ଫୁଲବାଣୀ/ବୌଦ୍ଧ: କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ ଓ ରାଜ୍ୟ ଭଲିବଲ୍‌ ସଂଘର ମିଳିତ ଆନୁକୂଲ୍ୟରେ ଫୁଲବାଣୀ ଓ ବୌଦ୍ଧରେ ୭୦ତମ ରାଜ୍ୟ ଭଲିବଲ୍‌ ପ୍ରତିଯୋଗିତାର ରବିବାର ଉଦ୍‌ଯାପିତ ହୋଇଯାଇଛି। ପୁରୁଷ ବର୍ଗରେ କିଟ୍‌ ବିଜେତା ହୋଇଛି। ଫାଇନାଲ୍‌ରେ ଏହି ଦଳ ୩-୦ ସେଟ୍‌ରେ ସମ୍ବଲପୁରକୁ ହରାଇଛି। ତୃତୀୟ ସ୍ଥାନ ମୁକାବିଲାରେ ମୟୂରଭଞ୍ଜ ୩-୨ ସେଟ୍‌ରେ ବାଲେଶ୍ବରକୁ ହରାଇଛି। ଉଦ୍‌ଯାପନୀ ସମାରୋହରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ, ରାଜ୍ୟ ଭଲିବଲ୍‌ ସଂଘର କାର୍ଯ୍ୟକାରୀ ସଭାପତି କମଳାକାନ୍ତ ପାଣ୍ଡେ ଓ ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ଶିବପ୍ରସାଦ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉଭୟ ଦଳକୁ ପୁରସ୍କୃତ କରିଥିଲେ। ସୂଚନାଯୋଗ୍ୟ, ଏହି ପ୍ରତିଯୋଗିତା ଗତ ୪ ଦିନ ଧରି କନ୍ଧମାଳ ଜିଲ୍ଲାର ଫୁଲବାଣୀର କରୋନେସନ ପଡ଼ିଆ, ରାଇକିଆ ଦୌଡ଼କୁଦ ସଂଘ ପଡ଼ିଆ ଏବଂ ବାଲିଗୁଡ଼ାର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଚାଲିଥିଲା। ଏଥିରେ ରାଜ୍ୟରୁ ମୋଟ ୩୧ଟି ଦଳ ଅଂଶଗ୍ରହଣ କରିଥିଲେ।

Advertisment

ସେହିଭଳି ବୌଦ୍ଧରେ ମହିଳା ଭଲିବଲ୍ ପ୍ରତିଯୋଗିତା ମଧ୍ୟ ରବିବାର ଉଦ୍‌ଯାପିତ ହୋଇଛି। ଏଥିରେ ପୂର୍ବତଟ ରେଳବାଇ ବିଜେତା ହୋଇଛି। ଫାଇନାଲ୍‌ରେ ପୂର୍ବତଟ ରେଳବାଇ ୨-୦ ସେଟ୍‌ରେ କିଟ୍‌କୁ ପରାସ୍ତ କରିଛି। ତୃତୀୟ ସ୍ଥାନ ମ୍ୟାଚ୍‌ରେ ଜଗତସିଂହପୁର ୨-୦ ସେଟ୍‌ରେ କେନ୍ଦ୍ରାପଡ଼ାକୁ ହରାଇଛି। ଉଦ୍‌ଯାପନୀ ଉତ୍ସବରେ ଆୟୋଜକ କମିଟି ଅଧ୍ୟକ୍ଷ ତଥା ଭାରତୀୟ ଭଲିବଲ୍‌ ସଂଘ ସଭାପତି ସାଂସଦ ଅଚ୍ୟୁତ ସାମନ୍ତ, କଣ୍ଟାମାଳ ବିଧାୟକ ମହୀଧର ରଣା, ବୌଦ୍ଧ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଦାରିଦ୍ର ଭଞ୍ଜନ ମଦନମୋହନ ପାତ୍ର, ପୂର୍ବତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଓଡ଼ିଶା ଭଲିବଲ୍‌ ସଂଘର ସମ୍ପାଦକ ଗଗନେନ୍ଦୁ ଦାଶ, ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ଏନ୍‌ଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲା କ୍ରୀଡ଼ା ସଂସଦ ଉପସଭାପତି ଧୂରୀଣ ଦେହୁରୀ, ସାଂସଦଙ୍କ ପ୍ରତିନିଧି ତାରେଣୀ ମହାପାତ୍ର, ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସଂପାଦକ ରବୀନ୍ଦ୍ର ରାଉତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏଥି ସହିତ ଅନ୍ତର୍ଜାତୀୟ ଖେଳାଳି ଶିବାନୀ ପ୍ରିୟଦର୍ଶିନୀ, ସ୍ନେହମୟୀ କିଷାନ, ଲାସ୍ୟମୟୀ ମହନ୍ତ, ମାମାଲି ନାଗ, ବୀଣା କେ., ଶ୍ରୁତି ଲକ୍ଷ୍ମୀ କେଏସ୍‌ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୁଧାଂଶୁ ନନ୍ଦ ମଞ୍ଚ ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତାରେ ୧୦ ଦଳ ଅଂଶଗ୍ରହଣ କରିଥିଲେ। ଦାରିଙ୍ଗବାଡ଼ିରେ ଖେଳାଯାଇଥିବା ପାରମ୍ପରିକ ସୁଟିଂ ଭଲିବଲ୍‌ରେ ବାଲିଗୁଡ଼ା ବିଜେତା ଏବଂ ଦାରିଙ୍ଗବାଡ଼ି ଉପବିଜେତା ହୋଇଛି। ଦାରିଙ୍ଗବାଡ଼ି ବିଡିଓ ଗଦରଧର ପାତ୍ର ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।