ଦିଲ୍ଲୀରେ ୭୩ତମ ସନ୍ତୋଷ ଟ୍ରଫି

ନୂଆଦିଲ୍ଲୀ: ସନ୍ତୋଷ ଟ୍ରଫି ଘରୋଇ ଫୁଟ୍‌ବଲ୍ ପ୍ରତିଯୋଗିତାର ୭୩ତମ ସଂସ୍କରଣ ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ହେବ। ସର୍ବଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇ୍‌ଏଫ୍‌ଏଫ୍) ଗୁରୁବାର ଏହି ପ୍ରତିଯୋଗିତାର ଆୟୋଜନ ଅଧିକାର ଦିଲ୍ଲୀକୁ ପ୍ରଦାନ କରିଛି। ତେବେ ଏଆଇଏଫ୍‌ଏଫ୍ ଏଥିଲାଗି ଏକ ସର୍ତ ରଖିଛି। ଆମ୍ବେଦକର ଷ୍ଟାଡିୟମ୍ ପରିବର୍ତେ ଜବାହରଲାଲ ନେହରୁ ଷ୍ଟାଡିୟମରେ ଏହି ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ କରିବାକୁ ଏଆଇଏଫ୍‌ଏଫ୍‌ ଦିଲ୍ଲୀ ଫୁଟ୍‌ବଲ୍ ସଂଘକୁ କହିଛି। କାରଣ ଆମ୍ବେଦକର ଷ୍ଟାଡିୟମରେ ଥିବା ସୁବିଧାସୁଯୋଗ ନେଇ ଏଆଇଏଫ୍‌ଏଫ୍ ଅଧିକାରୀମାନେ ସନ୍ତୁଷ୍ଟ ନାହାନ୍ତି। ବିଶେଷ କରି ଏଠାରେ ଥିବା ଖେଳାଳିଙ୍କ ଡ୍ରେସିଂ ରୁମ୍‌କୁ ସେମାନେ ନାପସନ୍ଦ କରିଛନ୍ତି। ତେବେ ଆମ୍ବେଦକର ଷ୍ଟାଡିୟମର ନବୀକରଣ କାର୍ଯ୍ୟ ଖୁବଶୀଘ୍ର ଶେଷ ହୋଇଯିବ। ଏଠାରେ ଖେଳାଳିଙ୍କର କୌଣସି ଅସୁବିଧା ହେବ ନାହିଁ ବ‌ୋଲି ଦିଲ୍ଲୀ ଫୁଟ୍‌ବଲ୍ ସଂଘର ସଭାପତି ସାଜି ପ୍ରଭାକରନ ଦୃ‌ଢ଼ୋକ୍ତି ପ୍ରକାଶ କରିଛନ୍ତି। ନେହରୁ ଷ୍ଟାଡିୟମରେ ସନ୍ତୋଷ ଟ୍ରଫି ଆୟୋଜନ କରିବା ଆମ ପାଇଁ ଅତ୍ୟନ୍ତ ବ୍ୟୟ ବହୁଳ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି। ବିକଳ୍ପ ବ୍ୟବସ୍ଥା ଭାବେ ନେହରୁ ଷ୍ଟାଡିୟମରେ ମାଗଣାରେ ସନ୍ତୋଷ ଟ୍ରଫି ଆୟୋଜନ କରିବାକୁ ସେ କ୍ରୀଡ଼ାମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ରା‌ଠୋରଙ୍କ ପାଖକୁ ପତ୍ର ଲେଖିଛନ୍ତି। ସନ୍ତୋଷ ଟ୍ରଫିର ପରବର୍ତୀ ସଂସ୍କରଣ ଏପ୍ରିଲ ପହିଲାରୁ ୧୫ ତାରିଖ ପର୍ଯ୍ୟନ୍ତ ଖେଳା ଯିବାର ଅଛି।

ଏସୀୟ ୨୩ ବର୍ଷରୁ କମ୍ ଯୋଗ୍ୟତା ପର୍ଯ୍ୟାୟରୁ ପାକିସ୍ତାନ ଓହରିଲା
ଏସୀୟ ୨୩ ବର୍ଷରୁ କମ୍ ଫୁଟ୍‌ବଲ୍ ପ୍ରତିଯୋଗିତାର ଯୋଗ୍ୟତା ପର୍ଯ୍ୟାୟରୁ ପାକିସ୍ତାନ ଓହରି ଯାଇଛି। ଏହି ପ୍ରତିଯୋଗିତା ଚଳିତ ମାସ ଶେଷ ଭାଗରେ ତାସକେଣ୍ଟଠାରେ ଖେଳାଯିବାର ଥିଲା। ହେଲେ କୌଣସି କାରଣ ନଦର୍ଶାଇ ପାକିସ୍ତାନ ଏହି ପ୍ରତିଯୋଗିତାରୁ ଓହରି ଯାଇଛି। ତାଜିକିସ୍ତାନ ଓ ଭାରତ ସହ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ ଥିଲା।

ସମ୍ବନ୍ଧିତ ଖବର