ନୂଆଦିଲ୍ଲୀ: ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥାନ (ଓ୍ଵାଡା) ପକ୍ଷରୁ ଗତବର୍ଷ କରାଯାଇଥିବା ପରୀକ୍ଷାରେ ୭୧ ଭାରତୀୟ ଧରାପଡ଼ିଛନ୍ତି। ସେଥିମଧ୍ୟରେ ଦୌଡ଼କୁଦରୁ ସର୍ବାଧିକ ୨୧ ଖେଳାଳି ଅଛନ୍ତି। ଏକ୍ଷେତ୍ରରେ ଶକ୍ତିଉତ୍ତୋଳନ (୧୪) ଦ୍ୱିତୀୟ ଏବଂ ଭାରୋତ୍ତୋଳନ (୧୧) ତୃତୀୟ ସ୍ଥାନରେ ରହିଛି। ତେବେ ସବୁଠାରୁ ଚାଞ୍ଚଲ୍ୟକର ଫଳାଫଳ ସୁନ୍ଦରସ୍ୱାସ୍ଥ୍ୟରୁ ମିଳିଛି। ସୁନ୍ଦରସ୍ୱାସ୍ଥ୍ୟରୁ ମାତ୍ର ୧୮ ନମୁନା ସଂଗ୍ରହ କରାଯାଇଥିଲା ବେଳେ ସେଥିମଧ୍ୟରୁ ୯ ଜଣ ଖେଳାଳି ଡୋପ୍ ପରୀକ୍ଷଣରେ ଧରା ପଡ଼ିଛନ୍ତି। ଫୁଟବଲ୍, ହକି ଭଳି ଲୋକପ୍ରିୟ ଖେଳରୁ ନିଆଯାଇଥିବା ୩୧୮ ଓ ୧୫୬ ନମୁନାରୁ ଜଣେ ଲେଖାଏଁ ଖେଳାଳି ଶକ୍ତିବର୍ଦ୍ଧକ ସେବନ କରିଥିବାର ପ୍ରମାଣ ମିଳିଛି। କୁସ୍ତିରୁ ୪, ଭଲିବଲ୍ ଏବଂ ଜୁଡ଼ୋରୁ ୨, ମୁଷ୍ଟିଯୁଦ୍ଧରୁ ୪ ଜଣ ଖେଳାଳି ଏହି ପରୀକ୍ଷାରେ ବିଫଳ ହୋଇଛନ୍ତି। ୨୦୧୭ରେ ଜାତୀୟ ଡୋପିଂ ନିରୋଧୀ ସଂସ୍ଥାନ (ନାଡା) ୩୧୭୪ ଭାରତୀୟ ଖେଳାଳିଙ୍କଠାରୁ ମୁତ୍ର ଏବଂ ରକ୍ତ ନମୁନା ସଂଗ୍ରହ କରିଥିଲା। ସେଥିମଧ୍ୟରୁ ୭୧ ଜଣ ଶକ୍ତି ବର୍ଦ୍ଧକ ଔଷଧ ସେବନ କରିଥିବାର ପ୍ରମାଣ ମିଳିଥିବା ଓ୍ଵାଡା କହିଛି। ଆଉ ୯ ନମୁନା ନେଇ ମଧ୍ୟ ସନ୍ଦେହ ରହିଛି। ତେବେ ଏଥିନେଇ ସ୍ପଷ୍ଟ ସୂଚନା ମିଳିବା ଲାଗି ଅଧିକ ପରୀକ୍ଷଣର ଆବଶ୍ୟକତା ରହିଛି ବୋଲି ଓ୍ଵାଡା ପ୍ରକାଶ କରିଛି। ୨୦୧୫ରେ ୧୧୦ ଭାରତୀୟ ଖେଳାଳି ଡୋପ୍ ପରୀକ୍ଷଣରେ ଧରା ପଡ଼ିଥିଲେ। ୨୦୧୭ରେ ଯାହା ୭୧କୁ କମିଛି। ତଥାପି ଏହା ଭାରତୀୟ କ୍ରୀଡ଼ା ପାଇଁ ଚିନ୍ତାର କାରଣ ହୋଇରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନୂଆଦିଲ୍ଲୀ: ବିସିସିଆଇ ଦ୍ୱାରା ସଂଗ୍ରହ କରାଯାଇଥିବା ୨୭୫ ନମୁନା ମଧ୍ୟରୁ କେବଳ ଜଣେ ଖେଳାଳି ଡୋପ୍ ପରୀକ୍ଷଣରେ ବିଫଳ ହୋଇଛନ୍ତି। ବରୋଦାର ବିସ୍ଫୋରକ କ୍ରିକେଟର ୟୁସୁଫ ପଠାନ ସେହି ଖେଳାଳି ବୋଲି ଜଣାପଡ଼ିଛି। ସେଥିପାଇଁ ବିସିସିଆଇ ତାଙ୍କୁ ପିଛିଲା ଭାବେ ୫ ମାସ ପାଇଁ ବାସନ୍ଦ କରିଥିଲା। ଯାହା ଚଳିତ ବର୍ଷର ଆଇପିଏଲ୍ ପୂର୍ବରୁ ଶେଷ ହୋଇ ଯାଇଥିଲା।। କ୍ରିକେଟ୍ ଜଗତର ଆଉ ଦୁଇ ଜଣ ଖେଳାଳିଙ୍କୁ ନେଇ ମଧ୍ୟ ସନ୍ଦେହ ରହିିଛି। ତେବେ ଏମାନେ ଭାରତୀୟ କିମ୍ବା ବିଦେଶୀ ତାହା ଜଣାପଡ଼ିନାହିଁ। ଚଳିତ ବର୍ଷ କେବଳ ପଞ୍ଜାବର ପ୍ରଥମ ଶ୍ରେଣୀ କ୍ରିକେଟର ଅଭିଷେକ ଗୁପ୍ତା ଶକ୍ତିବର୍ଦ୍ଧକ ସେବନ କରିଥିବା ପ୍ରମାଣ ମିଳିଛି। ସେଥିପାଇଁ ତାଙ୍କୁ ବିସିସିଆଇ ନିଲମ୍ବିତ କରିଛି।