଦେଇଛି। ଗ୍ରୁପ୍-ବି’ର ପୋଲାଣ୍ଡ ବିପକ୍ଷ ମ୍ୟାଚ୍‌କୁ ଫ୍ରାନ୍ସ ଆଜି ୭-୧ ଗୋଲ୍‌ର ବଡ଼ ବ୍ୟବଧାନରେ ଜିତି ନେଇଛି। ଲଗାତାର ବିଜୟ ହାସଲ କରି ଫ୍ରାନ୍ସ (୬ ପଏଣ୍ଟ) ମଧ୍ୟ ଗ୍ରୁପ୍-ବି’ରେ ଏବେ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ନିଜ ସ୍ଥିତିକୁ ଆହୁରି ଦୃଢ଼ କରି ନେଇଛି।

ଆଜି ସଂଧ୍ୟାର ଏହି ଏକତରଫା ବିଜୟରେ ଫ୍ରାନ୍ସ ପ୍ରଥମ କ୍ବାର୍ଟରର ୧୫ ମିନିଟ୍‌ରେ ୩ଟି ଗୋଲ୍ ଦେଇ ମ୍ୟାଚ୍‌କୁ ନିୟନ୍ତ୍ରଣକୁ ନେଇ ଯାଇଥିଲା। ଏହା ପରେ ଦ୍ବିତୀୟ ଏବଂ ଚତୁର୍ଥ କ୍ବାର୍ଟରରେ ଗୋଟିଏ ଲେଖାଏଁ ଏବଂ ତୃତୀୟ କ୍ବାର୍ଟରରେ ଦୁଇଟି ଗୋଲ୍ ଦେଇଥିଲା। ଅନ୍ୟପକ୍ଷରେ ପୋଲାଣ୍ଡ ଦ୍ବିତୀୟ କ୍ବାର୍ଟରରେ ମାତ୍ର ଗୋଟିଏ ଗୋଲ୍ ଦେବାକୁ ସକ୍ଷମ ହୋଇଥିଲା। ଫ୍ରାନ୍ସର ଦକ୍ଷ ଖେଳାଳି କୋରେଣ୍ଟିନ ସେଲାର ତିନିଟି ଗୋଲ୍ ଦେଇ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଏହି ମ୍ୟାଚ୍‌ ପୂର୍ବରୁ ଦୌଡ଼ରାଣୀ ଦୂତି ଚାନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ମ୍ୟାଚ୍ ଶେଷରେ ଓଡ଼ିଶାର ପ୍ରଥମ ଅର୍ଜୁନ ପୁରସ୍କାର ବିଜୟିନୀ ମିନତି ମହାପାତ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୋରେଣ୍ଟିନ ସେଲାରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର