ସେହି ବର୍ଷ, ଏହି ତାରିଖ: ସଚିନଙ୍କ ଜନ୍ମଦିନ ଶତକରେ ଭାରତ ଜିତିଥିଲା କୋକୋ କୋଲା ଟ୍ରଫି

ମରୁ ଝଡ଼କୁ ହରାଇଥିଲା ରନ୍‌ ଝଡ଼

ମୁମ୍ବାଇ: ଠିକ୍‌ ୨୨ ବର୍ଷ ତଳର ଘଟଣା। ୧୯୯୮ ମସିହା ଆଜିର ତାରିଖ (ଏପ୍ରିଲ ୨୪) ଥିଲା ଭାରତୀୟ କ୍ରିକେଟ୍‌ ଦୁନିଆର ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ଜନ୍ମଦିନ। ଆଉ ଏହି ଦିନକୁ ଏକ ଦମ୍‌ଦାର ଶତକ ଏବଂ ଭାରତକୁ କୋକା କୋଲା ଟ୍ରଫି ଭେଟି ଦେଇ ସ୍ମରଣୀୟ କରିଥିଲେ ସଚିନ୍‌। କେବଳ ସେତିକି ନୁହେଁ ସାରଜାର ଅତ୍ୟଧିକ ଗରମ ପରିବେଶରେ ‘ମରୁ ଝଡ଼’କୁ ବି ସଚିନ୍‌ଙ୍କ ବ୍ୟାଟ୍‌ରୁ ରନ୍‌ ଝଡ଼ ଫିକା କରିଦେଇଥିଲା। ୟୁଏଇର ସାର୍‌ଜାରେ ଆୟୋଜିତ ହୋଇଥିଲା ୧୯୯୮ କୋକା କୋଲା ଟ୍ରଫି। ଏହି ପ୍ରତିଯୋଗିତା ଅବସରରେ ସାଂଘାତିକ ଫର୍ମରେ ଥାଆନ୍ତି ସଚିନ୍‌। ସେହି ପ୍ରତିଯୋଗିତାରେ ମଧ୍ୟ ଦେଖିବାକୁ ମିଳିଥିଲା ତାଙ୍କର ସର୍ବଶ୍ରେଷ୍ଠ ପାଳିଗୁଡ଼ିକ ମଧ୍ୟରୁ ଅନ୍ୟତମ ଏକ ଝଲକ। ଅଷ୍ଟ୍ରେଲିଆ ବିପକ୍ଷ ଏକ ମ୍ୟାଚ୍‌ରେ ସେ ଜମାଇଥିଲେ ଶତକ। ୧୩୧ ବଲ୍‌ରୁ ସଂଗ୍ରହ କରିଥିଲେ ୧୪୩ ରନ୍‌। ହେଲେ ତାଙ୍କର ସେହି ଅନ୍ୟତମ ଶ୍ରେଷ୍ଠ ପାଳି ଭାରତକୁ ବିଜୟୀ କରାଇବା‌ରେ ଯଥେଷ୍ଟ ହୋଇନଥିଲା। ଏହି ମ୍ୟାଚ୍‌ ମରୁ ଝଡ଼ ପାଇଁ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ଭାରତର ପରାଜୟ ସତ୍ତ୍ବେ ସଚିନ୍‌ଙ୍କ ଏହି ପାଳିକୁ ଏବେ ବି ଶ୍ରେଷ୍ଠ ଭାବେ ଗଣାଯାଉଛି। କିନ୍ତୁ ଏହାର ଦୁଇ ଦିନ ପରେ ସେହି ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ୍‌ ଖେଳାଯାଇଥିଲା। ସେଦିନ ଥିଲା ସଚିନ୍‌ଙ୍କ ଜନ୍ମଦିନ। ଆଉ ସେହି ଦିନ ଓ ଫାଇନାଲ୍‌କୁ ହାତଛଡ଼ା କରିନଥିଲେ ସଚିନ୍‌। ପୂର୍ବ ମ୍ୟାଚ୍‌ ପରାଜୟ ସତ୍ତ୍ବେ ସଚିନ୍‌ଙ୍କ ପାଳି ବଳରେ ଉନ୍ନତ ରନ୍‌ ରେଟ୍‌ ଭିତ୍ତିରେ ନ୍ୟୁଜିଲାଣ୍ଡ୍‌କୁ ପଛରେ ପକାଇ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିଥିଲା ଭାରତ। ଆଉ ଫାଇନାଲ୍‌ରେ ପ୍ରତିଦ୍ବନ୍ଦ୍ବୀ ମଧ୍ୟ ଥିଲା ସମାନ ଦଳ ଅଷ୍ଟ୍ରେଲିଆ। ହେଲେ ଏଥର ସଚିନ୍‌ ଛାଡ଼ିନଥିଲେ। ପୁଣି ଏକ ଦମ୍‌ଦାର ଶତକ ବଳରେ ଭାରତକୁ ଟ୍ରଫି ବିଜେତା କରାଇଥିଲେ। ଦୁଇ ଦିନ ଅନ୍ତରରେ ସଚିନ୍‌ଙ୍କ ସେହି ଦ୍ବୈତ ଶତକୀୟ ପାଳିକୁ ଯିଏ ଦେଖିଛି ତାକୁ ‘ମରୁ ଝଡ଼’ର ଆଖ୍ୟା ଦେଇଛି। ମରୁ ଝଡ଼ର ଗତିଠାରୁ ବି ସଚିନ୍‌ଙ୍କ ବ୍ୟାଟ୍‌ ଚାଳନା କ୍ଷୀପ୍ରତର ଥିଲା ବୋଲି ଦେଖଣାହାରୀ ଏବେ ବି ମନେ ପକାଇଛନ୍ତି।

ଭାରତୀୟ ଦଳର ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ ଟସ୍‌ ଜିତିବା ପରେ ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ ପାଇଁ ଆହ୍ବାନ କରିଥିଲେ। ମଧ୍ୟକ୍ରମରେ ଅଧିନାୟକ ଷ୍ଟିଭ୍‌ ୱ (୭୧ ବଲ୍‌ରୁ ୭୦ ରନ୍‌) ଓ ଡାରେନ୍‌ ଲିମ୍ୟାନ୍‌ (୫୯ ବଲ୍‌ରୁ ୭୦ ରନ୍‌)ଙ୍କ ସହାୟତାରେ ଅଷ୍ଟ୍ରେଲିଆ ୫୦ ଓଭରରେ ୨୭୨/୯ ସ୍କୋର୍‌ କରିଥିଲା। ଜବାବରେ ନିଜର ଜନ୍ମଦିନରେ ସାଥୀ ସୌରଭ ଗାଙ୍ଗୁଲିଙ୍କ ସହ ପାଳି ଆରମ୍ଭ କରିବାକୁ ଆସିଥିଲେ ସଚିନ୍‌। ଚମତ୍କାର ଆରମ୍ଭ ଦେଇଥିବା ସଚିନ୍‌ ମଧ୍ୟ ମଧ୍ୟଭାଗରେ ଗୋଟିଏ ପଟୁ ୱିକେଟ୍‌ ସୁରକ୍ଷିତ ରଖି ସ୍କୋର୍‌କୁ ଆଗେଇ ନେଇଥିଲେ। ଚତୁର୍ଥ ଓଭରରେ ହିଁ ଦ୍ରୁତ ବୋଲର ମାଇକେଲ କାସ୍ପ୍ରୋଇଜ୍‌ଙ୍କ ଏକ ବଲ୍‌ ସଚିନ୍‌ଙ୍କ ବ୍ୟାଟ୍‌ର ତଳ ଧାରକୁ ଛୁଇଁ ଚାଲି ଯାଇଥିଲା। ଅଳ୍ପକେ ଏହା ଷ୍ଟମ୍ପ୍‌ ନଛୁଇଁ ଫାଇନ୍‌ଲେଗ୍‌ ଅଞ୍ଚଳକୁ ଯାଇଥିଲା। ସଚିନ୍‌ ଗୋଟିଏ ରନ୍‌ ନେଇଥିଲେ। କାସ୍ବ୍ରୋଇଜ୍‌ କିନ୍ତୁ କିଛି ଅଶୋଭନୀୟ ଶବ୍ଦ ବ୍ୟବହାର କରିଥିଲେ ଏବଂ ପଡ଼ିଆରେ ବାକ୍‌ବିତଣ୍ଡା କରିବାକୁ ଆଦୌ ପସନ୍ଦ କରୁନଥିବା ସଚିନ୍‌ ବୋଲରଙ୍କୁ ଫେରିଯିବାକୁ ଦେଇଥିଲେ। ଏହାର କିଛି ଓଭର ପରେ ସଚିନ୍‌ ପାଇଯାଇଥିଲେ ତାଙ୍କ ଲୟ। ଆଉ ତାଙ୍କ ବ୍ୟାଟ୍‌କୁ ରୋକିବା ପ୍ରତିପକ୍ଷ ବୋଲରଙ୍କ ପାଇଁ ଅସମ୍ଭବ ହୋଇପଡ଼ିଥିଲା। ସେହି ପାଳିରେ ସେ ୧୩୧ ବଲ୍‌ରୁ ସଂଗ୍ରହ କରିଥିଲେ ୧୩୪ ରନ୍‌। ଯେଉଁଥିରେ ସାମିଲ ଥିଲା ୧୨ ‌ଚୌକା ଓ ୩ ଛକା। ସଚିନ୍‌ଙ୍କ ଏହି ପାଳି ବଳରେ ଭାରତ ୪ ୱିକେଟ୍‌ରେ ମ୍ୟାଚ୍‌ ଜିତି କୋକା କୋଲା ଟ୍ରଫି ହାତେଇ ନେଇଥିଲା। ଦୁଇ ବର୍ଷ ତଳେ କ୍ରୀଡ଼ା ସାମ୍ବାଦିକ ବୋରିଆ ମଜୁମଦାରଙ୍କ ପୁସ୍ତକ ଉନ୍ମୋଚନ ବେଳେ ସଚିନ୍‌ ତାଙ୍କର ସେତେ‌ବେଳର ଏହି ମହାନ୍‌ ପାଳିକୁ ମନେ ପକାଇଥିଲେ। ସେତେବେଳେ ସେ କିପରି ଅତ୍ୟଧିକ କ୍ଲାନ୍ତ ହୋଇ ମ୍ୟାଚ୍‌କୁ ଯାଇଥିଲେ ଏବଂ ସାର୍‌ଜାର ପ୍ରବଳ ଗରମ ଓ ଗୁଳୁଗୁଳି ପରିବେଶରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ସେ କଥା କହିଥିଲେ। ମୁଁ ସଂଧ୍ୟାରେ ବ୍ୟାଟିଂ ପାଇଁ ଯାଇଥିଲି। ମାନସିକ ଭାବେ ମୁଁ ଠିକ୍‌ ନଥିଲି। ତଥାପି ମ୍ୟାଚ୍‌ ଉପରେ ଫୋକସ୍‌ ଦେବାକୁ ଚେଷ୍ଟା କରିଥିଲି। ମୁଁ ଜାଣିଥିଲି, କିଛି ସମୟ ମୋତେ କ୍ରିଜ୍‌ରେ ରହିବାର ଅଛି ଏବଂ ଲୟ ଫେରିପାଇବାକୁ ୫ରୁ ୬ ଓଭର ଦରକାର। ସେପର୍ଯ୍ୟନ୍ତ ମୁଁ ନିଜକୁ ସହଜ ମନେ କରିପାରୁନଥିଲି ବୋଲି ସଚିନ୍‌ ମନେ ପକାଇଥିଲେ। ସେ ମଧ୍ୟ ଆହୁରି କହିଥିଲେ ଯେ ଆତ୍ମବିଶ୍ବାସ ବଳରେ ହିଁ ଜଣେ ବ୍ୟାଟ୍‌ସମ୍ୟାନ୍‌ ବଲ୍‌କୁ ପ୍ରହାର କରିପାରିବ। ତେଣୁ ପ୍ରଥମେ ପ୍ରଥମେ ମୁଁ ବଲ୍‌କୁ ବ୍ୟାଟ୍‌ ମଝିକୁ ଆଣିପାରୁନଥିଲି। ସେଥିପାଇଁ ମୋତେ କିଛି ସମୟ ଅପେକ୍ଷା କରିବାକୁ ପଡ଼ିଲା। ଏହାପରେ କାସ୍ପ୍ରୋଇଜ୍‌ଙ୍କୁ ଦୁଇଟି ଛକା ମାରି ଆଭିମୁଖ୍ୟ ସ୍ପଷ୍ଟ କରିଦେଲି। ଶେଷରେ ଯାହା ଘଟିଲା ତାହା ତ ସମସ୍ତେ ଜାଣନ୍ତି ବୋଲି ସଚିନ୍‌ କହିଥିଲେ। ଆମେ ହିଁ ପ୍ରତିଯୋଗିତା‌ ଜିତି ଗସ୍ତ ଶେଷ କରିଥିଲୁ।

ମା’ଙ୍କ ଆଶୀର୍ବାଦରୁ ସକାଳ
ନିଜର ୪୭ତମ ଜନ୍ମଦିନକୁ ସଚିନ ତେନ୍ଦୁଲକର ମା’ଙ୍କ ଆଶୀର୍ବାଦରୁ ଆରମ୍ଭ କରିଥିଲେ। ଏହି ବ୍ୟାଟିଂ କିଂବଦନ୍ତି ମା’ଙ୍କ ପାଦ ଛୁଇଁବା ପରେ ତାଙ୍କଠାରୁ ପାଇଥିବା ଗଣପତି ବାପ୍ପାଙ୍କ ମୂର୍ତ୍ତିକୁ ଉପହାର ରୂପରେ ଦେଇଥିଲେ। ଉଭୟ ମୁହୂର୍ତ୍ତର ଫଟୋକୁ ଟ୍ବିଟର୍ ପୃଷ୍ଠାରେ ଛାଡ଼ି ଲେଖିଥିଲେ ‘ସମ୍ପୂର୍ଣ୍ଣ ଅମୂଲ୍ୟ’। ଭାରତ ପାଇଁ ୨୪ ବର୍ଷ ଧରି ପ୍ରତିନିଧିତ୍ବ କରିଥିବା ସଚିନ ପ୍ରାୟ ୩୫,୦୦୦ ଅନ୍ତର୍ଜାତୀୟ ରନ୍ କରିଥିଲେ। ଯେଉଁଥିରେ ୧୦୦ ଶତକ ସାମିଲ ରହିଥିଲଷା। କରୋନା ମହାମାରୀ ପରିସ୍ଥିତି କାରଣରୁ ସଚିନ ନିଜ ଜନ୍ମଦିନକୁ ପାଳନ କରିନଥିଲେ ମଧ୍ୟ ପ୍ରଶଂସକମାନେ ଏହି ଦିନକୁ ଭୁଲିନଥିଲେ ଏବଂ ସକାଳେ ସଞ୍ଜଯାଏ ଶୁଭେଚ୍ଛାର ସୁଅ ଛୁଟିଥିଲା।

କିଂବଦନ୍ତିଙ୍କୁ ଶୁଭେଚ୍ଛାର ସୁଅ
ନୂଆଦିଲ୍ଲୀ: ଶୁକ୍ରବାର ଥିଲା ଭାରତୀୟ କିଂବଦନ୍ତି କ୍ରିକେଟର୍‌ ସଚିନ୍‌ ତେନ୍ଦୁଲକରଙ୍କ ଜନ୍ମଦିନ। ଏହି ମାଷ୍ଟର ବ୍ଲାଷ୍ଟର ଆଜି ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ଏଭଳି ଦିନରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ପୂର୍ବତନ ସାଥୀ ତଥା ଏବର ବିସିସିଆଇ (ଭାରତୀୟ କ୍ରିକେଟ୍‌ ନିୟଂତ୍ରଣ ବୋର୍ଡ)ର ସଭାପତି ସୌରଭ ଗାଙ୍ଗୁଲି ସମସ୍ତଙ୍କଠୁ ଆଗରେ ଶୁ‌ଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ପଛକୁ ପଛ ପୂର୍ବତନ ଓ ଏବର ଅନ୍ୟାନ୍ୟ କ୍ରିକେଟର୍‌ମା‌ନଙ୍କଠାରୁ ସଚିନ୍‌ଙ୍କ ନିକଟକୁ ଶୁ‌ଭକାମନାର ସୁଅ ଛୁଟିଛି।
କୋହଲି ତାଙ୍କ ଟ୍ବିଟର ପୃଷ୍ଠାରେ ଲେଖିଛନ୍ତି, ‘‘କ୍ରିକେଟ୍‌ ଭଳି ଖେଳକୁ ପେସା କରିଥିବା ଏବଂ ଅନେକଙ୍କୁ ପ୍ରେରିତ କରିଥିବା ସେହି ମହାନ୍‌ ବ୍ୟକ୍ତିଙ୍କୁ ଜନ୍ମ ଦିନର ଅଭିନନ୍ଦନ’’।
ସେହିପରି ‘‘ସଚିନ୍ ତୁମକୁ ଜନ୍ମ ଦିନର ଶୁଭେଚ୍ଛା, ଏକ ସୁସ୍ଥ ଓ ସୁଖୀ ଜୀବନ ଅତିବାହାହିତ କର’’ ବୋଲି ଗାଙ୍ଗୁଲି ଟ୍ବିଟ୍‌ କରିଛନ୍ତି।
ଏହି ଦୁଇ ଜଣଙ୍କ ବ୍ୟତୀତ ଯୁବରାଜ ସିଂହ, ବୀରେନ୍ଦ୍ର ସେହବାଗ୍‌, ହରଭଜନ ସିଂହ, ଭିଭିଏସ୍‌ ଲକ୍ଷ୍ମଣ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ପ୍ରମୁଖ ସଚିନ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏମା‌ନେ ସମେସ୍ତ ସଚିନ୍‌ଙ୍କ କ୍ରୀଡ଼ା ଜୀବନର ଗୁଣ ଗାନ କରିବା‌ ସାଙ୍ଗକୁ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।

Firstpost

‘ମରୁ ଝଡ଼’ ଶ୍ରେଷ୍ଠ ପାଳି
ଜନ୍ମଦିନରେ ସଚିନ‌ ତେନ୍ଦୁଲକରଙ୍କ ‘ମରୁ ଝଡ଼’ ପାଳିକୁ ଆଇସିସି ଶ୍ରେଷ୍ଠ ପାଳି ଆଖ୍ୟା‌ ଦେଇଛି। ୧୯୯୮ ମସିହାରେ ସାରଜାରେ ଅଷ୍ଟ୍ରେଲିଆ ବିପକ୍ଷ ସଚିନଙ୍କ ବିସ୍ଫୋରକ ୧୩୧ ବଲ୍‌ ୧୪୩ ରନ୍‌ ପାଳିକୁ ଏହି ସମ୍ମାନ ମିଳିଛି। ସେନ୍ ୱର୍ନ, ଡାମିଏନ୍‌ ଫ୍ଲେମିଂ, ମାଇକେଲ୍ କାସ୍ପ୍ରୋୱିଜ୍‌ଙ୍କ ବିପକ୍ଷ ଏହି ଲଢ଼େଇରେ ସଚିନ ୯ ଚୌକା ଓ ୫ ଛକା ବଳରେ ୧୪୩ ରନ୍ କରି ଭାରତକୁ ଆବଶ୍ୟକ ରନ୍‌ ହାର ସହିତ ଚମତ୍କାର ଢ଼ଙ୍ଗରେ ପଶ୍ଚାତଧାବନ ବିଜୟ ଦେଇଥିଲା। ସଚିନଙ୍କ ୪୭ତମ ଜନ୍ମଦିନରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ଶୁକ୍ରବାର ଆହୂତ ଭୋଟିଂ ପ୍ରକ୍ରିୟାରେ ଏହା ପ୍ରଶଂସକଙ୍କ ଦ୍ବାରା ଶ୍ରେଷ୍ଠ ବିବେଚିତ ହୋଇଛି। ୨୦୦୩ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ବିଜୟୀ ୯୮ରନ୍‌ ଏହାର ନିକଟତର ହୋଇଥିଲେ ମଧ୍ୟ ପଛରେ ପଡ଼ିଯାଇଥିଲା। ଏହି ଦୁଇ ପାଳି ପାଖାପାଖି ଥିଲା ବୋଲି ମଧ୍ୟ ଆଇସିସି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛି। ପ୍ରଶଂସମାନେ ମୋାତେ ଉତ୍ସାହିତ କରିଥିଲେ, ପ୍ରାର୍ଥନା କରିଥିଲେ। କ’ଣ ପାଇଁ ପ୍ରାର୍ଥନା କରୁଥିଲେ ? ତେଣୁ ମୁଁ ସେମାନଙ୍କୁ ଅନୁରୋଧ କରୁଛି କରୋନା ମୁକାବିଲା ପାଇଁ ସେମାନେ ଘରେ ରୁହନ୍ତୁ ବୋଲି ସଚିନ ନିଜ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରିଥିଲେ।

ସ୍ଲେଜିଂକୁ ଭୁଲି ଯାଇଥିଲେ ଲଜ୍ଜିତ ସାକଲେନ୍‌
ନବେ ଦଶକରେ ସଚିନ ତେନ୍ଦୁଲକର ଏବଂ ପାକିସ୍ତାନର ସଫଳ ଅଫସ୍ପିନର୍ ସାକଲେନ୍ ମୁସ୍ତାକଙ୍କ ମଧ୍ୟରେ ଭଲ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। କିନ୍ତୁ ସଚିନଙ୍କୁ ଥରେ ମାତ୍ର ସ୍ଲେଜିଂ କରିବା ପରେ ସାକଲେନ୍ ଆଉ ତାଙ୍କ ଜୀବନସାରା ଏହା କରିନଥିଲେ। ଏହି କଥା ନିଜେ ସ୍ବୀକାର କରିଛନ୍ତି ସାକଲେନ୍‌। କାନାଡ଼ାରେ ଅନୁଷ୍ଠିତ ସାହାରା କପ୍‌‌ ବେଳେ ଏହି ଘଟଣା ଘଟିଥିଲା। ‘ପ୍ରଥମ ଥର ପାଇଁ ତାଙ୍କୁ ସ୍ଲେଜିଂ କରିବା ବେଳେ ଏ କ୍ଷେତ୍ରରେ ମୁଁ ନୂଆ ଥିଲି। ମୁଁ ଯଦି ଠିକ୍‌ ଭାବେ ମନେ ପକାଇବି ଏହା ସମ୍ଭବତଃ ୧୯୯୭ ମସିହା ସଂସ୍କରଣ। ସ୍ଲେଜିଂ କରିବା ପରେ ସେ ସିଧା ମୋ ପାଖକୁ ଆସି କହିଥିଲେ ‘ମୁଁ ତୁମକୁ ତ ଦୁର୍ବ୍ୟବହାର କରିନାହିଁ, ତ‌ୁମେ ମୋତେ କାହିଁକି ଦୁର୍ବ୍ୟବହାର କରୁଛ’। ଏତିକି କଥାରେ ମୁଁ ବଡ଼ ଲଜ୍ଜିତ ହୋଇ କ’ଣ କହିବି ଜାଣି ପାରିନଥିଲି। ସେ ବି ମୋତେ ଜଣେ ବ୍ୟକ୍ତିଭାବେ ଉଚ୍ଚ ସୋପାନରେ ରଖନ୍ତି ଓ ସମ୍ମାନ କରନ୍ତି ବୋଲି କହିଥିଲେ। ମ୍ୟାଚ୍‌ ପରେ ମୁଁ କ୍ଷମା ମାଗି ନେଇଥିଲି। ଏହା ପରେ ମୁଁ ଆଉ କେବେ ବି ତାଙ୍କୁ ସ୍ଲେଜିଂ କରିନାହିଁ ବୋଲି ୪୩ ବର୍ଷୀୟ ସାକଲେନ୍ ପ୍ରକାଶ କରିଥିଲେ। ୧୯୯୯ ଚେନ୍ନାଇ‌ ଟେଷ୍ଟ୍‌ରେ ସଚିନଙ୍କ ଅବିଶ୍ବସନୀୟ ୧୩୬ ରନ୍ ସତ୍ତ୍ବେ ପାକିସ୍ତାନ ୧୨ ରନ୍‌ରେ ଜିତିଯିବାକୁ ସାକଲେନ୍ ମଧ୍ୟ ମନେ ପକାଇଥିଲେ। ଉଭୟ ପାଳିରୁ ୧୦ ୱିକେଟ୍ ଦଖଲ କରି ସାକଲେନ୍ ହିଁ ମ୍ୟାଚ୍‌ରେ ଫରକ ପକାଇଥିଲେ।

ସମ୍ବନ୍ଧିତ ଖବର