ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ୭୩ତମ ସର୍ବଭାରତୀୟ ପୁଲିସ ହକି ପ୍ରତିଯୋଗିତାର ପୁରୁଷ ବର୍ଗରେ ପଞ୍ଜାବ ପୁଣି ବିଜେତା ହୋଇଥିଲା ବେଳେ ସିଆର୍ପିଏଫ୍ ଉପବିଜେତା ହୋଇଛି। ସେହିଭଳି ମହିଳା ବର୍ଗରେ ସିଆର୍ପିଏଫ୍ ପ୍ରଥମ ସ୍ଥାନ ଅଧିକାର କରି ଟ୍ରଫି ଜିତି ଥିଲା ବେଳେ ଏସ୍ଏସ୍ବି ଉପବିଜେତାରେ ସନ୍ତୁଷ୍ଟ ରହିଛି। ଆଇଟିବିପି ଓ ଆୟୋଜକ ଓଡ଼ିଶା ପୁଲିସ ଯଥାକ୍ରମେ ପୁରୁଷ ଓ ମହିଳା ବର୍ଗର ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି। ମଙ୍ଗଳବାର ପୁରୁଷ ଫାଇନାଲରେ ପଞ୍ଜାବ ୨-୧ ଗୋଲ୍ରେ ସିଆର୍ପିଏଫ୍କୁ ପରାସ୍ତ କରିଥିଲା। ମହିଳା ଫାଇନାଲ୍ରେ ସିଆର୍ପିଏଫ୍ ରୋମାଞ୍ଚକ ଭାବେ ୧-୦ ଗୋଲ୍ରେ ଏସ୍ଏସ୍ବିକୁ ମାତ୍ ଦେଇଥିଲା। ପୁରୁଷ ବର୍ଗର ତୃତୀୟ/ଚତୁର୍ଥ ସ୍ଥାନ ମୁକାବିଲାରେ ବିଏସ୍ଏଫ୍କୁ ହରାଇ ଆଇଟିବିପି ତୃତୀୟ ସ୍ଥାନ ଅଧିକାର କରିଥିଲା। ଅନ୍ୟପକ୍ଷରେ ଆଇଟିବିପିକୁ ହରାଇ ଓଡ଼ିଶା ପୁଲିସ ମହିଳା ବର୍ଗର ତୃତୀୟ ସ୍ଥାନରେ ରହିଥିଲା। ରେଶ୍ମା ଲାକ୍ରାଙ୍କ ନେତୃତ୍ବାଧିନ ଓଡ଼ିଶା ପୁଲିସ୍ ମହିଳା ଦଳ ପଦାର୍ପଣ ପରଠାରୁ କ୍ରମାଗତ ଚତୁର୍ଥ ଥର କାଂସ୍ୟ ପଦକ ଜିତିଛି। ମୋଟ ଉପରେ ଏହା ଓଡ଼ିଶା ପାଇଁ ଷଷ୍ଠ କାଂସ୍ୟ। ପୁରୁଷ ଦଳ ଏଥର ନିରାଶ କରିଥିବାବେଳେ ପୂର୍ବରୁ ଏହା ଦୁଇ ଥର ମାତ୍ର ସେହି କାଂସ୍ୟ ଜିତିଛି।
୭୩ତମ ସର୍ବଭାରତୀୟ ପୁଲିସ ହକି ଉଦ୍ଯାପିତ
ପୁରୁଷରେ ପଞ୍ଜାବ, ମହିଳାରେ ସିଆର୍ପିଏଫ୍ ବିଜେତା
ଉଦ୍ଯାପନୀ ସମାରୋହରେ ଓଡ଼ିଶା ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ବିଜେତା ଦଳକୁ ଅଭିନନ୍ଦନ ଜଣାଇବା ସହ ଖେଳାଳିଙ୍କ ଏକାଗ୍ରତା ଓ ସମର୍ପଣ ଭାବନାକୁ ପ୍ରଶଂସା କରି କହିଥିଲେ, ଭାରତୀୟ ପୁଲିସ ବିଭିନ୍ନ ବିଭାଗରେ ଅନେକ ଅସାଧାରଣ କ୍ରୀଡ଼ାବିତ୍ ସୃଷ୍ଟି କରିଛି। ଏହି ଖେଳାଳିମାନେ ଅନେକ ସମୟରେ ଦେଶ ପାଇଁ ଗର୍ବ ଆଣିଛନ୍ତି। ରାଷ୍ଟ୍ରକୁ ସୁରକ୍ଷା ଦେବା ଏବଂ କ୍ରୀଡ଼ାରେ ଉତ୍କର୍ଷତା ହାସଲ କରିବାରେ ସେମାନଙ୍କର ଭୂମିକା ପ୍ରକୃତରେ ପ୍ରଶଂସନୀୟ। ଏଭଳି ଏକ ପ୍ରତିଯୋଗିତାର ସଫଳ ଆୟୋଜନ କରିଥିବାରୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସାଧୁବାଦ ଜଣାଇଥିଲେ ସେ।
ଏହି ପ୍ରତିଯୋଗିତାର ପୁଲିସ ବିଭାଗ ମଧ୍ୟରେ ଏକତା, ଭାଇଚାରା, ଓ ମିତ୍ରତା ବଢ଼ାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି ବୋଲି ଆହୁରି କହିଥିଲେ। ବୀରେନ୍ଦ୍ର ଲାକ୍ରା ଓ ମନପ୍ରୀତ ସିଂଙ୍କ ସମେତ ଅନ୍ୟ ଖେଳାଳି ସାମିଲ ହୋଇ ଏହାର ମର୍ଯ୍ୟାଦାକୁ ରୁଦ୍ଧିମନ୍ତ କରିଥିବାରୁ ଶ୍ରୀ ଖୁରାନିଆ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପସଭାପତି ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ସଶସ୍ତ୍ର) ତଥା ଆୟୋଜନ କମିଟିର ଉପସଭାପତି ରାଜେଶ କୁମାର, ଯୁଗ୍ମ ନିର୍ଦ୍ଦେଶକ, ଆଇବି ରାଜେଶ ସୁବର୍ଣ୍ଣ, ଆଇଜି (ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଅନୁପ କୁମାର ସାହୁ ଓ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ ଏବଂ ରାଜ୍ୟ ପୁଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।