ମୁମ୍ବାଇ: କିଂବଦନ୍ତି କ୍ରିକେଟର୍‌ ସୁନୀଲ ଗାଭାସ୍କର ବୁଧବାର ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ସେ ଆଜି ନିଜର ୭୫ତମ ଜନ୍ମଦିବସ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି। ଏହି ଅବସରରେ ପ୍ରଥମ କ୍ରିକେଟର୍ ଭାବେ ଟେଷ୍ଟ୍ କ୍ରିକେଟ୍‌ରେ ୧୦,୦୦୦ ରନ୍ ପୂରଣ କରିଥିବା ମହାନ ତାରକା ଗାଭାସ୍କରଙ୍କୁ ପ୍ରଶଂସକ ଓ ପୂର୍ବତନ କ୍ରିକେଟର୍‌ମାନେ ଶୁଭେଚ୍ଛା ଓ ଶୁଭକାମନାରେ ପୋତି ପକାଇଛନ୍ତି। ବିସିସିଆ‌ଇ ସଂପାଦକ ଜୟ ଶାହ ଏହାର ନେତୃତ୍ବ ନେଇଛନ୍ତି। ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ଲେଖା ଲେଖି ସେ କହିଛନ୍ତି, ସୁନୀଲ ଗାଭାସ୍କର ଆପଣଙ୍କୁ ଜନ୍ମଦିନର ଅଶେଷ ଅଶେଷ ଅଭିନନ୍ଦନ। ଆପଣଙ୍କ ବ୍ୟାଟିଂ ଶୈଳୀ ଏତେ ଉଚ୍ଚକୋଟୀର ଥିଲା ଯେ ଆପଣ ସମାନ୍ତରାଳ ଭାବେ ଓ ଅତି ସହଜରେ ଆକ୍ରମଣାତ୍ମକ ଓ ରକ୍ଷଣାତ୍ମକ କ୍ରିକେଟ୍ ଖେଳି ପାରୁଥିଲେ। ସେହି ସବୁ ଅନନ୍ୟ ସଫଳତା ପାଇଁ ଆପଣଙ୍କୁ ଶୁଭକାମନା।

Advertisment

ଆଗାମୀ ବର୍ଷ ଆପଣଙ୍କ ପାଇଁ ଶୁଭଙ୍କର ହେଉ। ସେହିଭଳି ଆଇପିଏଲ୍ ଦଳ ଆର୍‌ସିବି, ପୂର୍ବତନ କ୍ରିକେଟର୍ ମୁନାଫ ପଟେଲ ପ୍ରମୁଖ ମଧ୍ୟ ଗାଭାସ୍କରଙ୍କୁ ଶୁଭକାମନା ଜଣାଇଛନ୍ତି। ଜୁଲାଇ ୧୦, ୧୯୪୯ରେ ଜନ୍ମ ଗ୍ରହଣ କରିଥିବା ଗାଭାସ୍କର ୧୯୮୭ ମସିହାରେ ପାକିସ୍ତାନ ବିପକ୍ଷରେ ନିଜ ଶେଷ ଟେଷ୍ଟ୍ ଖେଳିଥିଲେ। ସେ ମଧ୍ୟ ୧୯୮୩ ମସିହାରେ ଏକଦିବସୀୟ ବିଶ୍ବକପ୍ ଜିତିଥିବା କପିଳ ଦେବଙ୍କ ଦଳର ଅନ୍ୟତମ ପ୍ରମୁଖ ସଦସ୍ୟ ଥିଲେ। ତାଙ୍କୁ ବିଶ୍ବ କ୍ରିକେଟ୍‌ର ଅନ୍ୟତମ ମହାନ ବ୍ୟାଟର୍‌ର ମାନ୍ୟତା ମିଳେ।